Unknown

 

 

 

 

 

 

 

 

୧୦୬ତମ ସଂଖ୍ୟା କୋଣାର୍କ ୧୯୯୭

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟର ଏକାଡେମୀର ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ଭାରାପ୍ରାପ୍ତ ସଭାପତି ଓ ସଂପାଦକ

ଶ୍ରୀ ଶ୍ରୀନିବାସ ଉଦ୍‍ଗାତା

 

ସଚିବ

ଡକ୍ଟର ହରପ୍ରସାଦ ପରିଛା ପଟନାୟକ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ ପ୍ରକାଶିତ

ଲେଖାଗୁଡ଼ିକର ପୁନର୍ମୁଦ୍ରଣ ଲେଖକ/ଅନୁବାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ

ଅନୁମତି ସାପେକ୍ଷ ରଚନାରେ ପ୍ରକାଶିତ ମତାମତ ଲେଖକଙ୍କର ନିଜସ୍ୱ ମତ ।

 

ସୂଚୀପତ୍ର

୧.

ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟର ଦୃଷ୍ଟି ଓ ଭଂଗୀ

: ଡକ୍ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ

୨.

ସ୍ରଷ୍ଟା ଗଡ଼ନାୟକ ଓ ସୃଷ୍ଟି ‘ଅୟି ପୃଥ୍ଵୀ’

ଏକ ବିହଙ୍ଗାବଲୋକନ

: ଡକ୍ଟର ସୀମାଞ୍ଚଳ ପ୍ରଧାନ

୩.

କାମାୟନୀ, କନୁପ୍ରିୟା, ଶ୍ରୀରାଧା ଓ

ଅନ୍ୟାର ଭାବସାମ୍ୟ

: ଡକ୍ଟର ଆଦିକନ୍ଦ ସାହୁ

୪.

ଓଡ଼ିଆ ପଲ୍ଲୀଚେତନା ଭିତ୍ତିକ କବିତା

ପରିପ୍ରେକ୍ଷୀରେ ବିନୋଦ ନାୟକଙ୍କ ‘ଗ୍ରାମପଥ’

: ଡକ୍ଟର ପ୍ରମୋଦ କୁମାର ବେହେରା

୫.

ଶେଷ ବସନ୍ତର ଚିଠି ଓ କଥାଶିଳ୍ପୀ ମନୋଜ ଦାସ:

ଶ୍ରୀ ସଦାନନ୍ଦ ଶତପଥୀ

୬.

ଭିନ୍ନ ଦିଗନ୍ତ, ସ୍ଵତନ୍ତ୍ର ଦୀପ୍ତି ଏବଂ

ଔପନ୍ୟାସିକ ଶାନ୍ତନୁକୁମାର ଆଚାର୍ଯ୍ୟ

: ଡକ୍ଟର ସନ୍ତୋଷ ତ୍ରିପାଠୀ

୭.

ମଣିଷର କବିତା : କବିତାର ମଣିଷ

: ଡକ୍ଟର ମିହିର କୁମାର ସାହୁ

୮.

ସାଂପ୍ରତିକ ଓଡ଼ିଆ ଶିଶୁକବିତାର ଛନ୍ଦ

ଏକ ସିଂହାବଲୋକନ

: ଡକ୍ଟର ମନୀନ୍ଦ୍ର ମହାନ୍ତି

୯.

ସାହିତ୍ୟ ଓ ମନସ୍ତତ୍ତ

: ଡକ୍ଟର ସୃଷ୍ଟିଧର ପଣ୍ଡା

୧୦.

ସାହିତ୍ୟରେ ଆଧ୍ୟାତ୍ମିକତା

: ଡକ୍ଟର ପ୍ରମୋଦ କୁମାର ଦ୍ୱିବେଦୀ

୧୧.

ଦେବୀ ମାହାତ୍ମ୍ୟ : ବୈଦିକ ଭିତ୍ତିଭୂମି

: ଡକ୍ଟର ବିଦ୍ୟୁତଲତା ରାୟ

୧୨.

ଏକାଡେମୀ ସମାଚାର ସଂପାଦକୀୟ

: ଶ୍ରୀ ଶ୍ରୀନିବାସ ଉଦ୍‌ଗାତା

 

“କୋଣାର୍କ” ପ୍ରକାଶନର ନିୟମାବଳୀ

୧.

ପ୍ରତିବର୍ଷ ‘କୋଣାର୍କ’ର ୪ ଗୋଟି ସଂଖ୍ୟା ନିୟମିତ ଭାବେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ.୧୫/-ରହିବ । ବାର୍ଷିକ ଗ୍ରାହକ ଦେୟ ଟ.୬୦/- ହେବ ।

୨.

‘କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସୃଜନଶୀଳ ଏବଂ ଆଲୋଚନାତ୍ମକ ରଚନାମାନ ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ମଧ୍ୟ ଏଥିରେ ସ୍ଥାନ ପାଇବ ।

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯଦ୍ଦ୍ୱାରା କି ଏହା ଡିମାଇ ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ର ୧୦ ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇ ପାରିବ ।

୪.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାଶ୍ୱର୍ରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ । ଜେରକ୍ସ କିମ୍ୱା କାର୍ବନ କପି ପଠାଇବେ ନାହିଁ । ଫୁଲ୍‍ସ୍ପେପ୍‍ ଅଧାକାଗଜରେ ଏକ ଚତୁର୍ଥାଂଶ ହାସିୟା ରହିଥିବା ଆବଶ୍ୟକ ।

୫.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ।

୬.

‘କୋଣାର୍କ’ରେ ପ୍ରକାଶିତ ପ୍ରତ୍ୟେକ ଲେଖା ପାଇଁ ଲେଖକଙ୍କୁ ଟ.୨୦୦/-(ଦୁଇଶତ ଟଙ୍କା) ପାରିତୋଷିକ ପ୍ରଦାନ କରାଯିବ ।

୭.

‘କୋଣାର୍କ’ସମ୍ପର୍କୀୟ ସମସ୍ତ ଯୋଗାଯୋଗ ଏକାଡେମୀ ସଚିବଙ୍କ ସହିତ କରାଯିବ ।

 

ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟର ଦୃଷ୍ଟି ଓ ଭଂଗୀ

(ଅବଲମ୍ବନ : ଦକ୍ଷଯଜ୍ଞ ସୁଆଙ୍ଗ)

ଡକ୍ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ

 

ଓଡ଼ିଶାର ଲୋକନାଟ୍ୟ ପରଂପରା ଅତ୍ୟନ୍ତ ସମୃଦ୍ଧ । ଗୀତିନାଟ୍ୟ ଲୋକନାଟ୍ୟର ଏକ ବିଶେଷ ଅଙ୍ଗ । ଲୋକନାଟ୍ୟର ବିବିଧ ଶୈଳୀ ଗୀତିନାଟ୍ୟରେ ଗୃହୀତ ହୋଇଥିବା ସ୍ଵାଭାବିକ । ତଥାପି ପ୍ରତ୍ୟେକ ନାଟ୍ୟ ବିଭାଗ ପରି ଗୀତିନାଟ୍ୟରେ କେତେକ ମୌଳିକ ଶୈଳୀ ପରିଲକ୍ଷିତ । ଊନବିଂଶ ଶତାବ୍ଦୀଠାରୁ ଗୀତିନାଟ୍ୟ ବିଭିନ୍ନ ନାଟ୍ୟକାରଂକ ଦ୍ଵାରା ରଚିତ ହୋଇ ଆସିଥିଲେ ମଧ୍ୟ ବୈଷ୍ଣବ ପାଣି ନିଜ ରଚନାଗୁଡ଼ିକରେ କେତେକ ସ୍ଵାତନ୍ତ୍ର୍ୟ ପ୍ରଦର୍ଶନ କରିବାର ପ୍ରୟାସ କରିଛନ୍ତି । ଗୀତିନାଟ୍ୟର ପାରଂପରିକ ଶୈଳୀ ଭିତରେ ବୈଷ୍ଣବ ପାଣି-ଲେଖନୀର ସ୍ୱାତନ୍ତ୍ର ପ୍ରଦର୍ଶନ କରିବା ଏ ପ୍ରବଂଧର ଲକ୍ଷ୍ୟ ।

 

ବୈଷ୍ଣବ ପାଣିଙ୍କ ନାଟ୍ୟ ରଚନା ଯୋଜନାବଦ୍ଧ ନୁହେଁ । ନାଟକର ଦୈର୍ଘ୍ୟ ସଂପର୍କିତ ସଚେତନତାର ଅଭାବ ସତ୍ତ୍ୱେ‌ ନାଟକଗୁଡ଼ିକ ଦୀର୍ଘ ନୁହେଁ, ନିର୍ଦ୍ଦିଷ୍ଟ ସମୟ ପରିସୀମା ମଧ୍ୟରେ ଅଭିନେୟ । ତାଙ୍କ ଆଖି ଆଗରେ ନିଶ୍ଚିତଭାବେ ଗୋଟିଏ କାହାଣୀ ଛାଞ୍ଚ ରହିଛି । କିନ୍ତୁ ସେହି କାହାଣୀ ଛାଞ୍ଚରେ ଆରମ୍ଭ ଓ ପରିଣତି ଉପରେ ଯେତିକି ଗୁରୁତ୍ୱ ଆରୋପିତ ହୋଇଛି, ବିକାଶ ଉପରେ ସେତିକି ଗୁରୂତ୍ଵ ନାହଁ । ନାଟକର ପ୍ରଯତ୍ନ ଅବସ୍ଥା ବା ପ୍ରତିମୁଖ ସଂଧି ଆରଂଭ ହେବାପରେ ଏହା କେଉଁ ସମୟରେ ପରିବର୍ତ୍ତନର ସୂଚନା ଦେଇ ଗର୍ଭସନ୍ଧି ବା ପ୍ରତ୍ୟାଶା ଅବସ୍ଥାରେ ଉପନୀତ ହେବା ଉଚିତ, ପାଣି କବିଙ୍କର ସେ ସଂପର୍କିତ ଧାରଣା ନିଶ୍ଚୟ ଥାଇପାରେ । ତାଙ୍କ ନାଟକର ପ୍ରାରମ୍ଭ ସ୍ତର ପରେ ପରେ ଏକ ନିର୍ଦ୍ଦିଷ୍ଟ ଦ୍ୱନ୍ଦ୍ୱରୁ ନାଟକର ବିକାଶ ଆରମ୍ଭ ହୁଏ । କିନ୍ତୁ ଏହି ଦ୍ୱନ୍ଦ୍ୱର ଗତି ସଂପର୍କରେ ଯତ୍ନଶୀଳ ନ ହେବା ଫଳରେ ନାଟକର ମଧ୍ୟବର୍ତ୍ତୀ ଅବସ୍ଥା କେତେକ ସ୍ଥାନରେ ଆବେଗରହିତ, ଉତ୍କଣ୍ଠାହୀନ ତଥାପି ନାଟ୍ୟ ଶରୀରକୁ ଗୀତି-ସଂଳାପ ମାଧ୍ୟମରେ ଏପରି ସମୃଦ୍ଧ କରାଯାଇଥାଏ ଯେ ଦର୍ଶକ ନାଟ୍ୟିକ ଗତି ପ୍ରତି ଲକ୍ଷ୍ୟ ନ ରଖି କାବ୍ୟିକ ମୋହରେ ନିମଜ୍ଜିତ ହୋଇଯାଏ ।

 

ବୈଷ୍ଣବ ପାଣିଙ୍କର ପ୍ରତ୍ୟେକ ନାଟକ ଭିନ୍ନ ଭିନ୍ନ ନାଟକ ସଂପର୍କିତ ସୂଚନାରୁ ଆରମ୍ଭ । କେଉଁଠାରେ ସୂଚନାତ୍ମକ ଗୀତ ତ କେଉଁଠାରେ ଅଦୃଷ୍ଟ କୁମାରୀମାନଙ୍କ ଦ୍ୱାରା ନୃତ୍ୟଗୀତ, ପୁଣି କେଉଁଠାରେ ବା ପ୍ରସ୍ତାବନା ଦୃଶ୍ୟ ସଂଯୋଜିତ । ମହୀକର୍ଣ୍ଣ ବଧ ଓ ରାବଣ ଦିଗ୍‌ବିଜୟ ସୁଆଙ୍ଗର ପ୍ରସ୍ତାବନାରେ ସଂସ୍କୃତ ନାଟ୍ୟରୀତିର ଅନୁସରଣ ରହିଛି । ଏଗୁଡ଼ିକରେ କେବଳ ନଟନଟୀ ଆସି ନାଟ୍ୟ ସୂଚନା ଦେଉଛନ୍ତି । ଆଦ୍ୟକାଣ୍ଡ ସୁଆଙ୍ଗର ପ୍ରସ୍ତାବନା ଦୃଶ୍ୟରେ ଶିବ-ଦୁର୍ଗାଂକ ଦ୍ୱାରା ନାଟ୍ୟସୂଚନା ପ୍ରଦତ୍ତ ହୋଇଛି । ଏହିପରି ନାଟକଗୁଡ଼ିକରେ ପଦ୍ୟ ବଚନିକା ପରି ଗଦ୍ୟ ବଚନିକାର ମଧ୍ୟ ପ୍ରାଧାନ୍ୟ ରହିଛି । ମେଘନାଦ ବଧ, ମହୀରାବଣ ବଧ, ବକାସୁର ବଧ ପ୍ରଭୃତି ବହୁନାଟକ କେବଳ ଗୋଟିଏ ଗୋଟିଏ ସୂଚନା ଗୀତରୁ ଆରମ୍ଭ ହୋଇଛି । ପରଶୁରାମ ମାତୃହତ୍ୟା ପରି କେତେକ ନାଟକରେ ଅଦୃଷ୍ଟ କୁମାରୀମାନଙ୍କ ଗୀତରେ ନାଟ୍ୟ ପ୍ରବେଶ ହୋଇଛି । ଆଲୋଚ୍ୟ ଦକ୍ଷଯଜ୍ଞ ସୁଆଙ୍ଗର ଆରମ୍ଭରେ କେବଳ ଗୀତ ମାଧ୍ୟମରେ ନାଟ୍ୟସୂଚନା ପ୍ରଦତ୍ତ । ଲକ୍ଷ୍ୟ କରିବାର କଥା ଯେ ବୈଷ୍ଣବ ପାଣି ବିଶୃଙ୍ଖଳିତ ଦର୍ଶକମାନଙ୍କୁ ପ୍ରଥମେ ନାଟ୍ୟଦର୍ଶନ ପ୍ରତି ଆହ୍ୱାନ କରି ଏକ ସଂକ୍ଷିପ୍ତ ଗୀତ ମାଧ୍ୟମରେ ନାଟ୍ୟବସ୍ତୁ ସଂପର୍କରେ ଅବଗତ କରାଉଛନ୍ତି । ମାତ୍ର ଗୋଟିଏ ଗୋଟିଏ ସଂକ୍ଷିପ୍ତ ଗୀତ ଦର୍ଶକମାନଙ୍କୁ ସଂଯତ-ସାବଧାନ ଅବସ୍ଥାକୁ ଆଣିବାପରେ ନାଟକ ଆରମ୍ଭ ହେଉଛି । ସଂସ୍କୃତ ନାଟକ ପରି ଦୀର୍ଘ ପ୍ରସ୍ତାବନା ଦୃଶ୍ୟ ଦ୍ୱାରା ଦର୍ଶକମାନଙ୍କ ନାଟ୍ୟଦର୍ଶନ ଉତ୍ସୁକତାରେ ବାଧା ସୃଷ୍ଟି ହେଉନାହିଁ ।

 

ପରବର୍ତ୍ତୀ ଦୃଶ୍ୟରେ ଗୌଣ ନାଟ୍ୟଚରିତ୍ର ମାଧ୍ୟମରେ ପରିବେଶ ସୃଷ୍ଟିର ପ୍ରୟାସ କରାଯାଇଛି । ଭୃଗୁଋଷି ଶିଷ୍ୟମାନଂକ ସହ ମଞ୍ଚ ପ୍ରବେଶ କରି ଯଜ୍ଞସ୍ଥଳର ବର୍ଣ୍ଣନା ଦେଉଛନ୍ତି । ଏହା ମଧ୍ୟ ଗୋଟିଏ ସଂକ୍ଷିପ୍ତ ଗୀତ ମାଧ୍ୟମରେ ଶେଷ ହୋଇଛି । ତାପରେ ଶିବାଗଣଙ୍କ ସହ ଶିବଙ୍କର ପ୍ରବେଶ । ତାଙ୍କ ମୁହଁରେ ରହିଛି ପ୍ରବେଶ ଗୀତ। ପ୍ରବେଶ ଗୀତରେ ଆତ୍ମପରିଚୟ ପ୍ରଦାନ ଏକ ପାରଂପରିକ ସୁଆଙ୍ଗ ରୀତି ।

 

ବୈଷ୍ଣବ ପାଣିଂକ ସୁଆଙ୍ଗଗୁଡ଼ିକ ଗୀତିନାଟ୍ୟର ଯଥାର୍ଥ ଧର୍ମ ବହନ କରିଛି । ମୂଳରୁ ଶେଷ ପର୍ଯ୍ୟନ୍ତ ଗୀତ ମାଧ୍ୟମରେ ପ୍ରତ୍ୟେକ ଚରିତ୍ରର ବକ୍ତବ୍ୟ ପ୍ରକାଶିତ ହୋଇଛି । ଗୀତଗୁଡ଼ିକ ଦୀର୍ଘ ସଂଳାପ ପର୍ଯ୍ୟାୟର । ଯେଉଁଠାରେ ପାଣି କବି ସଂକ୍ଷିପ୍ତ ସଂଳାପର ଉପଯୋଗ କରିବାକୁ ଚାହିଛନ୍ତି, ସେଠାରେ ଦାୟିକା ରୀତିକୁ ଗ୍ରହଣ କରିଛନ୍ତି । ଦାୟିକା ସୁଆଙ୍ଗର ଏକ ପାରଂପରିକ ରୀତି । ନାଟକର ଦ୍ୱନ୍ଦ୍ୱ ଆରମ୍ଭ ହୋଇଛି ଦକ୍ଷଙ୍କର ଶିବଙ୍କୁ ଅପମାନ କରିବା ଦୃଶ୍ୟରୁ । ଭୃ ଗୁ- ଶିବ, ନନ୍ଦୀ-ଦକ୍ଷ ଦାୟିକାରୁ (ଦୁଇ ଚରିତ୍ର ମଧ୍ୟରେ କଥୋପକଥନ) ନାଟକର ଦ୍ୱନ୍ଦ୍ୱ ଆରମ୍ଭ ହୋଇଛି । ଦୁର୍ଗା-ଗଂଗା, ଶିବ- ଦୁର୍ଗା, ଦୁର୍ଗା-ନାରଦ, ଅଶ୍ଵିନୀ- ଦୁର୍ଗା, ରାଣୀ- ଦୁର୍ଗା ପ୍ରଭୃତି ଦାୟିକାଗୁଡ଼ିକ ନାଟ୍ୟ କାହାଣୀକୁ ଗତିଶୀଳ କରାଇଛି । ଦାୟିକା ସାହାଯ୍ୟରେ ସମସ୍ତ ପ୍ରକାର ଭାବ ଓ ଅବସ୍ଥାର ପ୍ରକାଶ କରାଯାଉଥିଲେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ କଳହର ଉପସ୍ଥାପନ ଲାଗି ଏହା ସଂପୂର୍ଣ୍ଣ ଉପଯୁକ୍ତ । ବିଶେଷ ଅଭିନୟ ଭଙ୍ଗୀରେ ଦାୟିକା ରୀତିର କଳହ ଦୃଶ୍ୟ ଦର୍ଶକଙ୍କ ନିକଟରେ ବିଶେଷ ଉପଭୋଗ୍ୟ ହୁଏ । ଉଦାହରଣ ସ୍ଵରୂପ :

 

ନନ୍ଦୀ      :      ରକ୍ଷା ନାହିଁ ତୋର ଆରେ ଦକ୍ଷ ପ୍ରଜାପତି

ଦକ୍ଷ      :      ଏଡ଼ିକି ଥୋବରା ଯାଇଁ କର ଭିକ୍ଷାବୃତ୍ତି ।

ନନ୍ଦୀ      :      ନିନ୍ଦୁ ପଶୁପତି ଦୁଷ୍ଟ କେଉଁ ସାହସରେ ?

ଦକ୍ଷ      :      କି ଫଳ ମିଳିବ ତାହା ଜାଣିବୁ ଶେଷରେ ।

 

ଗୀତିନାଟ୍ୟ ଶବ୍ଦ, ସଂଗୀତ ଓ ନାଟ୍ୟର ସମନ୍ଵୟସୂଚକ । ଏଥିରେ ସଂଗୀତ ମାଧ୍ୟମରେ ନାଟକୀୟ କଥାବସ୍ତୁରୁ ଅଗ୍ରଗତି ଘଟେ । ଲୋକନାଟ୍ୟର କଥାବସ୍ତୁ ମୂଳତଃ ପୌରାଣିକ ହେଲେ ମଧ୍ୟ ସ୍ଥଳବିଶେଷରେ ଲୌକିକତାର ଆଭାସ ଦେଇଥାଏ । ସଂଗୀତଗୁଡ଼ିକ ଅତୀତ ଭିତରକୁ ପ୍ରୟାଣ କରାଇ ଦର୍ଶକମାନଙ୍କର ରୋମାଣ୍ଟିକ୍‌ ରସତୃଷ୍ଣାର ପରିତୃପ୍ତି ଘଟାଏ । ଏହି ଦୃଷ୍ଟିରୁ ଲୋକନାଟ୍ୟର ଭାଷାରେ ଲୌକିକ ଭାଷାର ପ୍ରୟୋଗ ଥିବା ସତ୍ତ୍ୱେ ବହୁ ସ୍ଥଳରେ ଆଳଂକାରିକ କାବ୍ୟଭାଷା ପ୍ରଯୁକ୍ତ । ବୈଷ୍ଣବ ପାଣିଙ୍କର ଅନୁପ୍ରାସବହୁଳ କାବ୍ୟଭାଷା ଅସାଧାରଣ କବିତ୍ୱର ଅପେକ୍ଷା ରଖେ । ଏହି ଭାଷା ମଧ୍ୟଯୁଗୀୟ କବିମାନଙ୍କର ଭାଷାଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ । ବୈଷ୍ଣବ ପାଣିଙ୍କର ପୂର୍ବବର୍ତ୍ତୀ, ସମସାମୟିକ ବା ପରବର୍ତ୍ତୀ କୌଣସି ଲୋକନାଟ୍ୟକାର ଏପରି ଭାଷାର ପ୍ରୟୋଗ କରି ପାରିନାହାନ୍ତି ।

 

ବୈଷ୍ଣବ ପାଣିଙ୍କ ଗୀତଗୁଡ଼ିକ କେତେକ ସ୍ଥଳରେ ସଂପୂର୍ଣ୍ଣ ଲୋକଭାଷା ସମ୍ବଳିତ, କେତେକ ସ୍ଥଳରେ ଅଳଂକାରବହୁଳ ତତ୍‌ସମଶବ୍ଦଯୁକ୍ତ, ପୁଣି କେତେକ ସ୍ଥଳରେ ସାଧୁଶବ୍ଦ ସହିତ ଅତ୍ୟନ୍ତ ଲୌକିକ ଶବ୍ଦ ସମନ୍ୱିତ । ଯେଉଁଠାରେ ଲୌକିକ ଭାଷା ସହିତ ଲୌକିକ ଜୀବନର ଚିତ୍ର ସହଜରୂପେ ପ୍ରକଟିତ, ସେଠାରେ ପାଣିକବିଙ୍କ ଲେଖନୀର ଅସାଧାରଣତ୍ୱ ଉପଲବ୍ଧ । ଦକ୍ଷ ଓ ନନ୍ଦୀଙ୍କ କଳହ, ପାର୍ବତୀ ଓ ନନ୍ଦୀଙ୍କ କଥୋପକଥନ, ଦୁର୍ଗା ଓ ଗଙ୍ଗାଙ୍କର କଳହ ଗୀତଗୁଡ଼ିକରେ ଏହା ସହଜଲକ୍ଷ୍ୟ । ନନ୍ଦୀ ପାର୍ବତୀଂକୁ ଯଜ୍ଞର ବିବରଣୀ ଦେବାକୁ ଯାଇ କହିଛି ଦକ୍ଷଙ୍କର ଷାଠିଏ ଜ୍ଵାଇଁ ଜାମାଜୋତା ପିନ୍ଧି ଯଜ୍ଞ ଦେଖିବାକୁ ଆସିଥିଲେ । ଗ୍ରାମାଞ୍ଚଳରେ ଜାମାଜୋତା ପିନ୍ଧିବା ଏକ ଭବ୍ୟ ବେଶ । କେବଳ ଅବସ୍ଥାପନ୍ନ ଲୋକେ ହିଁ ଜାମାଜୋତା ପିନ୍ଧନ୍ତି । ଦରିଦ୍ର ଲୋକମାନଙ୍କ ଆଖିରେ ଜାମାଜୋତା ପିନ୍ଧିଥିବା ଅତିଥିମାନେ ଏକ ଏକ ବିସ୍ମୟ । ଅଲୌକିକ ଚରିତ୍ରଗୁଡ଼ିକୁ ଲୌକିକ ବେଶରେ ଠିଆ କରାଇବାରେ ହିଁ ରହିଛି ବୈଷ୍ଣବ ପାଣିଂକର ଅନନ୍ୟ କୃତିତ୍ୱ । ଗଙ୍ଗାଙ୍କ ପ୍ରତି ନନ୍ଦୀଙ୍କର ଏକ ଗୀତରେ ଦକ୍ଷ ରାଜପରିବାରର ବିବାହ ଚିତ୍ର ଦେବା ସମୟରେ କିପରି ଏକ ସାଧାରଣ ପରିବାରର ଚିତ୍ର ଆରୋପିତ ହୋଇଛି, ତାହା କୌତୁକପ୍ରଦ ।

 

ମାଆ କାହାକୁ କହିବି ଲୋ, ଯାହା କରିଛି ସେ ଦକ୍ଷ ଅଜା,

ଶୁଣିଲେ ତୋ ଛାତି, ହେବଟି କରତି ମରଣୁ ବଳିଛି ସଜା ।

ଆସିଥିଲେ ତହିଁ ତା’ର ଷାଠି ଜୋଇଁ ପିନ୍ଧି ଜାମାଜୋତା ମୋଜୀ,

ଆମ୍ଭଙ୍କୁ ଲଙ୍ଗଳା ଦେଖିକରି ତିଳେ କଲେ ନାହିଁ ପାଦପୂଜା ।

x x x x x

କରି ଯାଗ ଶେଷ ଗଲେ ନିଜବାସ ଖାଇ ଡାଲି, ଭାତ, ଭଜା ।

 

ପୁଣି ଦକ୍ଷଙ୍କ ଯଜ୍ଞ ଉତ୍ସବ ପ୍ରସଂଗରେ ବିଳାସପୂର୍ଣ୍ଣ ଭୋଜନର ବର୍ଣ୍ଣନା କରା ନଯାଇ କରାଯାଇଛି ଭାତ, ଡାଲି, ଭଜାର, ଯାହା ହେଉଛି ଦରିଦ୍ର ପରିବାର ଲାଗି ଉତ୍ତମ ଭୋଜନ । ଆମ ଗାଁ ଗହଳର ଅଭାବୀ ପରିବାରମାନେ ମଧ୍ୟ ଏହାଠାରୁ ଭଲ ଭୋଜିର ବ୍ୟବସ୍ଥା କରିଥାନ୍ତି । ସାଧାରଣ ଖାଦ୍ୟର ବର୍ଣ୍ଣନା ଭିତରେ ପାଣିକବି ଗ୍ରାମ୍ୟ ଜନତାର ଚେତନା ସ୍ତରକୁ ସ୍ପର୍ଶକରି ପାରିଛନ୍ତି ।

 

ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ଦେବଚରିତ୍ରଗୁଡ଼ିକର ବେଶଭୂଷଣ, ଖାଦ୍ୟପେୟ, ରୀତିନୀତି ସମସ୍ତ ଆଡ଼ମ୍ବରପୂର୍ଣ, ଐଶ୍ଵର୍ଯ୍ୟମୟ । ବୈଷ୍ଣବ ପାଣିଙ୍କ କଳ୍ପନାଚକ୍ଷୁରେ ଏପରି ମହାର୍ଘ ଚିତ୍ରର ଅଭାବ ନଥିଲା । କିନ୍ତୁ ଅଲୌକିକ ଚରିତ୍ରକୁ ଲୌକିକତା ପ୍ରଦାନ କରି ସାଧାରଣ ଜନଜୀବନ ସହିତ ସମନ୍ୱିତ କରିବାର ପ୍ରୟାସ ଥିଲା ତାଙ୍କର ମାନସିକ ବିଳାସ । ଏହା ଦ୍ୱାରା ଲୋକାୟତ ସ୍ତର ସମାଜର ନିକଟବର୍ତ୍ତୀ ହୋଇ ପାରୁଥିଲା ତାଙ୍କର ଲୋକନାଟ୍ୟାଭିନୟ ।

 

ଦର୍ଶକଙ୍କୁ ଲୌକିକତାର ସ୍ଵାଦ ଆସ୍ୱାଦନ କରାଇବାରେ ବୈଷ୍ଣବ ପାଣି ହେଉଛନ୍ତି ଅନନ୍ୟ ଶିଳ୍ପୀ ।

 

ଗ୍ରାମାଞ୍ଚଳରେ ଗୃହିଣୀମାନଂକର ପରସ୍ପର ସହିତ କଳହ ଏକ ନିତ୍ୟ ଦୃଶ୍ୟ । ଏହା ଗ୍ରାମର ଶାନ୍ତ ପରିବେଶକୁ ଶବ୍ଦ ମୁଖରିତ କରିବା ସଂଗେ ସଂଗେ ଅନେକ ସମୟରେ କୌତୁକପୂର୍ଣ୍ଣ ହୋଇଉଠେ । ଏପରି ଏକ ଉପଭୋଗ୍ୟ ଚିତ୍ର ପ୍ରଦତ୍ତ ହୋଇଛି ଦୁର୍ଗା ଓ ଗଂଗାଂକର ସପତ୍ନୀସୁଲଭ କଳହ ଦୃଶ୍ୟରେ ।

 

ଦୁର୍ଗା      -      କହ କହ ଆଉ ଥରେ କହୁଥିଲୁ କିସ

ଗଙ୍ଗା      -      ଉଦଣ୍ଡୀର ପୁଣି ଦେଖ ଏଡ଼ିକି ସାହସ ।

ଦୁର୍ଗା      -      କେଉଁଦିନ ହେଲୁ ଏଡ଼େ ଗେରସ୍ତ ସୁଆଗୀ

ଗଙ୍ଗା      -      ଦଉଡ଼ି ଆସିଛୁ କଳି କରିବାର ଲାଗି ।

 

ଦୁର୍ଗା      :      ଖାଇଲୁ ସାତ ସନ୍ତାନ ଶାନ୍ତନୁର ତୁହି

      କାଢ଼ିଦେଲା ରହିଲୁ ମୋ ସଉତୁଣୀ ହୋଇ ।

ଗଂଗା      :      ଗୋଟା ପୁଅ ବେଇଛୁ ଛଅଟା ତା’ର ମୁଣ୍ଡ

      କୋଡ଼ ପୋଛା ପୁଅର ଝୁଲୁଛି ହାତୀଶୁଣ୍ଢ ।

ଦୁର୍ଗା      :      ରସିଥିଲା ମାଇପ କରିବା ପାଇଁ ହାତୀ

      ତିନି ଢେଉ ମାରି ଭସାଇଲୁ ଭଗବତୀ ।

ଗଙ୍ଗା      :      ଅଣ୍ତିରାଚଣ୍ଡୀ ସ୍ଵଭାବ ଦେଖି ତୋର ବାପ

      ଗଉରୀ ନାମ ବଦଳେ ଦେଲା କାଳୀରୂପ ।

 

ଦାୟୀକା ରୀତିରେ ଦେବୀ ଚରିତ୍ରଗୁଡ଼ିକୁ ଗାଁର କଳିହୁଡ଼ୀ ସ୍ତ୍ରୀମାନଂକ ଅନୁରୂପରେ ଚିତ୍ରଣ କରି ଗ୍ରାମ୍ୟ ଦର୍ଶକ ମନରେ କୌତୂହଳ ସୃଷ୍ଟି କରିବା ବୈଷ୍ଣବ ପାଣିଙ୍କର ଥିଲା ଅନ୍ୟତମ ନାଟ୍ୟ କୌଶଳ ।

 

ଦୁଇ ସପତ୍ନୀ ଗଂଗା ଓ ଦୁର୍ଗାଂକ ମଧ୍ୟରେ ବିବାଦ ହେତୁ ସ୍ଵାମୀ ଶିବଙ୍କୁ ଉଭୟଙ୍କର ଭର୍ତ୍ସନା ସହିବାକୁ ପଡ଼ୁଛି । ଶିବଙ୍କର ଅବସ୍ଥା ଲୋକଗୀତର ଭାଷାରେ ‘ଦୁଇ ମାଇପର ଘଇତା’ ପରି । ଗ୍ରାମ୍ୟ ସମାଜରେ ଏପରି ଚିତ୍ରର ଅଭାବ ନଥିଲା ବୈଷ୍ଣବ ପାଣିଙ୍କ ସମୟରେ । ମହାଦେବ ଶିବଙ୍କ ପତ୍ନୀ ଦୁର୍ଗା ଚରିତ୍ର ମୁଖରେ ଫୁଟି ଉଠିଛି ଏହିପରି ଏକ ଅଭାବଗ୍ରସ୍ତ ପରିବାରର ଚିତ୍ର ।

 

ଯାଉଛି ଯାଉଛି ହର ଥାଉ ଥାଉ ତୁମ୍ଭ ଘରକରଣା

ଗଂଗା ବଂଗାଳୁଣୀ ଗାଳି ନ ସହିବି ପ୍ରାଣ ହରାଇବି ଅଛି ଧାରଣା ।

ଠାଇଁଆଣୀଟାର ଟାଣ ପୁଣି କେଡ଼େ କରୁଅଛି କେତେ ଅବତାରଣା ।

ଅନ୍ନ ବିନା ପେଟ ଶୂନ୍ୟ ପ୍ରତିଦିନ ନ ମିଳଇ ଦିନେ ପୂର୍ଣ୍ଣାପାରଣା

ନାହିଁ ଖଣ୍ଡେ ବାସ ଦାଣ୍ଡେ ଚାଲିବାକୁ ଜଣା ପଡ଼ିଲାଣି ସବୁ ବୋଲଣା ।

ତଇଳ ବିହୁନେ ବାଳହୁଏ ଜଟ କାହିଁରେ ହୋଇବ ମନ ଫୁରୁଣା

ମାଗିଲେ ଲାଗିବ ନିତି ଭଟ ଭଟ ବଇ କହି ଅଟ ନାରୀ ମାରଣା ।

 

ଦୁର୍ଗା ନିଜର ଅନ୍ନ, ବସ୍ତ୍ର ଓ ତୈଳର ଅଭାବ କଥା ସୂଚାଇଲାବେଳେ ଗଂଗାକୁ ବଂଗାଳୁଣୀ, ଠାଇଁଆଣୀ କହି ଆକ୍ଷେପ କରୁଛନ୍ତି । ସ୍ଵାମୀର ସ୍ନେହ, ସୋହାଗ ଭିତରେ ଛିଣ୍ଡାଲୁଗା ପିନ୍ଧି ଉପାସ ଭୋକରେ ରହିଲେ ବି ସ୍ତ୍ରୀର ଦୁଃଖ ହୁଏନାହିଁ । କିନ୍ତୁ ସ୍ଵାମୀଠାରୁ ମିଳୁଥିବା ସ୍ନେହ ଓ ଅଧିକାରରେ ଅନ୍ୟଜଣେ ସ୍ତ୍ରୀର ଅନୁପ୍ରବେଶ ଘୋର ବ୍ୟଥାର କାରଣ ହୁଏ । ସହଜାତ ଈର୍ଷା ଯୋଗୁଁ ଯେଉଁ ଅଭାବଗୁଡ଼ିକ ନାରୀକୁ ଅଭାବ ବୋଲି ଜଣା ପଡ଼ୁନଥିଲା, ତାହା ସହସା ବିରାଟ ଅଭାବ ହୋଇ ଠିଆ ହୋଇଯାଏ । ଗୋଟିଏ ଦୁଃଖୀ ପରିବାରର ମାନସିକତାର ଚିତ୍ର ବଡ଼ ଜୀବନ୍ତ ଭାବରେ ଫୁଟି ଉଠିଛି ପାଣିକବିଙ୍କ ରଚନାରେ । ଲୋକନାଟ୍ୟରେ ଲୋକ ସମାଜର ବାସ୍ତବ ଚିତ୍ର ଉପସ୍ଥାପନ ଏକ ବିଶେଷ ଦିଗ ।

 

ସମାଜ ଚିତ୍ର ଅଙ୍କନ କରିବାରେ ପାଣିକବି ସିଦ୍ଧହସ୍ତ । ଯେଉଁ ସମାଜରେ ସେ ବାସ କରୁଛନ୍ତି, ସେ ସମାଜର ପ୍ରତିଟି ଦୁଃଖ-ସୁଖ, ଅଭାବ-ଅସୁବିଧା ତାଙ୍କୁ ଆଲୋଡ଼ିତ କରିଛି । ସମାଜରେ ଧନୀ ଓ ଗରିବଙ୍କ ପାଇଁ ଭିନ୍ନ ଭିନ୍ନ ବିଚାର । ଧନୀଲୋକ ସବୁଠାରେ ସମ୍ମାନିତ ହୁଏ, କିନ୍ତୁ ଗରିବ ଲୋକର ସବୁଠାରେ ପ୍ରାପ୍ୟ ଅପମାନ । ଧନର ଅସମାନତାରୁ ସହୋଦର ଭାଇଭଉଣୀଙ୍କର ମଧ୍ୟ ସାମାଜିକ ସମ୍ମାନିତାରେ ବହୁ ପାର୍ଥକ୍ୟ ଥାଏ । ସ୍ଵାମୀ ଦରିଦ୍ର ନିଃସମ୍ବଳ ହୋଇଥିବାରୁ ଉମା (ଦୁର୍ଗା) ନିଜର ବାପଘରେ ଅସମ୍ମାନିତା ହୋଇଛନ୍ତି । ଅନ୍ୟ ଭଉଣୀମାନଙ୍କ ସ୍ଵାମୀମାନେ ଧନୀ ହୋଇଥିବାରୁ ସେମାନେ ଯଜ୍ଞ ଉତ୍ସବକୁ ଦକ୍ଷଂକଦ୍ୱାରା ନିମନ୍ତ୍ରିତ ହୋଇଛନ୍ତି । ଅଥଚ ସେ ଓ ତା’ର ସ୍ଵାମୀ ନିମନ୍ତ୍ରଣରୁ ବଂଚିତ । ବାପଘରେ ଏପରି ପାତର ଅନ୍ତର ବ୍ୟବହାର ଝିଅ ମନରେ ପ୍ରଚଣ୍ଡ ଆଘାତ ଦିଏ । ଏହିପରି ଏକ କରୁଣ ଚିତ୍ର ଅଙ୍କିତ ହୋଇଛି ଦକ୍ଷଯଜ୍ଞ ସୁଆଙ୍ଗରେ ।

 

ଝିଅ ହୋଇ ଦେହ ଧରି କେ ରହିବ ସାରିଦେଲେ ମୋର ହୃଦ ଦମ୍ଭକୁ

ଧନବନ୍ତ ଦେଖି ନେଉଛନ୍ତି ଡାକି ନ ଡାକିଲେ ଦୁଃଖୀ ଦେଖି ଆମ୍ଭକୁ ।

ଜନ୍ମକରି ଗୋଡ଼ ନ ଦେଇ ଗଳାରେ ଏବେ ପେଲିଦେଲେ ଦୁଃଖାନଳକୁ

ପିତାପୁରେ ଏଡ଼େ ଉତ୍ସବ ଶୁଣିଲେ କାହା ମନ ହେବ ଘରେ ଥିବାକୁ ।

 

ଓଡ଼ିଶାର ଆଳଂକାରିକ କାବ୍ୟ-ପରଂପରା ବଡ଼ ସମୃଦ୍ଧ । ଗ୍ରାମ୍ୟ ସମାଜର ସାଧାରଣ ଲୋକଙ୍କ ଉପରେ ଏହାର ବିଶେଷ ପ୍ରଭାବ ରହିଛି । କାବ୍ୟ ବିଳାସ ଲାଗି ସେମାନେ ନିର୍ଭର କରନ୍ତି ଲୋକନାଟ୍ୟ ଉପରେ । ତେଣୁ ଲୋକନାଟ୍ୟରେ ସଂଯୋଜିତ ଗୀତଗୁଡ଼ିକରେ ଲୋକଭାଷା ସହିତ ଆଳଂକାରିକ କାବ୍ୟ ଭାଷାର ସମନ୍ୱୟ ବହୁ ସ୍ଥଳରେ ଘଟିଥାଏ । ସରଳ ଭାଷାର ସୁବୋଧ୍ୟ ଗୀତ ପରି ଆଳଂକାରିକ ଗୀତ ମଧ୍ୟ ସମାନଭାବେ ଗୁରୁତ୍ୱପୂର୍ଣ୍ଣ । ଭଲ ଭାବରେ ବୁଝି ନପାରିଲେ ମଧ୍ୟ ଏହାର ଧ୍ଵନି, ମାଧୁର୍ଯ୍ୟ ଓ ଆଳଂକାରିକତା ସେମାନଙ୍କୁ ମୁଗ୍ଧ କରେ । ଏହାଦ୍ୱାରା, ସେମାନଙ୍କୁ ନାଟ୍ୟରସ । ସହିତ କାବ୍ୟରସ ଆସ୍ୱାଦନ କରିବାର ସୁଯୋଗ ମିଳେ । ‘ଦକ୍ଷଯଜ୍ଞ’ରୁ କେତୋଟି ଆଳଂକାରିକ ପଦର ଉଦାହରଣ ଦିଆଯାଉଛି :

 

ଇନ୍ଦୀବର ଦୃଶା ନ ରୁଷ, ବାନ୍ଧ ଗଳେ ତୋ ବାହୁ ଫାଶ

ବଇଷ୍ପବ କହି, ଅନ୍ଧ ଯିବି ହୋଇ ଥରେ ତୋର ପାଦ ପାହୁଡ଼ ବଜା ।

 

ବୈଷ୍ଣବ ପାଣିଂକ ନାଟ୍ୟ ରଚନା କାଳ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଦ । ସେ ସମୟକୁ ରାମଶଂକର, ଭିକାରୀ ଚରଣ, ରାଧାମୋହନ, ଅଶ୍ୱିନୀକୁମାର ପ୍ରଭୃତିଂକ ଦ୍ୱାରା ନାଟକର ଅମିତ୍ରାକ୍ଷର ଛନ୍ଦର ବହୁ ପ୍ରଚଳନ ଘଟି ସାରିଛି । ଆଧୁନିକ କାଳର ପୌରାଣିକ ଐତିହାସିକ ନାଟକର ଅନୁସରଣରେ ବୈଷ୍ଣବ ପାଣି ଅମିତ୍ରାକ୍ଷର ଛନ୍ଦର ବ୍ୟବହାର କରିଛନ୍ତି । ଏହା ପରଂପରାରେ ଏକ ଆଧୁନିକ ସଂଯୋଜନ ।

 

କାଳକୂଟ ବିଷ ଯେବେ ଅମୃତ ହୋଇବ

ଆଷାଢ଼ ଶ୍ରାବଣେ ଯେବେ ବସନ୍ତ ବହିବ,

 

ଉଡ଼ିବ ପର୍ବତ ଯେବେ ଅଗ୍ନି ହେବ ହିମ,

ଅମର ହୋଇବେ ଯେବେ ମର୍ତ୍ତ୍ୟପୁର ଲୋକେ,

 

ବିନା ମେଘେ ବୃଷ୍ଟି ଯେବେ ହୋଇବ କରକା

ନ କରିବି କେବେ ମୁହଁ ବରଣ ହରକୁ ।

 

ବୈଷ୍ଣବ ପାଣିଂକ ଗୀତିନାଟ୍ୟରେ ଗଦ୍ୟ ବଚନିକାର ପରିମାଣ ବହୁତ କମ୍‌ । ତାଙ୍କର ଗୀତ ରଚନାରେ ସାମର୍ଥ୍ୟ ଓ ପ୍ରବଣତା ବହୁ ପରିମାଣରେ ଗଦ୍ୟ ସଂଳାପ ରଚନା କରିବାରେ ବାଧକ ଭାବରେ ଠିଆ ହୋଇଛି । ତଥାପି ଯେଉଁଠି ଗଦ୍ୟର ବ୍ୟବହାର ରହିଛି, ତାହା ସାବଲୀଳ ଭଂଗୀର ଗଦ୍ୟ ।

 

‘ହେ ଧୂର୍ଜଟି ! ଆଜି ଆକାଶ ପଥରେ ଚନ୍ଦ୍ରକାମିନୀମାନେ ଯାନ୍ତେ ସ୍ନାନଘାଟରେ ମୋର ଦେଖା ହେଲା । ମୋତେ ଡାକିବାରୁ ମୁଁ ତାଂକୁ ନିଷେଧ କଲି - ନାଥ ! ମୋର ମନ ବଡ଼ ବ୍ୟସ୍ତ ହେଉଛି । ମୋତେ ଅନୁମତି ଦେଲେ ମୁଁ ଯଜ୍ଞ ଦେଖିବାକୁ ପିତାଗୃହକୁ ଯିବି ।’

 

ପାରଂପରିକ ଗୀତିନାଟ୍ୟର ସମସ୍ତ ଭଂଗୀ ବୈଷ୍ଣବ ପାଣିଙ୍କ ଦ୍ୱାରା ଅନୁସୃତ ହୋଇଥିଲେ ମଧ୍ୟ ଲେଖନୀର ସ୍ଵାତନ୍ତ୍ର୍ୟ ଯୋଗୁଁ ଭିନ୍ନ ସ୍ଵାଦୁ ଉପଲବ୍ଧି କରାଏ । ଅଭାବଗ୍ରସ୍ତ ସମାଜର ଜୀବନ୍ତ ଚିତ୍ରକୁ ଏପରି ଶୈଳୀ ମାଧ୍ୟମରେ ପ୍ରକାଶ କରି ଦର୍ଶନକୁ ଚମତ୍କୃତ କରିବାରେ ତାଂକର କୃତିତ୍ୱ ଅନନ୍ୟ । ଏହି ଦୁଇଟି ଦିଗ ଓଡ଼ିଶାର ଲୋକନାଟ୍ୟ, ବିଶେଷତଃ ଗୀତିନାଟ୍ୟ କ୍ଷେତ୍ରରେ ବୈଷ୍ଣବ ପାଣିଙ୍କୁ ଜନପ୍ରିୟ କରିଅଛି ।

 

 

୨୫, ଆଣ୍ଡୃଜ ପଲ୍ଲୀ,

ଶାନ୍ତିନିକେତନ - ୭୩୧୨୩୫ (ପଶ୍ଚିମ ବଙ୍ଗ)

 

***

 

Unknown

ସ୍ରଷ୍ଟା ଗଡ଼ନାୟକ ଓ ସୃଷ୍ଟି ‘ଅୟି ପୃଥ୍ଵୀ’ - ଏକ ବିହଙ୍ଗାବଲୋକନ

ଡକ୍ଟର ସୀମାଞ୍ଚଳ ପ୍ରଧାନ

 

ମାତା ଗୋଲୋକମଣି ଓ ପିତା ମହାଦେବ ଗଡ଼ନାୟକଙ୍କ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ରାଧାମୋହନ ଗଡ଼ନାୟକ। ୧୯୧୧ ମସିହା ଭାଦ୍ରବ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ସେ ଢେଙ୍କାନାଳ ଜିଲ୍ଲାସ୍ଥ ଅନୁଗଳ ନିକଟବର୍ତ୍ତୀ କଲଣ୍ଡାପାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାମାତାଙ୍କର ସେ ହେଉଛନ୍ତି ଚତୁର୍ଥ ସନ୍ତାନ । ବାଲ୍ୟାବସ୍ଥା ସମୟରେ କଲଣ୍ଡାପାଳରେ ବିଦ୍ୟାଳୟ ନଥିବାରୁ ଶିଶୁ ଗଡ଼ନାୟକ ପ୍ରାଥମିକ ଶିକ୍ଷା ଗ୍ରହଣ ସକାଶେ ଲିଙ୍ଗରା ନଦୀର ଉତ୍ତର ପାର୍ଶ୍ଵରେ ଥିବା ‘ଆରାହାଟ’କୁ ପ୍ରେରିତ ହୋଇଥିଲେ । ସେଠାରୁ ସେ ପ୍ରାଥମିକ ଶିକ୍ଷା ସମାପନ କରି ଅନୁଗୁଳ ମଧ୍ୟ-ଇଂରାଜୀ ସ୍କୁଲରେ କରିଥିଲେ । ଛାତ୍ର ଗଡ଼ନାୟକ ସେହିଠାରୁ ହିଁ କବି ଗଡ଼ନାୟକରେ ପରିଣତ ହେବାର ସୌଭାଗ୍ୟ ଅର୍ଜନ କରିଥୁଲେ । ୧୯୨୪ ମସିହା ଥିଲା ଗଡ଼ନାୟକଙ୍କ ଜୀବନର ଏକ ସ୍ମରଣୀୟ କାଳ । ଏହି ବର୍ଷ ତାଙ୍କର ଏକ କ୍ଷୁଦ୍ର କବିତା ‘ବନରାଜି ନୀଳା’ ପତ୍ରିକାରେ ପ୍ରକାଶିତ ହୋଇ କବିଚିତ୍ତରେ ଆନନ୍ଦ ସଞ୍ଚାର କରିଥିଲା

 

୧୯୨୬ ମସିହାରେ ଛାତ୍ର-କବି ରାଧାମୋହନ ଦେଶର ମୁକ୍ତି ଆନ୍ଦୋଳନରେ ସାମିଲ୍‌ ହୋଇ ଅଧ୍ୟୟନରୁ ବଞ୍ଚିତ ହେଲେ । ଶିକ୍ଷା ଅପେକ୍ଷା ଦେଶ ସେବା ହିଁ ସେତେବେଳେ ତାଙ୍କ ମନରେ ଗଭୀର ରେଖାପାତ କରିଥିଲା । ୧୯୩୦ ମସିହାରେ ସେ ବୈବାହିକ ଜୀବନ ଯାପନ କରି ଚାରିବର୍ଷ ପରେ ମାଟ୍ରିକ୍‌ ପରୀକ୍ଷା ଦେବାପାଇଁ ପ୍ରସ୍ତୁତି-ପର୍ବ ଆରମ୍ଭ କରିଥିଲେ । ପରୀକ୍ଷାଫଳ ପ୍ରକାଶନ ପରେ ସେ ଅକୃତକାର୍ଯ୍ୟ ହୋଇଥିବା ଜାଣିପାରି ଦୁଃଖିତ ହେଲେ । ମାଟ୍ରିକ୍‌ ପରୀକ୍ଷାରେ ଅକୃତକାର୍ଯ୍ୟ ଛାତ୍ର ଗଡ଼ନାୟକ କର୍ମସଂସ୍ଥାନରେ ଯୋଗ ଦେବାପାଇଁ ମନସ୍ଥ କଲେ ଏବଂ ଅନୁଗୁଳ ରେକର୍ଡ କାର୍ଯ୍ୟାଳୟରେ ନକଲ ନବିସ୍‌ ରୂପେ ନିଯୁକ୍ତ ହେଲେ । ୧୯୪୭ ମସିହାରେ ସେ ଭାରତ ଇଣ୍ଡଷ୍ଟ୍ରିଆଲ୍‌ ବ୍ୟାଙ୍କ, ଅନୁଗୁଳ ଶାଖାର ମ୍ୟାନେଜର ପଦରେ ଅଧିଷ୍ଠିତ ହେଲେ । ଦୀର୍ଘ କାଳର ବ୍ୟବଧାନ ପରେ ରାଧାମୋହନ ଛାତ୍ର ଅବସ୍ଥାକୁ ଫେରିଆସି ଘରୋଇଭାବରେ ମାଟ୍ରିକ୍‌ ପରୀକ୍ଷା ଦେଇ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ । ଉଚ୍ଚ ଶିକ୍ଷା ଅଧୟନ ପାଇଁ ସେ ଇଚ୍ଛାପ୍ରକାଶ କରି କଟକର ଖ୍ରୀଷ୍ଟ କଲେଜରେ ନାମ ଲେଖାଇଲେ । ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ସତେ ଯେପରି ଗଡ଼ନାୟକଙ୍କ କପାଳରେ ଲେଖା ହୋଇଥଲା । ସେହି ବର୍ଷ ପରୀକ୍ଷା ଦେଇ ସେ ଅକୃତକାର୍ଯ୍ୟ ହୋଇଥିଲେ । ସେହିଦିନଠାରୁ ରାଧାମୋହନ ଉଚ୍ଚଶିକ୍ଷାଧ୍ୟୟନ ପ୍ରତି ବୀତସ୍ଫୃହ ହୋଇପଡ଼ିଲେ ଏବଂ ନିଜର ଅଧ୍ୟବସାୟ ବଳରେ ସେ ସଂସ୍କୃତ, ହିନ୍ଦୀ, ବଙ୍ଗଳା, ଇଂରାଜୀ ପ୍ରଭୃତି ଭାଷାକୁ କରାୟତ୍ତ କରିବାରେ କ୍ଷମ ହୋଇଥିଲେ । ସ୍ଵଳ୍ପ ଶିକ୍ଷାପ୍ରାପ୍ତ ଗଡ଼ନାୟକ ଉଚ୍ଚ ଡିଗ୍ରୀ ସିନା ହାସଲ କରିପାରିଲେ ନାହିଁ, କିନ୍ତୁ ପ୍ରଗତିଯୁଗ ସାହିତ୍ୟରେ ସେ ସମ୍ରାଟ ହୋଇଗଲେ । ପ୍ରଖ୍ୟାତ ସମାଲୋଚକ ଡକ୍‌ଟର ମାୟାଧର ମାନସିଂହ ରାଧାମୋହନଙ୍କ କବିତ୍ୱଶକ୍ତିକୁ ନିରୀକ୍ଷଣ କରି ଉଲ୍ଲେଖ କରଥିଲେ - ‘‘Though degree holder. Gadanayak is surprisingly erudite in Sanskrit, Oriya, Bengali. He is well acquainted also with English. x x x He is now considered the greatest metricist in Oriya Literature.’’

 

ରାଧାମୋହନ କେବଳ ସାଧାରଣ କବି ନଥିଲେ, ସେ ସମୟର କବିମଣ୍ଡଳୀରେ ସେ ଛାନ୍ଦ ରସିକ କବିରୂପେ ପ୍ରଶଂସନୀୟ ହୋଇପାରିଥିଲେ । ଆଲୋଚକ ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ - ‘‘ବିଧିବଦ୍ଧ ଶିକ୍ଷା ନଥାଇ ସୁଦ୍ଧା, ସଂସ୍କୃତ ସାହିତ୍ୟର ସେ ଯେପରିଭାବରେ ଅବଗାହୀ, ସେହିପରି ମଧ୍ୟ ଭାବଗ୍ରାହୀ । ତାଙ୍କର କବିତ୍ୱର କୌଣସି ଇସ୍ତାହାର ଅଥବା ଉଦ୍‌ଘୋଷଣା ନଥିଲା - ଏହା ଥିଲା ଐକାନ୍ତକ କବିପ୍ରାଣର ସ୍ଵାଭାବିକ ସ୍ଵତଃସ୍ଫୂର୍ତ୍ତ ଅଭିବ୍ୟକ୍ତି । ସେଥିପାଇଁ ଟାଣି ଓଟାରି ସେ ନିଃସଙ୍ଗତା, କକ୍ଷଚ୍ୟୁତି ବା ଖଣ୍ଡିତ ବ୍ୟସ୍ତିତ୍ୱର ଆର୍ତ୍ତନାଦ ପରି ତୁଚ୍ଛା ସ୍ଲୋଗାନରେ ମାତିନଥିଲେ-। ଏହା ଫଳରେ ତାଙ୍କ କବିତା କୃତ୍ରିମ ବୌଦ୍ଧିକତାରୁ ମୁକ୍ତି ପାଇପାରିଛି । ଓଡ଼ିଆ କବିତାରେ ଛାନ୍ଦସିକ କବିରୂପେ ରାଧାମୋହନଙ୍କ ପ୍ରତିଷ୍ଠା ସର୍ବସ୍ଵୀକୃତ ।

 

କବି ଗଡ଼ନାୟକ ଉତ୍କଳୀୟ ମାଟି, ପାଣି, ପବନର ଜଣେ ଯଥାର୍ଥ ପୂଜାରୀ । ସେ ତାଙ୍କ କାବ୍ୟସଂପଦର କଥାବସ୍ତୁ ଆହରଣ ପାଇଁ ବିଦେଶୀ ଭୂମିକୁ ଯାଇନାହାନ୍ତି । ଉତ୍କଳୀୟ କାହାଣୀ, କିମ୍ବଦନ୍ତୀ, ଭାରତୀୟ ପୁରାଣର ଆଖ୍ୟାନ ହେଉଛି କବିଙ୍କ ରଚନାର ପ୍ରାଣ । ଅତୀତ ପ୍ରତି ମୋହାବିଷ୍ଟ କବି ଚେତନାରୁ ସଂଖ୍ୟାଧିକ କବିତା ରୂପଲାଭ କରିଥିବା ଲକ୍ଷ୍ୟ କରିହୁଏ । ଆଲୋଚକ ଚିନ୍ତାମଣି ବେହେରା ଗଡ଼ନାୟକ କାବ୍ୟ-ବିଭାର ଜୟଗାନ କରି କହିଛନ୍ତି - ‘‘ଓଡ଼ିଆ କାବ୍ୟସାହିତ୍ୟରେ ସବୁଜଧାରାର ଅନ୍ନଦା, ବୈକୁଣ୍ଠ, କାଳିନ୍ଦୀ ପ୍ରଭୃତି ବିଶିଷ୍ଟ କାବ୍ୟଶିଳ୍ପୀଙ୍କୁ ବାଦ୍‌ ଦେଇ ଯେଉଁ କେତେଜଣ ସମସାମୟିକ ଶିଳ୍ପୀ ଓଡ଼ିଆ କାବ୍ୟ କ୍ଷେତ୍ରରେ ନୂତନ ଆଭିମୁଖ୍ୟ ଧରି ଆତ୍ମପ୍ରକାଶ କରିଛନ୍ତି, ସେମାନଙ୍କ ମଧ୍ୟରେ କବି ମାନସିଂହ, ରାଉତରାୟ ଓ ଗଡ଼ନାୟକ ବିଶିଷ୍ଟ ଗୌରବର ଅଧିକାରୀ । ଶିଳ୍ପୀ ବର୍ତ୍ତମାନର ଯୁଗ ଓ ଜୀବନକୁ ଶିଳ୍ପସୃଷ୍ଟିର ଉପାଦାନ ରୂପେ ଅବଲମ୍ବନ କଲେ ହେଁ ଅତୀତର ଆଲୋକ ଚୟନରେ ସର୍ବଦା ଆଗ୍ରହୀ । ତାଙ୍କରି କଳାସୃଷ୍ଟିରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସତ୍ୟ ଓ ସ୍ଵପ୍ନ ଗୁମ୍ପିତ । ତେଣୁ ଦେଶର ସହସ୍ର କିମ୍ବଦନ୍ତୀ ଓ ଐତିହ୍ୟ କବି ଗଡ଼ନାୟକଙ୍କ କବିତା ମଧ୍ୟରେ ଆତ୍ମପ୍ରକାଶ କରିବାର ଅବକାଶ ପାଇଅଛି । ତାଙ୍କ କବିତା ମଧ୍ୟରେ ଉତ୍କଳର ଗୌରବମୟ ଅତୀତ ଇତିହାସର ଉଜ୍ଜ୍ୱଳ ପୃଷ୍ଠା ସ୍ଵୀୟ ଶିଳ୍ପ ମହିମାରେ ଯେପରି ପ୍ରଦୀପ୍ତ, ବର୍ତ୍ତମାନ ଉତ୍କଳର କେତେକ ସତ୍ୟ ଓ ବାସ୍ତବ ଘଟଣା ଶିଳ୍ପୀ - ତୂଳୀର ସ୍ପର୍ଶରେ ଐତିହାସିକ ଗୌରବରେ ସେହିପରି ଭାସ୍ଵର ।’’

 

ରାଧାମୋହନ ମୁଖ୍ୟତଃ କବି ହିସାବରେ ପରିଚିତ ହେଲେହେଁ ତାଙ୍କ ଅମର ଲେଖନୀରୁ କେତୋଟି କାବ୍ୟନାଟିକା ଆତ୍ମପ୍ରକାଶ କରିଥିବା ଲକ୍ଷ୍ୟ କରିହୁଏ । ସେଗୁଡ଼ିକ ମଧ୍ୟରେ ‘ବିପ୍ଳବୀ ରାଧାନାଥ’ ଓ ‘କାଳିଦାସ ହେଉଛି ଅନ୍ୟତମ । ଏହାଛଡ଼ା କବିତାଜଗତକୁ ତାଙ୍କ ଦାନ ଅତୁଳନୀୟ-। ତାଙ୍କ ସୃଷ୍ଟିର ଅମଳିନ ସ୍ଵାକ୍ଷର ବହନ କରିଥିବା କବିତାଗ୍ରନ୍ଥ ମଧ୍ୟରେ ‘ପଶୁପକ୍ଷୀର କାବ୍ୟ’, ‘ଉତ୍କଳିକା’, ‘ସ୍ମରଣିକା, ‘ସୂର୍ଯ୍ୟ ଓ ଅନ୍ଧକାର, ‘କାବ୍ୟ ନାୟିକା’, ‘କୈଶୋରିକା, ‘ଶାମୁକାର ସ୍ୱପ୍ନ’, ‘ଦୀପଶିଖା’, ‘ଧୂସର ଭୂମିକା’, ‘ଅସମାପିକା’, ‘ମୌସୁମୀ’, ‘ମାଳିନୀ ନଦୀରଢେଉ’, ‘ନବଜାତକ’, ‘ଅବାଚୀର ତାରା’ ହେଉଛି ପ୍ରଧାନ ।

 

କବିଙ୍କର ଏ ସମସ୍ତ ଗ୍ରନ୍ଥରେ ସନ୍ନିବେଶିତ କବିତାର କେତୋଟି ପଂକ୍ତି ଯାହାକି ପ୍ରତ୍ୟେକ ପ୍ରାଠକ ମନରେ ସ୍ମୃତି ପରି ଛାପି ହୋଇଯାଇଛି ସେଥିରୁ ମାତ୍ର କେତୋଟି ପର ପୃଷ୍ଠାରେ ଉଦ୍ଧାର କରାଯାଇଛି ।

 

ଏକର ସକାଶେ ଅନେକର ଡାକ

      ମୁଁ ତ ନପାରିବି ଏଡ଼ି

ଛନ୍ଦନା ଏବେ ଚରଣେ ମୋହର

      ଅନ୍ଧ ମମତା ବେଡ଼ି

ଦିଅ ଛାଡ଼ିଦିଅ ମୋତେ

ଚାଲିଯାଏ ଆଜି - ଚାଲିଯାଏ ମୁହିଁ

      ବିଶ୍ଵ ଜୀବନ ପଥେ ।

(ବିଶ୍ୱଜୀବନ ପଥେ)

 

ହେ ଦେବ ମୁଁ ବୁଝିବି କିପରି

      ତୁମର ସେ ମହତ୍ୱର କଥା

ତରଙ୍ଗିଣୀ ପାରଇକି ବୁଝି

      ଅମ୍ବୁଧିର କିବା ଗଭୀରତା ।

 

ସୁନାର ସେ କଳ୍ପନା ତୁମର

      ରଖି ନପାରିଲି ଆଗୋ ସଖୀ

ତଟିନୀର ମଧୁରତା ହାୟ

      ପାରାବାର ପାରେ ନାହିଁ ରଖି । (ସ୍ମରଣିକା)

 

ଆହେ ମରକତ ଓଡ଼ିଶା ରାଜନ

      ଆହେ ନାମହୀନ ମଜଦୁରଗଣ

ସଭିଏଁ ବନ୍ଦନୀୟ

ପ୍ରଥମେ କିନ୍ତୁ ହେ ବାଇମୁଣ୍ଡି, କବିର ଅର୍ଘ୍ୟ ନିଅ । (ବାଇମୁଣ୍ଡି)

 

ଡରନି ମୋତେରେ ଡରନି ମୋତେରେ

      ମର୍ତ୍ତ୍ୟଜୀବ

ରୁଦ୍ର ସିନା ଏ ମୂର୍ତ୍ତି ମୋହର

      ମୁହିଁତ ଶିବ ।’’ (ମୌସୁମୀ)

 

ଆଉଥରେ ଢାଳିଦେଇ ଅମିୟ ଚାହାଣି

ଦେହମୟ ବୋଳି ଦେଇ ସ୍ନେହମୟ ପାଣି

      ପ୍ରକାଶିଲେ ବିମୁଗ୍‌ଧ ବଚନେ

ବିଜୟିନୀ ଆଜି ତୁମେ ଏ ବିଶ୍ଵ ଭୁବନେ

      ସୁନ୍ଦର କଲ୍ୟାଣୀ

ନମ୍ର ହୋଇ ହୋଇଛ ବିରାଟ, ଆଜିତୁମେ ଜଗତର ରାଣୀ । (ମାଟି)

 

ରାଧାମୋହନ ଆଜି ଅଶୀତିପର ବୟସରେ ପଦାର୍ପଣ କରିସୁଦ୍ଧା କବିତା ରଚନାକୁ ଆଦୌ ଛାଡ଼ି ପାରିନାହାନ୍ତି । ସତେଯେପରି କବିତା ଲେଖା ତାଙ୍କର ଏକମାତ୍ର ନିଶା । ଆଜି ମଧ୍ୟ କବି ଗଡ଼ନାୟକଙ୍କ କବିତାର ଅନ୍ତଃସ୍ଵର ରସରେ ଯେପରି ଆପ୍ଲୁତ, ଭାବରେ ସେହିପରି ମହାନ୍‌ । ବର୍ତ୍ତମାନ କବିଙ୍କ ସୃଷ୍ଟି ସଂପଦ ମଧ୍ୟରୁ ‘ଅୟି ପୃଥ୍ଵୀ’କୁ ବିଚାର ଆଲୋଚନା କରାଯାଉଛି ମାତ୍ର ।

 

ଛାନ୍ଦସିକ କବି ରାଧାମୋହନ ଗଡ଼ନାୟକଙ୍କ ଅମୃତମୟ ସୃଷ୍ଟିସମ୍ଭାର ଭିତରେ ‘ଅୟି ପୃଥ୍ଵୀ’ର ସ୍ଥାନ ନିଶ୍ଚିତରୂପେ ଯେ ସ୍ଵତନ୍ତ୍ର, ଏହାକୁ ଯେ କେହି ଅବଶ୍ୟ ସ୍ଵୀକାର କରିବେ । କବି ଉତ୍କଳୀୟ କିମ୍ବଦନ୍ତୀଠାରୁ ଆରମ୍ଭ କରି ଇତିହାସର କଥାବସ୍ତୁ ପର୍ଯ୍ୟନ୍ତ ପୁରାଣ, ନୀତିଶାସ୍ତ୍ରର ଆଖ୍ୟାନଠାରୁ ଆରମ୍ଭ କରି ମହୀୟସୀ ମହିଳାଙ୍କ ଜୀବନଗାଥା ପର୍ଯ୍ୟନ୍ତ ସବୁର ପୃଷ୍ଠପୀଠିକା ଉପରେ ତାଙ୍କରି ସୃଷ୍ଟିଗୁଡ଼ିକ ପ୍ରତିଷ୍ଠିତ ଥିବା ଲକ୍ଷ୍ୟ କରିହୁଏ ।

 

‘ଅୟି ପୃଥ୍ଵୀ’ର ବିଷୟ ନିର୍ବାଚନରେ କବି ଉତ୍କଳୀୟ ଜୀବନ ବେଦକବି ଜଗନ୍ନାଥ ଦାସଙ୍କ ବିରଚିତ ‘ଶ୍ରୀମଦଭାଗବତ’ ଗ୍ରନ୍ଥରୁ ଗ୍ରହଣ କରିଛନ୍ତି । ଉଲ୍ଲିଖିତ କବିତାଟି ‘ଶ୍ରୀମଦ୍ଭାଗବତ’ର ଚତୁର୍ଥ ସ୍କନ୍ଦରେ ସନ୍ନିବେଶିତ ସପ୍ତଦଶ ଅଧ୍ୟାୟଠାରୁ ଆରମ୍ଭ କରି ବିଂଶ ଅଧ୍ୟାୟ ପର୍ଯ୍ୟନ୍ତ କଥାବସ୍ତୁ ଉପରେ ଆଧାରିତ । ଏହି ଅଧ୍ୟାୟରେ ରାଜା ବେଣୁଙ୍କର ସୁପୁତ୍ର ପୃଥୁ ପିତାଙ୍କ ମୃତ୍ୟୁ ପରେ ରାଜ୍ୟଶାସନ କରିବାକୁ ଯାଇ ସିଂହାସନ ଆରୋହଣ କରିଛନ୍ତି । ତତ୍‌କାଳୀକ ସମୟରେ ରାଜ୍ୟରେ ଦୁର୍ଭିକ୍ଷ ଓ ନିରନ୍ନ ପ୍ରଜାମାନଙ୍କର ଆର୍ତ୍ତଚିତତ୍କାର ଶ୍ରବଣ କରି ତା’ର କାରଣ ଜିଜ୍ଞାସା କରିଛନ୍ତି । ଉତ୍ତର ଦେବାକୁ ଯାଇ ମୈତ୍ରେୟ ବିଦୂର ଆଗରେ ରାଜା ପୃଥୁଙ୍କର କଥା ପ୍ରକାଶ ପୂର୍ବକ କହିଛନ୍ତି -

 

ଶୁଣ ବିଦୂର ସାବଧାନେ

ସୁତ ମାଗଧ ତୋଷମନେ

।।

ମୁନିଙ୍କ ମତେ ସାଧୁବାଣୀ

ପୃଥୁ ବଦନ ଚାହିଁ ଭଣି

।।

ଅମୃତମୟ ବାଣୀ କହି

କହନ୍ତି ପୃଥୁ ମୁଖ ଚାହିଁ

।।

ଭୋ ନାଥ ତୋହର ମହିମା

କେ କହିପାରେ ଗୁଣସୀମା

।।

 

ଚତୁର୍ଥ ସ୍କନ୍ଦର ଊନବିଂଶ ଅଧ୍ୟାୟରେ ରାଜା ପୃଥୁ ସୁତ ମାଗଧ ଦୁଇଭାଇ ମୁଖରୁ ନିଜ ଭବିଷ୍ୟତବାଣୀ ଶ୍ରବଣ କରି ପରମ ସନ୍ତୋଷ ଲାଭ କରିଛନ୍ତି ଓ ପିତା ବେଣୁଙ୍କର ଅହଂଭାବର କଥାଶୁଣି ଦୁଃଖିତ ହୋଇଛନ୍ତି । ପ୍ରଜାଗଣ ରାଜା ପୃଥୁଙ୍କ ଆଗରେ ବେଣୁ ରାଜାଙ୍କର ଔଦ୍ଧତ୍ୟ ଦେଖି ଧରଣୀରାଣୀର ଅବସ୍ଥା ଶ୍ରୀହୀନ ହୋଇଥିବା ପ୍ରକାଶ କରିଛନ୍ତି । କବିଙ୍କ ଭାଷାରେ -

 

ତୋ ପିତା ଅରାଜକ କାଳେ

ଏ ଭୂମି ଗୋରୁ ରୂପେ ବଳେ

।।

ରାତ୍ରେ ସକଳେ ଶସ୍ୟ ଖାଇ

ଦିବସେ ସମୁଦ୍ରେ ଲୁଚଇ

।।

ଆମ୍ଭର ଶସ୍ୟ ଖାଇ ବଳେ

ଭକ୍ଷିଲା କ୍ଷୁଧାର ଅନଳେ

।।

ତାହାକୁ କେବେହେଁ ନଦେଖି

ଆମ୍ଭେ ହୋଇଲୁ ଏଣେ ଦୁଃଖୀ

।।

 

ପୃଥିବୀମାତା ଗୋରୁରୂପ ହୋଇ ରାତିରେ ଧରାପୃଷ୍ଠରୁ ସମସ୍ତ ଶସ୍ୟ ଭକ୍ଷଣ କରି ଦିନରେ ସମୁଦ୍ର ଗର୍ଭରେ ଲୁଚିଯାନ୍ତି । ତା’ର ଉପସ୍ଥିତି ପ୍ରଜାକୁଳ ଦେଖିପାରନ୍ତି ନାହିଁ । ରାଜା ପୃଥୁ ପ୍ରଜାମାନଙ୍କଠାରୁ ପୃଥିବୀ ମାତାର ଏଭଳି ଦୁଷ୍କର୍ମ ଲକ୍ଷ୍ୟ କରି ତାକୁ ବଧ କରିବା ନିମନ୍ତେ ପ୍ରସ୍ତୁତ ହେଲେ । ହସ୍ତରେ ଧନୁଶର ଧରି ବାହାରି ପଡ଼ିଲେ । ରାଜା ପୃଥୁଙ୍କର ହସ୍ତରେ ଧନୁଶର ଦେଖି ପୃଥିବୀ ମାତା ମରଣ ଭୟରେ କାତର ହୋଇ ଦୌଡ଼ିବାରେ ଲାଗିଲେ । ପଛେ ପଛେ ରାଜା ପୃଥୁ ଧାବନ କରୁଥାନ୍ତି । ପୃଥିବୀମାତା ଦୌଡ଼ି ଦୌଡ଼ି ଯେତେବେଳେ ଅବସନ୍ନ ହୋଇପଡ଼ିଲେ, ସେତେବେଳେ ସେ ବାଧ୍ୟହୋଇ ରାଜା ପୃଥୁଙ୍କର ଶରଣାପତ ଦେଲେ । ରାଜା ପୃଥୁ ପୃଥିବୀମାତାଙ୍କୁ ରାଜ୍ୟର ଶସ୍ୟ ଭକ୍ଷଣ କରିବାର କାରଣ ଜିଜ୍ଞାସା କରନ୍ତେ ସେ ପ୍ରଜାମାନଙ୍କର କୃତକର୍ମ ସଂପର୍କରେ ଘଟିତ କଥାମାନ କହିବାକୁ ଲାଗିଲେ । କବିଙ୍କ ଭାଷାରେ -

 

ଏମନ୍ତ ପୃଥୁ ମୁଖ ଚାହିଁ

ଭୟେ ଚରଣେ ଶିର ଦେଇ

।।

କୁପିତ ପୁରୁଷ ବଚନେ

ସ୍ଵଭାବେ ଅରୁଣ ଲୋଚନେ

।।

ଏମନ୍ତେ କରି ଦିବ୍ୟସ୍ତୁତି

ପୁଣି କହଇ ବସୁମତୀ

।।

ବ୍ରହ୍ମା ସେ ଥାଇ ମୋର ହିତେ

ଶସ୍ୟ ସାମଗ୍ରୀ କଲା ଯେତେ

।।

ସେ ସର୍ବ ମୋର ଦେହେ ଥିଲା

ଏମନ୍ତେ ତୋର ପିତା ମଲା

।।

ଚତୁର ରାଜ୍ୟେ ଅରାଳକେ

ଭବିଷ୍ୟ ଯଜ୍ଞ ରକ୍ଷା ଅର୍ଥେ

।।

ଯେତେ ଔଷଧ ବୀଜ ଥିଲା

ଅରାଜ୍ୟ ଯୋଗେ ନାଶ ଗଲା

।।

ରାଜା ବିୟୋଗେ ସର୍ବ ଧର୍ମ

ଦୁଷ୍ଟେ ନାଶିଲେ ମନ୍ଦ କର୍ମ

।।

କ୍ଷଣ ବିରୋଧ ଦୁଃଖ ସହି

ଭକ୍ଷିଲି ଧେନୁ ରୂପ ହୋଇ

।।

 

ପୃଥିବୀମାତା ରାଜା ପୃଥୁଙ୍କ ଆଗରେ ଯୋଡ଼ ହସ୍ତରେ କହିଲେ ସେ ଏଥିପାଇଁ ସଂପୂର୍ଣ୍ଣରୂପେ ନିର୍ଦ୍ଦୋଷ । ବର୍ତ୍ତମାନ ମୁଁ ଭକ୍ଷଣ କରିଥିବା ଶସ୍ୟାଦି ଦୁଗ୍ଧ ଆକାରରେ ମୋ ଶରୀରରେ ସଞ୍ଚିତ ହୋଇ ରହିଛି । ଆପଣ ମୋତେ କାମଧେନୁ ରୂପରେ ଦୋହନ କଲେ ମୁଁ ଅକୁଣ୍ଠିତ ଚିତ୍ତରେ ତାହା ଦେଶବାସୀଙ୍କୁ ପ୍ରଦାନ କରିବି । ଏହାଛଡ଼ା ମୋତେ ଆପଣ ସମତଳ କରାଇବାର ବ୍ୟବସ୍ଥା କରନ୍ତୁ । ବର୍ଷାଋତୁର ଆଗମନରେ ମୋ ପୃଷ୍ଠରେ ବର୍ଷାଜଳ ପଡ଼ିଲେ ମୁଁ ସର୍ବଦା ଶସ୍ୟଶ୍ୟାମଳା ହୋଇ ଆପଣମାନଙ୍କ କ୍ଷୁଧା ନିବାରଣ କରିପାରିବି । କବି ଜଗନ୍ନାଥ ଦାସ ପୃଥିବୀମାତା ଓ ରାଜା ପୃଥୁଙ୍କର କଥୋପକଥନ ମାଧ୍ୟମରେ ପ୍ରକାଶ କରିଛନ୍ତି -

 

ସେ ସର୍ବ ଶସ୍ୟରସ ଯେତେ

କ୍ଷୀର ବର୍ଷନ୍ତି ମୋର ଗାତ୍ରେ

।।

ଦୋହନ କର ତୁ ଜଗତେ

ଦୁଗ୍‌ଧ ସ୍ରବିବି ଧେନୁରୂପେ

।।

କ୍ଷରିବି ସର୍ବ ଶସ୍ୟ ମୁହଁ

ପ୍ରାଣୀ ଜୀବନ ଯେଣେ ରହି

।।

ମୁଁ ସର୍ବ କାମଧେନୁ ରୂପେ

ସ୍ରବିବି ସର୍ବଜନ ମୁଖେ

।।

ତୁ ଏବେ ମୋତେ ରକ୍ଷା କର

ଧନୁ ଆୟୁଧ କର ହର

।।

ସୁସମ କରି ମୋର ଗାତ୍ରେ

ମୁହିଁ ଯେସନେ ଶସ୍ୟ କ୍ଷେତ୍ରେ

।।

ସମ ହୋଇଲେ ମୋ ଶରୀରେ

ଶସ୍ୟ ଉଠିବେ ନିରନ୍ତରେ

।।

ହୋଇବ ନାନା ରୂପେ ଧନ୍ୟ

ଜନ୍ତୁଏ କରିବେ ଅଶନ

।।

 

ରାଜା ପୃଥୁ ଧରଣୀରାଣୀଙ୍କଠାରୁ ଏଭଳି ଶୁଭ ସମ୍ବାଦ ଶ୍ରବଣ କରି ସ୍ଵାୟମ୍ବୂବ ମନୁଙ୍କୁ ଗୋବତ୍ସା ରୂପେ କଳ୍ପନା କରି ପୃଥିବୀରୂପୀ କାମଧେନୁର ସ୍ତନରୁ ଦୁଗ୍‌ଧ ଦୋହନ କରିବାକୁ ଲାଗିଲେ । ରାଜା ପୃଥୁଙ୍କୁ ଦେଖି ଦାନବ, ମୁନିଗଣ ମଧ୍ୟ ଯେ ଯାହାର ମନମୁତାବକ ବତ୍ସା ମନେକରି ଦୁଗ୍‌ଧ ଦୋହନରେ ବ୍ୟାପୃତ ରହିଲେ । ବସୁନ୍ଧରାଙ୍କର ପ୍ରତିଜ୍ଞାମତେ ଧରଣୀ ଶସ୍ୟଶାମଳା ହୋଇ ରାଜ୍ୟବାସୀଙ୍କର କ୍ଷୁଧାନିବାରଣ କଲା । ପୃଥିବୀ ରାଣୀଙ୍କର ଉଦାର ମନୋବୃତ୍ତି ଲକ୍ଷ୍ୟ କରି ରାଜା ପୃଥୁ ଆନନ୍ଦିତ ହୋଇ ପୃଥିବୀକୁ ନିଜର କନ୍ୟା ପରି ଆଦରରେ ପାଳନ କଲେ । କବି ଜଗନ୍ନାଥ ଦାସ ପୃଥିବୀ ମାତା ଉପରେ ସନ୍ତୁଷ୍ଟ ହୋଇ କିପରି ନିଜର ମନୋଭାବ ପ୍ରକାଶ କରିଅଛନ୍ତି ତାହା ନିମ୍ନୋକ୍ତ ଉଦ୍ଧୃତିରୁ ସୁସ୍ପଷ୍ଟ ।

 

ଏମନ୍ତ ଧରଣୀ ବଚନ

ଶୁଣି ସନ୍ତୋଷ ପୃଥୁମନ

।।

ମନକୁ ବତ୍ସାରୂପ କରି

ଭାବେ କହଇ ଦଣ୍ଡଧାରୀ

।।

ତୁ ଏବେ ସ୍ତନ୍ୟ ପାନକର

ଯେମନ୍ତେ ସଞ୍ଚରଇ କ୍ଷୀର

।।

ତକ୍ଷଣେ ପୃଥୁର ବଚନେ

ସେ ମନୁ ମୁଖ ଦେଲା ସ୍ତନେ

।।

ପିବନ୍ତେ ସଞ୍ଚରଇ କ୍ଷୀର

ମେଘ ଯେସନେ ବୃଷ୍ଟିସାର

।।

ଚରଣେ ବାନ୍ଧି ବତ୍ସାତରୀ

ଯେସନେ ସିନ୍ଧୁର ଲହରୀ

।।

ଗର୍ଭେ ଯେ ଶସ୍ୟମାନ ଥିଲା

କ୍ଷୀର ସଙ୍ଗତେ ସଞ୍ଚରିଲା

।।

ଶସ୍ୟ ହୋଇଲା ଅପ୍ରମିତେ

ପ୍ରଜାଏ ଥିଲେ ଯେଝା ମୋତେ

।।

ପୃଥୁ ଦୋହନ ଅନ୍ତେ ଦେବେ

ସର୍ବେ ଦୁହିଁଲେ ଯେଝାଭାବେ

।।

ମିଳି ସକଳ ମୁନିଗଣ

ଆନନ୍ଦେ ହରଷିତ ମନ

।।

ଗୁରୁଙ୍କୁ ବତ୍ସାରୂପ କରି

ଯେ ଯାହା ମତେ ସ୍ତନ ଧରି

।।

ଧରଣୀ କ୍ଷୀର ମାୟାପାତ୍ରେ

ସର୍ବେ ଦୁହିଁଲେ ଯେଝାମତେ

।।

 

କବି ଗଡ଼ନାୟକ ପୃଥିବୀମାତାର ଉଦାରପଣକୁ ଆଖି ଆଗରେ ରଖି ‘ଅୟି ପୃଥ୍ୱୀ’ କବିତାର ସୌଧ ନିର୍ମାଣ କରିଛନ୍ତି । ଆଜିର ବିକାଶୋନ୍ମୁଖୀ ବିଶ୍ଵରେ ଦେଖାଦେଇଥିବା ଅନ୍ତହୀନ ସମସ୍ୟାରୁ ପୃଥିବୀବାସୀ କିପରି ମୁକ୍ତ ହୋଇପାରିବେ ସେଥି ସକାଶେ ସେ ଆଶାୟୀ ଥିବା ଆଲୋଚ୍ୟ କବିତାରୁ ସୁସ୍ପଷ୍ଟ ।

 

ମନୁଷ୍ୟ ଜାତିର ପ୍ରାରମ୍ଭିକ ସ୍ତରରୁ ଆଜିଯାଏଁ ଦୃଷ୍ଟି ନିକ୍ଷେପ କଲେ ଜଣାଯାଏ ଯେ, ସଂପ୍ରତି ମନୁଷ୍ୟ ପୂର୍ବାପେକ୍ଷା ବିଜ୍ଞାନବଳରେ ବଳୀୟାନହୋଇ ଅସାଧ୍ୟ ସାଧନ କରିପାରୁଛି । ସୁଶୋଭିତ ପ୍ରକୃତି ଉପରେ ସେ ଅଖଣ୍ଡ ରାଜୁତି କରି ତା’ର ପ୍ରଭୂତ କ୍ଷତି ସାଧନରେ ନିଜକୁ ଲିପ୍ତ କରିପାରିଛି । ପୃଥିବୀ ଉପରେ ଅତ୍ୟାଚାର କରି ସେ ସଗର୍ବରେ ବିଜୟର ବୈଜୟନ୍ତୀ ଭାଡ଼ାଇବାରେ ଲାଗିଛି । ପୃଥିବୀମାତା ପରାକ୍ରମଶାଳୀ ମତ୍ତଗର୍ବୀ ମନୁଷ୍ୟର ମନୋଭାବ ଲକ୍ଷ୍ୟ କରି ଧରାପୃଷ୍ଠରେ ସେ ମଧ୍ୟ ବିଭିନ୍ନ ସମସ୍ୟା ସୃଷ୍ଟିକରି ଚାଲିଛି । ମନୁଷ୍ୟ ଗୋଟିଏ ସମସ୍ୟାର ସମାଧାନ କରିବା ପୂର୍ବରୂ ତା’ ସମ୍ମୁଖରେ ଅନ୍ୟ ଏକ ସମସ୍ୟା ମୁଣ୍ଡ ଟେକି ଉଠୁଛି । ବୈଜ୍ଞାନିକଗଣ ପ୍ରତ୍ୟହ ସମସ୍ୟା ସମାଧାନ ଦିଗରେ ସେମାନଙ୍କ ଗବେଷଣାଗାରରେ ନିଜକୁ ନିୟୋଜିତ କରିବାରେ ଲାଗିଛନ୍ତି । ସେଥିରୁ ସେମାନଙ୍କର ସତେ ଯେପରି ମୁକ୍ତି ନାହିଁ । ତା’ରି ଉଦ୍‌ଭାବନୀ ଶକ୍ତିବଳରେ ମନୁଷ୍ୟ ଆଚମ୍ବିତ ହୋଇଛି ସତ, କିନ୍ତୁ ତା’ର ଉତ୍ପାଦିତ ଦ୍ରବ୍ୟ ମନୁଷ୍ୟ ପ୍ରାଣରେ ସୁଖଶାନ୍ତି ଆଣିପାରିନାହିଁ । ପରମାଣୁ ବୋମାର ବିସ୍ଫୋରଣରେ ସୁନିର୍ମଳ ପରିବେଶଟି ନଷ୍ଟ ହୋଇଯାଇଛି । ଦୂଷିତ ବାୟୁ ପ୍ରବାହରେ ଆଜି ଚତୁର୍ଦ୍ଦିଗ ଭରପୂର । ଜୀବଜଗତ ଆଜି ଅଣନିଃଶ୍ଵାସ ବୋଧ କରୁଛି । ଧରଣୀରାଣୀ ବିଜ୍ଞାନର ଅଗ୍ରଗତି ମଧ୍ୟରେ କୁପରିଣାମ ଲକ୍ଷ୍ୟକରି ପ୍ରତିଶୋଧପରାୟଣା ହୋଇ ଉଠିଛି । ତା’ ବକ୍ଷରେ ପୂର୍ବପରି ଆଉ ସବୁଜିମା ସୃଷ୍ଟି କରୁନାହିଁ । କବି ଗଡ଼ନାୟକ ଦିଗ୍‌ବିଜୟୀ ମନୁଷ୍ୟର ଅନ୍ତହୀନ ଶୋକକୁ ଅନୁଭବ କରି ପ୍ରକାଶ କରିଛନ୍ତି -

 

‘‘ଅୟି ପୃଥ୍ୱୀ, ଆଉ ଥରେ କାମଧେନୁ ହୁଅ ଆଜି ତୁମେ,

ବୁଭୁକ୍ଷାର ଦହନେ କି ହରାଇବୁ ପ୍ରାଣ

ଆମେ ସବୁ ମନୁର ସନ୍ତାନ

ତୁମର ଏ ସ୍ନେହାଂଚିତ ଭୂମେ ?

ଅୟି ପୃଥ୍ବୀ,

ଆଉ ଥରେ କାମଧେନୁ ହୁଅ ଆଜି ତୁମେ ।’’

 

କବି ପୃଥିବୀମାତାଙ୍କୁ ‘ହେ ପୃଥ୍ଵୀ’ ସମ୍ବୋଧନ କରି ପୁନଃରାୟ ଆଜିର ଏହି ସମସ୍ୟାବିଜଡ଼ିତ ପୃଥିବୀରେ କାମଧେନୁ ସାଜିବାକୁ ଅନୁରୋଧ କରିଛନ୍ତି । କବି ଲକ୍ଷ୍ୟ କରିଛନ୍ତି ଆଜିର ପୃଥିବୀବାସୀ ନିରନ୍ନ । ଭୋକ ଉପବାସ ସେମାନଙ୍କର ଚିର ସହଚର ହୋଇଛି । ‘‘ବୁଭୁକ୍ଷିତଂ କିଂ ନକରୋତି ପାପଂ’’ ନ୍ୟାୟରେ ସେମାନେ ଆଜି ଜଡ଼ିତ ।

 

ସେଦିନର କଥା ଆଜି ମନେ ପଡ଼ିଯାଇଛି କବିଙ୍କର । ସେହି ସମୟରେ ବେଣୁ ବିଶ୍ଵର ଥିଲେ ଶାସନ କର୍ତ୍ତା । ମତ୍ତଗର୍ବରେ ଅନ୍ଧ ହୋଇ ଦେବଦାନବ ମୁନିଋଷି ସମସ୍ତଙ୍କୁ ନିଜ ପାଦତଳେ ଖଟାଇବାକୁ ସେ ଉଚିତ ମନେ କରୁଥିଲେ । ଦିନକୁ ଦିନ ପୃଥିବୀ ପୃଷ୍ଠରେ ତାଙ୍କ ଅତ୍ୟାଚାର ବୃଦ୍ଧିପ୍ରାପ୍ତ ହେବାରେ ଲାଗିଲା । କାଳକ୍ରମେ ତାହା ସୀମା ଲଂଘନ କଲା । ତାଙ୍କରି ଅତ୍ୟାଚାରରେ ଅତିଷ୍ଠ ହୋଇ ମୁନିମାନେ ତାଙ୍କୁ ବଧ କଲେ । ରାଜା ବିନା ରାଜ୍ୟରେ ଅରାଜକତା ସୃଷ୍ଟିହେଲା । ବେଣୁପୁତ୍ର ପୃଥୁ ସର୍ବସମ୍ମତିକ୍ରମେ ରାଜ୍ୟଭାର ହାତକୁ ନେଲେ । ପ୍ରଜାକୁଳର ଉତ୍ପାତ ଦେଖି ଧରଣୀମାତା ଅସହ୍ୟ ହୋଇ ପଡ଼ିଲେ । ସେ ଗାଈ ରୂପ ଧାରଣ କରି ରାତିରେ ଶସ୍ୟଶ୍ୟାମଳା କ୍ଷେତ୍ରରେ ପ୍ରବେଶ କରି ସେଗୁଡ଼ିକୁ ଭକ୍ଷଣ କରିବାରେ ଲାଗିଲେ ଏବଂ ଦିନରେ ସମୁଦ୍ରରେ ଲୁଚିକରି ରହୁଥିଲେ । ପୃଥିବୀବାସୀ କ୍ଷେତବାଡ଼ିରେ ଶସ୍ୟ ନଦେଖି ଚିନ୍ତିତ‌ ହୋଇପଡ଼ିଲେ । ସବୁଜ ପତ୍ରରେ ଆଚ୍ଛାଦିତ ବୃକ୍ଷ ଜଳ ଅଭାବରୁ ଥୁଣ୍ଟା ହୋଇଗଲା । ପ୍ରତି ଗୃହବାସୀଙ୍କର ଅନ୍ନଂ ଦେହି, ଚିତ୍କାରରେ ମେଦିନ୍ନୀ ପ୍ରକମ୍ପିତ ହେବାକୁ ଲାଗିଲା । ଚତୃର୍ଦ୍ଦିଗରେ-ଦୁଭିକ୍ଷର ଲେଲିହାନ ଶିଖା ମଥାଟେକି ଉଠିଲା । ରାସାଘାଟଠାରୁ ଆରମ୍ଭକରି ସୁନୀଳ ଆକାଶ ପର୍ଯ୍ୟନ୍ତ ସବୁ ସେଦିନ ଦେଖାଗଲା ପାଣ୍ଡୁର ବର୍ଣ୍ଣ । ପ୍ରଜାକୁଳର ଆକୁଳ ବେଦନା ଲକ୍ଷ୍ୟକରି ରାଜା ପୃଥୁ ଏହାର କାରଣ ଜିଜ୍ଞାସା କଲେ । ଜାଣିପାରିଲେ ଏସବୁ କାରଣର, ମୂଳ ହେଉଛନ୍ତି ପୃଥିବୀମାତା । ସେ ଧନୁରେ ଶର ଯୋଖୀ ପୃଥିବୀମାତାଙ୍କୁ ମାରିବା ପାଇଁ ଉଦ୍ୟତ ହୁଅନ୍ତେ ପୃଥିବୀମାତା ଯୋଡ଼ ହସ୍ତରେ ରାଜା ପୃଥୁ ନିକଟରେ ଉପସ୍ଥିତ ହୋଇ ଅତ୍ୟାଚାରିତ ପ୍ରଜାକୁଳ ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କଲେ । ରାଜା ପୃଥୁଙ୍କର ଅନୁରୋଧକ୍ରମେ ସେ କାମଧେନୁରେ ପରିଣତ ହୋଇ କହିଲେ, ହେ ରାଜା ବର୍ତ୍ତମାନ ମୋତେ ଦୋହନ କରିବା ହୁଅନ୍ତୁ ।

 

କବିଙ୍କ ଭାଷାରେ-

ଶୁଣାଇଲ ସ୍ନେହସିକ୍ତ ଆଶ୍ୱାସ ବଚନ;

‘‘ହେ ରାଜନ

କର ମୋତେ କର ହେ ଦୋହନ ।

ମନୁ ହେଲେ ବତ୍ସାତରୀ, ଦୋଗ୍‌ଧା ହେଲେ ପୃଥୁ

ସ୍ରବିଲା ଦୁଗ୍‌ଧର ଧାର

ଶସ୍ୟର ସମ୍ଭାର

କମ୍ର ଶିରୀ ଘେନି ପୁଣି ଉଦ୍‌ଭାସିଲା ବିବର୍ଣ୍ଣ ସଂସାର;

ଗୁଞ୍ଜର ଉଠିଲା ପୁଣି ଐଶ୍ୱର୍ଯ୍ୟର, ପ୍ରାଚୁର୍ଯ୍ୟର ଋତୁ;

ଘରେ ଘରେ

ଦ୍ୱାରେ ଦ୍ୱାରେ

ଉଠିଲା ଉଚ୍ଛୁଳି

ଘୃତ ଅନ୍ନ, ଦଧି ଦୁଗ୍‌ଧ ପାନ

ସନ୍ତୋଷର ତୃପ୍ତିର ମାଧୁରୀ ।

 

ପୃଥିବୀମାତାଙ୍କର ସ୍ୱାର୍ଥହୀନ କଥାରେ ରାଜା ପୃଥୁ ମନୁଙ୍କ ବତ୍ସାତରୀ ରୂପେ କଳ୍ପନା କରି ସେଦିନ ପାତ୍ରରେ କାମଧେନୁର ପହ୍ନାରୁ କ୍ଷୀର ଦୋହନ କରିଥିଲେ । ରାଜାଙ୍କର ଅମୃତ ହସ୍ତର ସ୍ପର୍ଶରେ ସେଦିନ କ୍ଷୀରର ଧାରା ପୃଥିବୀ ବକ୍ଷରେ ବହିଗଲା । କ୍ଷୀରରେ ପୃଥିବୀ ପୃଷ୍ଠ ଆର୍ଦ୍ର ହେବାରୁ ବୃକ୍ଷଲତା ପୁନରାୟ ମୁଣ୍ଡଟେକି ଉଠିଲେ । ଧରଣୀରେ ସବୁଜିମା ଖେଳିଗଲା । ବୃକ୍ଷର ଶାଖାପ୍ରଶାଖା ଅପରୂପ କାନ୍ତିରେ ଉଦ୍‌ଭାସିତ ହେବାକୁ ଲାଗିଲା । ଘରେ ଘରେ ଶସ୍ୟ ପୂର୍ଣ୍ଣ ହେବାରୁ ନିରନ୍ନ ଜନତା ଶାନ୍ତିରେ ନିଃଶ୍ୱାସ ମାରିଲେ । ସେମାନଙ୍କ ଶୁଖିଲା ମୁଖରେ ହସର ଲହରୀ ଖେଳିଗଲା।

 

ସେ ଯୁଗ ଆଜି ତିରୋହିତ । ଆଜି ସେ ପ୍ରଜାବତ୍ସଳ ରାଜା ପୃଥୁ ନାହାନ୍ତି କି ସେ ଉଦାରଚେତା ପୃଥିବୀମାତା ନାହାନ୍ତି । ଏକକର ଶାସନ ଆଜି ବିଲୁପ୍ତ । ବିଶ୍ଵର ପ୍ରତି ଦେଶରେ ସାଧାରଣତନ୍ତ୍ରର ଶାସନ । ଏହ ଶାସନର ପ୍ରତିପାଦରେ ଯୁଗଜୟର ଶଂଖଧ୍ୱନି ନିନାଦିତ । ବିଜ୍ଞାନ ବଳରେ ମନୁଷ୍ୟ ଆଜି ବଳୀୟାନ । ପ୍ରକୃତିର ଛାତି ଉପରେ ମନୁଷ୍ୟ ଆଜି ତା’ର ବିଜୟର ବୈଜୟନ୍ତୀ ଉଡ଼ାଇବାରେ ବ୍ୟସ୍ତ । ସେ ଆଜି ଆଉ ପ୍ରକୃତିର ଉପାସକ କିମ୍ବା ପ୍ରକୃତିର କ୍ରୀଡ଼ା ପୁତ୍ତଳିକା ନୁହେଁ । ପୂର୍ବବର୍ତ୍ତୀ ରାଜା ମନୁର ବଂଶଧର ଆଜିର ମାନବ ଆଜି ଆଉ ଯୋଡ଼ ହସ୍ତରେ ଠିଆ ରହି ପ୍ରକୃତିର ଆଶୀର୍ବାଦ ଚାହୁଁନାହିଁ । ସେ ମାଗୁ ନାହିଁ ଚନ୍ଦ୍ରଠାରୁ ଜ୍ୟୋତ୍ସ୍ନା, ଇନ୍ଦ୍ରଙ୍କଠାରୁ ମେଘ, ଜଳ ଓ ମୁକ୍ତ ସମୀରଣ । ଆଜି ସେ ଚନ୍ଦ୍ରକୁ ଆଉ ପୂଜା କରୁନାହିଁ, ଇନ୍ଦ୍ରଙ୍କୁ ବର୍ଷାର ଦେବତା ବୋଲି ସମ୍ମାନ ପ୍ରଦର୍ଶନ କରୁନାହିଁ । ବିଜ୍ଞାନର ଅଗ୍ରଗତିରେ ସେ ଆଜି ଚନ୍ଦ୍ର ପୃଷ୍ଠରେ ଅବତୀର୍ଣ୍ଣ । ବର୍ଷାର ଅଭାବରେ ସେ ରାସାୟନିକ ଦ୍ରବ୍ୟ ବ୍ୟବହାର କରି ବର୍ଷାକୁ ସ୍ଵାଗତ କରୁଛି । ମୃଦୁ ମଳୟକୁ ଅପେକ୍ଷା ନକରି ଶୀତତାପ ନିୟନ୍ତ୍ରିତ କୋଠରୀରେ ରହି ଆରାମ କରୁଛି । ବିଭିନ୍ନ ଗ୍ରହକୁ ସ୍ଵ-ହସ୍ତ ତିଆରି ଉପଗ୍ରହ (Satellites) ପ୍ରେରଣ କରୁଛି । ତା’ରି ମାଧ୍ୟମରେ ସେ ଜାଣି ପାରୁଛି ବିଶ୍ଵର ଭବିଷ୍ୟତ । ନୂତନ ଉପନିବେଶର ପ୍ରତିଷ୍ଠା ଆଶାରେ ସେ ଗ୍ରହଉପଗ୍ରହରେ ସ୍ଥାନ ନିରୂପଣ କରି ଆନନ୍ଦରେ ଉଚ୍ଛୁଳି ଉଠୁଛି । ବିଦ୍ୟୁତ୍‌ର ଚମକରେ ଦିବାରାତ୍ରି ଆଜି ଆଉ ଜାଣି ହେଉନାହିଁ । ଏହାକୁ ଲକ୍ଷ୍ୟ କରି କବି ପ୍ରକାଶ କରିଛନ୍ତି-

 

ପ୍ରକୃତିର ଛାତିପରେ ବିଜ୍ଞାନର ଉଗ୍ର ଅଭିମାନ

ବିଜୟର ଧ୍ଵଜା ତୋଳି

ମେଲି ଅଛି

ମତ୍ତ ଅଭିଯାନ

ମନୁର ସନ୍ତାନ ଏଇ ଆଜିର ଦାୟାଦ

ଯୁକ୍ତକରେ ମାଗୁନାହିଁ ସ୍ଵର୍ଗ ଆଶୀର୍ବାଦ

ମାଗୁ ନାହିଁ ଚନ୍ଦ୍ର-ଜ୍ୟୋତ୍ସ୍ନା

ମାଗୁ ନାହିଁ ଇନ୍ଦ୍ର ମେଘ ବାରି,

ମୁକ୍ତ ସମୀରଣ ପଦେ

ଆବେଦନ ଦେଉନାହିଁ ଢାଳି ।

 

ଏ ସମସ୍ତ ସତ୍ତ୍ୱେ କବିପ୍ରାଣ ବିଜ୍ଞାନର ଅଗ୍ରଗତିରେ ଆଦୌ ସନ୍ତୁଷ୍ଟ ଥିବା ଲକ୍ଷ୍ୟ କରାଯାଉନାହିଁ । ସେ ମନେ କରିଛନ୍ତି ବିଜ୍ଞାନର ସକଳ ଅଗ୍ରଗତି ଓ ଅସାଧ୍ୟସାଧନ ସତ୍ତ୍ୱେ‌ ପୃଥିବୀ ପୃଷ୍ଠରୁ ଅଶାନ୍ତିର ଅନ୍ଧକାର ଦୂରୀଭୂତ ହୋଇପାରିନାହିଁ । ବରଂ ବିଜ୍ଞାନର କୌଶଳ ଯେଉଁ ପରିମାଣରେ ବୃଦ୍ଧିପ୍ରାପ୍ତ ହେବାରେ ଲାଗିଛି, ଧରଣୀ ପୃଷ୍ଠ ସେହି ପରିମାଣରେ ଅନ୍ଧକାରରେ ଆଚ୍ଛାଦିତ ହୋଇ ପଡ଼ୁଛି । ବିଶ୍ଵରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଜାତିସଂଘ ପ୍ରତିଷ୍ଠା କରାଯାଇଛି । ତଥାପି ଶାନ୍ତିର କପୋତ ଅଶାନ୍ତିର ନିଆଁଧାସରେ ଯନ୍ତ୍ରଣାଦଗ୍ଧ ହୋଇଉଠୁଛି । ଚତୁର୍ଦ୍ଦିଗକୁ ଅବଲୋକନ କଲେ ଖାଲି ଅନ୍ୟାୟ, ଅତ୍ୟାଚାର, ଶୋଷଣ, ଦୂଷଣ, ଉତ୍କୋଚର ବିକଟାଳ ଧ୍ଵନି ଶୁଣାଯାଉଛି । ତା’ର ସେହି ଆଗ୍ନେୟବାଣୀରେ ପୃଥିବୀ ପୃଷ୍ଠରୁ ସବୁଜିମା ଉଭେଇ ଯାଉଛି । ଦିନକୁ ଦିନ ପୃଥିବୀ ଦେଖାଯାଉଛି ରୁକ୍ଷ ଓ ବୀଭତ୍ସ । ଅଭାବ ଅନଟନରେ ସମସ୍ତେ ଆଜି ସନ୍ତୁଳିତ । ତଥାପି ମନୁଷ୍ୟ ପରମାଣୁବୋମା ଉଦ୍ଭାବନରେ ନିଜକୁ ନିୟୋଜିତ କରୁ ସଗର୍ବରେ ମେଦିନୀ କମ୍ପାଇଦେଇ ତା’ର ପାରିଲାପଣକୁ ପ୍ରକାଶ କରୁଛି । ସେ ଜାଣିପାରୁଛି ତା’ ଭବିଷ୍ୟତ ଧ୍ଵଂସାବହର ଚିତ୍ର । କିନ୍ତୁ ମନର ଅକୁହା ବେଦନାକୁ ଅନ୍ୟ ଆଗରେ ପ୍ରକାଶ କରିବା ପାଇଁ ସେ ଦ୍ୱିଧା ମନେ କରୁଛି ।

 

କବି ଗଡ଼ନାୟକ ଏହି ବିଶ୍ଵଜନତାଙ୍କ ଚରମ ଦୁର୍ଦ୍ଦଶା ଓ ଅଧୋଗତି ଦେଖି ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି । ତାଙ୍କ ମାନସପଟ୍ଟରେ ପୁଣି ଉଦ୍‌ଭାସିତ ହୋଇ ଉଠିଛି ସେହି ପୃଥିବୀମାତାଙ୍କର କାମଧେନୁରୂପ ଓ ସେହି ପ୍ରଜାବତ୍ସଳ ରାଜାଙ୍କର ଉଦାରଚେତା ମନୋଭାବ ।

 

ବାସ୍ତବରେ ମନୁଷ୍ୟ ବିଜ୍ଞାନ ବଳରେ ଯେତେ ବଳୀୟାନ ହୋଇ ପ୍ରକୃତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କଲେ ସୁଦ୍ଧା ପ୍ରକୃତିର ଆଶୀର୍ବାଦ ବିନା ତା’ର ଏ ସମସ୍ତ ଜୟଯାତ୍ରା ଯେ ଅସଂପୂର୍ଣ୍ଣ, ଏହା କହିବା ନିଃସନ୍ଦେହ ।

 

 

ମୁଖ୍ୟ ଅଧ୍ୟାପକ, ଓଡ଼ିଆ ସାହିତ୍ୟ ବିଭାଗ,

ମା ମାର୍କମା ମହାବିଦ୍ୟାଳୟ,

ବିଷମକଟକ, ଜିଲ୍ଲା : ରାୟଗଡ଼ା - ୭୬୫୦୧୯

 

***

 

କାମାୟନୀ, କନୁପ୍ରିୟା, ଶ୍ରୀରାଧା ଓ ଅନ୍ୟାର ଭାବସାମ୍ୟ

ଡକ୍ଟର ଆଦିକନ୍ଦ ସାହୁ

 

ତୁଳନାର ଆଲୋକରେ ଦେଖିଲେ ଏହି ଚାରୋଟି କାବ୍ୟକୃତିର ମୂଳ ଚେତନା ହେଉଛି ଚିରନ୍ତନ ନାରୀକର୍ତ୍ତୃକ ସମୁନ୍ନତ ଶୃଙ୍ଗାର ।

 

ଶୃଙ୍ଗାରିକତା ମନୁଷ୍ୟର ଏକ ସ୍ଵର୍ଗୀୟ ଗୁଣ ଓ ଅଭିଜାତ ମାନସିକ ପରିଚର୍ଯ୍ୟା । ଉଲ୍ଲିଖିତ କାବ୍ୟକୃତିଗୁଡ଼ିକ ସେହି ମହାଭାବର ଭାଷ୍ୟ । ଶୃଙ୍ଗାରିକତା ପରି ଦିବ୍ୟ ଭାବର ବିଷୟକୁ ତତ୍ତ୍ୱ ସିଦ୍ଧାନ୍ତ କରି ତର୍କଣା କରିବା ଏବଂ ସେସବୁକୁ ରୂପକାତ୍ମକତା ଭିତରେ ସୁତୁଙ୍ଗ କରି ବିବିଧ ଆଳଙ୍କାରିକ ଆଟୋପ ଭିତରେ ପ୍ରକାଶ କରିବାର ଏକଧାରା ଆମ ଧାର୍ମିକ ତଥା ସୁଦୀର୍ଘ ସାରସ୍ଵତ ପରମ୍ପରାରେ ରହି ଆସିଛି । ଶୃଙ୍ଗାର ପରି ଏକ ସୁନ୍ଦର ସୃଜନଶୀଳ ବିଷୟକୁ ତତ୍ତ୍ୱରେ ପରିଣତ କରିବା ସେ କାଳର ଏକ ପ୍ରକାର ନିରାପଦ ଆତ୍ମରକ୍ଷା ପରି ଥିଲା ।

 

ପୁଣି ସବୁ କାଳରେ ଧର୍ମଭୟ ତଥା ନୀତିବୋଧ ମଣିଷ ମନର ଏକ ଏକ ଆଦିମ ବିକାର-। ଶୃଙ୍ଗାରକୁ ସାଧାରଣ ମଣିଷ ତେଣୁ ସେ ମଧ୍ୟଯୁଗରେ ଭୟବଶତଃ ସହଜ ଭାବରେ ଜୀବନର ଏକ ସୁନ୍ଦର ଓ ସୃଜନଶୀଳ ବିଷୟ ବୋଲି ଗ୍ରହଣ କରିପାରିନଥିଲା ।

 

ଉଲ୍ଲିଖିତ ଚାରିଗୋଟି ସାହିତ୍ୟକୃତି ନାରୀ-ପୁରୁଷ ସଂପର୍କଜନିତ ଆଦିମ ଶୃଙ୍ଗାର ପରିଚର୍ଯ୍ୟାର ଏକ ଏକ ଭାବପ୍ରଧାନ ତଥା ଦାର୍ଶନିକ ବ୍ୟାଖ୍ୟା ବା ବିଶ୍ଳେଷଣ । ନାରୀକୈନ୍ଦ୍ରିକ ଶୃଙ୍ଗାର ମଣିଷ ମନର ଏକ ସୂକ୍ଷ୍ମ ଓ ସମ୍ବେଦନଶୀଳ ଭାବ; ଯାହାକୁ ପ୍ରସାରିତ କରିପାରିଲେ ଜଣେ କଲ୍ୟାଣକର କଳାସୃଷ୍ଟି କରିପାରିବ । ମଣିଷର ସମୁନ୍ନତ କଳାବୋଧ ଓ ସୌନ୍ଦର୍ଯ୍ୟ ଦୃଷ୍ଟି ସହିତ ଶୃଙ୍ଗାରିକତାର ସମ୍ପର୍କ ତେଣୁ ଅତ୍ୟନ୍ତ ନିବିଡ଼ । ପ୍ରେମ ଓ ଆବେଗର ଦାର୍ଶନିକ ସୋରେନ କିରକେଗାର୍ଡ଼ ଅତି ନିଷ୍କପଟଭାବେ ସୌନ୍ଦର୍ଯ୍ୟ ଓ ଶୃଙ୍ଗାର ସହିତ ନାରୀ ପ୍ରେମର ଆପେକ୍ଷିକ ସଂପକ ପ୍ରସଙ୍ଗରେ କହିଛନ୍ତି - ‘The man who feels no impulse toward the study of woman may, as far as I am concerned, be what he will, one thing he certainly is not, he is no aesthetician. This is the glory and divinity of aesthetics that it enters into relation only with the beautiful, it has to do essentially, only with fiction and the fair sex.’ (J.V. Smyth, A Question of Eros).

 

ସଭ୍ୟତାର ଆତ୍ମା ହେଉଛି ମଣିଷର ସଂହତ ଓ ସୃଜନଶୀଳ ରମ୍ୟବୋଧ । ଏହ ରମ୍ୟବୋଧର ମୂଳ ଉତ୍ସ ହେଉଛି ଶୃଙ୍ଗାରିକତା । ସେଥି ପାଇଁ କୁହାଯାଇଛି ‘Eros creates civilization.’

 

କାମାୟନୀ (୧୯୩୬) ପ୍ରସିଦ୍ଧ ହିନ୍ଦୀ କବି ଜୟଶଙ୍କର ପ୍ରସାଦଙ୍କ ରଚନା; ଯାହାକୁ ହୁଏତ ଆମ ହିନ୍ଦୁ ପରଂପରାରେ ଆଦିପୁରୁଷ ଓ ଆଦିନାରୀର ମିଳନ ଚିତ୍ରଭାବେ ବିଶ୍ଵପ୍ରସିଦ୍ଧ ମିଲଟନଙ୍କ ‘The Paradise, Lost’, ସହିତ ତୁଳନା କରାଯାଇପାରେ । ଧର୍ମବୀର ଭାରତୀଙ୍କ, କନୁପ୍ରିୟା (୧୯୫୯) ସେହପରି ଅନ୍ୟ ଏକ କାବ୍ୟଗ୍ରନ୍ଥ ଯେଉଁଥିରେ ସମୁନ୍ନତ ନାରୀଚେତନା (Womanhood) ପ୍ରତୀକିତ ହୋଇଛି । ଶେଷୋକ୍ତ ଗ୍ରନ୍ଥ ଦୁଇଟି-ଅନ୍ୟତମ ବିଶିଷ୍ଟ ଆଧୁନିକ ଓଡ଼ିଆ କବି ରମାକାନ୍ତ ରଥଙ୍କ ରଚିତ ଶ୍ରୀରାଧା (୧୯୮୫) ତଥା ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ରଚିତ ଅନ୍ୟା (୧୯୮୮) ମଧ୍ୟ ସେହି ନାରୀଚେତନାର ଓ ଶୁଙ୍ଗାରିକତାର ଏକ ଏକ ଶ୍ରୀମନ୍ତ ଆଲେଖ୍ୟ ।

 

ସବୁକିଛି ପରିଚୟ ଉର୍ଦ୍ଧ୍ୱରେ ନାରୀ ହେଉଛି ନାରୀ । ନାରୀର ନାରୀତ୍ୱ ହେଉଛି ନାରୀର ଚିରନ୍ତନ ପରିଚୟ । ନାରୀକୁ ଧାର୍ମିକ ଭାବନା କିମ୍ବା ତତ୍ତ୍ୱ ଭିତରେ ପ୍ରତିମାକରି ନେବା ଅର୍ଥ ନାରୀ ପ୍ରେମକୁ ଅନୁଭବ କରିବାରେ ସନ୍ଦିଗ୍‌ଧଚିତ୍ତ ହେବା ।

 

ନାରୀର ମାଆ ହେବା ଇଚ୍ଛା ସବୁଠାରୁ ସ୍ୱର୍ଗୀୟ ବିଷୟ । ଦୁଗ୍‌ଧ ଘୋଷ୍ୟ ଶିଶୁ ସହିତ ମାଆର ଛବି ଏ ଯାବତ୍‌ ଅଳିତ ହୋଇଥିବା ସମସ ଛବି ଭିତରେ ସବୁଠାରୁ ପବିତ୍ରତମ ବୋଲି ନାରୀପ୍ରେମର ମହାନ୍‌ ଦାର୍ଶନିକ କିରକେଗାର୍ଡ କହିଛନ୍ତି । ଜଣେ ମାତୃଗର୍ଭ ଓ ଗର୍ଭଜାତ ନବଜାତକକୁ କୌଣସି ସର୍ତ୍ତରେ ପଥର ପ୍ରତିମା କରିନଦେଉ।

 

ନାରୀ ପ୍ରେମକୁ ନିବିଡ଼ଭାବେ ଅନୁଭବ କରିବାହିଁ ଏ ବ୍ରହ୍ମାଣ୍ଡରେ ମାଧୁର୍ଯ୍ୟ ଲାଭ କରିବା ସୁଧା, ମୁକ୍ତି ଓ ଚିତ୍ତ ପ୍ରଶାନ୍ତି ଲାଭର ମାଧ୍ୟମ ହେଉଛି ପ୍ରକୃତରେ ଏ ସଂସାରରେ ନାରୀ ପ୍ରେମ । ଶତାବ୍ଦୀ ଶତାବ୍ଦୀ ଧରି ପୁରୁଷ-ପ୍ରଧାନ ସମାଜରେ କଳା ଓ କବିତା ସବୁକାଳରେ ଓ ସବୁଠି ନାରୀକୈନ୍ଦ୍ରିକ ହେବା ଅତ୍ୟନ୍ତ ସ୍ୱାଭାବିକ । କାରଣ କଳା ଓ କବିତା ରଚନା କରୁଥିବା ଶିଳ୍ପୀ ହେଉଛି ମୁଖ୍ୟତଃ ପୁରୁଷ । ଆଜି ଜଗତର ସୌନ୍ଦର୍ଯ୍ୟଦୃଷ୍ଟି ବା କଳାଦୃଷ୍ଟି କହିଲେ ତାହା କେବଳ ସେହି ପୁରୁଷର ଦୃଷ୍ଟି । ପୁଣି ଯେଉ ପୁରୁଷ ଅତିମାତ୍ରାରେ ପୁରୁଷ ସେ ଅତିମାତ୍ରାରେ ନାରୀ ପ୍ରେମ କଥାକୁହିଁ ବଖାଣି ବସିବ । ଉଭୟ ରାଧା ଓ କୃଷ୍ଣ ଅତି ମାତ୍ରାରେ ନାରୀ, ଓ ଅତିମାତାରେ ପୁରୁଷ ହେବାର ଏକ ଏକ ନମୁନା ।

 

ନାରୀ ପ୍ରେମର ପରିଚର୍ଯ୍ୟା କରି ପୁରୁଷ ଦୁର୍ବହ ନିଃସଙ୍ଗତାରୁ ନିଜକୁ ରକ୍ଷା କରିଛି । ଯୌନପ୍ରେମରେ ମଜିଗଲେ କାହାକୁ ସମୟ କେବେ ଆଉ ଦୁର୍ବହ ଲାଗିବନି । ଏ ବ୍ରହ୍ମାଣ୍ଡର ମରୁ ପ୍ରାନ୍ତରବି ତା’କୁ ଆଉ ରୁକ୍ଷ ଭୂଗୋଳ ପରି ମନେ ନହୋଇ ବର୍ଣ୍ଣାଢ଼୍ୟ ଚୈତ୍ର ଉପବନ ପରି ଲାଗିବ ।

 

ଉଭୟ ନାରୀ ଓ ପୁରୁଷ ଜୀବନରେ ବେଳେବେଳେ ହେତୁହୀନଭାବେ ଘୋର ନୈରାଶ୍ୟ ଅନୁଭବ କରନ୍ତି । ଏହି ନୈରାଶ୍ୟ କବଳରୁ ମଣିଷକୁ ଯୌନପ୍ରେମ ତ୍ରାଣ କରିଦିଏ ।

 

ଜୀବନର ଅନ୍ୟାନ୍ୟ ପ୍ରବୃତ୍ତି ସହିତ ଯୌନ ମଣିଷର ପ୍ରତିଟି ପ୍ରବଣତା ସହିତ ଦୃଢ଼ ଓ ନିବିଡ଼ଭାବେ ରହିଛି । ପୁରୁଷର ପ୍ରତିଟି ନାରୀଭାବନା, ବହୁଭାବରେ ପୁରୁଷର କୀବନ ଧାରଣା ସହିତ ସମ୍ବନ୍ଧିତ ।’’

 

ନାରୀ ପ୍ରେମ ଓ ତଦ୍‌ସଂଜାତ ପୁରୁଷ ପ୍ରାଣରେ ପ୍ରତିଟି ବୋଧ ସ୍ପନ୍ଦନ ପୁରୁଷର ଦେହ ଓ ମନର ଅନୁଭବକୁ କ୍ରମଶଃ ସ୍ଥୂଳତାରୁ ଏକ ସୃକ୍ଷ୍ମତର ଚେତନା ଆଡ଼େ ନେଇଯାଏ । ପୁରୁଷ ଉଭୟ ମିଳନ ଓ ବିରହରେ ସେହି ସୂକ୍ଷ୍ମତାର ସ୍ପର୍ଶ ପାଏ ଓ ପରୁଷ ତା’ ମନକୁ ଏକ ଅନନ୍ୟ ସୃଜନଶୀଳତାର ଉତ୍ସ ବୋଲି ମନେକରେ ।

 

କବି ରାଜେନ୍ଦ୍ର ସେହି ସଭାଟିକୁ ଆବାହନ କରିଛନ୍ତି । ‘ମୋହିନୀ, ନୁହେଁ, ବାରୁଣୀ ପରି ଉଠିଆସ, ଏଥର/ମୃଦୁ ମୃଦୁ ମତ୍ତକରି ରଖ ଚିରକାଳ/ସୁର ଅସୁର ନର/କବି କରିଦିଅ ସଭିଁଙ୍କୁ ।’ (ବାରୁଣୀ ପରି ଉଠିଆସ ଏଥର - ଅନ୍ୟା)

 

ପୃଥିବୀର ଆରମ୍ଭରୁ ଆଜି ଯାଏଁ ନାରୀପ୍ରେମ ପୁରୁଷ ସମକ୍ଷରେ ଅନ ଏକ ବିସ୍ମୟ । ନିତ୍ୟକାଳର ଆଭାସ ଥିବାସତ୍ତ୍ୱେ କେମିତି ଗୋଟେ ଭାରି ଅସାର ଓ ଅସ୍ଥିର । ପୁଣି ଅତି ମାତ୍ରାରେ ମାଂସଳ ଓ ସ୍ଥୂଳ । ଗୋଟେ ଅତ୍ୟନ୍ତ କୌତୁକପ୍ରଦ ବର୍ଣ୍ଣାଢ଼୍ୟ ସ୍ତୂପ ଭିତରେ ଆବୃତ୍ତ ହୋଇଥିବା ସତ୍ତ୍ୱେ ନାରୀର ଦେହ ଓ ତା’ର ରତି ଇଛା ଅଶ୍ଲୀଳ ଭାବରେ ଫିଟିପଡ଼େ । ସମୁଦାୟ, ଶୃଙ୍ଗାର ଅନୁଭବ ଓ ଅଭିଳାଷ ଆଉ ସେତେ ସୃଜନଶୀଳ ଲାଗେନାହିଁ ସେତେବେଳେ ।

 

ତୁଳସୀ ଦାସ କିମ୍ୱା ଭର୍ତ୍ତୃହରି ଯେପରି କହିଛନ୍ତି ପଚମାନ ନାରୀ ଦେହ ଓ ତା’ର ରତିଇିଛା ବିଷୟରେ ହୁଏତ ରମାକାନ୍ତ କିମ୍ବା ରାଜେନ୍ଦ୍ର ସେପରି କହି ନାହାନ୍ତି । ତଥାପି ବିଭୋର ହେବାସତ୍ତ୍ୱେ ନାରୀପ୍ରେମ ସମ୍ପର୍କିତ ଅନ୍ତିମ ଭାଷ୍ୟ ସେମାନେ ତଥାପି କହିପାରି ନାହାନ୍ତି । ହୁଏତ ସେମାନେ ତଥାପି ଆସକ୍ତି କିମ୍ୱା ସ୍ଥିତପ୍ରଜ୍ଞ ହୋଇପାରି ନାହାନ୍ତି।

 

ନାରୀକୁ ସଦାସର୍ବଦା ଭାବରେ, ପ୍ରେମରେ ଚକ୍ରବର୍ତ୍ତିନୀ ଜ୍ଞାନ କରିବାହିଁ ସର୍ବୋତ୍ତମ ପୁରୁଷ ଭାବ । ଜଣେ ରସିକ ସୁପୁରୁଷ କେବଳ, ନାରୀ ସମକ୍ଷରେ ନିଜକୁ ସଂପୂର୍ଣ୍ଣ ନିରାଶ୍ରିତ ମନେକରେ ଓ ନିଜକୁ ଅବୋଧ ବାଳକ ପରି ସର୍ବତୋ ମୋତେ ସମର୍ପିଦିଏ । ‘ଅନ୍ୟା’ର ଚମତ୍କାରିତା ଏମିତି ସୁପୁରୁଷୋଚିତ ଶୃଙ୍ଗାରିକ ଅନୁଭବରେ । ପୁରୁଷର ପ୍ରତିଟି ଭାବାବେଗ ହିଁ ବସ୍ତୁତ ନାରୀକୈନ୍ଦ୍ରିକ । ନାରୀର ପଦରେଣୁ ଓ ତା’ର ଚୂର୍ଣ୍ଣ କୁନ୍ତଳଟିଏ ମହିମ୍ନ ମନେ ହୁଏ, ପ୍ରେମ ଓ କରୁଣାର ପର୍ବତ ପରି ଲାଗେ ।

 

ପୁରୁଷଟିଏ ପରମ ପ୍ରେମ ପାଇଁ ବୋଧେ ପ୍ରାର୍ଥନା କରେ: -

 

ଦୋହଲୁଚ ତୀଖେ ତମେ ବସାଟିଏ, ତଳେ

ଡେଣାଭଙ୍ଗା ମୁଁ ବାୟା ଚଢ଼େଇ

ବାଆ କରେ, ଥାନ ମୋତେ ଦେବ ଗୋ ଟିକିଏ

ନଇଁ ଆସି ଆଉଁସି କୋଳେଇ ।

(ଭାବଦୟିତା-ଅନ୍ୟା)

 

ଜୟଶଙ୍କର ପ୍ରସାଦଙ୍କ ପ୍ରସିଦ୍ଧ ‘କାମାୟନୀ’ ମାନବତାର ବିକାଶ ପ୍ରସଙ୍ଗର ଏକ ଅତି ଶାସ୍ତ୍ରୀୟ ରୂପକ ଯେପରି । ବହୁଭାବରେ ପୁଣି ନୃତାତ୍ତ୍ୱିକ (Anthropological) ଶ୍ରଦ୍ଧା ଓ ମନୁଙ୍କ ପରି ପ୍ରଥମ ନାରୀ-ପୁରୁଷଙ୍କ ମିଳନଚିତ୍ର କେବଳ ନୁହେଁ, ମଣିଷର ଚିତ୍ତବୃତ୍ତି ଓ ତା’ର ବିବର୍ତ୍ତନ ‘କାମାୟନୀ’ରେ ବର୍ଣ୍ଣିତ ହୋଇଛି । ସାମାଜିକ ବିବର୍ତ୍ତନ ନୁହେଁ ଚିରନ୍ତନ ଆତ୍ମାର ଅନୁଭୂତି ହିଁ ଏଥିରେ ପୁଣି ପ୍ରତୀକିତ ହୋଇଛି । ପୁରୁଷ ପ୍ରାଣର ବିପୁଳ ଆବେଗ ନାନା ଭାବରେ ଏଥିରେ ରୂପାୟିତ ହୋଇଛି ବୋଲି ‘କାମାୟନୀ : ପୁନର୍ମୂଲ୍ୟାଙ୍କନ’ ଗ୍ରନ୍ଥରେ ଗ୍ରନ୍ଥକାର ଜି. ଏମ. ମୁକ୍‌ଲୀବୋଧ ମନ୍ତବ୍ୟ ଦେଇଛନ୍ତି ।

 

କାମାୟନୀ କେବଳ ସ୍ଵକୀୟାର ଆଲେଖ୍ୟ ନୁହେଁ; ପରକୀୟାର ଆଧାର ମଧ୍ୟ ଏ କାବ୍ୟରେ ରହିଛି । ସେ ପରକୀୟା ମନୁଙ୍କର ଇଡ଼ାଙ୍କ ସହିତ, ଯେ ହେଉଛନ୍ତି ମନୁଙ୍କର କନ୍ୟା । ନିଜ କନ୍ୟା ସହିତ ପ୍ରଣୟଚିତ୍ର ଭାରତୀୟ ଶାସ୍ତ୍ରପୁରାଣରେ ନାନା ରୂପକରେ ଅବଶ୍ୟ ଅଭିବ୍ୟକ୍ତି ଲାଭ କରିଛି । ମନୁ ଶ୍ରଦ୍ଧା (କାମାୟନୀ) ବ୍ୟତୀତ ଇଡ଼ା ସହିତ ସଂପର୍କିତ ହୋଇଛନ୍ତି, ଯେଉଁଥିପାଇଁ ହୁଏତ ଦେବତାମାନେ ମନୁଙ୍କ ଉପରେ କ୍ଷୁବ୍‌ଧ ହୋଇଛନ୍ତି ।

 

ଶତପଥରେ କୁହାଯାଇଛି, ଇଡ଼ାଙ୍କ ଉତ୍ପତ୍ତି ପାକ ଯଜ୍ଞରେ ହୋଇଥିଲା । ମନୁଙ୍କ ଘୃତ ଆଦି ହବିରୁ ଜାତ ହୋଇଥିବା କଥା ‘ଶତପଥ’ରେ ଇଡ଼ା ନିଜେ ପ୍ରକାଶ କରିଛି । ‘ତାଂହ ମନୁରୁବାଚ- କା ଅସି ଇତି । ତବ ଦୁହିତା ଇତି । କଥଂ ଭଗବତି ? ମମ ଦୁହିତା ଇତି (ଶତପଥ ୬ ପ୍ରଂ ୩ ବ୍ରାଂ) । ଇଡ଼ା ହେଉଛନ୍ତି ‘ପୂର୍ଣ୍ଣ ଯୋଷିତା’ । ଋଗ୍‌ବେଦରେ ଇଡ଼ାଙ୍କୁ ପ୍ରଜାପତି ମନୁଙ୍କ ପଦ ପ୍ରଦର୍ଶିକା ଓ ମନୁଷ୍ୟମାନଙ୍କ ଶାସନକର୍ତ୍ତ୍ରୀ ବୋଲି ବର୍ଣ୍ଣନା କରାଯାଇଛି । ‘ଇଡମା କୃଣ୍ୱନ୍ମନୁଷସ୍ୟ ଶାସନୀମ୍‌ (୧-୩୧-୧୧- ଋଗ୍‌ବେଦ) । ବେଦମନ୍ତ୍ରମାନଙ୍କରେ ମଧ୍ୟମା, ବୈଖରୀ ଓ ପଶ୍ୟନ୍ତୀଙ୍କ ପ୍ରତିନିଧି ଭାରତୀ ସରସ୍ୱତୀଙ୍କ ସହିତ ଇଡ଼ାଙ୍କ ନାମ ଉଲ୍ଲିଖିତ । ଲୌକିକ ସଂସ୍କୃତରେ ଇଡ଼ା ଶବ୍ଦ ପୃଥ୍ୱୀ; ଅର୍ଥାତ୍‌ ବୁଦ୍ଧି, ବାଣୀ ଆଦି ପର୍ଯ୍ୟାୟ ବାଚକ ଅଟେ ।

 

ଆ ନୋ ଯଜ୍ଞଂ ଭାରତୀ ତ୍ୱୟମେତ୍ୱିଡ଼ା ମନୁଷ୍ୟ ଦିହ ଚେତୟନ୍ତୀ । ତିସ୍ରୋ ଦେବୀବର୍ହିରେଦଂ ସ୍ୟୋନଂ ସ୍ଵରସ୍ଵତୀ ସ୍ଵପସଃ ସଦନ୍ତୁ ।’ (ଋଗ୍‌ବେଦ) ସେହିପରି ‘ଗୋଭୂ ବାଚସ୍ତ୍ୱିଡାଇଳା’ (ଅମର) ଭାବରେ ଇଳାଙ୍କ ପରିଚୟ ଦିଆଯାଇଛି ।

 

ଅନ୍ୟ ପକ୍ଷରେ ‘ଛାନ୍ଦୋଗ୍ୟ’ ଉପନିଷଦରୁ ମନୁ ଓ ଶ୍ରଦ୍ଧାଙ୍କର ପରିଚୟ ମିଳେ । ଋଗ୍‌ବେଦରେ ଶ୍ରଦ୍ଧା ଓ ମନୁ ଋଷିମାନଙ୍କ ସହିତ ସମାସୀନ ହୋଇଛନ୍ତି । ‘ଛାନ୍ଦୋଗ୍ୟ’ ଉପନିଷଦରେ କୁହାଯାଇଛି - ‘ଯଦା କୈ ଶ୍ରଦ୍ଧଧାତି ଅଥ ମନୁତେ ନାଽଶ୍ରଦ୍ଧଧନ ମନୁତେ’ । ଶ୍ରଦ୍ଧା କାମଗୋତ୍ରର କନ୍ୟା ହୋଇଥିବାରୁ ତାଙ୍କୁ କାମାୟନୀ ବୋଲି କୁହାଯାଏ । ‘କାମ ଗୋତ୍ରଜା ଶ୍ରଦ୍ଧାନାମର୍ଷିକା’ । ଭାରତୀୟ ସାହିତ୍ୟରେ ନାରୀକୁ ଯେଉଁଠି ନାୟିକା ବା ନାଗରୀଭାବେ ଚିତ୍ରଣ କରାହୋଇଛି ସେଠି ତା’ଠାରେ ସ୍ଵକୀୟା ଓ ପରକୀୟା ନିର୍ବିଶେଷରେ କାମିନୀ ନାରୀର ବ୍ୟକ୍ତିତ୍ୱହିଁ ଆରୋପିତ ହୋଇଛି ।

 

ନାରୀମାତ୍ରେ ହଁ ମୋହିନୀ ଓ କାମିନୀ । କାମିନୀ ନାରୀର କଟାକ୍ଷଟଏ ପୁରୁଷ ପ୍ରାଣକୁ ଉଦ୍‌ବେଳିତ କରିଦିଏ, ପୁରୁଷ ଅନ୍ତରର ଜଡ଼ତା ଦୂର କରିଦିଏ । ରମାକାନ୍ତଙ୍କ ‘ଶ୍ରୀରାଧା’ ଓ ରାଜେନ୍ଦ୍ରଙ୍କ ‘ଅନ୍ୟା’ର ନାରୀ ଅବଶ୍ୟ ମୋହିନୀ ଓ କାମିନୀ, ଭାବିନୀ ଓ ଭାର୍ଯ୍ୟା । ନାରୀ ଏସବୁର କିଛି ଉର୍ଦ୍ଧ୍ୱରେ ଏକ ଚିତ୍ତ ଉଜ୍ଜାଗ୍ରତ ଶକ୍ତି (Activise Force) । ନାରୀର ଏହା ଆଦିମ ପରିଚୟ-

 

ଜୟଶଙ୍କର ପ୍ରସାଦଙ୍କ ‘କାମାୟନୀ’ରେ ଯେଉଁ ଜଳପ୍ଳାବନ ବର୍ଣ୍ଣିତ ହୋଇଛି, ତାହା ହେଉଛି ବିବର୍ତ୍ତନର ଏକ ପ୍ରତୀକ ଚିତ୍ର । ମନୁ ଓ ଶ୍ରଦ୍ଧା ଜଳପ୍ଳାବିତ ବିଧ୍ଵସ୍ତ ପ୍ରଦେଶକୁ ନୂଆ ଭାବରେ ଗଢ଼ିବା ପାଇଁ ଯେଉଁ ସଙ୍କଳ୍ପ କରିଛନ୍ତି ତାହା ମଧ୍ୟ ଅତି ମାତ୍ରାରେ ରୂପକାତ୍ମକ ।

 

ଏଠାରେ ପୁରୁଷ ନାରୀର ଶ୍ରଦ୍ଧା ଓ ସାନ୍ନିଧ୍ୟ କାମନା କରିଛି ବିଧ୍ଵସ୍ତ ଇଲାକାକୁ ପୁଣିଥରେ ସୁନ୍ଦର କରି ଗଢ଼ିବା ପାଇଁ । ମଣିଷର ଜୈତ୍ରଯାତ୍ରା ଏହି ଶ୍ରଦ୍ଧା ଓ ସାନିଧ୍ୟ କାମନାରୁ ତ ଆରମ୍ଭ । ଜୟଶଙ୍କର ପ୍ରସାଦ ଗୋଟେ ଏପିକ ଧର୍ମୀ ସାଙ୍କେତିକ ସିକ୍ୱିୀଏନସ୍‌ରୁ ମନୁ ଓ ଶ୍ରଦ୍ଧାଙ୍କ ପ୍ରଣୟଲୀଳା ଆରମ୍ଭ କରିଛନ୍ତି ।

 

ଧର୍ମବୀର ଭାରତୀଙ୍କ ‘କନୁପ୍ରିୟା’ ସେମିତି ସେହି ନାରୀ ପୁରୁଷ ଭାବକୁ ବିନ୍ୟସ୍ତ କରୁଥିବାର ଏକ କାବ୍ୟଗ୍ରନ୍ଥ । ଆବେଗସାନ୍ଦ ମୁହୂର୍ତ୍ତର ଚିତ୍ରଣ ହିଁ ଏସବୁ କୃତିର ଲକ୍ଷ୍ୟ । ନାରୀ ପୁରୁଷ ଭାବଟି ସର୍ବଦା ନିଃସର୍ତ୍ତଭାବେ ସୁନ୍ଦର ଓ ସ୍ଵର୍ଗୀୟ । ଯାହା ଚିତ୍ତପ୍ରବୋଧକ ତାହା କାହାର ଆତ୍ମାକୁ କେବେ କଳୁଷିତ କରେନାହିଁ କି କାହାର ଅନ୍ତରକୁ କେବେ ସଙ୍କୁଚିତ କରିଦିଏ ନାହିଁ । ‘କାମାୟନୀ’ ସମାଲୋଚନା ଗ୍ରନ୍ଥରେ ପ୍ରସିଦ୍ଧ ସମାଲୋଚକ ଏହି ଗ୍ରନ୍ଥଟିକୁ ଆମ ପ୍ରେମ ଓ ଶୃଙ୍ଗାର ପରିଚର୍ଯ୍ୟାର ଏକ ନମୁନାଗ୍ରନ୍ଥ ରୂପେ ଅଭିହିତ କରି କାମାୟନୀକୁ ଭାରତୀୟ ଶୃଙ୍ଗାରୀ ଚେତନାର ଏକ ରୂପକାତ୍ମକ ଅଭିବ୍ୟକ୍ତି ବୋଲି ସୂଚନା ଦେଇଛନ୍ତି ।

 

ଇଡ଼ା ନିକଟରୁ ଯେତେବେଳେ ଦୁଃଖରେ ପୁଣି ମନୁ ଶ୍ରଦ୍ଧା ନିକଟକୁ ଫେରି ଆସିଛି ସେତେବେଳେ ଚରମ ପୁଲକରେ ଶ୍ରଦ୍ଧାର ପ୍ରାଣ ଉଦ୍‌ବେଳିତ ହୋଇ ଉଠିଛି ।

 

‘ବିକଲ ଲୋକର ନିତ୍ୟ ଚଞ୍ଚଲ

ଖୋଜତୀ ଜବ୍‌ ନୀଦକେ ପଲ

ଚେତନା ଥକ୍‌ସୀ ରହି ତବ

ମୈ ମଲୟକୀ ବାତରେ ମନ୍‌ ।

 

ଜହାଁ ମରୁଜ୍ଜ୍ୱାଳା ଧଧକତୀ

ଚତକୀ କନକୋ ତରସତୀ

ଉହୀଁ ଜୀବନ - ଘଟିୟୋଁକୀ

ମୈଁ ସରସ ବସାତ୍‌ରେ ମନ !’

(କାମାୟନୀ)

 

ପ୍ରାଣର ଏ ଉଦ୍‌ବେଳନ ଶ୍ରଦ୍ଧାରେ, ଉଦାରତାରେ, ପ୍ରେମରେ, ସମ୍ବେଦନଶୀଳତାରେ, ନିର୍ଦ୍ୱନ୍ଦ୍ୱରେ ଗ୍ରହଣ କରି ନେବାରେ । ଗୋଟେ ସଂପୂର୍ଣ୍ଣ ଆତ୍ମଲୀନ ଶୃଙ୍ଗାରର ପାର୍ବଣୀ । ମାଦକଭରା ବର୍ଷାରାତି ପରି । ଗୋଟେ ଗିରିନଦୀର ପ୍ରବାହ ପରି । ମଣିଷର ସୃକ୍ଷ୍ମ ଓ ସମ୍ବେଦନଶୀଳ ଅନୁଭବ ଓ, ତା’ର ଚିତ୍ତବୃତ୍ତି ସମୁଦାୟର ଏକ ମହାନାଟକ ସତେ ଯେପରି, ଜୟଶଙ୍କର ପ୍ରସାଦଙ୍କ ‘କାମାୟନୀ’ ‘drama of instincts and emotions’ । ରମେଶ ଚନ୍ଦ୍ର ସା’ଙ୍କ ପରି ସମାଲୋଚକ କାମାନୟନୀର କବି ପ୍ରସାଦଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ କହିଛନ୍ତି । ‘what Prasad has in his mind is a more active conception of this seemingly passive suffering of woman, true to his metaphysical tradition, he lends his full poetic ascent to the idea that the feminine prineiple is the printe-mover of existence and its infallible Support also. (R.C. Shah, Jai Shankar Prasad. Sahitya Academi-New Delhi, 1978, p-66)

 

ଅନୁଭବସବୁ ଏମିତି ହେବ ପ୍ରେମରେ ପଡ଼ିଲେ । ନିମର୍ଜ୍ଜିତ ହେଲେ ଏମିତି ଲାଗିବ ମୁହୂର୍ତ୍ତ ସବୁ । ଏମିତି ଲାଗିବ ସବୁ ଏ ବ୍ରହ୍ମାଣ୍ଡର ଦଶଦିଶି । ରମାକାନ୍ତ ରଥଙ୍କ ‘ଶ୍ରୀରାଧା’ ର ଏହି ଧାଡ଼ିଗୁଡ଼ିକ ସେହି ତତ୍‌ଗତ ଶୃଙ୍ଗାରର ଆବେଗିକ ମୁହୂର୍ତ୍ତସବୁକୁ ହିଁ ବସ୍ତୁତଃ ପ୍ରକଟିତ କରିଛି :

 

‘ମୋତେ କିଛି ଜଣା ନାହିଁ । କେତେବେଳ ଯାଏଁ

ଦିଶୁଥିଲା ନଈଘାଟ, ତୋଟା, ଘରଦ୍ୱାର

କ୍ରମେ କ୍ରମେ ସବୁ ଘୁଞ୍ଚିଯାଇ ଅବଶେଷେ

ଦିଶିଲା ବିଭିନ୍ନ ବର୍ଣ୍ଣ କେବଳ ତାଙ୍କର

ଆଉ କିଛି ଦିଶିଲାନି, ଏପରିକି ନଈ

ଓ ମଝିରେ ଚାଲୁଥିବା ନାହା ଦିଶିଲାନି

ଆକାଶ ଅଦୃଶ୍ୟ ହେଲା, ସୂର୍ଯ୍ୟ ଚନ୍ଦ୍ର ତାରା

ଥିଲେକି ନଥିଲେ କିଛି ଜଣା ପଡ଼ିଲାନି ।’

(ଶ୍ରୀରାଧା)

 

ଆଦିମା, ମଧ୍ୟମା, ଅନ୍ତିମା, ପରମା ଏହି ଚାରୋଟି-ଶୀର୍ଷକରେ ଶହେଚାରି ଗୋଟି କବିତା ରାଜେନ୍ଦ୍ରକିଶୋର ପଣ୍ଡାଙ୍କ ‘ଅନ୍ୟା’ରେ ସଂଯୋଜିତ ହୋଇଛି । ଏସବୁ ଏକକ କବିତା ଅଥଚ ଏହି କବିତାଗୁଡ଼ିକ ମଧ୍ୟରେ ଏକ ସ୍ପଷ୍ଟ ଭାବ ଐକ୍ୟ ରହିଛି । ସମସ୍ତ କବିତା ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ନିବିଡ଼ ଅଥଚ ପ୍ରସୁପ୍ତ ଚେତନାର କଥା ହିଁ କହିଛନ୍ତି ।

 

ଭାବର ବିଚିତ୍ର ବିନ୍ୟାସ ହୋଇଛି; ଅଥଚ ଗୋଟିଏ କାହାଣୀମୁଖୀ ବିଷୟପିଣ୍ଡ ଏଥିରେ ନାହିଁ । ଚରିତ୍ର ନାହାନ୍ତି । ଗଳ୍ପ ନାହିଁ, କାବ୍ୟକାହାଣୀର ବିନ୍ୟାସ ବା ସ୍ୱିକୁଏନସ୍‌ ମଧ୍ୟ ନାହିଁ । ଏପିସୋଡର ବିସ୍ତାର ନାହିଁ କି ପରିଣତି ନାହିଁ; ଯେମିତି ‘କାମାୟନୀ’ ରେ, ଅଛି ପୁଣି ‘କନୁପ୍ରିୟା’ ଓ ‘ଶ୍ରୀରାଧା’ରେ ବିଷୟବିସ୍ତାର ଗୋଟେ ପତଳା କୋଟିଙ୍ଗ୍‌ ବା ଆବରଣ ଭାବେ ଆଭାସରେ ରହିଛି । ଅଥଚ ଏକ ଆତ୍ମଲୀନ ଶୃଙ୍ଗାରର ଦୀପ୍ତ ଓ ସୁତୀବ୍ର ଉତ୍ତରଣ ରହିଛି । କମଶଃ ଜୀବନର ଗୋଟେ ସମୁଚ୍ଚ ଅନୁଭବ ଗାଢ଼ରୁ ଗାଡ଼ତର ହେଉଛି, ନିବିଡ଼ରୁ ଆହୁରି ନିବିଡ଼ିତର ହେଉଛି ।

 

ନାରୀର ମୋହିନୀ ରୂପକୁ ପୁରୁଷର ଶୃଙ୍ଗାରିକ ଆତ୍ମା କେମିତି ଦେଖୁଛି ଦେଖନ୍ତୁ । ତା’ର ଲୀଳା ବିଳାସକୁ କେମିତି ଅନୁଭବ କରୁଛି ବି ବୁଝନ୍ତୁ ।

 

ତୁ ସେଇତ ଠିକ୍‌ ଚିହ୍ନିଛି ମୁଁ ତୋ ଛନ୍ଦକୁ/ତୋ ଳୀଳା ବିଳାସକୁ/ତୋ’ର ଉହ୍ୟରୂପକୁ/ସେଥର ତୁ ଅମୃତ କୁମ୍ଭତଳେ ଥୋଉଥିବାବେଳେ ଦେବତା ଅସୁର ସଭିଁଙ୍କ ଆଖି ଲାଖିଥାଏ ତୋର ସୁସଞ୍ଚ କୁଚ ଯୁଗ ମୂଳେ /ଏ ପରଷୁଣୀ!/ମୋତେ ତୁ କ’ଣ ଦେବୁ/ଜପ କରେନା/ତପ କରେନା/ମନ୍ଦିରକୁ ତୋର ଯାଏନା/ତୁ ନାହିଁ ବୋଲି କହିବୁଲେ ମୁଁ ସବୁଠି /କହତ/ ତୁ, କେମିତି ଜାଣିଲୁ ମୋର ଅଭିମାନ ଯେ/ଦେହ ଧରି ଉଭା ହୋଇଗଲୁ ଏମିତି ।’ (ମୋହିନୀ ଅନ୍ୟା)

 

ମର୍ତ୍ତ୍ୟନାରୀର ସ୍ତନଶୋଭା ଦେଖି ଦେବତାମାନେ କାମାସକ୍ତ ହୋଇଛନ୍ତି ଓ ଋଷିମାନଙ୍କର କୌପୁନୀମାନ ତିନ୍ତି ଯାଇଛି । ଏ ବିଷୟ ବେଶ୍‌ ସରସ.ଓ ଛନ୍ଦୋବଦ୍ଧକରି ପୂର୍ବରୁ ଓଡ଼ିଆ କବିମାନେ ଲେଖିଛନ୍ତି । ଆହୁରି ନିଃସଙ୍କୋଚରେ ଲେଖିଛନ୍ତି ଭାରତୀୟ ସଂସ୍କୃତ କବିମାନେ । ଏ ଆସକ୍ତି ତ କାଳ କାଳ ଧରି ବିବର୍ତ୍ତନୀୟ ରୀତିରେ ଜୀବନ ଧାରଣ କରିଥିବା ମଣିଷ ସହିତ ରହିଛି । ଏହି ଆସକ୍ତି ମଣିଷର ଆତ୍ମାକୁ କେତେ ପୁଲକିତ କରିଛି କେତେ ପ୍ରସାରିତ ହୋଇଛି ତା’ର ମନ ଓ କଳ୍ପନା ।

 

ସେମିତି ରମାକାନ୍ତଙ୍କ ‘ଶ୍ରୀରାଧା’ । ଏକଷଠି ଭାଗର ଦୀର୍ଘ କବିତା । ଏକକ ଗ୍ରନ୍ଥଟିଏ । ଗୋଟିଏ ଭାବ ବିନ୍ୟସ୍ତ ହୋଇଛି ମୂଳରୁ ଶେଷଯାଏଁ । ପୁରୁଣା ଏପିସୋଡ଼୍‌ ଅନୁସାରେ ବିଷୟବିନ୍ୟାସ କ୍ରମିକ ହୋଇନି ଏହା କେବେହେଲେ ଗୋଟେ ବିଧିବଦ୍ଧ ଆଖ୍ୟାନ ଭାଗଥିବା ଗୋଟେ ପୁରୁଣାକାଳିଆ ଏପିସୋଡ଼୍‌ ନୁହେଁ । କାହାଣୀ ପଞ୍ଜରଟିଏ ମଧ୍ୟ ଗଢ଼ା ହୋଇନି । ଶ୍ରୀରାଧା ଚରିତ୍ରଟି ମଧ୍ୟ ଆଉଥରେ ଅଙ୍କାଯାଇନି । ଅଥଚ ରାଧାଭାବ ଆଉଥରେ ପୁନର୍ସଂସ୍ଥାପିତ ହୋଇଛି । ଶ୍ରୀରାଧାର ସମଗ୍ର ରୂପଟି ଏକ ପୁନର୍ସୃଷ୍ଟି (Re-production) ଶ୍ରୀରାଧା ଭାବବଳୟ ଭିତରେ କବିଙ୍କ ଉତ୍ତୋଳିତ ବ୍ୟକ୍ତିକ ଅନୁଭବ କିଛି ସ୍ଥିରତର ବୋଧ ଓ ପ୍ରବଣତା ଏକ ଅଂଶ ହୋଇ ରହିଛି । ତାହା ବିଛିର୍ଣ୍ଣ ନୁହେଁ; ବରଂ ସମନ୍ୱିତ ବହୁକାଳ ଧରି ମୂର୍ଚ୍ଛିତ ହେଉଥିବା ଗୋଟେ ଗାଢ଼ ପୁଲକିତ ଅନୁଭବକୁ କନଫର୍ମ କରିବା ପ୍ରକ୍ରିୟାଟିକୁ ‘ଶ୍ରୀରାଧା’ କିମ୍ୱା ‘ଅନ୍ୟା’ର ବିଷୟ ପରିକଳ୍ପନାରୁ ଆଦୌ ବାଦ୍‌ ଦେଇହେବନି ।

 

ଏହି ଦୁଇ କବିତାକୃତିର ସାମ୍ୟ ହେଉଛି ତା’ର ସମୁଚ୍ଚ ଭାବନାଚେତନା ରୂପ ବା ସଂରଚନା ଦୃଷ୍ଟିରୁ ହୁଏତ ଏ ଦୁଇ କୃତି ମଧ୍ୟରେ କିଛି: ବୈଷମ୍ୟ ରହିଛି । କବିସମ୍ରାଟ ଉପେନ୍ଦ୍ର ଲକ୍ଷ ଲକ୍ଷ ଶବ୍ଦ ପୁଞ୍ଜାରେ ନାରୀକଥା ବର୍ଣ୍ଣନା କରିଛନ୍ତି । ନାରୀର ଚୂର୍ଣ୍ଣ କୁନ୍ତଳଠାରୁ ପାଦ ଅଙ୍ଗୁଳି ପର୍ଯ୍ୟନ୍ତ, ସ୍ତନ ଯୁଗଳ ଠାରୁ ପୁଷ୍ପବତୀ ଲାବଣ୍ୟବତୀମାନଙ୍କର ରସସିକ୍ତ ଗୁହ୍ୟାଙ୍ଗ ପର୍ଯ୍ୟନ୍ତ ପ୍ରତିଟି ଅଙ୍ଗକୁ ଚିତ୍ରଣ କରିଛନ୍ତି । ତ୍ରିବଳୀ, ରୋମାବଳୀକୁ ବି ବାଦ୍‌ ଦେଇ ନାହାନ୍ତି । ମଧ୍ୟଯୁଗ ଓଡ଼ିଆ କବିମାନେତ ଉପେନ୍ଦଙ୍କ ପରି ନାରୀ ଅଙ୍ଗର ଆହୁରି ବିଚିତ୍ର ବର୍ଣ୍ଣନା କରିଛନ୍ତି । ନାରୀପ୍ରେମର କାହାଣୀକୁ ସହସ୍ର ସହସ୍ର ସରସ ଅଳଙ୍କାରିକ ଶ୍ଳୋକରେ ପ୍ରକଟ କରିଛନ୍ତି । ମାତ୍ର ନାରୀର ମୋହିନା ରୂପକୁ ସେମିତି ବିମୁଗ୍‌ଧ ହୋଇ ଦେଖିବା ଓ ଲେଖିବା ଏମିତି ପରମ ପ୍ରତ୍ୟୟ ଭିତିରେ, ଏମିତି ଚରମଭାବେ ହୁଏତ ଏହି ଗୁଛ ଦୁଇଟିର ବିଶେଷତ୍ୱ :

 

‘ତୋ’ ର ବିଶ୍ୱରୂପ ମୁଁ ଦେଖିନି, ଗୋବିନ୍ଦ !

ଲାଗୁଚି, ତା’କୁ ସମ୍ଭାଳିଯିବି

ହେଲେ ଏ ରୂପ

ଏ ରଙ୍ଗ ! ଏ ଗନ୍ଧ ! ଏ ଜ୍ୟୋତି ତୋ’ର !

ଓଃ ......

ଅମୃତ କୁମ୍ଭ ଆଡ଼େଇ ଦେଇ

ସହସ୍ର ନାମ ତୋର ପାଶୋରି ଗୋଟିଏ ନାମଇ ଘୋଷୁଛି ।

ମୋହନୀ ..... ମୋହନୀ ..... ମୋହନୀ ..

 

ଏ ମୋହନୀ ତ ସହସ୍ର କାଳକୁ କେବଳ ମୋହି ଦେଉଛି । ସେହି ସମ୍ମୋହିତ ହୋଇଯିବାତ ରମଣର ମୂଳସୁଖ। ବାଣଭଟ୍ଟ ବହୁଦିନ ତଳେ ଅନୁରୂପଭାବେ ନାରୀର ମୋହିନୀ ରୂପକୁ ଦେଖି ଲେଖିଥିଲେ - ‘ମୂର୍ଚ୍ଛାମିବ ମନୋହାରିଣୀଂ’ । ନାରୀ ସତରେ ଅନୁଭବର ଏକ ଅସରନ୍ତି ବିସ୍ତାର । ‘ଅଧରରୁ ସ୍ତନାଗ୍ରକୁ ପହଞ୍ଚିବାକୁ ଲାଗିଯାଏ ସାତଦିନ ସାତରାତି । ତା’କୁ ବାହୁଭିତରେ ଧରି ହୁଏନି । ଚେତନାରେ ବାନ୍ଧି ହୁଏନି ।’

 

କାମାୟନୀ, କନୁପ୍ରିୟା, ଶ୍ରୀରାଧା ଓ ଅନ୍ୟାର ନାରୀଚେତନାଟି ହଁ ଏହି ଚାରୋଟି କାବ୍ୟର ମୂଳ ବିଷୟ । ଏହି ନାରୀ ତଥା ନାରୀକୈନ୍ଦ୍ରିକ ଚିରନ୍ତନ ପ୍ରଣୟାନୁଷଙ୍ଗର ସାଦୃଶ୍ୟ ହଁ ଏହି ଚାରୋଟି କାବ୍ୟ ଭିତରେ ରହିଛି । ସହସ୍ର ବର୍ଷର ସୁନ୍ଦର ଓ ସୃଜନଶୀଳ ସାରସ୍ଵତ ସଜନୀଭାବନାଟି କେମିତି ଏକ ହୋଇଯାଇଛି । ସୃଜନଶୀଳ ଆବେଗଟି ସେମିତି ଅତୁଟ ହୋଇ ରହିଛି । ଏକ ଅନ୍ତରୀଣ ଭାବସ୍ରୋତ ନାରୀ ପୁରୁଷର ସ୍ଵର୍ଗୀୟ ସମ୍ପର୍କକୁ ଆହୁରି ଦୀପ୍ତ, ଆହୁରି ବର୍ଣ୍ଣାଢ଼୍ୟ କରି ଯେପରି ପ୍ରକଟନ କରୁଛି । ଆହୁର ଅସୀମ ସ୍ପନ୍ଦନ ଯେପରି ଅପ୍ରକଟତ ହୋଇ ରହିଯାଇଛି ।

 

ପୁରୁଷଟିଏ କାଳକାଳକୁ ନାରୀ ଓ ନାରୀପ୍ରେମକୁ କିପରି ଭାବେ ଅନୁଭବ କରିଛି । କିପରି ତା’ର ମୋହିନୀ ରୂପ ତା’କୁ ବଶ କରି ଦେଉଛି । ଅଥଚ ଗୋଟେ ଅନନ୍ୟ ସୃଜନଶୀଳତା ତା’ ଭିତରେ ଉତ୍ତୁରି ପଡ଼ୁଛି । ମହିଷାସୁର ଦୁର୍ଗାଙ୍କ ଶରୀରର ସେ ରୂପକାନ୍ତି ଦେଖି କେମିତି ସ୍ତବ୍‌ଧ ହୋଇ ଯାଉଛି । ମହିଷାର ଦେବୀ ରୂପ ଦେଖିବାତ ପୁରୁଷର ନାରୀରୂପ ଦେଖିବା ସେମିତି ଚରମ ଭାବରେ । ସେ ହିରଣ୍ମୟ କାନ୍ତି, ସେ ଔଜଲ୍ୟ, ତା’ର ଦୀପ୍ତ ଉଦ୍‌ଭାସନ ଦେଖିବା ହିଁ ତ ଆମର ଅନ୍ତିମ ଆଧ୍ୟାତ୍ମିକ ପ୍ରାର୍ଥନା । ଏହି ସୁନ୍ଦର ଦେଖିବାର ଅଭିଳାଷରୁ ତ ଏ ସଂସାରରେ ଅୟୁତ କୋଟି ସରସ ଶ୍ଳୋକର ସୃଷ୍ଟି ହୋଇଛି ଯେପରି ।

 

ଆତ୍ମାର ଐଶ୍ଵର୍ଯ୍ୟ ହେଉଛି ତ ସେହି ବିପୁଳ ଶୃଙ୍ଗାର ଯାହା ହୁଏତ ସ୍ଵର୍ଗ ଓ ପୃଥିବୀକୁ ଏକାକାର କରିଦିଏ । ବହୁ ଭେଦ ଓ ବ୍ୟବଧାନର ବିଲୋପନ କରି ଅସୀମ ପ୍ରାଣପିପାସାର ବର୍ଣ୍ଣାଢ଼୍ୟ ଉପବନ ଆଡ଼େ ନେଇଯାଏ । ସେହି ଦିବ୍ୟାନୁଭୂତିକୁ ପ୍ରାଣରେ ନିରନ୍ତର ଅନୁଭବ କରିବାହିଁ ସୁନ୍ଦରର ପରିଚର୍ଯ୍ୟା କରିବା । ମୋହିନୀ ନାରୀ ସମକ୍ଷରେ ବିବାକ୍‌ ତଟସ୍ଥ ହୋଇଯିବା । ଆପଣା ଅନ୍ତରରେ ପୁଲକିତ ହେବା, ବିମୋହିତ ହୋଇଯିବାହିଁତ ଗେ।ଟେ ଅନୁପମ ସୃଜନଶୀଳତ।, ଗୋଟେ କଲ୍ୟାଣକ।ରୀ ସ୍ଵାଧୀନତାବୋଧ । କିରକେଗାର୍ଡ଼ ଯେଉଁଥିପାଇଁ କହିଛନ୍ତି – ‘never absent from a game and that the delight of the erotic depends upon the proper play of freedom.'

‘ଆକାଶଗଙ୍ଗା’ କବିତାରେ ରାଜେନ୍ଦ୍ର ନାରୀକୁ ଅନୁଭବ କରିଛନ୍ତି ପରମ ପୁଲକରେ, ନିଷ୍କପଟ ଭାବେ, ଏକାନ୍ତ ଗୋଟେ ମଧୁର ସମ୍ମୋହନରେ -

 

ତୁ ମିଠା ସମୁଦ୍ରମୟ ମରୀଚକା/ସତ୍ୟମୟ ମିଥ୍ୟା/ରଜସି ଦୟିତା/ସ୍ଵର୍ଗ ନାହିଁ, ସଗର ବି ସେଠାରେ/ମୁଁ କେଉଁଠାରେ ?/ଅନୁକୂଳ କୁଆଡ଼େ ଉଜାଣି, କୁଆଡ଼େ କେଜାଣି/ଉତ୍ସ ତୋର ମୂଳ ତୋର କେଉଁଆଡ଼େ ମା/ମୁହାଣ କେଉଁଆଡ଼େ ?/ତୁ ଜୈବୀଧାରା : ତୁ ପ୍ରାଣ/ ତୁ ତଟୋଭରା: ଚିର ବହମାନ ନିର୍ବାଣ ।

 

ଶୀତଳ କୁଳୁକୁଳୁ ପଣ ଚନ୍ଦନିତ ସୁବାସ ମୋର ଚୌକତିରେ/ଓଦା ଓଦା ଅମୃତ ସ୍ପର୍ଶ ମୋର ସର୍ବାଙ୍ଗ ମନରେ/ ପ୍ରେମିକୋତ୍ତମା : ପରମା/ ସୁନ୍ଦରୀ ପାବନୀ ତୁଇ ସୁରଧୁନି/ମୋ ଶିରା ଧମନୀ ସ୍ନାୟୁ ନାଡ଼ିର ଅପୂର୍ବ ଜହ୍ନମୟତାରେ/ ବିଦାରୋଦ୍ୟତା ପ୍ଳାବନୀ !/ପ୍ରାପ୍ତିର ବାହାରେ ଉପଲବ୍‌ଧ:/କଳ୍ପିତ ଅର୍ଦ୍ଧ ନଦୀଶ୍ଵର: /ମୂଳ ମୁହାଣ ଏଠାରେ/ମୁଁ ତୋର ତୁ ମୋର କୋଳରେ ।’

(ଆକାଶ ଗଙ୍ଗା - ଅନ୍ୟା)

 

କାବ୍ୟପୁରୁଷ ଏ ଧାଡ଼ିଗୁଡ଼ିକରେ କୁତ୍ରାପି କୌଣସି ଆଟୋପ, କୌଣସି ଆଳଙ୍କାରିକ ବକ୍ରତା କିମ୍ବା ଦାର୍ଶନିକ ସଂଶୟ ଆଦୌ ନରଖି ନିଜର ସମ୍ବେଗ, ନିଜର ନିରୋଳା ଅନୁଭବକୁ ବ୍ୟକ୍ତ କରିଛନ୍ତି । ‘ଅନ୍ୟା’ର ନାରୀଚେତନା ଭାରତୀୟ ମାନସିକତାର ସୁଦୀର୍ଘ ପରମ୍ପରା ସହିତ ସଂଲଗ୍ନ ହୋଇ ରହିଛି ଯେପରି । ନାରୀକୁ ପରମା ଜ୍ଞାନ କରିବାର ଶାସ୍ତ୍ରୀୟ ଏତିହ୍ୟ ଆମ ସାରସ୍ଵତରେ ରହିଛି ।

 

ଧର୍ମବୀର ଭାରତୀଙ୍କ ‘କନୁପ୍ରିୟା’ ଏହି ଚେତନାର ଅନୁପମ କାବ୍ୟଟିଏ । ରମା କାନ୍ତଙ୍କ ‘ଶ୍ରୀରାଧା’ରେ ଯେପରି ପ୍ରାକ୍ତନ ରାଧାଚରିତ ପ୍ରାୟ ଉହ୍ୟ ହୋଇ ରହିଛି ‘କନୁପ୍ରିୟା’ରେ ସେମିତି ପ୍ରାକ୍ତନ କାବ୍ୟରେ ଚିତ୍ରିତ ରାଧା ଏପିସୋଡ୍‌ ଉଲ୍ଲିଖିତ ହୋଇନି । ଅଥଚ ଗୋଟିଏ ଚିର କାଳର ପ୍ରୀତି ବିହ୍ୱଳା ନାରୀକଥାହିଁ ମୁଖ୍ୟତଃ ଏହି ଦୁଇ କାବ୍ୟକୃତିରେ ବର୍ଣ୍ଣିତ ହୋଇଛି । ଏଠି ଭାବ ବଳୟର କେନ୍ଦ୍ର ହେଉଛି ଅନୁଭବ । ନାରୀ ପ୍ରେମକୁ ତତ୍ତ୍ୱ ପ୍ରଧାନ କରିବା କିମ୍ବା ଶବ୍ଦାୟିତ କରି ବର୍ଣ୍ଣନା କରିବା ନୁହେଁ, ମନ ଓ ଚେତନ ସ୍ତରରେ ଅନୁଭବ କରିବା ହିଁ ଧେୟ ।

 

ନାରୀ ହେଉଛି ନିବେଦିତା । ଭାବଦାତ୍ରୀ । ପ୍ରେମ ଓ କରୁଣାଦାତ୍ରୀ । ଅନ୍ୟ ପକ୍ଷରେ ପୁରୁଷ ସେହି ଭାବଦାତ୍ରୀକୁ ଆରାଧନା କରେ । ଆବାହନକରେ ତଦ୍‌ଗତ ହୁଏ । ପ୍ରତିଟି କବିତାରେ କବି ଭାରତୀ ଉଭୟ ନାରୀ ଓ ପୁରୁଷ ପ୍ରାଣର କଥାକୁ ହୁଁ ରାଧାକୃଷ୍ଣ ଚରିତ ଇଙ୍ଗିତରେ ଲେଖିଛନ୍ତି ତାଙ୍କ ପ୍ରସିଦ୍ଧ ‘କନୁପ୍ରିୟା’ରେ ।

 

‘କନୁପ୍ରିୟା’ରେ କିଛି ଅବଶ୍ୟ ବୈଷ୍ଣବୀୟ ପ୍ରେମଭକ୍ତିର ଆବେଦନ ରହିଛି । କିଛି ଜୟଦେବ ଓ ଶଙ୍କରାଚାର୍ଯ୍ୟଙ୍କ ନାରୀପ୍ରେମ ସଂପର୍କିତ ଭାଷ୍ୟ ବି ରହିଛି । ‘କନୁପ୍ରିୟା’ରେ ପ୍ରକଟିତ ନାରୀଭାବ ଓ ପୁରୁଷ ଭାବର ମନସ୍ତାତ୍ତ୍ଵିକ ବାସ୍ତବତା ସହିତ କିଛି ଅଧିକ ପାରଂପରିକ ଭାକ୍ତିକତା ଥିଲାପରି ମନେହୁଏ ।

 

ଶୁଦ୍ଧ ବିରହର ଅବତାରଣା ବେଶି ହୋଇଛି ଏ କାବ୍ୟରେ । ବିପ୍ରଲମ୍ଭାର କାରୁଣ୍ୟ ଓ ତଦ୍‌ଜନିଜ ପ୍ରଶାନ୍ତିର ଚିତ୍ରଣ ମଧ୍ୟ କନୁପ୍ରିୟାର ଧାଡ଼ିଗୁଡ଼ିକୁ ଅଧିକ କାବ୍ୟିକ କରିଛି । ବିରହ ଓ ବିପ୍ରଲମ୍ଭ ହେଉଛି: ଚରମ ଶୃଙ୍ଗାର ପାଇଁ ଏକ ତପସ୍ୟା । ସମ୍ଭୋଗ ପ୍ରଲୋଭନ, ପ୍ରାପ୍ତିର ପ୍ରତ୍ୟାଶା, ଅନ୍ୟ କୌଣସି ପ୍ରକାରର ଅହଂ ବା ବକାର ସେ ବିପ୍ରଲମ୍ଭରେ ନଥାଏ ।

 

ଜୟଶଙ୍କର ପ୍ରସାଦଙ୍କ ‘କାମାୟନୀ’, ଧର୍ମବୀର-ଭାରତୀଙ୍କ ‘କନୁପ୍ରିୟା’, ‘ରମାକାନ୍ତଙ୍କ ‘ଶ୍ରୀରାଧା’ ତଥା ରାଜେନ୍ଦ୍ରଙ୍କ ‘ଅନ୍ୟା’ ପରି ମୈଥିଳୀ ଶରଣଙ୍କ ‘ଯଶୋଧାରା’ ଓ ‘ବିଷ୍ଣୁପ୍ରିୟା’ ଗ୍ରନ୍ଥ ଦୁଇଟି ମଧ୍ୟ ସେହି ଚିରନ୍ତନ ନାରୀତ୍ୱ (Eternal Feminine womanhood) କୁ ପ୍ରତୀକିତ କରିଛି । ସାମଗ୍ରିକଭାବେ ଦେଖିଲେ, ଭାରତୀୟ ସାରସ୍ଵତ ପରମ୍ପରାରେ ବୈଷ୍ଣବ ସାହିତ୍ୟ ସହିତ ଅନ୍ୟାନ୍ୟ କ୍ଲାସିକ ସୃଷ୍ଟିରେ ଶୃଙ୍ଗାରର ପରିଚର୍ଯ୍ୟା ଏକ ବିଶିଷ୍ଟତମ ଶାସ୍ତ୍ରୀୟ ବିଷୟ । ସମଗ୍ର ପୃଥିବୀରେ ଭାରତୀୟ କବିମାନେ ହିଁ କେବଳ ଶୁଦ୍ଧ ଶୃଙ୍ଗାର କାବ୍ୟ (Erotic Text) ରଚନା କରିଛନ୍ତି ।

 

ନାରୀର ମଧୂର ମାୟାହିଁ ଜୀବନର ସ୍ପନ୍ଦନ । ପ୍ରାଣପୂର୍ଣ୍ଣ ପୁଲକର କାରଣ ହେଉଛି ତ ପ୍ରକୃତରେ ସେହି ମାୟା । ମାୟା କଟିଗଲେ ଆଉ ଅବଶେଷ କ’ଣ ରହେକି ? ଗୋଟେ ନିସ୍ପନ୍ଦ ଶରୀର ଗଳିତ ଓ ପଚମାନ ହେବାକୁ କେବଳ ରହେ । ଯୁବାକାଳର ମାହାତ୍ମ୍ୟ ତ ସେଇ ପୁଲକିତ ହେବାରେ । ମିଳନ ହିଁ ଅନ୍ତିମ ପୂର୍ଣ୍ଣତା । କାଳକାଳକୁ ମିଳନହିଁ ସବୁକିଛିକୁ ସୁନ୍ଦର କରିଦିଏ । କାମିନୀ ନହୋଇ ପାରିଲେ ନାରୀ ସତରେ କି ନାରୀ ? ପୁରୁଷର ପ୍ରଣୟ ନାରୀକୁ କାମିନୀ କରିଦିଏ । ଗୋଟେ ପ୍ରଣୟାତୁର କବିର ବିନୀତ ସ୍ପର୍ଦ୍ଧା ତ ଏଇଠି ଏମିତି ଭାଷାରେ ପ୍ରକଟିତ ହୁଏ ।

 

‘ମୁଁ ଏମିତି ଏକ ହେମସ୍ପର୍ଶୀ ରାଜେନ୍ଦ୍ର

ଯାହାକୁ ଛୁଏଁ ସେ ଖାଲି ହିରଣ୍ମୟୀ ହୋଇ ଯାଏନା,

କାମିନୀ, ଜୀବନମୟୀ ହୋଇ ରହିଯାଏ କାଳକାଳକୁ ।’

(ବିସର୍ଜ୍ଜନ-ଅନ୍ୟା)

 

ଏ ସଂସାରଯାକର ସାହିତ୍ୟ ନାରୀ ପୁରୁଷ ସ୍ୱପ୍ନ ଓ ସଂପର୍କର, କଥାକୁହିଁ କେତେ ସରସ ରୂପକରେ ଲେଖିଛି । ମଣିଷ ସବୁ ସାହିତ୍ୟର ଏକମାତ୍ର ବିଷୟ । ମଣିଷର ଜୀବନ କହିଲେ ଅନେକ ଭାଗ ହେଉଛି ଏହି ପ୍ରେମ । ଏହା ଶହ ଶହ ବର୍ଷର ସାହିତ୍ୟ ସୃଷ୍ଟିରୁ ହିଁ ପ୍ରମାଣିତ ହୋଇଛି । ବିଚିତ୍ର ଗୋଟେ ଖେଳି ଚାଲିଛି ସବୁକାଳ ସାହିତ୍ୟରେ ।

 

ମଣିଷକୁ କେତେବେଳେ କେଉଁଠି ଦେବତା କରାଚାଲିଛିତ ଦେବତାକୁ ପୁଣି ମଣିଷ କରି ପ୍ରତିପାଦନ କରିବାର ଚେଷ୍ଟା ଚାଲିଛି । ମର୍ତ୍ତ୍ୟକୁ ତା’ର ସକଳ ବାସ୍ତବତା ସତ୍ତ୍ୱେ ଯେତିକି ଭଲପାଇ ହୁଏ ବିଶ୍ୱାସ କରିହୁଏ ସେତିକି ଆପଣାର କରିହୁଏ ନାହିଁ ସ୍ୱର୍ଗକୁ ଅମରାବତୀକୁ । ନାନା ଦୁଃଖ ଓ ଦୁଃସ୍ଥିତିର କାରଣ ହେବାସତ୍ତ୍ୱେ ତଥାପି ଗନ୍ଧର୍ବକୁ ନୁହେଁ , ଏହି ମର୍ତ୍ତ୍ୟର ମଣିଷକୁ ହିଁ ଆପଣାର ଅନ୍ତର ଖୋଲି ଶ୍ରଦ୍ଧା ଦେଇହୁଏ; ପ୍ରେମଦେଇ ହୁଏ ।

 

ସମୁଦାୟ ଭାଗବତକୁ ଜଣେ ଏ ମାଟିର କାହାଣୀ କରି ଦେଖୁ କେତେ ବ୍ୟଥା କେତେ ବେପଥୁର ବାସ୍ତବ କଥା ବୋଲି ମନେହେବ। ରମାକାନ୍ତ ରଥଙ୍କ ‘ଶ୍ରରାଧା ?’ ସେହି ସ୍ୱର୍ଗୀୟ ଓ ସୃଜନଶୀଳ ଅଭିଳାଷ, ସେହି ଚେଷ୍ଟାର ଏକ ଅଂଶ ହୋଇ ଥାଇପାରେ ।

 

‘ଶ୍ରୀରାଧା’ରେ ରାଧା ଜଣେ ନିପଟ ସ୍ତ୍ରୀଲୋଳ । ଗୋଟେ ସ୍ତ୍ରୀଲୋଳ ନିଚ୍ଛକଭାବରେ ଯାହା ଯେପରି ଅନୁଭବ କରିବା କଥା ରମାକାନ୍ତଙ୍କ ଶ୍ରୀରାଧା ତାହା ଯେପରି, କରିଛି । ଯେମିତି ବ୍ୟଥା ପାଇଛି, ଉଚ୍ଚାଟିତ ହୋଇଛି, ରତିକାଂକ୍ଷିଣୀ ହୋଇଛି, ପ୍ରଚଣ୍ଡ ନୈରାଶ୍ୟ ଭିତରେ ବୁଡ଼ି ଯାଇଛି । ଦୁର୍ବହ ନିଃସଙ୍ଗତା ଭୋଗିଛି । ସବୁକିଛି ପୁଣି ସମର୍ପି ଦେଇଛି । ଅନାସକ୍ତ ହୋଇ ଯାଇଛି-। ଏମିତି ଜୀବନ ବଞ୍ଚୁଥିବା ସ୍ତ୍ରୀ ଲୋକଟି ସତରେ ନାଗରୀ ପାଲଟି ଯାଇଛି । ସେ ବ୍ୟଥା ବେପଥୁର ନାଗରୀ ହୁଏତ, ଦେବୀ ହୋଇ ପାରନ୍ତି, ସମୟ ବାହାରେ ରହି ପାରନ୍ତି, ସୁଖ ଦୁଃକ ପାପ ପୁଣ୍ୟ ଊର୍ଦ୍ଧ୍ୱରେ ରହିପାରନ୍ତି ।

 

‘ପୁରାଣ ଓ କିମ୍ୱଦନ୍ତୀର ରାଧା ଯଥାର୍ଥରେ ଦେବୀ ବୋଲି ସ୍ୱୀକୃତ । ଯେହେତୁ ଦେବ-ଦେବୀମାନେ ହିଁ ମନର ସ୍ପହା ନଥାଇ ରହି ପାରନ୍ତି, ସମୟ ବାହାରେ ରହି ପାରନ୍ତି, ଶୂନ୍ୟତା ଭିତରେ ରହି ପାରନ୍ତି । ଦେବୀ ନ ହେଲେ ସାରା ବ୍ରହ୍ମାଣ୍ଡର ଉଦାସୀନତା ସତ୍ତ୍ଵେ ନିଜ ଭିତରେ ଭବିଷତ୍ୟଠାରୁ କିଛି ପାଇବାର ନାହିଁ ବୋଲି ଏକ ନିରନ୍ତର ବିଳାପ ଧ୍ୱନି ଶୁଣିବା ସତ୍ତ୍ୱେ କିଏ ପ୍ରତିଦିନ ନଈକୁ ଗାଧୋଇବାକୁ ବା ପାଣି ଆଣିବାକୁ ଯାଉଥିବ, ଦୁଧ ଦହି ବିକୁଥିବ, ଅନ୍ୟମାନଙ୍କ ପରି ଅନେକ ସଂଖ୍ୟକ ଧରାରନ୍ଧା କାମ କରି ଚାଲିଥିବ ? ସେ ଯଦି ଦେବୀ ସେ ସୁଖୀ କି ଅସୁଖୀ ଜାଣିବା ସମ୍ଭବ ନୁହେଁ । ସେ ସୁଖୀ କି ଅସୁଖୀ ନୁହନ୍ତି । ବା ଏକାଧାରରେ ସୁଖୀ ଓ ଅସୁଖୀ ଓ ତା’ଛଡ଼ାବି ଆହୁରି ଅନେକ କିଛି; ଆମର ସେସବୁ ବୁଝିବାର ଶକ୍ତି ନାହିଁ , ବର୍ଣ୍ଣନା କରିବାର ସାମର୍ଥ୍ୟ ତ ଜମାରୁ ନାହିଁ ।

(ଶ୍ରୀରାଧା-ପୃଷ୍ଠବନ୍ଧ)

 

‘ଶ୍ରୀରାଧା’ର କବି ରମାକାନ୍ତ ଯେହେତୁ ବିଦଗ୍‌ଧ ପୁରୁଷ କୃଷ୍ଣଙ୍କ ନାମରେ କବିତାଗ୍ରନ୍ଥର ନାମକରଣ ନକରି କରିଛନ୍ତି ସେହେତୁ ସେ ଦେବୀଭକ୍ତ, ଶାକ୍ତ ଏପରି ନୁହେଁ । ସେ ପୁଣି ସେଇ ରାଧା ଦେବୀଙ୍କୁ କେଉଁ ଅଗ୍ନି ପୁରାଣ କି କେଉଁ ବୈଷ୍ଣବ କାବ୍ୟ ମହାକାବ୍ୟ ପୃଷ୍ଠାରୁ ତାଙ୍କ କବିତାକୁ ଆବାହନ କରି ଆଣିଛନ୍ତି ତାହା ଜାଣିବା ମଧ୍ୟ ଏଠାରେ ଜରୁରୀ ନୁହେଁ । ଜରୁରୀ କେବଳ ଏ ବସୁନ୍ଧରାର ଚିରନ୍ତନ ନାରୀତ୍ୱକୁ ଗୋଟେ ବାସ୍ତବ ଲୌକିକ ପରିବେଶ ଭିତରେ ଅନୁଭବ କରିବା । ବୋଧହୁଏ ନିମ୍ନୋକ୍ତ ଧାଡ଼ିର ପରିକଳ୍ପନା ଏହି କାରଣରୁ ହୋଇଛି :

 

‘କାଲି ମୋର ସ୍ୱାମୀ ମୋର ବାଳ ଝିଙ୍କିଲେ ଓ ମୁଣ୍ଡକୁ କାନ୍ଥରେ ବାରମ୍ୱାର କଚାଡ଼ିଲେ । ମୁଁ କେଉଁଠି ପୂର୍ବରାତ୍ରି ବିତାଇଲି ତାହା/ ସାଫ୍‌ ସାଫ୍‍ ମାନିଯିବା ଲାଗି କହୁଥିଲେ । ବେଶ୍‌ କିଛି କଷ୍ଟ ହେଲା ବେଶ୍‌ କିଛି ସମୟ ତା’ପରେ ।’ (ଶ୍ରୀରାଧା)

 

କୌଣସି ଆଟୋପ କିମ୍ୱା କୌଣସି ଅଲୌକିକ ଆଭିଜାତ୍ୟ, କୌଣସି ଭାକ୍ତିକ ରହସ୍ୟ ବିଜଡ଼ିତ ନ କରି ଏ ବ୍ରହ୍ମାଣ୍ଡର ଆବହମାନ କାଳରୁ ଚିରନ୍ତନ ନାରୀ-ପୁରୁଷ ସମ୍ପର୍କ (Prospective union of male and female)କୁ ପ୍ରତୀକିତ କରିବା ହେଉଛି କବି ରମାକାନ୍ତଙ୍କ ଆଉଥରେ ରାଧା କଥା କହିବାର ମୂଳ ପ୍ରୋତ୍ସାହନ । ଏ ପୃଥିବୀରେ ନାରୀ ହେଉଛି ଗୋଟେ ବଡ଼ ରହସ୍ୟ । ନାରୀ ରାତ୍ରି ପରି ଶୀତଳ ଓ ଉଷ୍ମ ପୁଣି ରହସ୍ୟମୟୀ । ନାରୀ ଗୋଟେ ମାଂସର ଫୁଲ । ସେ ସଙ୍ଗମ ଚାହେଁ । ଅଥଚ ଅନାସକ୍ତି ଓ ଉଦାସୀନତାର ସେ ଚରମ । ସେ ବୀର ପୁରୁଷକୁ ପ୍ରଣୟ ଦିଏ । ପୁଣି ରତି ପାଇଁ ବିକଳ ହେଉଥିବା, ଗ୍ରାମ୍ୟ ବାଳକ ପରି ସରଳ ଓ କପଟଶୂନ୍ୟ ପୁରୁଷକୁ ତା’ର ଭାରି ଶ୍ରଦ୍ଧା । ଶ୍ରୀରାଧାର ନାୟିକା ତେଣୁ ଅଲୌକିକ ମହାମହିମକୁ କୋଳାଗ୍ରତ କରିବାକୁ ଚାହିଁନି ।

 

‘ସବୁ କିଛି ଯଦି ତମ କଳ୍ପନା ପ୍ରସୂତ/ହେ ମହାମହିମ ତେବେ ମୋ କୋଳକୁ କାହିଁକି ଆସୁଛ ? × × ତମର ନିଜକୁ ନିଜେ ରଖିବାକୁ ଯଦିସବୁ ଆଧାର କେବଳ/ଜଣେ ଜଣେ ଯଦି ତମ ଚାହିଦା ଓ ପ୍ରତ୍ୟେକ ଚାହିଦା ବିନା ବାକ୍ୟ ବ୍ୟୟେ ବିନା ରକ୍ତ ସ୍ରାବେ/ପୂର୍ଣ୍ଣ କରିବାକୁ ତମ ନିଜର କୌଶଳ ତେବେ ଯାଅ ଶୋଇପଡ଼/କଳ୍ପ କଳ୍ପାନ୍ତର ଜନଶୂନ୍ୟ ଜଳଧିରେ ; ଏଠି ଖୁବ ଝଡ଼ ହୁଏ ନିଜ ଚିହ୍ନ ବର୍ଣ୍ଣ ଉଡ଼ି ଯାଏ/ହିତାହିତ ଜ୍ଞାନଶୂନ୍ୟ ଭଲ ପାଇବାରେ ।’ ଆଜି ଧାଡ଼ିଗୁଡ଼ିକ ଗୋଟିଏ ନାରୀର ନିବିଡ଼ ପ୍ରେମ କାମନାର ମୁଦ୍ରାକୁ ହିଁ ଚିହ୍ନଟ କରିଛି ।

 

‘କନୁପ୍ରିୟା’ ଓ ‘କାମାୟନୀ’ ଗ୍ରନ୍ଥ ଦୁଇଟିର ସଂରଚନା (Structure) କିନ୍ତୁ ଅନ୍ୟ ପ୍ରକାରର । ସଂରଚନା ଦୃଷ୍ଟିରୁ ‘ଶ୍ରୀରାଧା’ ଓ ‘ଅନ୍ୟା’ ଭିତରେ ବି ତଫାତ୍‌ ରହିଛି । ହେଲେ ନିତ୍ୟକାଳକୁ କୁହକ ପରି ଲାଗୁଥିବା ଚିତ୍ତ-ପ୍ରବୋଧକ ଶୃଙ୍ଗାରଭାବକୁ ଲେଖିବାରେ ଏହି ଗ୍ରନ୍ଥ ଚାରୋଟିର ଭାବସାମ୍ୟକୁ ଲକ୍ଷ୍ୟ କରାଯାଇପାରେ । ଶୃଙ୍ଗାର ଏପରି ଏକ ବିଷୟ ମଣିଷର ଜୀବନ ପରିଧି ଭିତରେ ତାହା ଏକ ପ୍ରଚଣ୍ତ ସୃଜନଶୀଳତା । ସେଠି ସିକ୍ତ ବିମୋହିତ ମନ ବଗିଚାରେ ଆଷାଢ଼ ଆସିବ, ଶ୍ରାବଣ ଆସିବ । ସାରା ବର୍ଷାକାଳ କଦମ୍ବିତ ହେବ । ସାରା ଦେହ ଅପୂର୍ବ ପୁଲକରେ ରୋମାଞ୍ଚିତ ହୋଇଯିବ। ନଦୀମାନେ ସ୍ଫୀତବକ୍ଷା ହେବେ ।

 

ଆକାଶ ଆହୁରି ନୀଳ ଓ ନିବିଡ଼ ଲାଗିବ। ବ୍ରହ୍ମାଣ୍ଡ ସୁନ୍ଦର ଲାଗିବ । ମନ ଓ ପ୍ରାଣ ପୁଲକିତ; ହୋଇ ଉଠିବ । ମଣିଷ କ୍ରମଶଃ ଏକ ଉଚ୍ଚତର ଆଧ୍ୟାତ୍ମିକତା ଆଡ଼େ ଉନ୍ମୁଖ ହେବ । ତା’ର ଇଛାଶକ୍ତି ପ୍ରବଳ ହେବ । ଏ ମର୍ତ୍ତ୍ୟ ତା’କୁ ନିରନ୍ତର ଅମରାବତୀ ପରି ଲାଗିବ ।

 

ମଣିଷ ମନର ବର୍ଣ୍ଣାଢ଼୍ୟ କଳ୍ପନାବିଳାସ, ତା’ର ଯାବତୀୟ ସ୍ଵପ୍ନ ପ୍ରବଣତା, ଅତି ବଡ଼ ସୌନ୍ଦର୍ଯ୍ୟ ଦୃଷ୍ଟି ଓ ତା’ର ଗଭୀର ପ୍ରାଣ ସ୍ପନ୍ଦନର ମୂଳାଧାର ହେଉଛି ପ୍ରକୃତରେ ଏହି ଶୃଙ୍ଗାର । ଶୃଙ୍ଗାରର ଅନୁଭବ ପ୍ରାଣରେ ଯେତେ ଦୀପ୍ତ ହେବ ଆତ୍ମା ଓ ଅନ୍ତର ସେତେ ଉଲ୍ଲସିତ ହେବ । ଗୋଟେ ଜାନ୍ତବ ସଙ୍କୋଚନ ଓ ଇତର ସ୍ୱାର୍ଥପରତାର ଅର୍ଗଳି ଡେଇଁ ଏକ ଦିବ୍ୟ ଓ ମହତ୍ତ୍ୱର ଜୀବନ ସମ୍ପର୍କର ସନ୍ଧାନ କରିବ । ତାହାହିଁ ପ୍ରେମ । ତାହାହିଁ ପବିତ୍ର ପୁଲକର ପ୍ରସ୍ରବଣ । ଗୋଟେ ସ୍ୱର୍ଗୀୟ କାକଳି (The Divine consort)ର ଧ୍ଵନିତ ମହିମା ।

 

ରମାକାନ୍ତ ହୁଅନ୍ତୁ କି ରାଜେନ୍ଦ୍ର ହୁଅନ୍ତୁ ଉଭୟେ ସେମାନଙ୍କ ଦୁଇ କବିତାଗ୍ରନ୍ଥରେ ହେଲେନିକ ଆର୍ଟିଷ୍ଟଙ୍କ ପରି ‘Feminine Verginity’ କୁ ନାନା ରୂପକରେ ଲେଖିଛନ୍ତି । ଏହି ଉଭୟ ଗନ୍ଥର ବିଷୟପିଣ୍ଡ ହେଉଛି ଏକ ନିଦା ଓ ନିବିଡ଼ ନାରୀବିଷୟକ ଅନୁଭବ । ‘ଶ୍ରୀରାଧା’ ଭାବ ହେଉ କି ‘ଅନ୍ୟା’ର ଭାବ ହେଉ ଏହି ଶୁଦ୍ଧଭାବ ବା ଅନୁଭବ ହିଁ ଏହି କବିତାଗ୍ରନ୍ଥ ଦୁଇଟିର ମୂଳ ବିଷୟପିଣ୍ଡ । ରମାକାନ୍ତଙ୍କ ‘ଶ୍ରୀରାଧା’ ସେ ଦୃଷ୍ଟିରୁ ପୁରୁଣା ଆଖ୍ୟାନ ବା ଏପିସୋଡ୍‌ର ପୁନର୍ସଂସ୍ଥାପନ କେବଳ ନୁହେଁ ବରଂ ସେ ଉଜ୍ଜ୍ୱଳ ରାଧାଭାବର ପୁନଃସଂସ୍ଥାପନ (Re-production) ମଧ୍ୟ ।

 

ବାରମ୍ବାର ରାଧାକଥା ଲେଖା ହୋଇଥିବା ସତ୍ତ୍ୱେ ପୁଣି ଲେଖା ହେବା ଅର୍ଥ ରାଧାକୁ ଗୋଟେ “Archetypal image” ହିସାବରେ ଲେଖିବା ନୁହେଁ ବରଂ ରାଧା ଜରିଆରେ ଶୃଙ୍ଗାରିକତାର ଏକ ମହାଭାବ ତଥାପି ଅପ୍ରାପ୍ତି ଓ ଶୂନ୍ୟତା ସତ୍ତ୍ଵେ ଏକ ମହାସୁଖକୁ ସ୍ମରଣକୁ ଆଣିବା । ଜୀବନବୃତ୍ତ ଭିତରେ ତା’କୁ ସାର ଓ ଶାଶ୍ୱତ ଏକ ପରମ ସୁଖ ବୋଲି ଜ୍ଞାନ କରିବା । ‘ଶ୍ରୀରାଧା’ର କବି ନିଜେ ଲେଖିଛନ୍ତି, ‘ଯେଉଁ ବ୍ୟକ୍ତିତ୍ୱ ଆମର ବୋଧଶକ୍ତିର ଉର୍ଦ୍ଧ୍ୱରେ ଅବସ୍ଥିତ ତାହା ବିଚିତ୍ର ଭାବେ ସୁସମାହିତ; ସେଥିରୁ କିଛି ବାଦ୍‌ ଦେବାକୁ ପଡ଼େ ନାହିଁ । କାରଣ ତା’ର ପ୍ରତ୍ୟେକ ଅଂଶ- ସେ ଅଂଶ ଆମକୁ ଖାପଛଡ଼ା ମନେ ହୋଇ ପାରେ । ଅନ୍ୟାନ୍ୟ ପ୍ରତ୍ୟେକ ଅଂଶ ସହିତ ତା’ର ନିଜସ୍ଵ ବିଶାଳତା ଭିତରେ ଆଶ୍ଚର୍ଯ୍ୟଜନକ ଭାବେ ଖାପ ଖାଇଯାଏ । ସେ ବ୍ୟକ୍ତିତ୍ୱ ବେଳେବେଳେ ଖରାଦିନ ସନ୍ଧ୍ୟାବେଳେ ବୋହୁଥିବା ପବନ ପରି-ପୂରାପୂରି ଶୀତଳ ନୁହେଁ; କିନ୍ତୁ ଶୀତଳତାର ପ୍ରତିଶ୍ରୁତିରେ ଓ ଫୁଲଙ୍କର ସୁବାସରେ ପରିପୂର୍ଣ୍ଣ । ତାକୁ ସାଧାରଣତଃ ବ୍ୟବହୃତ ଓ ନିୟମସିଦ୍ଧ ଭାଷାରେ ବର୍ଣ୍ଣନା କରିହୁଏ ନାହଁ । (ଶ୍ରୀରାଧା - ପୃଷ୍ଠବନ୍ଧ)

 

ଆଲୋଚିତ ଚାରୋଟିଯାକ କବିତାଗ୍ରନ୍ଥର କାଳଚେତନାଟି ଅତ୍ୟନ୍ତ ବ୍ୟାପକ । କୌଣସି ସମୟଖଣ୍ଡ ଏଠାରେ ପ୍ରକଟିତ ହୋଇନାହିଁ । ବିଷୟଟି ନିର୍ଦ୍ଦିଷ୍ଟ କୌଣସି ସମୟଖଣ୍ଡରେ ସୀମିତ ନୁହେଁ । ଯାହା ଅପରିବର୍ତ୍ତନୀୟ ଓ ମହାକାଳକୁ ସୂଚିତ କରେ ତାହା ପ୍ରକୃତରେ ଚିରନ୍ତନ । କିରକେଗାର୍ଡଙ୍କ ସମୟ ଓ ଚିରନ୍ତନତା (Time and Eternity) ର ଧାରଣା ଏହି ସତ୍ୟକୁ ଚରମଭାବରେ ଚିହ୍ନିତ କରେ । ମାତୃଗର୍ଭ ମହାକାଳର ଧାରକ ଓ ତାହା ବିବର୍ତ୍ତନର ଆୟୁଧ ଯେଉଁଥିପାଇଁ ହୁଏତ କୁହାଯାଇଛି, । ‘Sex is the instrument of Evolution’. ନାରୀ, ମହାକାଳ ଓ ମାଟିର ଚିତ୍ରଣ ଶିଳ୍ପୀର ପ୍ରଜ୍ଞା ଓ ଶାସ୍ତ୍ରୀୟତାକୁ ଚିହ୍ନିତ କରେ । ମାତୃଗର୍ଭ ମହାକାଳର ଧାରକ ଓ ତାହା ବିବର୍ତ୍ତନର ଆୟୁଧ; ଯେଉଁଥି ପାଇଁ ହୁଏତ ପୁଣି କୁହାଯାଇଛି, ‘Sexual intercourse is the human counterpart of the cosmic process.’ ଏ ଜଗତର ସକଳ ନରନାରୀଙ୍କ ସମ୍ପର୍କ ଇନ୍ଦ୍ରିୟଗ୍ରାହ୍ୟ । ସ୍ଥିତିବାଦୀମାନେ କହନ୍ତି ଅତୀନ୍ଦ୍ରିୟ ବୋଲି କିଛି ନାହିଁ । ଦୁର୍ବହ ସମୟରୁ ରକ୍ଷା ପାଇବା ପାଇଁ ପୁରୁଷ ନାରୀ ସହିତ ଯୌନ ପ୍ରେମ କରେ । (Rollo May, Love and Will)

 

ଉଲ୍ଲିଖିତ ଚାରୋଟି କୃତିରେ ଶୃଙ୍ଗାର ଓ ଯୌନଚେତନା ସହିତ ମୃତ୍ୟୁ ଓ ମହାକାଳଚେତନା କମ୍‌ ବେଶିରେ ପ୍ରତୀକିତ ହୋଇଛି । ନିବିଡ଼ ଯୌନ ସହିତ ମୃତ୍ୟୁ ପ୍ରବଣତା (Death instinct) ଆପେକ୍ଷିକ ଭାବେ ରହିଛି । ‘Eros destroys as he creates.’ ପ୍ରଣୟ ମହାସୁଖର କାରଣ ପୁଣି ଦୁଃଖ ଓ ହତାଶର ବି କାରଣ । ବିଚିତ୍ର ଅନୁଭବର ଜଗତକୁ କେବଳ ଜଣେ ସେତେବେଳେ ଆସେ ଯେତେବେଳେ ସେ ପ୍ରେମରେ ପଡ଼େ । ଗଭୀର ଜଳର ମାଛଟି ଧୀବରର ଜାଲରେ ଧରା ଦେଲା ପରି । ‘To love means to open ourselves to the negative as well as the positive - to grief, sorrow and disappointment as well as to joy, fulfillment, and an intensity of consciousness we did not know was possible before.’ (Love and Death)

 

ଯେକୌଣସି ସାହିତ୍ୟକୃତିର ଆତ୍ମା ଫର୍ମକୁ ସର୍ବଦା ଗତିଶୀଳ କରାଏ । ‘ଅନ୍ୟା’ର କବିତାସବୁ ସେମିତି ଗୋଟିଏ ଭାବରେ ଗ୍ରଥିତ ହୋଇଛି ଓ ତା’ର ଏକ କେନ୍ଦ୍ରାଭିମୁଖୀନତା ରହିଛି-। ‘ଅନ୍ୟା’ର ଆଙ୍ଗିକ ଗତିଶୀଳ ହୋଇଛି ‘ଅନ୍ୟା’ର ଆତ୍ମିକ ଚେତନା ଦ୍ଵାରା । ‘ଶ୍ରୀରାଧା’ କବିତାଗ୍ରନ୍ଥଟିର ଭାବକ୍ରମିକତାକୁ ମଧ୍ୟ ସେହିଭାବରେ ଲକ୍ଷ୍ୟ କରାଯାଇପାରେ ଯଦିଓ ‘ଶ୍ରୀରାଧା’ର ମୂଳରୁ ଶେଷଯାଏଁ ବହୁ ସିମ୍ଫୋନି (Symphony) ରହିଛି । ଚିତ୍ତପ୍ରଶାନ୍ତିଜନିତ ମହାଭାବ (Sublimation) ରହିଛି ।

 

ଯୁଗର କୌଣସି ସମସ୍ୟା ଚିତ୍ରଣରେ ଯେଉଁ ସାଟାୟାରସବୁ ସୃଷ୍ଟିହୁଏ ସେଗୁଡ଼ିକ କ୍ୱଚିତ୍‌ ଏପିକ୍‌ଧର୍ମୀ ହୋଇଥାଏ; ମାତ୍ର ପ୍ରେମ ପରି ଜୀବନର ମୌଳିକ ତଥା ଗମ୍ଭୀର ବିଷୟର ଚିତ୍ରଣ ମାତ୍ରେହଁ ସ୍ଵତଃ ଶାସ୍ତ୍ରୀୟ ଓ ଏପିକ୍‌ ଧର୍ମୀ ହୋଇପଡ଼େ । କାରଣ ପ୍ରେମ ଓ ମିଳନ ଚିରନ୍ତନ ଜୀବନଧାରାର ଏକ ଅଭିଜାତ ଅଂଶ । ଅନୁଭବର ସମତଳ ହେଉ ବା ଶୀର୍ଷ ହେଉ ଜୀବନର ଗରିମାମୟ ଅନୁଭବ ହିଁ ସମସ୍ତ । ବିଷୟକୁ ଏକ ତୁଙ୍ଗିମା ଆଡ଼କୁ ନେଇଯାଏ । ଭାଗବତ ଯେଉଁଥିପାଇଁ ଏତେ ଉଚ୍ଚମାନର ରଚନା ହୋଇ ପାରିଛି ଓ ନିର୍ବିବାଦରେ ଉଚ୍ଚତର କ୍ଲାସିକ ସାହିତ୍ୟର ମର୍ଯ୍ୟାଦା ଲାଭ କରି ପାରିଛି ।

 

ଉଲ୍ଲିଖିତ ଚାରି ଗୋଟି କୃତି ମଧ୍ୟରୁ ରମାକାନ୍ତଙ୍କ ‘ଶ୍ରୀରାଧା’ ଓ ଧର୍ମବୀର ଭାରତୀଙ୍କ ‘କନୁପ୍ରିୟା’ ମଧ୍ୟରେ ବସ୍ତୁତଃ ଚେତନାଗତ ଐକ୍ୟ ବେଶି । ଖ୍ରୀଷ୍ଟାବ୍ଦ୧୯୫୯ରେ ରଚିତ ‘କନୁପ୍ରିୟା’ର ପରିକଳ୍ପନା ପୁରୀ ସମୁଦ୍ର କୂଳରେ ଓ ରମାକାନ୍ତଙ୍କ ‘ଶ୍ରୀରାଧା’ ରଚିତ ତା’ର ଛବିଶ ବର୍ଷପରେ ୧୯୮୫ ଖ୍ରୀଷ୍ଟାବ୍ଦରେ ଅବଶ୍ୟ ସେହି ଓଡ଼ିଶାରେ ।

 

‘କନୁପ୍ରିୟା’ରେ ଭାରତୀ ଉଷ୍ଣ ପ୍ରେମାନୁଭୂତିକୁ ନିଃସର୍ତ୍ତଭାବେ ଲୌକିକ ସ୍ତରକୁ ନେଇ ଆସିଛନ୍ତି । ସାଧାରଣ ବା ଅଦିବ୍ୟ ହେଉପଛେ ଲୌକିକ ପ୍ରେମ ନରନାରୀଙ୍କ ପ୍ରବୋଧିତ ଅନ୍ତରରୁ ଜାତ । ସମଗ୍ର ହିନ୍ଦୀ ସାହିତ୍ୟରେ ଧର୍ମବୀର ଭାରତୀ ସଂପୂର୍ଣ୍ଣ ଏକ ନୂତନ ଦୃଷ୍ଟି ଭଙ୍ଗୀରୁ ପୁନଃ ତାଙ୍କ ‘କନୁପ୍ରିୟା’ରେ ରାଧାକୃଷ୍ଣ କଥା ଆଙ୍ଗିକରେ ସାଂପ୍ରତିକ ନାରୀ ଜୀବନର ବାସ୍ତବ ମନସ୍ତତ୍ତ୍ୱ‌କୁ ଚିତ୍ରଣ କରିଛନ୍ତି । ଏ ପ୍ରସଙ୍ଗରେ ଜଣେ ବିଶିଷ୍ଟ ସମାଲୋଚକ କହିଛନ୍ତି ‘The one major exception to this general tendency, Dharmavir Bharati’s long narrative poem ‘Kanupriya’ is the only significant attempt since Harioudh’s Priya Pravas some forty years earlier to make the story of Radha and Krishna relevant to contemporary life.’ (J.S. Hawley, The Divine Consort - Radha And the Goddess of India) ।

 

ରମାକାନ୍ତ ମଧ୍ୟ ‘ଶ୍ରୀରାଧା’ରେ ଅନନ୍ତ କାଳର ନାରୀ ସଭାଟିକୁ ଅତି ନିଷ୍କପଟଭାବେ ଏଇ ମାଟି ଏବଂ ପ୍ରତିଟି ବାସ୍ତବ ପରିବେଶ ମଧ୍ୟରେ ଚିତ୍ରଣ କରିଛନ୍ତି । ତଥାପି ଏ ଦୁଇଟି କାବ୍ୟକୃତି ମଧ୍ୟରେ ଜଟିଳ ସମ୍ବେଗାତ୍ମକ ଅନୁଭବ ଓ ମାନସିକତାର ବ୍ୟାପ୍ତି ଦୃଷ୍ଟିରୁ କିଛିଟା ଅବଶ୍ୟ ପାର୍ଥକ୍ୟ ରହିଛି ।

 

ଚରମ ଆତ୍ମୀୟତାକୁ ସାବ୍ୟସ୍ତ କରି ‘କନୁପ୍ରିୟା’ର ଶ୍ରୀରାଧା ଯେକୌଣସି କାଳର ବିମୋହିତା ନାଗରୀ ପରି ଆପଣାର ଅନ୍ତରକୁ ଖୋଲି ଦେଇଛି ।

 

ଇସ୍‌ଲିୟେ ମୈନେ ଅସ୍ଵୀକାର କର ଦିୟାଥା

ତୁମ୍‌ହାରେ ଗୋଲୋକକା

କାଲାବଧିହୀନ ରାସ,

କ୍ୟୋଁ କି ମୁଝେ ଫିର୍‌ ଅନାଥା !

ଔର ଜନ୍ମାନ୍ତରୋଁକୀ ଅନନ୍ତ ପଗଡ଼ଣ୍ଡୀକେ ।

କଠିନତମ ମୋଡ଼ ପର ପଡ଼ୀ ହୋକର,

ତୁମ୍ଭାରୀ ପ୍ରତୀକ୍ଷା କର୍‌ ରହୀ ହୁଁ । (କନୁପ୍ରିୟା)

 

ରାଧାକୃଷ୍ଣ ପ୍ରେମଲୀଳା ବର୍ଣ୍ଣନା କରିଥିବା କବିମାନେ ନାରୀ-ପୁରୁଷର ସହଜ ମିଳନ ପ୍ରବଣତାକୁ ଅତୀନ୍ଦ୍ରିୟ ଜୀବ-ପରମର ମହାମିଳନର ଗୂଢ଼ତତ୍ତ୍ୱ-ଦର୍ଶନ ନାମରେ ଭଣିତା କରୁଥିଲେ-। ଏହା ଥିଲା ସତେ ଯେପରି ପରମାର୍ଥବାଦୀ ବୈଷ୍ଣବମାନଙ୍କର ଅତିକଳ୍ପନା । ତଥାପି ବାସ୍ତବ ବିଶ୍ଵ ଓ ଶୁଧୁ ମଣିଷକୁ ଲେଖିବାର କିଛି ସଙ୍କଳ୍ପ ଓ ତଦ୍‌ଜନିତ ସଫଳତା ଯୁଗେ ଯୁଗେ ସମର୍ଥ ଭାରତୀୟ କବିଙ୍କର ଆଦର୍ଶ ହୋଇଛି ।

 

ବିମୁଗ୍‌ଧ ପ୍ରେମାନୁଭୂତି ତଥା ତା’ର ପ୍ରଗାଢ଼ ମାନବୀୟ ସ୍ପର୍ଶାତୁରତା ସହିତ କିଛି ଅଧିକ ବିରହ ତଥା ମୃତ୍ୟୁଚେତନା ପୁଣି ଏ ଦୁଇଟି କାବ୍ୟକୃତିର କେନ୍ଦ୍ରଭାବକୁ ଆଚ୍ଛନ୍ନ କରି ରଖିଛି । ସତେଯେପରି ମିଳନ ଆଗରେ ମରଣ ଥିବାରୁ ମିଳନର ପ୍ରତିଟି ମୁହୂର୍ତ୍ତ ମାଧୁର୍ଯ୍ୟ ବିମଣ୍ଡିତ ହୋଇଯାଉଛି । ଏହି ମରଣ ପ୍ରଣୟକୁ ଯେପରି ଆହୁରି ଗାଢ଼ ଓ କପଟଶୂନ୍ୟ କରି ଆତ୍ମାର ମିଳନ କରି ଦେଇଛି ।

 

ପୁଣି ପୁରୁଷ ନାରୀର ପ୍ରେମ ମନସ୍ତତ୍ତ୍ୱ ଅଲଗା ଅଲଗା । ପ୍ରେମ ହେଉଛି ପୁରୁଷ ଜୀବନର ଏକ ଅଂଶ, ମାତ୍ର ନାରୀର ସମଗ୍ର ଅସ୍ତିତ୍ୱ ହେଉଛି ତା’ର ପ୍ରେମ । ଏକ ବିଶେଷ ପରିବୋଧନୀୟ ମୁହୂର୍ତ୍ତର ଅଶ୍ରୁ ଓ ଉତ୍ସର୍ଗର ସିକ୍ତଭାବ ମୃତ୍ୟୁଭୟରୁ ହିଁ କ୍ରମଶଃ ଉତ୍ସାନ୍ତରିତ ହୋଇ ଆସୁଛି ଯେପରି । ଐକାନ୍ତିକ ମିଳନ ବ୍ୟତୀତ ବସ୍ତୁ ଜଗତର ଆଉ କୌଣସି ଆକର୍ଷଣ ପ୍ରେମୀଯୁଗଳକୁ ଆକର୍ଷଣ କରି ପାରୁନି । କାରଣ ମୃତ୍ୟୁହିଁ ସେମାନଙ୍କୁ ବସ୍ତୁଜଗତଠାରୁ ନିମିଷକେ ଚ୍ଛିନ୍ନ କରି ଦେବ । ପ୍ରଣୟ ପିପାସୁ ନରନାରୀ ଏହି ମୃତ୍ୟୁଭୟ ଯୋଗୁଁ ହିଁ ପ୍ରଣୟରେ ଆହୁରି ନିମଜ୍ଜିତ ହୋଇଯାଇଥାନ୍ତି । ପ୍ରଣୟରେ ଯେତେ ଆତ୍ମଲୀନ ଅବସ୍ଥା ସୃଷ୍ଟିହୁଏ ସେତେ ମୃତ୍ୟୁ ସଚେତନତା ଆସେ । ଏହା ଯେତେ ମନସ୍ତାତ୍ତ୍ଵିକ ସେତିକି ଜୈବିକ (Biology) ମଧ୍ୟେ । ଶୃଙ୍ଗାର ସହିତ କାରୁଣ୍ୟ, ଆତ୍ମ- ସମର୍ପଣ, ଆଧ୍ୟାତ୍ମିକ ନିଶ୍ଚଳତା ତଥା ମୃତ୍ୟୁଭୟ ସମଭାବରେ ଥାଏ ।

 

ପରତୁମ୍‌ ଇତ୍‌ନେ ନିଠୁର ହୋ

ଔର ଇତ୍‌ନେ ଆତୁର କି

ତୁମ୍‌ନେ ଚାହାହେ କି ମେଁ ଇସୀ ଜମ୍‌ ମେଁ

ଇସୀ ଥୋଡ଼ୀ ସୀ ଅବଧି ମେଁ ଜନ୍ମ ଜନ୍ମାନ୍ତର କୀ

ସମସ୍ତ ଯାତ୍ରା ଏ ଫିର୍‌ସେ ଦୋହରା ଲୁଁ

ଔର ଇସ୍‌ଲିୟେ ସମ୍ବନ୍ଧୋଁ କୀ ଇସ୍‌ ଘୁମା ବଦାର ପଗ୍‌ତଣ୍ଡୀ ପର

କ୍ଷଣ କ୍ଷଣ ପର ତୁମ୍‌ହାରେ ସାଥ୍‌

ମୁଝେ ଇତନେ ଆକସ୍ମିକ ମୋଡ଼୍‌ ଲେନେ ପଡ଼େ ହୈଁ

କି ମେଁ ବିଲକୁଲ ଭୁଲ ହୀ, ଗୟୀ ହୁଁ କି

ମେଁ ଅବ୍‌ କହା ହୁଁ       (କନୁପ୍ରିୟା)

 

ଜୀବନର ସମସ୍ତ ଗତିଶୀଳତାର ଉର୍ଦ୍ଧ୍ୱରେ ତଦାତ୍ମ୍ୟଭାବର ନିଶ୍ଚଳ ମୁଦ୍ରାଟିଏ କେମିତି ତଦ୍‌ଗତ ଭାବରେ ଦେହ ମନକୁ ଉଲ୍ଲସିତ କରି ଦେଉଛି ତା’ର ଏକ ଧ୍ରୁପଦୀ - ‘ଆଉ କିଛି ଦିଶିଲାନି, ଏପରିକି ନଈ/ଓ ନଈରେ ଚାଲୁଥିବା ନାହା ଦିଶିଲାନି/ଆକାଶ ଅଦୃଶ୍ୟ ହେଲା, ସୂର୍ଯ୍ୟ ଚନ୍ଦ୍ର ତାରା/ଥିଲେ କି ନଥିଲେ କିଛି ଜଣା ପଡ଼ିଲାନି/ଖାଲି ସେ ହିଁ ଦିଶୁଥିଲେ, ଯୁଆଡ଼େ ଚାହିଁଲେ/ସେହି ଏକମାତ୍ର ସେହିଁ/ମୋର ବାରମ୍ବାର ଜନ୍ମ ବାରମ୍ବାର ମୃତ୍ୟୁ/କୁଆଡ଼େ ଉଭେଇଗଲା ଜାଣିହେଲା ନାହିଁ (ଶ୍ରୀରାଧା)

 

ରମାକାନ୍ତଙ୍କ ସାମଗ୍ରିକ କାବ୍ୟଚେତନାର ଏକ ବିଶିଷ୍ଟତମ ଦିଗ ହେଲା ଦିବ୍ୟ ଓ ଅଦିବ୍ୟ ପ୍ରେମ ଜୀବନ ଓ ସବୁଥିରେ ସାର ଓ ଶାଶ୍ଵତକୁ ଖୋଜିବା । ଚିରନ୍ତନତାକୁ ଚିହ୍ନଟ କରିବା । ଜୀବ ପରମ ତତ୍ତ୍ଵପରି ଆଦର୍ଶ ଓ ଆଧ୍ୟାତ୍ମିକତା ଉର୍ଦ୍ଧ୍ୱରେ ରମାକାନ୍ତଙ୍କ ‘ଶ୍ରୀରାଧା’ ସବୁକାଳର ସାଧାରଣ ନାରୀ ପରି ବ୍ୟଥା, ବେପଥୁ ଭିତରେ ଜୀବନ ବଞ୍ଚୁଛି । ଗୋଟେ ଅତି ସାଧାରଣ ନାରୀ ତା’ର ବ୍ୟଥିତ ଜୀବନ ଭିତରେ ବି ଅତି ଚମତ୍କାରଭାବେ ପ୍ରେମ ଓ ପୁଲକକୁ ଅନୁଭବ କରୁଛି । ‘ତମକୁ କିପରି କହ ବର୍ଣ୍ଣନା କରିବି ? କିପରି ବର୍ଣ୍ଣନା କରିହେବ ନିଶାର୍ଦ୍ଧରେ/ଝର ଝର ବର୍ଷା ହେବାପରି ସ୍ମୃତିଟିଏ ?/(ଶ୍ରୀରାଧା) ଦିନର ଦୁଃଖ ଓ ପରିଶ୍ରାନ୍ତି ପରେବି ରାତିପାଇଁ ପ୍ରତୀକ୍ଷା ସେହି ଆଦିମ ଅନାହତ ପ୍ରେମ ପାଇଁ ଉନ୍ମୁଖତତା ? ‘ଆମେ କ’ଣ ଜାଣିନୁ କି ରାତି ପାହିଗଲେ ଝୁଣ୍ଟିବାକୁ, ରକ୍ତସ୍ନାନ ହେବାକୁ ପଡ଼ିବ । ହେଲେ କ’ଣ ହେଲା ? ରାତିକଥା ମନେପଡ଼ିଲେ ହିଁ ଛାଏଁ ଛାଏଁ ସବୁକଷ୍ଟ ସହି ହୋଇଯିବ ।” (ଶ୍ରୀରାଧା)

 

ଯୌନ ପ୍ରେମରେ ପ୍ରକୃତ ସୁଖ ନଥାଏ । ବେଶି ହତାଶା ଥାଏ । ସୁଖ ଠାରୁ ଦୁଃଖ ବେଶି ଥାଏ । ରମାକାନ୍ତଙ୍କ ଶ୍ରୀରାଧାରେ ପ୍ରେମ ଓ ହତାଶା ଆପେକ୍ଷିକଭାବେ ରହିଛି । ଜୀବନର ସବୁ ବାଧାକୁ ପ୍ରୀତି ପାଇଁ ସହିବାର ଏକ ପ୍ରେରଣାପୂର୍ଣ୍ଣ ଦୃଷ୍ଟାନ୍ତ ସତେ ଯେପରି ରାଧା ଚରିତ୍ରଟି । ମଣିଷର ମନ ଓ ଚେତନା ଭିତରେ ଗୋଟେ ପ୍ରୀତି ପାଇଁ ଉତ୍ସୁକା, ଏକାନ୍ତ ନିବେଦିତା ରାଧାପ୍ରାଣ ସଞ୍ଚାଳିତ ହେଲେ ଏ ଜଗତର ଅସଲ ଶ୍ରଦ୍ଧା ଉଜ୍ଜାଗ୍ରତ ହୋଇ ପାରନ୍ତା । ରସସାର ଓ ଭାବସାର ରାଧାକୃଷ୍ଣ କଥା ସେହି ଶୁଦ୍ଧ ସୁବର୍ଣ୍ଣଦୀପ୍ତ ଶ୍ରଦ୍ଧା ପାଇଁ ପବିତ୍ର ଏକ ସ୍ରୋତସ୍ଵନୀ ଯେପରି । ଏହି ଭାବରେ ଉଭୟ ଧର୍ମବୀର ଭାରତୀ ଓ ରମାକାନ୍ତ ରଥ ପୂର୍ବରୂ ବହୁଥର କୁହାଗଲା ପରେବି ଆଉଥରେ ରାଧାକୃଷ୍ଣ କଥାକୁ କହିଛନ୍ତି । ଏହି ଭାରସାମ୍ୟକୁ ଲକ୍ଷ୍ୟ କରି ପାରିଲେ ଦୁଇଟି କାବ୍ୟକୃତିର ଆବେଦନ ଅବଶ୍ୟ ଯେକୌଣସି ପାଠକକୁ ଅଧିକ ସୃଜନଶୀଳ ଓ ଅର୍ଥପୂର୍ଣ୍ଣ ମନେ ହେବ । ମଣିଷର ବହୁ କ୍ରାନ୍ତିକାରୀ ଇଚ୍ଛାଶକ୍ତି ତା’ର ଗଭୀର ପ୍ରେମାନୁଭୁତି ସହିତ ସମ୍ବନ୍ଧିତ । ତା’ର ସୃଜନଶୀଳ ସୌନ୍ଦର୍ଯ୍ୟଦୃଷ୍ଟି ମଧ୍ୟ ସେହି ଭାବରେ ଭାବିତ ସୋଫାନ ହାୱାର (Schopenhauer)କହନ୍ତି – ‘Sexual passion is the cause of war and the end of peace, the basis of what is serious, and the aim of the jest, the inexhaustible source of wit, the key to all allusions, and the meaning of all mysterious hints, just because the profoundest seriousness lies at its foundation. But all this agrees with the fact that the sexual passion is the kernel of the will to live, and consequently the concentration of all desire therefore the focus of will. (Rollo May, Love and Will)

 

ପ୍ରିୟାକୁ ପରମ କରି ପାରିବାର କ୍ଷେତ୍ର ହେଉଛି ସବୁ ଦୃଷ୍ଟିରୁ ପରକୀୟା । ଏହି ପରକୀୟାର ଚିତ୍ତ ଉଲ୍ଲାସକ ପୁଲକିତ ବେପଥୁକୁ ଉଭୟ ଜୟଶଙ୍କର ଓ ରାଜେନ୍ଦ୍ରକିଶୋର ରୂପାୟିତ କରିଛନ୍ତି ନାନା ରୂପକ ଓ ପ୍ରତୀକ ଛଳରେ । ପରକୀୟାର ଦୃପ୍ତ ଉଲ୍ଲାସ ପ୍ରକୃତରେ ଅବର୍ଣ୍ଣନୀୟ । ସମଗ୍ର ଭାରତୀୟ ଦେବୀପୂଜା ତଥା ନାୟିକା ପରିକଳ୍ପନା ଉଲ୍ଲିଖିତ ଦୃପ୍ତ ଉଲ୍ଲାସର ପରକୀୟାକୁ ସତରେ କମ ପ୍ରୋତ୍ସାହିତ କରିନି ? ଗୋଟେ ଏକାନ୍ତ ଅନୁରାଗମୟ ନିଃସର୍ତ୍ତ ସ୍ଵାର୍ଥ ତ୍ୟାଗ ହିଁ ପରକୀୟାକୁ ପରମ କରିଛି; ଯାହା ଶୃଙ୍ଗାର ଅନୁଭବକୁ ଦୀପ୍ତକରେ । ଭାରତୀୟମାନଙ୍କ ପରି ଗ୍ରୀକ୍‌ମାନେ ବିଶ୍ଵାସ କରୁଥିଲେ –‘Eros is the yearning in man which leads him to dedicate himself to seeking the noble and good life.’

 

କାମାୟନୀ, କନୁପ୍ରିୟା, ଶ୍ରୀରାଧା ଓ ଅନ୍ୟାର ଆଲୋଚନା କଲାବେଳେ ଏହି ଚାରୋଟି ସାହିତ୍ୟ-କୃତିର ଚେତନାଗତ ସାମ୍ୟକୁ ନାନା ଭାବରେ ଲକ୍ଷ୍ୟ କରାଯାଇପାରେ ।

 

ମର୍ତ୍ତ୍ୟକୁ ଅମରାବତୀ କରିବା ପୁଣି ଅମରାବତୀକୁ ମର୍ତ୍ତ୍ୟର ବାସ୍ତବତା ଭିତରେ ଦେଖିବା, ଦେବତାକୁ ମଣିଷ କରିବା ପୁଣି ମଣିଷକୁ ଦେବତାଭାବେ ଦେଖିବାର ନିତ୍ୟଧାରା ସର୍ବତ୍ର ପରିଲକ୍ଷିତ । କବି ଯୁଗେ ଯୁଗେ ଏହାହିଁ କରୁଛି । ମଧ୍ୟଯୁଗର ବୀରପୂଜା ଏହି ଧାରାର ଏକ ଅଂଶ । ରାଧାକୃଷ୍ଣ ତେଣୁ ମଣିଷ ହୁଅନ୍ତୁ କି ଦେବତା ହୁଅନ୍ତୁ କବି ସେମାନଙ୍କୁ ଲେଖିଲାବେଳେ ନୃତାତ୍ତ୍ୱିକ ଭାବାବେଗ (Anthropocentric Emotion) ଠାରୁ ଅଲଗା କରିପାରିବନି । ଅନେକ ଦେବଦେବୀ ତେଣୁ ଯେତେ ଅଲୌକିକ ହେଲେବି ମଣିଷ ପରି ଆଚରଣ କରିଛନ୍ତି ।

 

ଉଭୟ ‘କନୁପ୍ରିୟା’ ଓ ‘ଶ୍ରୀରାଧା’ରେ ତେଣୁ ନାରୀ-ପୁରୁଷର ସହଜାତ ପ୍ରବୃତ୍ତି ଓ ପ୍ରବଣତା ଆଦୌ ଦୁର୍ଲଭ ନୁହେଁ; ବରଂ ସୁଲଭ । ଜଗତର ସବୁକିଛିକୁ ମଣିଷ ଭିତରେ ଦେଖିବାର ବାସନା ତ ସେତିକି ପୁରୁଣା ଯେତିକି ପୁରୁଣା ଏ ମର୍ତ୍ତ୍ୟର ସବୁକିଛିକୁ ଉର୍ଦ୍ଧ୍ୱଗ ସ୍ଵର୍ଗାୟିତ କରିବାର ପ୍ରଚେଷ୍ଟା । ଆଧୁନିକ କବିର ସଂଶୟମୁକ୍ତ ମନ ତେଣୁ ଅଭିଳାଷ ପୋଷଣ କରୁଛି ‘ତୁମେ ଆଜି ଧୀରେ ଧୀରେ ଗାଇ ଯାଅ ସଖୀ/ଗାଇଯାଅ ଚତୁସ୍ପଦୀ ସେଇ ଭେଦ ଶ୍ଳୋକ/ମୁଁ ପୁନଶ୍ଚେ ହୋଇବି ମଣିଷ ।’ (ସିସେମିରା-ଘୁଣାକ୍ଷର-ରାଜେନ୍ଦ୍ରକିଶୋର)

 

ରାଧାକୃଷ୍ଣଙ୍କୁ ବହୁକାଳପରେ ମର୍ତ୍ତ୍ୟାୟିତ କରିବାର ଏ ଉଭୟ କବିଙ୍କ ବଳଶାଳୀ ବାସନା ଓ ସଙ୍କଳ୍ପ ପ୍ରାକ୍ତନ ମେଟାଫିଜିକ୍‌ସ ବା ଅଲୌକିକ ଚେତନା ବିରୋଧରେ ଏକ ବୌଦ୍ଧିକ ପ୍ରତିବାଦ । ଏହି ପ୍ରତିବାଦ ବରଂ ନବଚେତନାର ଏକ ଶୁଭଲକ୍ଷଣ । ଗୋଟେ ଶୂନ୍ୟଗର୍ଭ ଅନ୍ଧ ଆସ୍ତିକତାକୁ ଅବାସ୍ତବ ଓ ଅଳୀକ ବୋଲି କହିବାର ସଚେତନ ପ୍ରୟାସ ।

 

ଅସଲ ଦେବତ୍ୱ ହେଉଛି ଏ ସଂସାରରେ ଉତ୍ସର୍ଗୀକୃତ ଅନନ୍ୟ ଶ୍ରଦ୍ଧା । ଏହ ଶ୍ରଦ୍ଧାନ୍ୱିତ ପ୍ରେମ ହିଁ ପରମ ହୋଇଛି ଓ ଅମରତ୍ୱ ଲାଭ କରିଛି । ମଣିଷର ଏହି ପ୍ରେମହଁ ଦେବତ୍ଵ; ଅଥଚ କାଳ କାଳ ଧରି ନାରୀ-ପୁରୁଷ ନିର୍ବିଶେଷରେ ମଣିଷ ଅତି ସାଧାରଣ ସକଳ ପାର୍ଥିବତା ଭିତରେ ବଞ୍ଚିଛି ।

.

‘କନୁପ୍ରିୟା’ର ନିମ୍ନୋକ୍ତ ଧାଡ଼ିସବୁ ରାଧା (ନିତ୍ୟକାଳର ନାରୀ) ପ୍ରାଣର କେତେ ଅନୁରାଗ-ମୟ, ନିର୍ମଳ ଲୌକିକ ଅଭିଳାଷ :

 

‘ଅକ୍ରୁର ଜବ୍‌ ତୁମନେ/ମାଲା ଗୁନ୍ଥନେକେ ଲିୟେ/କଣ୍ଟୀଲେ ଝାଡୋଁ ମେଁ ଚଢ଼ ଚଢ଼ କର ମେରେ ଲିୟେ/ଶ୍ଵେତ ରତନାରେ କରୋଳେ ତୋଡ୍‌କର/ମେରେ ଆଞ୍ଚଲମେଁ ଡାଇ ଦିୟେ ହୈ/ତୋ ମୈନେ ଅତ୍ୟନ୍ତ ସହଜ ପ୍ରୀତିସେ/ଗର୍ଜନ ଝଟକା କର/ବେଣୀ ଝୁଲାତେ ହୁଏ କହା ହୈ/କନୁହୀ ମେରା ଏକମାତ୍ର ଅନ୍ତରଙ୍ଗ ସଖା ହୈ/× × କାହ୍ନୁ ମେରା ରକ୍ଷକ ହୈ, ମେରା ବନ୍ଧୁ ହୈ/ସହୋଦର ହୈ/××× କନୁ ମେରା ଲକ୍ଷ୍ୟ ହୈ, ମେରା ଆରାଧ୍ୟ, ମେରା ଗନ୍ତବ୍ୟ’ (କନୁପ୍ରିୟା)

 

କବି ଭାରତୀ ହୁଅନ୍ତୁ କି ରଥ ହୁଅନ୍ତୁ ସଭିଏଁ ନିଜକୁ ମୁକୁଳିତ କରିବାକୁ ଚାହିଁଛନ୍ତି । ବେଳେବେଳେ ତ ମନେହୁଏ ରାଧାଙ୍କର ସେହି ପରମ ବ୍ୟାକୁଳତା ସ୍ଵୟଂ କାବ୍ୟପୁରୁଷର ବ୍ୟାକୁଳତା ଆଉ କୃଷ୍ଣଙ୍କ ରାଧାପ୍ରାଣ ହେବାର ବ୍ୟଥା ଓ ବେପଥୁ ପୁଣି ସେହି କାବ୍ୟପୁରୁଷର । ଗୋଟେ ବିଚିତ୍ର ଦୁର୍ବହ ବିସ୍ତାର ମଧ୍ୟରେ କାବ୍ୟପୁରୁଷଟି ଯେମିତି ଏଠି ଯୁଗ ଯୁଗ ଧରି ବାଟ ଚାଲୁଥିବା ପରିଶ୍ରାନ୍ତ ନାରୀଟିଏ ।

 

‘ଭଲ ପାଇବାଠୁ ଭଲ ନପାଇବା ଯାଏଁ

ଲମ୍ବାରାସ୍ତା ଚାଲି ଚାଲି ବସିଅଛି

କ୍ଳାନ୍ତ ନାରୀଟିଏ ।’

 

ସେଇ ତଦ୍‌ଗତ ଭାବର କୀର୍ତ୍ତନ ହିନ୍ଦୀ ସାହିତ୍ୟର ନିରାଲ୍‌ଜୀ ତାଙ୍କ କବିତାରେ କରିଛନ୍ତି । ‘ତୁମ୍‌ହୋ ପ୍ରିୟତମ, ମଧୁ ମାସ, ଔର ମେଁ ପିକ କଲ କୂଜନ ତାନ/ତୁମ୍‌ ମଦନ ପଞ୍ଚଶର-ହସ୍ତ, ଔର ମେଁ ହୁଁ ମୁଗ୍‌ଧା ଅନ୍‌ଜାନ/ତୁମ ଅମ୍ୱର୍‌ ମେଁ ଦିଗ୍‌ ବସନା/ତୁମ୍‌ ଚିତ୍ରକାର ଘନ ପଟଲ ଶ୍ୟାମ/ମେଁ ତଡ଼ି ଭୁଲିକା ରଚନା/ତୁମ୍‌ ରଣତାଣ୍ଡବ - ଉନ୍ମାଦ ନୃତ୍ୟ/ମେଁ ଯୁବତୀ ମଧୁର ନୂପୁର ଧ୍ଵନି/ତୁମ୍‌ ନାଦବେନ୍‌ ଆକାର ସାର/ମେଁ କବି ଶୃଙ୍ଗାର ଶିରୋମଣି/ତୁମ୍‌ ଯଶ ହୋ, ମେଁ ହଁ ପ୍ରାପ୍ତି/ତୁମ୍‌ କୁନ୍ଦ-ଇନ୍ଦୁ ଅରବିନ୍ଦ ଶୁଭ୍ର/ତୋ ମେଁ ହୁଁ ନିର୍ମଲ ବ୍ୟାପ୍ତ ।’

 

ଗୋଟେ ବିଗଳିତ କାରୁଣ୍ୟ ଓ ତଦ୍‌ସଂଜାତ ଆନନ୍ଦ ହିଁ ଭାରତୀୟ ବାଙ୍‌ମୟରେ ଏକ ସମୁଚ୍ଚ ଉପଲବ୍‌ଧି । ସମଗ୍ର ରାଧାକୃଷ୍ଣ ସାହିତ୍ୟ ସେହି ଆନନ୍ଦର ସର୍ବୋତ୍ତମ ପରିଚର୍ଯ୍ୟ; ଜୀବନର ମହାର୍ଘ ଅଂଶ ତା’ର ବିମୁଗ୍‌ଧ ପ୍ରେମାନୁଭୂତି । ନାରୀଭାବ ଏକ ଚିତ୍ତ ଉଲ୍ଲାସକ ସୌନ୍ଦର୍ଯ୍ୟାନୂଭୂତି ତଥା କୋମଳତାର ସଂବାହକ; ଯେଉଁ ଭାବ ସାଧାରଣଭାବେ ଉଲ୍ଲିଖିତ ଚାରିଗୋଟି ସାହିତ୍ୟକୃତିରେ ମୁଖ୍ୟତଃ ଉଦ୍ଭାସିତ ହୋଇଛି । ଭାରତୀୟ କବିମାନେ ଗ୍ରୀକ୍‌ କବିମାନଙ୍କ ପରି ଶୁଦ୍ଧ ପ୍ରେମର ଉଚ୍ଚାଟିତ ସ୍ପନ୍ଦନକୁ ବିରହରେ ଦେଖିଛନ୍ତି । ସେମାନେ ତେଣୁ ସମସ୍ତେ ସମ୍ଭୋଗ ଅପେକ୍ଷା ବି ପ୍ରଲମ୍ଭକୁ ହିଁ ଅଧିକ ଲେଖିଛନ୍ତି ।

 

ବିରହ ସଂପର୍କରେ କବୀର ଲେଖିଛନ୍ତି, ‘କବୀର ବିରହ ବିନା ତନ୍‌ ଶୂନ୍ୟ ହାୟ/ବିରହ ହାୟ ସୁଲତାନ/ଯୋ ଘଟ ବିରହ ନ ସଞ୍ଚାରେ/ସୋ ଘଟ ଜନୁ ମଶାନ’ । ଭାରତର କବୀରଙ୍କ ପରି କେତେ କବି ଏହି ବିରହ ବା ବିପ୍ରଲମ୍ଭ ଶୃଙ୍ଗାରର ମାହାତ୍ମ୍ୟ କୀର୍ତ୍ତନ କରିଛନ୍ତି ।

 

ଏହି କ୍ଲାସିକ ଧାରାର ଆହୁରି ଦୀପ୍ତ ଓ ବିସ୍ତୀର୍ଣ୍ଣ ଅଭିବ୍ୟକ୍ତି କାମାୟନୀ, କନୁପ୍ରିୟା, ଶ୍ରୀରାଧା ଓ ଅନ୍ୟାରେ ପରିଲକ୍ଷିତ । ବିଷୟବିନ୍ୟାସ, ସଂରଚନା ତଥା ଚରିତ୍ର ସଂସ୍ଥାପନଗତ ବୈଷମ୍ୟ ଉର୍ଦ୍ଧ୍ୱରେ ଭାବଚେତନା ଦୃଷ୍ଟିରୁ ପୁଣି ସ୍ଵକୀୟା, ପରକୀୟା ଉର୍ଦ୍ଧ୍ୱବରେ ଏହି ସାହିତ୍ୟକୃତିଗୁଡ଼ିକର ମୂଳଭାବ ନାରୀ ଚେତନା ଓ ତତ୍‌କର୍ତ୍ତୃକ ଉତ୍ତୀର୍ଣ୍ଣ ଅନୁଭବର ସମୁଚ୍ଚ ଶୃଙ୍ଗାର; ଯାହା ଚିତ୍ତ ଉଲ୍ଲାସକ କରୁଣାରେ ପ୍ରାଣକୁ ସିକ୍ତ କରିଦିଏ ଓ ଆତ୍ମାକୁ ବିମୋହିତ କରିଦିଏ ।

 

ପୁଣି ନାରୀ ସହିତ ମାଟି ଓ ମହାକାଳକୁ ମଧ୍ୟ ଏହି କବିମାନେ ସାଧମତେ ପ୍ରତୀକିତ କରିଛନ୍ତି ଯାହା ଭାରତୀୟ ସାହିତ୍ୟର ଅନ୍ୟତମ ପ୍ରମୁଖ ଆଦର୍ଶ । ପ୍ରେମ, ପୃଥିବୀ ଓ ସମୟର ସଙ୍କେତ ଯେମିତି ରହିଛି ‘କାମାୟନୀ’ ‘ଅନ୍ୟା’ରେ ସେମିତି ରହିଛି ‘କନୁପ୍ରିୟା’ ଓ ‘ଶ୍ରୀରାଧା’ରେ ।

 

ଶୃଙ୍ଗାର ସହିତ ବ୍ରହ୍ମାଣ୍ଡ ଓ ମହାକାଳ ପରି ଚିରନ୍ତନ ସତ୍ତାକୁ ସେମିତି ଆବିଷ୍ଟ ଚିତ୍ତରେ ଲେଖିଥିବାରୁ ଉଲ୍ଲିଖିତ ଚାରୋଟି ଗ୍ରନ୍ଥ ସମୁଚ୍ଚ କ୍ଲାସିକ୍‌ ସାହିତ୍ୟର ମର୍ଯ୍ୟାଦା ଲାଭ କରିଛି । ବ୍ୟାସ, ବାଲ୍ମୀକ, ଜୟଦେବ, କାଳିଦାସ, ସୁରଦାସ, କବୀରକି, ବିଦ୍ୟାପତି, ଚଣ୍ଡୀଦାସ ପ୍ରମୁଖ ଭାରତୀୟ କବିମାନଙ୍କ କବିତା ଯେଉଁଥିପାଇଁ ବିଗଳିତ ନାରୀଭାବକୁ ଲେଖିବା ତା’ ସହିତ ନଖକ୍ଷତ ଓ କୁଚମର୍ଦ୍ଦନକୁ ଲେଖିବା ସତ୍ତ୍ୱେ ଏ ସାର୍ବକାଳୀନ ଓ ସାର୍ବଜନୀନ ହୋଇ ପାରିଛି ।

 

‘ଅନ୍ୟା’ର କବି ରାଜେନ୍ଦ୍ରଙ୍କ ନାରୀକଥା ଆପାତତଃ କେଉଁଠି କେଉଁଠି ଟିକିଏ ତରଳ ଓ ସମ୍ବେଗାତ୍ମକ ମନେ ହେଲେହେଁ ‘ଅନ୍ୟା’ର ସାମଗ୍ରିକ ଆବେଦନ ଅତ୍ୟନ୍ତ ଶାସ୍ତ୍ରୀୟ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ ।

 

ଦୁଇଟି ପ୍ରେମ ବିଗଳିତ ପ୍ରାଣ, ହଜାରେ ସନ୍ତାପ, ଶୂନ୍ୟତା, ଅପ୍ରାପ୍ତି ଓ ବଞ୍ଚନା ଭିତରେ ତଥାପି କେତେ ନିବିଡ଼ରୁ ନିବିଡ଼ତର ହୋଇପାରେ, କେତେ ଚରମ ଭାବେ ପୁଣି ତଦ୍‌ଗତ ହୋଇପାରେ ସେହି ସମୁଚ୍ଚ ଶୃଙ୍ଗାରର ସରସ ଶ୍ଳୋକାଂଶ ସବୁ ତ ହେଉଛି ଏହି ଗ୍ରନ୍ଥସମୂହ । କାମାୟନୀ, ଅନ୍ୟା, କନୁପ୍ରିୟା ଓ ଶ୍ରୀରାଧାର ଭାବସାମ୍ୟ ଏଇଠି ହିଁ ପ୍ରକଟିତ । ଏହି ତଦାତ୍ମ୍ୟ ସମୁନ୍ନତ ଶୃଙ୍ଗାରଭାବକୁ ଉଦ୍ଭାସିତ କରିବାରେ ଏହି ଚାରୋଟି ସାହିତ୍ୟକୃତିର ନାରୀଚେତନ ! (Womanhood) ଓ ତତ୍‌ସଂଜାତ ବିଦଗ୍ଧ ଶୃଙ୍ଗାରିକତା ଏକ ମହାନ କାବ୍ୟିକ ସ୍ତରକୁ ଉନ୍ନୀତ ହୋଇ ଯାଇଛି ଯେପରି; ଯାହାର ଭାବ; ତୁଙ୍ଗିମାକୁ ଏକ ସମୁଚ୍ଚ ମାନସିକ ସ୍ତରରେ ଅବଧାରଣା କରାଯାଇପାରେ କେବଳ ।

 

 

ପ୍ରାଧ୍ୟାପକ, ଉପାଧ୍ୟୁତ୍ତର ଓଡ଼ିଆ ବିଭାଗ,

ସମ୍ୱଲପୁର ବିଶ୍ୱବିଦ୍ୟାଳୟ, ଜ୍ୟୋତି ବିହାର

 

***

 

ଓଡ଼ିଆ ପଲ୍ଲୀଚେତନାଭିତ୍ତିକ କବିତା ପରିପ୍ରେକ୍ଷୀରେ

ବିନୋଦ ନାୟକଙ୍କ ‘ଗ୍ରାମପଥ’

ଡକ୍ଟର ପ୍ରମୋଦ କୁମାର ବେହେରା

 

Truth is beauty, beauty is truth ଶେଲୀଙ୍କର ଏହି ମହତ୍‌ ସତ୍ୟକୁ ଯଦି ସାଦରେ ଗ୍ରହଣ କରାଯାଏ; ତେବେ ଯାହା ସତ୍ୟ, ତାହା ସୁନ୍ଦର ଏବଂ ଯାହା ସୁନ୍ଦର, ତାହା ହଁ ମହତ୍ତ୍ୱର କଳା । ସତ୍ୟର କାବ୍ୟିକ ପ୍ରକାଶକୁ ଯଦି କଳା ଭାବେ ଗ୍ରହଣ କରାଯାଏ, ତେବେ କବି ତା’ର କବିତାରେ ଜୀବନର ନିଚ୍ଛକ ସତ୍ୟକୁ ପ୍ରକାଶ କରିବାକୁ କୁଣ୍ଠାବୋଧ କରେନାହିଁ । ସତ୍ୟ ହେଉଛି କବିତାର ବାର୍ତ୍ତାର ମୂଳଉତ୍ସ । ସେହି ଦୃଷ୍ଟିକୋଣରୁ ବିଚାର କଲେ ଓଡ଼ିଆ ପଲ୍ଲୀଚେତନାଭିତ୍ତିକ କାବ୍ୟକବିତା କ୍ଷେତ୍ରରେ ଏହା ମୂର୍ତ୍ତିମନ୍ତ ହୋଇଉଠେ ଏବଂ ପାଠକ ନିକଟରୁ ଅତି ସହଜତର ଭାବେ ମଧ୍ୟ ସ୍ୱୀକୃତିଲାଭ କରିଥାଏ । ଉତ୍କଳୀୟ ପ୍ରାଣତନ୍ତ୍ରୀରେ ପଲ୍ଲୀ ହେଉଛି ଭିତ୍ତି । ପଲ୍ଲୀ ବ୍ୟତିରେକେ ଉତ୍କଳୀୟ ବୈଶିଷ୍ଟ୍ୟ କେବେ ପରିପୂର୍ଣ୍ଣତା ଲାଭ କରିପାରିବ ନାହିଁ । ଯୁଗେ ଯୁଗେ ପଲ୍ଲୀର ସୌନ୍ଦର୍ଯ୍ୟ କିପରି କବିର ଭାବନାରେ ରସର ମାଦକତାକୁ ଉପଲବ୍‌ଧି କରି ଆସିଛି ଓ ପାଠକର ପ୍ରାଣତନ୍ତ୍ରୀରେ ଏକ ନୂତନ ସ୍ପନ୍ଦନ ସଂଜାତ କରି ପାରିଛି, ତାହା ପାଠକମାତ୍ରେ ହିଁ ଅନୁଭବ କରିଥାନ୍ତି ।

 

ଭକ୍ତକବି ମଧୁସୂଦନ ରାଓଙ୍କ ‘ଶରତ ପ୍ରଭାତ’ ହଁ ଆଧୁନିକ ଓଡ଼ିଆ କବିତାର ସର୍ବ ପ୍ରଥମ ପଲ୍ଲୀକବିତା । କିନ୍ତୁ ଓଡ଼ିଆ ପଲ୍ଲୀସାହିତ୍ୟର ଯଥାର୍ଥ ସ୍ରଷ୍ଟା ହେଉଛନ୍ତି ନନ୍ଦକିଶୋର ବଳ । ଉତ୍କଳୀୟ ସାରସ୍ଵତ କ୍ଷେତ୍ରରେ ପଲ୍ଲୀକବିତା ନିମନ୍ତେ ସେ ବାସ୍ତବିକ ସ୍ମରଣୀୟ । ତାଙ୍କରି ଲେଖନୀରେ ସତେ ଯେପରି ନୂତନ ଜୀବନ ଦ୍ୟୋତନା ଲାଭକଲା । ‘‘ଯୁଗ ଯୁଗର ଅବହେଳିତ ପଲ୍ଲୀ ଯେପରି ନନ୍ଦକିଶୋରଙ୍କ ସ୍ଵର୍ଗୀୟ ପରଶରେ ଜୀବନ୍ତ ହୋଇ ଉଠିଲା । ପଲ୍ଲୀର କୃଷକ, ଶ୍ରମିକ, ନଦୀ, ନାଳ, ପୁଷ୍କରିଣୀ, ଶସ୍ୟକ୍ଷେତ୍ର, ଆମ୍ବତୋଟା, ବନ, ଉପବନ, ନଦୀର ଗାଧୁଆତୁଠ, ଗାଁ ଚାଟଶାଳୀ, ଗାଁ ପିଲାଙ୍କର ଖେଳକୌତୂକ, ଗାଁର ଲଳନା, ଗାଁରେ ପ୍ରଭାତ ଓ ସନ୍ଧ୍ୟାର ଦୃଶ୍ୟ, ଗାଁରେ ବର୍ଷା, ଶରତ, ଶୀତ, ବସନ୍ତ ଓ ଗ୍ରୀଷ୍ମ ଋତୁ, ଗାଁର ଗାଈଗୋଠ, ଗାଇଆଳ ଟୋକା, ଭାଗବତ ଘର, ଗାଁରେ ଯାତ, ମେଳାମହୋତ୍ସବ, ଗାଁର ଠାକୁର ଘର, ମନ୍ଦିର ସବୁ ଯେମିତି ଜୀବନ୍ତ ହୋଇ ଉଠିଲା ନନ୍ଦକିଶୋରଙ୍କ ଅମିୟ ଲେଖନୀ ପରଶରେ । ତେଣୁ ସେ ହେଲେ ପଲ୍ଲୀକବି । ଏକ ସ୍ଵତନ୍ତ୍ର ଧରା ଓ ଧାରା ସୃଷ୍ଟିକରି ଓଡ଼ିଆ ସାହିତ୍ୟରେ ସେ ହେଲେ ଚିରସ୍ମରଣୀୟ । ତାଙ୍କ ସାହିତ୍ୟ ଯଥାର୍ଥରେ ଓଡ଼ିଶାର ପଲ୍ଲୀଜୀବନର ଶ୍ରୀ ଓ ସୌନ୍ଦର୍ଯ୍ୟ, ଦୁଃଖ ଓ ଶୋକ, ଅଭାବ ଓ ଏଶ୍ଚର୍ଯ୍ୟର ଜୀବନ୍ତ ଆଲେଖ୍ୟ (୧) ।’’ ଉତ୍କଳୀୟ ପଲ୍ଲୀଚେତନାର ସେ ହେଲେ ଉଦ୍‌ଗାତା । ତାଙ୍କ ନିଚ୍ଛକ ବାସ୍ତବ ବର୍ଣ୍ଣନା ହୋଇ ଉଠିଲା ଜୀବନ୍ତ ଓ ପ୍ରାଣସ୍ପର୍ଶୀ । ତେଣୁ କବି ଗାଇ ଉଠିଲେ -

 

ଉଷା ସମ ଗ୍ରାମପଥେ କିଏ ?

ଏକୁଟିଆ ନବବଧୂଟିଏ

ଥୁରୁ ଥୁରୁ ହୁଏ ଜାଡ଼େ ପଦଘୁଞ୍ଚୁ ହୁଏ ଆଡ଼େ

ମୁଁ ଆଡ଼ ହୁଅନ୍ତେ ପାଦେ ବାଜି ଲାଜକୁଳୀ

ବ୍ରୀଡ଼ାବତୀ ସେ ବ୍ରତତୀ ପଡ଼ିଲା ଝାଉଁଳି (୨) ।

 

ବସ୍ତୁତଃ ଗୋଦାବରୀଶ ମିଶ୍ର ହିଁ ପଲ୍ଲୀକୁ କବିତାର ପ୍ରାଣକେନ୍ଦ୍ର ରୂପେ ଗ୍ରହଣକରି ସତ୍ୟବାଦୀ ଯୁଗରେ ଏକ ନୂତନ ଚମକ ଆଣିଦେଇ ପାରିଥିଲେ । ଓଡ଼ିଶାର ଫୁଲଫଳ, ନଦନଦୀ, ପାହାଡ଼ପର୍ବତ ଓ ସରଳ ଗ୍ରାମ୍ୟ ଜୀବନରେ ମଧ୍ୟ ସେ ହୋଇଛନ୍ତି ବିମୋହିତ । ‘‘ତାଙ୍କ କବିତାର ଧାରା ଗୋଟିଏ, ଏହା ଲୋକଗୀତିର ଧାରା । ହୃଦୟର ଉଚ୍ଛ୍ୱାସରୁ ଏହାର ଜନ୍ମ । ମନରୁ ଯେଉଁ କେତୋଟି କବିତା ରାଧାନାଥ-ଶୈଳୀରେ ରୂପଲାଭ କରିଛି, ଏହାର ସାଧୁଭାଷା, ଦର୍ଶନ ଓ ଦୃଷ୍ଟିଭଙ୍ଗୀରେ ହୁଏତ ତାହା ଆଧୁନିକ । ହେଲେହେଁ ତହିଁରେ ଅନ୍ତଃସଲୀଳା ଫଲ୍‌ଗୁ ପରି ପଲ୍ଲୀର ଧାରା ପ୍ରବାହିତ (୩) ।’’ ଏହି ପରିପ୍ରେକ୍ଷୀରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ‘‘ବୁଜିଦେଲା ଆଖି’’ କବିତାରେ ପରିବାର ପ୍ରତି ସମବେଦନା ଏଥିରେ ଗୂଢ଼ତର କରିବାରେ କବି ଲେଖନୀ ଯତ୍ନଶୀଳ ହୋଇ ଉଠିଛି -

 

ଉଡ଼ି ଯାଇଅଛି ନଡ଼ା ବତା ନାହିଁ ଚାଳେ

ଏଯେ ବଖରାଏ ଘର ଗ୍ରାମର ବାହାରେ

ପାଞ୍ଚ ବର୍ଷ ଅବା କାନ୍ଥେ ଲୁଣ୍ଡା ନାହିଁ ବାଜି

ଅଡ଼ଙ୍ଗ ପାହାଚ ପିଣ୍ଡା ପଡ଼ିଅଛି ଭାଜି

ଜନପ୍ରାଣୀ କେବେ ରହି ପାରନ୍ତି ସେ ଘରେ ?

ଗାଆଁ ପିଲେ ନ ମାଡ଼ନ୍ତି ପାଖଲୋକ ଡରେ ।

 

ଡକ୍ଟର ମାୟାଧର ମାନସିଂହଙ୍କ ସୃଷ୍ଟି ସମ୍ଭାର ପର୍ଯ୍ୟାପ୍ତ । ତନ୍ମଧ୍ୟରୁ ପଲ୍ଲୀଚେତନାଭିତ୍ତିକ କବିତା ଗୁଡ଼ିକ ସୁନ୍ଦର ସରସ ଓ ସରଳଭାଷା ବିନ୍ୟାସରେ ବେଶ୍‌ ହୃଦୟଗ୍ରାହୀ ହୋଇପାରିଛି । ମୁଖ୍ୟତଃ ସନ୍ଧ୍ୟା ଓ ପ୍ରଭାତର ବର୍ଣ୍ଣନାରେ ମାନସିଂହଙ୍କ କବିତା ମନୋଜ୍ଞ । ‘‘ପଲ୍ଲୀପ୍ରାଣତା, ମାନସିଂହଙ୍କ କବିତାର ଅନ୍ୟତମ ବୈଶିଷ୍ଟ୍ୟ । ପଲ୍ଲୀର ସ୍ଵୈର ଜାଙ୍ଗଲିକ ପରିବେଶ କବିମନରେ ଯଥେଷ୍ଟ ପ୍ରଭାବ ବିସ୍ତାର କରିଥିଲା । ଗ୍ରାମବାସୀଙ୍କ ସୁଖଦୁଃଖ, ଅଭାବଅନଟନ ଓ ଜୀବନପ୍ରୀତିକୁ କବି ହୃଦୟଦେଇ କବିତାରେ ପ୍ରକାଶ କରିଅଛନ୍ତି । ଗାଁର ସବୁଜ କେଦାର, ନୁଆଁଣିଆ ଚାଳଘର, ସାୟଂକାଳୀନ ପଲ୍ଲୀର ଦୃଶ୍ୟ ଗାଧୁଆତୁଠ, ତୁଳସୀ ଚଉରା ଇତ୍ୟାଦି କବିଲେଖନୀରେ ଅପୂର୍ବ ରୂପ ଧାରଣ କରିଛି । ପୁଣି କବି ଓଡ଼ିଆ ଭୁଆସୁଣୀ ବୋହୂର ଚିତ୍ର ଅଙ୍କନରେ ସ୍ଵକୀୟ ଦକ୍ଷତାର ପରିଚୟ ଦେଇଛନ୍ତି । ଗ୍ରାମବାସୀମାନଙ୍କ ସୂକ୍ଷ୍ମ ଜୀବନାନୁଭୂତି ସହିତ କବି ନିଜ ପ୍ରାଣର ଭାବନାକୁ କେତେକ କବିତାରେ ଏକତ୍ର କରିଦେଇଛନ୍ତି । କବିଙ୍କ ‘‘ମାଟିବାଣୀ’’ ସଂକଳନର ‘ପଲ୍ଲୀସଂଧ୍ୟା’, ‘ବର୍ଷାସଧ୍ୟା’, ‘ଅନୂଢ଼ା’, ‘କଣ୍ଟକାଚ’, ‘ସାଆଁତମାଆ’, ‘ପଲ୍ଲିପ୍ରିୟା’ କବିତାଗୁଡ଼ିକରେ ପଲ୍ଲୀର ସଚିତ୍ର ରୂପ ପ୍ରକାଶିତ (୪) ।’’ ମାନସିଂହଙ୍କ ଏହି ପଲ୍ଲୀପ୍ରାଣତାକୁ ଖୋଜିବାକୁ ହେଲେ ‘‘ପଲ୍ଲିପ୍ରିୟା’’ କବିତାରୁ ଏହାର ସାର୍ଥକ ପ୍ରମାଣ ମିଳିଥାଏ -

 

ନଗରେ ଆଜି ଗୋ ଚିତ୍ତେ ଉଠଇ ପଲ୍ଲୀପ୍ରିୟା ।

ସରମ- ଲୋହିତ ତା’ ଗଣ୍ଡଛବି ମଥାଏ ହିୟା

ବହୁଦୂରେ ଛାଡ଼ି ଆସିଛି ରୂପସୀ ପଲ୍ଲୀପ୍ରିୟା ।

ସଜନୀରେ ଘେନିଯାଏ ସେ ସ୍ୱାହାନେ ସରସୀକୂଳେ

ସରଣୀ ଶୋଭାଇ ଆପଣା ଚରଣ ପଲାଶଫୁଲେ

ନୂପୁରଯୁଗଳ କହୁଥାଏ କଥା ପାହୁଡ଼ତୁଲେ ।

କୁଙ୍କୁମଲେପ କନକବରଣା ଫେରଇ ଘରେ

ଆର୍ଦ୍ରବସନ ଜଡ଼ିତ ଅଳସେ ବକ୍ଷପରେ

କଳସୀଭାରେ ନୟନ ଥାଏ ଗୋ ଧରଣୀପରେ ।

 

କବି ସଚ୍ଚି ରାଉତରାୟ ସତ୍ୟର ରୂପକାର ଓ ଭାଷ୍ୟକାର । ଅବକ୍ଷୟଗ୍ରସ୍ତ ପଲ୍ଲୀଜୀବନର ବିଭିନ୍ନ ଘଟଣାକୁ ନେଇ ୧୯୪୨ ସାଲରେ ପ୍ରକାଶିତ ‘ପଲ୍ଲୀଶ୍ରୀ’ କବିତା ସଂକଳନରେ ସ୍ଥାନିତ କବିତାଗୁଡ଼ିକ ଆତ୍ମଗୌରବ ଲାଭକରିଛି । ଏଥିରେ ପଲ୍ଲୀଜୀବନର ସୌନ୍ଦର୍ଯ୍ୟ, ସ୍ଵବିରୋଧ ଓ ଅନନ୍ୟତା ଏ ସଫଳଭାବେ ରୂପାୟିତ ହୋଇଛି । ବାସ୍ତବବାଦୀ କବି ସଚ୍ଚି ରାଉତରାୟ ଏଇ ଧୂଳିମଳିନ ଧୂସର ଧରିତ୍ରୀର ଶ୍ରଦ୍ଧେୟ ଶିଳ୍ପୀ । ସରସ ସୁନ୍ଦର ରୂପବର୍ଣ୍ଣନାରେ ପଲ୍ଲୀପ୍ରାଣତା ସୃଷ୍ଟି- ଦିଗନ୍ତର ମୌଳିକ ଉତ୍ସ ହଁ ହେଉଛି ଛୋଟ ମୋର ଗାଁଟି’ -

 

ଛୋଟମୋର ଗାଁଟି

ଭୂଗୋଳପୋଥି ପତରେ ପଛେ ନଥାଉ ତା’ର ନାଁଟି

ଛୋଟ ମୋର ଗାଁଟି

 

ମାଟିର ସେଇ ସରଗ ମୋର

ସେଇଠି ଅଛି ମୋ ଷଠୀଘର

ଜଳିବ ପୁଣି ସେଇଠି ଶେଷେ ମୋର ଚିତା ନିଆଁଟି

ଛୋଟ ମୋର ଗାଁଟି ।

 

ପଲ୍ଲୀମାଳିନୀ ଓଡ଼ିଶାର ପଲ୍ଲୀଜୀବନର ସଫଳ ଚିତ୍ରକର ହେଉଛନ୍ତି ନାରୀକବି ବିଦ୍ୟୁତ୍‌ପ୍ରଭା । ପଲ୍ଲୀପ୍ରକୃତିର ଚିତ୍ରମାଧୁରୀ, ତା’ର ହସକାନ୍ଦ ଓ ଟିକିନିଖି ଆଚାରବ୍ୟବହାର, ପ୍ରଭୃତି ତାଙ୍କର କବିତାଗୁଡ଼ିକରେ ପ୍ରାଧାନ୍ୟ ଲାଭକରିଥିବାରୁ ତାଙ୍କୁ ପଲ୍ଲୀକବି କହିଲେ ଲେଶମାତ୍ର ଭୁଲ ହେବ ନାହଁ । ‘‘କବି ନନ୍ଦକିଶୋରଙ୍କ ପଲ୍ଲୀପ୍ରାଣତାର ପୁନର୍ଜନ୍ମ ହୁଏତ ବିଦ୍ୟୁତ୍‌ପ୍ରଭାଙ୍କ ଦ୍ୱାରା ସମ୍ଭବ ହୁଏ । ପାରିପାର୍ଶ୍ଵକ ଜଗତର ଯନ୍ତ୍ରଣାପୀଡ଼ିତ କ୍ଲାନ୍ତିବୋଧ ଭିତରେ ସତ୍ୟସନ୍ଧାନ ଓ ସୁନ୍ଦରର ପ୍ରମୂର୍ତ୍ତନ ବିଦ୍ୟୁତ୍‌ପ୍ରଭାଙ୍କ ଦ୍ୱାରା ଯେପରି ସମ୍ଭବ ହୋଇଛି, ଭାବିଲେ ବିସ୍ମିତ ହେବାକୁ ହୁଏ । ଆର୍ଯ୍ୟ ଚିନ୍ତନର ସ୍ଵତନ୍ତ୍ରତା, କାଳଧର୍ମର ଉପସ୍ଥାପନା, ଧରିତ୍ରୀ ପ୍ରକୃତି ଓ ମଣିଷର ଗୀତିଗାନ ତାଙ୍କ କବିତାର ପ୍ରମୁଖ ଚେତନା । କବି ବିଳାସର ରୂପଜୀବୀ ନୁହେଁ, ଆମୋଦ ପ୍ରଲୁବ୍ଧ ନୁହେଁ; ବରଂ ଦୁଃଖ ଅଭାବ, ଅଶ୍ରୁ ଓ ଅନୁତାପର ବିକ୍ଷୋଭ ଭିତରେ ତା’ମନ ଉଦ୍‌ବେଳିତ । ଦୁଃଖର ମମତା ବ୍ୟଥାରେ ଗୌରବକୁ ତା’ ଜୀବନର ସାଥୀରୂପେ ବରଣ କରିଛି (୫) ।’’ ତେଣୁ କବି ‘ମଶାଣି ପଦାର ସବୁଜ ଘାସ’’ କବିତାରେ ଗାଇ ଉଠିଛନ୍ତି -

 

ଚିରଦିନ ପାଇଁ ଛିଣ୍ଡାଇଦେଇ ମମତା ଫାଶ

ମା’ମୋ ହୋଇଛି ମଶାଣି ପଦାର ସବୁଜ ଘାସ ।

 

ଅଧ୍ୟାପକ ବିନୋଦଚନ୍ଦ୍ର ନାୟକ ନିଶ୍ଚିତଭାବରେ ସ୍ଵାଧୀନତା ପରବର୍ତ୍ତୀ କାଳର ଜଣେ ପ୍ରଭାବଶାଳୀ କବି । ଆଧୁନିକ ଓଡ଼ିଆ କବିତାରାଜ୍ୟରେ ତାଙ୍କ କବିତା ସୃଷ୍ଟି କରିଛି ଗଭୀର ଆଲୋଡ଼ନ । ପଲ୍ଲୀକବି ନନ୍ଦକିଶୋରଙ୍କ ପରେ ପଣ୍ଡିତ ଗୋଦାବରୀଶ ମିଶ୍ର ମାୟାଧର ମାନସିଂହ, ସଚ୍ଚିଦାନନ୍ଦ ରାଉତରାୟ, ନାରୀକବି ବିଦ୍ୟୁତ୍‌ପ୍ରଭା ପ୍ରଭୃତି କବିଗଣ ଗଭୀର ଆନ୍ତରିକତାର ସହିତ ପଲ୍ଲୀ ପ୍ରତି ଦୃଷ୍ଟିପାତ କରିଥିଲେ ମଧ୍ୟ କବି ବିନୋଦ ନାୟକଙ୍କ ପରି ଅନ୍ୟ କେହି ଏତେ ଗଭୀର ତଥା ଆନ୍ତରିକଭାବେ ମମତ୍ୱବୋଧ ପ୍ରକାଶ କରି ନାହାନ୍ତି । ତାଙ୍କ କବିଜୀବନର ପରିସର ଭିତରେ ଅସଂଖ୍ୟ କବିତା ନଲେଖି ଯଦି କବି ଶ୍ରୀ ନାୟକ କେବଳ ମାତ୍ର ‘ଗ୍ରାମପଥ’ କବିତା ଲେଖିଥାଆନ୍ତେ ତଥାପି ଉତ୍କଳୀୟ ସାରସ୍ଵତ କ୍ଷେତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ବଜାୟ ରଖି ପାରିଥାନ୍ତେ ।

 

ବିନୋଦ ନାୟକଙ୍କ ‘ଗ୍ରାମପଥ’ ଓଡ଼ିଆ ଜନଜୀବନ ଓ ସଂସ୍କୃତିର ସଫଳ ରୂପାୟନ । କବିଙ୍କ ଆଖିରେ ସୌନ୍ଦର୍ଯ୍ୟ ହିଁ ବଡ଼କଥା । କାବ୍ୟିକ ଅଭିବ୍ୟଞ୍ଜନା, ମଧୁର ଶବ୍ଦ ତରଙ୍ଗ ଓ ସଂକ୍ଷିପ୍ତ ବକ୍ତବ୍ୟ ଭିତରେ ସେ ସୃଷ୍ଟି କରିଛନ୍ତି ଆଲୋଚ୍ୟ କବିତା । ଏଥିରେ କଳ୍ପନାପ୍ରବଣତା ଅପେକ୍ଷା ଏକ ସଚେତନଶୀଳ ତଥା ବାସ୍ତବ ଚିନ୍ତାଧାରାର ମନୋଜ୍ଞ ପରିପ୍ରକାଶ ଘଟିଛି । ଉକ୍ତ କବିତାରେ ପଲ୍ଲୀସଭ୍ୟତାର ଶାନ୍ତ ତଥା ଅନ୍ତରଙ୍ଗପୂର୍ଣ୍ଣ ବାର୍ତ୍ତାକୁ କବି ଅନୁରଣିତ କରି ପାରିଛନ୍ତି।

 

ବାରପାଖୁଡ଼ା ବିଶିଷ୍ଟ ‘ଗ୍ରାମପଥ’ କବିତାରେ କବି ବିନୋଦଚନ୍ଦ୍ର ନାୟକ ଉତ୍କଳୀୟ ଗ୍ରାମ୍ୟ ଜୀବନର ଏକ ନିଖୁଣ ଚିତ୍ର ଅଙ୍କନ କରିଅଛନ୍ତି । ଏହାର ପ୍ରକାଶଭଙ୍ଗୀ ଓ ଭାବଧାରା ମଧ୍ୟ ଫଟୋଗ୍ରାଫିକ୍‌ଭାବେ ଉତ୍କୀର୍ଣ୍ଣ ହୋଇଛି । କବିଙ୍କ ଦୃଷ୍ଟିରେ ଫୁଲ ଆଉ ଫସଲର ସ୍ଵପ୍ନ, ମାଟି ଓ ଆକାଶର ଆକର୍ଷଣ କବିତାଟିକୁ ମର୍ମସ୍ପର୍ଶୀ କରିପାରିଛି । କବିଙ୍କ ଗ୍ରାମର ଅନତିଦୂରରେ ଥିବା ଅତ୍ୟୁଚ୍ଚ ତାଳଗଛଗୁଡ଼ିକ ଆକାଶକୁ ମାଟିର କବିତା ଶୁଣାଇଥାଏ-ବକ୍ତବ୍ୟ ଭିତରେ ବାସ୍ତବତାର ସୌକୁମାର୍ଯ୍ୟକୁ କଳ୍ପନା-ପ୍ରବଣ ଅନୁଚିନ୍ତନ ମାଧ୍ୟମରେ ପରିପ୍ରକାଶ କରିଛନ୍ତି ଯାହାକି ଗ୍ରାମର ସୌନ୍ଦର୍ଯ୍ୟ ସ୍ଵର୍ଗାଁୟ ଭାବାଲୋକରେ ଉଚ୍ଚାରିତ ହୋଇ ପାରିଛି । ଗାଁର କ୍ଷୁଦ୍ର ରାସ୍ତାଟି ସର୍ପିଳ ଗତିରେ ଆଗକୁ ଆଗକୁ ମାଡ଼ିଯାଇ ସତେ ଯେପରି ଦିଗହରା ହୋଇଥିବାର ପ୍ରତୀୟମାନ ହୁଏ । ଏତଦ୍‌ବ୍ୟତୀତ ଏହାର ଚତୁଃପାର୍ଶ୍ଵରେ ଶସ୍ୟକ୍ଷେତ୍ର, କାଶତଣ୍ଡୀଫୁଲ, ବେଣାଗଛସମୂହ ରାସ୍ତାର ସୌନ୍ଦର୍ଯ୍ୟ ତଥା ମହିମାକୁ ଉତ୍କୀର୍ଣ୍ଣ କରିବାରେ ସହାୟକ ହୋଇଥାଆନ୍ତି । ତତ୍‌ପରେ ନାନା ପ୍ରକାର ଅନାବନା ଗଛଲତାରେ ପରିପୂର୍ଣ୍ଣ ଗୋଟିଏ ପୁଷ୍କରିଣୀ ରହିଛି । ସେହି ପୋଖରୀସଂଲଗ୍ନ ଜଙ୍ଗଲ ଅତିକ୍ରମ କରିଗଲେ କବିଙ୍କ ମାମୁଁଘର ଗ୍ରାମ ଥିବାର କବି ବର୍ଣ୍ଣନା କରି ଅଛନ୍ତି ।

 

ଦ୍ୱିତୀୟ ପାଖୁଡ଼ାରେ କବି ରାସ୍ତାର ଦୁଇ ପାର୍ଶ୍ଵରେ ହରଡ଼ ଓ ବୁଟର ଫସଲକ୍ଷେତ୍ରର ବର୍ଣ୍ଣନା ଯାହାକି ସାଧାରଣ ଜନତାଙ୍କ ଅବହେଳାଯୋଗ୍ୟ, ତାକୁ ଗୁରୁତ୍ୱ ସହକାରେ ବର୍ଣ୍ଣନା କରିଛନ୍ତି । ତା’ର ସମ୍ମୁଖଭାଗରେ ଗୋଚାରଣ ପଡ଼ିଆ ଏବଂ ଚାରଣଗତ ଗୋରୁଗୋଠ । ପାଖରେ ଥିବା ଶିମୁଳି ଗଛର ଶାଖାରେ କପୋତୀଟି ‘ଉଠ୍‌ ପୁତ ଉଠ୍‌’, ‘ଉଠ୍‌ ପୂରିଲାଣି ମାଣ’ ବୋଲି ନିର୍ଜନ ଦ୍ୱିପ୍ରହରରେ ରାବିବା ଛଳରେ ଶାନ୍ତ ପରିବେଶକୁ ସାଧାରଣ ଲୋକ ହୃଦୟରେ ଏକ ମାର୍ମିକ ତଥା ଆଶଙ୍କାବୋଧର ସଂକେତ ଉପସ୍ଥାପିତ କରିଛି କପୋତୀର ବାହୁନା । ଆମ ଉତ୍କଳୀୟ ଲୋକଧାରଣାରେ ପ୍ରଚଳିତ କପୋତର ପୁତ୍ରହତ୍ୟା ଉପାଖ୍ୟାନକୁ ଆଶ୍ରୟ କରି ତାହାର ସାମାଜିକ ଜୀବନରେ ଥିବା ପ୍ରଭାବକୁ ଉପଜୀବ୍ୟ କରି କବି ଶ୍ରୀ ନାୟକ ‘ଉଠ୍‌ ପୁତ ଉଠ୍‌, ଉଠ୍‌ ପୂରିଲାଣି ମାଣ’ କାବ୍ୟିକ ବକ୍ତବ୍ୟଟିକୁ ଉପସ୍ଥାପିତ କରିଛନ୍ତି । ପଥିକ ପ୍ରାଣରେ କପୋତୀର ଲଳିତ ମଧୁର ସ୍ଵନ ଏକ କରୁଣ ଭାବର ମିଥ୍‌ଧର୍ମୀ ଆବେଦନ ସୃଷ୍ଟି କରିଥାଏ । ମାତ୍ର ମାଣକ ଚାଉଳ ପୂରଣ ନ ହେବାର ସନ୍ଦେହରେ କପୋତୀ କ୍ଷଣକୋପିନୀ ହୋଇ ନିଜ ପୁତ୍ରକୁ ଶିଳପୁଆରେ ମାରିଦେଇଥିଲା-ଏହି ରୂପକଥାର କାରୁଣ୍ୟ ପ୍ରତି କବିଚିତ୍ତ ଆକୃଷ୍ଟ ହୋଇ ସମ୍ବେଦନଶୀଳତା ଭିତ୍ତିରେ ଗ୍ରାମ୍ୟ ପ୍ରକୃତି ଓ ଗ୍ରାମ୍ୟ ଅନୁଚିନ୍ତନରୁ ଜୀବନ୍ତ ସମନ୍ୱୟ କରିପାରିଛନ୍ତି । ରାସ୍ତାର ଅପର ପାର୍ଶ୍ଵରେ କଇଁଫୁଲ ପରିପୂର୍ଣ୍ଣ ପୋଖରୀ ଓ ବିଭିନ୍ନ ଗାଧୁଆତୁଠର ସୌନ୍ଦର୍ଯ୍ୟକୁ ଅତି ଜୀବନ୍ତଭାବେ ବର୍ଣ୍ଣନାକରି ପଲ୍ଲୀଗ୍ରାମଟିର ସୌନ୍ଦର୍ଯ୍ୟ ସୁଷମାକୁ ବାସ୍ତବିକ ଜୀବନ୍ତ କରିପାରିଛନ୍ତି ।

 

ବିନୋଦ ନାୟକ ସିଦ୍ଧହସ୍ତ, ଯାଦୁକରୀ ଶକ୍ତିସଂପନ୍ନ ରୋମାଣ୍ଟିକ୍‌ କବି । ଏହି ରୋମାଣ୍ଟିକ୍‌ କାବ୍ୟଚେତନା ଭିତରେ ‘ଗ୍ରାମପଥ’ କବିତା ହୋଇ ପାରିଛି ଅତି ମଞ୍ଜୁଳ । ତାଙ୍କ ଦର୍ଶନ ଓ ଚିନ୍ତନର ଭାବଧାରା ଏକ ବାସ୍ତବ ଦୁନିଆଁର ପ୍ରତିଶ୍ରୁତି । ଏହାର ସତ୍ୟତା ପାଠକ ଉପଲବ୍ଧି କରିଥାଏ ତୃତୀୟ ପାଖୁଡ଼ାରେ ଅତି ସହଜଭାବେ । ଦାମ୍ପତ୍ୟ ପ୍ରେମର ମୋହରେ ଆକୃଷ୍ଟ ହୋଇ ଯେତେବେଳେ ନବବଧୂ ଗାଁ ପୋଖରୀ ତୁଠରେ ଗାଧୋଇ ଆସି ନିଜ ଦେହକୁ ଘସିମାଜି ପରିଷ୍କାର କରେ, ମଥାର ଲମ୍ବକେଶକୁ ସଫା କରେ ଓ ନଣନ୍ଦଭାଉଜଙ୍କ ଥଟ୍ଟା ପରିହାସ ଛଳରେ ଚତୁରୀ ନଣନ୍ଦ ଆହୁରି ଗୋରୀ ହେବାପାଇଁ ମୁହଁରେ ହଳଦୀ ମାଖେ ଓ ହଲିଲା ପାଣିରେ ବାରମ୍ବାର ମୁହଁକୁ ଦେଖେ ଇତ୍ୟାଦି ଟିକିନିଖି ବର୍ଣ୍ଣନା କବିଙ୍କ ଲେଖନୀରେ ରୋମାଣ୍ଟିକ୍‌ ଭାବାବେଗ ସୃଷ୍ଟି କରିବା ସହିତ ବାସ୍ତବ ଓ ଜୀବନ୍ତ ହୋଇଅଛି ।

 

ପରବର୍ତ୍ତୀ ପଦରେ କବି ଗାଁର ଏକ ସାଧାରଣ ଚିତ୍ରକୁ ଅତି ଜୀବନ୍ତ କରିପାରିଛନ୍ତି । ଗାଁରେ ଥିବା ଘରଗୁଡ଼ିକ ପ୍ରାୟ ଚାଳଘର ଓ ପ୍ରତ୍ୟେକ ଘରର ଚାଳ ଉପରେ ପୋଇଶାଗ ଏବଂ ପାଣିକଖାରୁର ଲଟା କିପରି ବହଳଭାବରେ ମାଡ଼ି ଚାଳର ମଥାନକୁ ସ୍ପର୍ଶକରିଥାଏ, ଘର ପାଖରେ ଥିବା ସଜନା ଗଛରୁ ଧଳା ଫୁଲଗୁଡ଼ିକ ଝରିପଡ଼ି ଧୂସରମାଟି କିପରି ଧବଳମୟ ଦେଖାଯାଏ, ଘରର ବାଡ଼ରେ କଳା ଓ ଧଳା ବର୍ଣ୍ଣର ଅପରାଜିତା ଲତାମାଡ଼ି ଫୁଲର ଗହଳରେ ଗୃହର ସୌନ୍ଦର୍ଯ୍ୟକୁ ଅତି ଉର୍ଜ୍ଜସ୍ୱଳ କରିଥାଏ, ତାହା କବିଲେଖନୀରେ ଅତି ମର୍ମସ୍ପର୍ଶୀ ହୋଇ ପାରିଛି ।

 

ପଞ୍ଚମ ପାଖୁଡ଼ାରେ ବସ୍ତୁ ଜଗତର ଚିତ୍ର ସହ ଏକ ସ୍ୱପ୍ନମୟ ଭାବଲୋକର ସଂଯୋଜନା ସେତୁ ସୃଷ୍ଟି ହୋଇ ପାରିଛି । ଅତି ପ୍ରତ୍ୟୁଷରୁ ଗ୍ରାମବଧୂ ସ୍ନାନକରି ସ୍ନାତ ପାଦରେ ଧୂଳି ଲାଗିଥିବା ଅବସ୍ଥାରେ ସେହି ଗ୍ରାମପଥରେ ଘରକୁ ଫେରେ । ସେ ଆସିବାବେଳେ ତା ପାଦର ଚିହ୍ନ ରାସ୍ତାର ଧୂଳି ଉପରେ ଅଙ୍କିତ ହୋଇଯାଉଥାଏ । ଏ ପରମ ତଥା ପବିତ୍ର ଦୃଶ୍ୟାବଳୀ କବିଙ୍କୁ ଆତ୍ମହରା କରିଦେବା ସହିତ ଆତ୍ମବିଭୋର ମଧ୍ୟ କରିଛି । ସେତେବେଳେ କବିହୃଦୟ ତାକୁ ମାଆ ବୋଲି ଡାକିବାକୁ ଆକୁଳ ହୋଇପଡ଼େ । କାରଣ ଧରିତ୍ରୀ ଯେପରି ସହନଶୀଳା ଓ ମମତାମୟୀ ତଥା କରୁଣାମୟୀ ସେହିପରି ସେଇ ନବବଧୂ । ସମସ୍ତ ଯନ୍ତ୍ରଣା ଓ ଅସୀମ ଦୁଃଖକୁ ଅନ୍ୟ ପାଇଁ ହସିହସି ସେ ସାଦରେ ବରଣ କରିଥାଏ । ତେଣୁ କବି ଗାଇ ଉଠିଛନ୍ତି -

 

ସେଇ ପଥେ ଫେରେ ଗ୍ରାମବଧୂ ସାରି

ସକାଳ ସ୍ନାହାନ ଏକା

ଧୂଳିରେ ଆଙ୍କି ସଜଳ ଚରଣ ରେଖା

ମାଆ ବୋଲି ଥରେ

ଡାକିବାକୁ ପ୍ରାଣ ଲୋଡ଼େ,

ପୃଥିବୀର ସମ ସହନଶୀଳା ସେ

ଅସୀମ କରୁଣାବତୀ

ନୟନେ ଶତେକ ଯୁଗର ବେଦନା ଲେଖା (୬) ।

 

କୌଣସି ନବବିବାହିତା ଯୁବକ ଗ୍ରାମରେ ନିଜର ପତ୍ନୀକୁ ଛାଡ଼ି ବିଦେଶକୁ ଗଲେ, ତା’ର ପ୍ରଣୟିନୀ ସ୍ୱାମୀର ଫେରନ୍ତା ବାଟକୁ ଚାତକ ପରି ଅନାଇଁ ରହିଥାଏ । ସକାଳେ କୁଆ ଆସି ତା’ଘର ଅଗଣାରେ କା’ କା’ ରାବ କଲାବେଳେ ସେ ଆଧାର ସ୍ୱରୂପ ଚାଉଳ ରଖିଦେଇଥାଏ ଏବଂ କୁଆ ଆସି ସେହି ଚାଉଳ ଖାଇଲେ ସେ ସ୍ୱାମୀର ଭଲମନ୍ଦ ଖବର ଜାଣିଥାଏ । ଏତଦ୍‌ବ୍ୟତୀତ ନବପରିଣୀତା ଅବଗୁଣ୍ଠନବତୀ ଏଥିପାଇଁ ଗ୍ରାମ ଠାକୁରାଣୀଙ୍କୁ ମଧ୍ୟ ତା’ର ସୁଖଦୁଃଖ ଜଣାଏ ଓ ପ୍ରାର୍ଥନା କରେ । ଆଲୋଚ୍ୟ ପଂକ୍ତିରେ କବି ଶ୍ରୀ ନାୟକ ଓଡ଼ିଆ ଗ୍ରାମ୍ୟ ଜୀବନ, ସଂସ୍କୃତି, ବିଶ୍ଵାସ, ଚଳଣି ଓ ପରଂପରାକୁ ଆଧାରକରି ନାନ୍ଦନିକ ଭାବଧାରା ମଧ୍ୟରେ ପରିକଳ୍ପନା କରିଛନ୍ତି ।

 

ଅନ୍ୟ ଏକ ଅଜଣା ଗାଁର ଝିଅ କବିଙ୍କ ଗ୍ରାମକୁ ବୋହୂ ହୋଇ ଆସିଲାବେଳେ ତାଙ୍କ ଗ୍ରାମର ଧୂଳିଧୂସରିତ ରାସ୍ତାଦେଇ ଆସିଥାଏ । ବୈବାହିକ ଜୀବନ ପରେ ପରେ ସେ ପରିବାରର ପ୍ରତ୍ୟେକଙ୍କୁ ସ୍ନେହ ମମତା ଦ୍ୱାରା ଆପଣାର କରିନେଇଥାଏ । କାଳକ୍ରମେ ବାର୍ଦ୍ଧକ୍ୟରେ ଉପନୀତ ହେବା ପୂର୍ବରୁ ସେ ପୁଅ, ଝିଅ, ନାତି, ନାତୁଣୀ ଅର୍ଜନ କରିଥାଏ ଓ ପରିଶେଷରେ ମୃତ୍ୟୁ ବରଣ କରି ସେ ପୁନଶ୍ଚ ଗ୍ରାମ ପଥରେ ଶ୍ମଶାନକୁ ଯାତ୍ରା କରିଥାଏ । ତେଣୁ ଆଲୋଚ୍ୟ ପାଖୁଡ଼ାରେ କବି ଗ୍ରାମପଥକୁ ବ୍ୟକ୍ତିତ୍ୱ ଆରୋପଣକରି ଯିବା ଆସିବା ଲୋକଙ୍କର ପରମବନ୍ଧୁ ହିସାବରେ ଗୁରୁତ୍ଵ ପ୍ରଦାନ କରିଛନ୍ତି । ଓଡ଼ିଆ ସଂସ୍କୃତି, ସାଧାରଣ ନାରୀର ଧୈର୍ଯ୍ୟ, ସହନଶୀଳତା, ପାରିବାରିକ ଜଞ୍ଜାଳ ଓ ବ୍ୟସ୍ତତା, କାରୁଣ୍ୟ, ଜରାଗ୍ରସ୍ତ ଜୀବନ, ସ୍ଖଳନ ଓ ମୃତ୍ୟୁଚେତନାର ବୈଶିଷ୍ଟ୍ୟ ବହନ କରିଛି । କବିଙ୍କ ଗାଁରେ ଜହ୍ନରାତି ଦୃଶ୍ୟ ଅତ୍ୟନ୍ତ ମନୋହର । ଗାଁର ଅଭିଆଡ଼ୀ କୁଆଁରୀ ଝିଅମାନଙ୍କର ସମବେତ ସଙ୍ଗୀତଗାନ, ଗାଁର କୃଷକ ଯୁବକର ରାତିରେ ଧାନକିଆରୀକୁ ଶୋଇବା ପାଇଁ ଗମନ ଓ ଜହ୍ନରାତିରେ ଭାସମାନ ମେଘର ଛାଇଆଲୁଅର ଦୃଶ୍ୟ ବିନୋଦ ନାୟକଙ୍କ ଲେଖନୀରେ ବାସ୍ତବଧର୍ମୀ ହୋଇଅଛି ।

 

ଗାଁର ଝିଅ ଏହି ରାସ୍ତାଦେଇ ଗାଁ ଦାଣ୍ଡରେ ବାଲିଘର ସମାପ୍ତ କରି ଜୀବନର ପ୍ରକୃତ ଖେଳ ଖେଳିବାକୁ ଶାଶୁଘରକୁ ଗୋଡ଼କାଢ଼େ । ଠିକ୍‌ ସେତିକିବେଳେ ମାଆର ପଣତକାନି ଲୁହର ବନ୍ୟାରେ ଭିଜିଯାଏ । ପିତ୍ରାଳୟର ସମସ୍ତ ମାୟା, ମମତା ଓ ବନ୍ଧନକୁ ଅତିକ୍ରମକରି ଶାଶୁଘରକୁ ଯିବାବେଳର ଦୃଶ୍ୟ ଅତିଦୁଃଖ-ଦାୟକ । ସେ ଏପରି କ୍ରନ୍ଦନ କରେ ଯେ ତା’ କାନ୍ଦରେ ଛାତିଫାଟିଯିବା ପରି ଲାଗେ । ଭଗବାନଙ୍କର ଏହା ବିଚିତ୍ର ନିୟମ ବୋଲି କବି ବର୍ଣ୍ଣନା କରିଛନ୍ତି ।

 

ନୀଳଆକାଶରେ ଛାୟାପଥ ଯେପରି ଅଫୁରନ୍ତ ସୌନ୍ଦର୍ଯ୍ୟ ଧାରଣ କରି ନିଷ୍କପଟଭାବରେ ମନୋରମ ସ୍ଥିତି ଆଦରିନେଇଥାଏ, ଠିକ୍‌ ସେହିପରି ସବୁଜ ପ୍ରାନ୍ତର ଦେହରେ ଗ୍ରାମପଥ ଉଲଗ୍ନ ଶିଶୁ ସଦୃଶ ଶୟନରତ ରହି ଛାୟାପଥର ମାଧୁର୍ଯ୍ୟ ସୃଷ୍ଟିକରିଥାଏ । ସତେଯେପରି ଗାଁର ଦୂର ଝରଣାକୁ ଅତିକ୍ରମ କରି ଗ୍ରାମପଥ ସ୍ଵର୍ଗସୀମାକୁ ସ୍ପର୍ଶକରିଥାଏ । ସେ ସତେଯେପରି ଏକ ଆଦର୍ଶ ନିଷ୍ଠାବାନ ସନ୍ନ୍ୟାସୀ, ଦୟା ପ୍ରଦର୍ଶନ କରିବା ଯାହାର ଏକମାତ୍ର ପ୍ରବୃତ୍ତି । ସନ୍ନ୍ୟାସୀର କାରୁଣ୍ୟ ସମାଜର ମଙ୍ଗଳ ଉପଯୋଗୀ ଗ୍ରାମପଥର ସ୍ଥିତି ଓ ସୌନ୍ଦର୍ଯ୍ୟ ସଂପର୍କରେ କବିଙ୍କର ବିଶ୍ଵଧର୍ମୀ ତର୍କଣା ଭାବଦ୍ୟୋତକ ଓ ସ୍ଵାଭାବିକ ଅଟେ । ଏଥିରେ ବସ୍ତୁଜଗତର ଚିତ୍ର ସହ ଏକ ସ୍ଵପ୍ନମୟ ଭାବଲୋକର ସଂଯୋଜନସେତୁ ସୃଷ୍ଟି ହୋଇପାରିଛି ।

 

ପଲ୍ଲୀର ପରିଚିତ ଗ୍ରାମପଥ କବିଙ୍କ ଆଖିରେ ସ୍ଵପ୍ନାଞ୍ଜନ ବୋଳିଦେଇଛି । ତାଙ୍କ ଚକ୍ଷୁରେ ଏହି ରାସ୍ତା ଚିରସୁନ୍ଦର ଓ ଶାଶ୍ୱତ । ଜନ୍ମ, ଜୀବନ ମୃତ୍ୟୁ, ପ୍ରେମ ଓ ଦେହଭିତରେ ଛଟପଟ ହେଉଥିବା ତାଙ୍କ କବିସତ୍ତା ଏଠାରେ ସତ୍ୟ ବା ତଦୂର୍ଦ୍ଧରେ ଆକୁଳତା ପ୍ରକାଶ କରିଛି । କବି ବାଲ୍ୟକାଳର ସାଥୀ ଗ୍ରାମପଥକୁ ବନ୍ଦନା କରିଛନ୍ତି । ଯୁବକ ସମୟରେ ମଧ୍ୟ ସେ କବିଙ୍କ ଯୁବାବୟସର କେଳିକୁଞ୍ଜ । ସେହି ସମୟ କବିଙ୍କର ଏକ ରୋମାଞ୍ଚକର ପୁଷ୍ପିତ କଦମ୍ବ । ସମୟର ରଥଚକତଳେ ଏବେ ବୟସର ତାଡ଼ନାରେ କବି ନିଜର ଅସ୍ତଗାମୀ କ୍ଳାନ୍ତିକୁ ନେଇ ଗାଁର ରାସ୍ତାକଡ଼ରେ ଥିବା ବାଉଁଶବଣରେ ଜୀବନ ଅତିବାହିତ କରିବାପାଇଁ ସ୍ଥିର ନିଶ୍ଚିତ ।

 

କବିତାର ଶେଷ ପର୍ଯ୍ୟାୟରେ କବି ନିଜର ସରଳ ନିଷ୍ପାପ ଗ୍ରାମକୁ ଯେତେ ଭଲପାଉଥିଲେ ମଧ୍ୟ ସେ ସ୍ନେହ ପ୍ରେମକାଙ୍ଗାଳ ଭଲ ପାଇବାର ଭିକାରୀଟିଏ । ନିଜକୁ ଧନରୂପକ ଅଭିଜ୍ଞତାହୀନ ପଥିକ ଭାବି କବି ଦୂର୍ବହ ଅନନ୍ତ ଯାତ୍ରାପଥରେ ସନ୍ଧାନରେ ଯିବେ । ସାମଗ୍ରିକ ଜୀବନର ଯେତେ ଅଭିଜ୍ଞତା, ଅନୁଭୁତି ଓ ସର୍ବୋପରି କଳ୍ପନାର ଧନକୁ ଏକତ୍ରିତ କରି କାବ୍ୟସଂପଦ ସୃଷ୍ଟି କରିଥିଲେ ହେଁ ସେସବୁ ଏହି ମାଟିରେ ହିଁ ସ୍ଥିର ନିଶ୍ଚଳଭାବେ ପଡ଼ିରହିବ । ମାତ୍ର କବି ଖାଲି ହାତରେ ଆର ପୁରକୁ ଯାତ୍ରା କରିବେ । କବିଙ୍କ ଅତି ପ୍ରିୟ ଗ୍ରାମପଥ ଉପରେ ତାଙ୍କ ମର ଶରୀର ଦିନେ କୋକେଇରେ ଶ୍ମଶାନକୁ ବୁହାହେବ । ଠିକ୍‌ ସେତିକିବେଳେ ଆତ୍ମୀୟମାନେ ଖଇ ଓ ତୁଳାରେ ଗ୍ରାମପଥର ଶରୀରକୁ ଧବଳମୟ କରି ‘ରାମନାମ ସତ୍ୟହେ’ ମନ୍ତ୍ର ଉଚ୍ଚାରଣ କରି ଚାଲିଥିବେ । ସେ ପ୍ରତୀକ୍ଷମାଣ, ତାଙ୍କ ଅତିପ୍ରିୟ ଗ୍ରାମପଥକୁ ଗଭୀର ଅନ୍ତରତମ ପ୍ରଦେଶରୁ ଏହି କଥା ପ୍ରଶ୍ନଛଳରେ ପଚାରି ଅଛନ୍ତି କବି ।

 

‘ଗ୍ରାମପଥ’ କବିତାରେ ବିଷୟବସ୍ତୁର ନୂତନତ୍ୱ ନଥିଲେ ମଧ୍ୟ ଏହାର ପ୍ରକାଶଭଙ୍ଗୀରେ ସ୍ୱାତନ୍ତ୍ର୍ୟ ଫୁଟି ଉଠିଛି । ମନୁଷ୍ୟ ଜୀବନ ପରିବର୍ତ୍ତନଶୀଳ, ମନୁଷ୍ୟ, ବାଲ୍ୟ, ଯୌବନ, ଜରା ଅବସ୍ଥା ଦେଇ ମୃତ୍ୟୁ ପଥର ପଥିକ ହୁଏ । ସାଧାରଣ ମଣିଷ ତାହା ଆଦୌ ବୁଝିପାରେ ନାହିଁ; କିନ୍ତୁ କବି ଏହି କଠୋର ବାସ୍ତବତାକୁ ହୃଦୟଙ୍ଗମ କରି ଗାଇ ଉଠିଛନ୍ତି -

 

ଭିକ୍ଷାଶୀ ପ୍ରାଣ ପୀଡ଼େ ମତେ ଅହରହ

ପାଥେୟ ବିହୀନ ପଥିକ ମୁଁ ମଣେ

ଯାତ୍ରା ଏ ଦୁରୁବହ

ଖଇ ଓ ତୁଳାରେ ଶୁଭ୍ରକରି ତୋ ତନୁ

ରାମନାମ ସତମନ୍ତ୍ରେ ଚଳିବି

ତୋ’ ତୀର ଶ୍ମଶାନେ

କେବେ କହ କେବେ କହ (୭) ।

 

ଆଲୋଚ୍ୟ ‘ଗ୍ରାମପଥ’ କବିତାରେ କବି ନିଜର ପଲ୍ଲୀପ୍ରାଣତାର ଉପଲବ୍ଧିକୁ କେନ୍ଦ୍ରୀଭୂତ କରି ଗ୍ରାମ୍ୟ ଜୀବନର ସକଳ ଆଶା, ଆକାଂକ୍ଷା, ଚଳଣି, ଜୀବନଧାରା, ବିଚାର, ବିଶ୍ଵାସ, ପରଂପରା ଓ ପ୍ରକୃତିକୁ ସାର୍ଥକମୟ କରି ଗଢ଼ିଛନ୍ତି । ଏହା କବି ବିନୋଦ ନାୟକଙ୍କ ସର୍ବୋତ୍ତମ ସଫଳ କବିତା କହିବାରେ କାହାର ଦ୍ୱିଧା ମଧ୍ୟ ନାହିଁ । ଏଥିରେ ଅଛି ପ୍ରକୃତି ପ୍ରୀତି, ଦାମ୍ପତ୍ୟପ୍ରେମ, ପାରିବାରିକ ଚିତ୍ରାଲେଖ୍ୟର ମନୋଜ୍ଞ ଅଭିବ୍ୟକ୍ତି ।

 

ସହାୟକ ଗ୍ରନ୍ଥସୂଚୀ

୧.

ଓଡ଼ିଆ ସାହିତ୍ୟରେ ରାଧାନାଥ ଓ ସତ୍ୟବାଦୀ ଯୁଗ - ଡକ୍ଟର ବୈଷ୍ଣବ ଚରଣ ସାମଲ

୨.

ପଲ୍ଲୀପଥ - ନନ୍ଦକିଶୋର ବଳ

୩.

ସାହିତ୍ୟିକ - ଡକ୍ଟର କୁଞ୍ଜବିହାରୀ ଦାଶ

୪.

ସାହିତ୍ୟସାଧକ ଡକ୍ଟର ମାୟାଧର ମାନସିଂହ - ଡକ୍ଟର ବାଉରୀବନ୍ଧୁ କର

୫.

ସମାଲୋଚନା ବିଚିତ୍ରା - ଶ୍ରୀମତୀ ଲାବଣ୍ୟ ନାୟକ

୬.

ଗ୍ରାମପଥ - ଶ୍ରୀ ବିନୋଦ ନାୟକ

୭.

ଏଜ୍ନ - ଏଜ୍ନ

 

 

ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,

ଦେବଗଡ଼ କଲେଜ, ଦେବଗଡ଼ ।

 

***

 

ଶେଷ ବସନ୍ତର ଚିଠି ଓ କଥାଶିଳ୍ପୀ ମନୋଜ ଦାସ

ଶ୍ରୀ ସଦାନନ୍ଦ ଶତପଥୀ

 

ଓଡ଼ିଆ କଥା ସାହିତ୍ୟ କ୍ଷେତ୍ରରେ ଯେଉଁ କେତୋଟି ବହୁଚର୍ଚ୍ଚିତ ପ୍ରତିଭାଧାରୀ ସ୍ରଷ୍ଟା ଦୃଷ୍ଟିଗୋଚର ହୁଅନ୍ତି ସେମାନଙ୍କ ମଧ୍ୟରେ କଥାଶିଳ୍ପୀ ମନୋଜ ଦାସ ହେଉଛନ୍ତି ଅନ୍ୟତମ । ସୀମିତ ଆଞ୍ଚଳିକତା ମଧ୍ୟରେ ତାଙ୍କର ସାହିତ୍ୟ ସୃଷ୍ଟି ଆବଦ୍ଧ ନ ରହି, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ହେବାର ମାନ୍ୟତା ଲାଭ କରିପାରିଛି । ଓଡ଼ିଆ ଗଳ୍ପସାହିତ୍ୟ ବ୍ୟତୀତ ଇଂରାଜୀ ଭାଷା ସାହିତ୍ୟରେ ମଧ୍ୟ, କ୍ଷୁଦ୍ରଗଳ୍ପ ରଚନା କ୍ଷେତ୍ରରେ ସେ ଅନୁରୂପ ଖ୍ୟାତି ଅର୍ଜନ କରିପାରିଛନ୍ତି ।

 

୧୯୫୦-୫୧ ମସିହା ପରେ ମନୋଜ ଦାସ ଗଳ୍ପସୃଷ୍ଟିରେ ମନୋନିବେଶ କରିଥିବାର ଜଣାଯାଏ । ଏହା ପୂର୍ବରୁ ସେ କବିତା ରଚନାରେ ନିଜକୁ ନିମଜ୍ଜମାନ ରଖିଥିଲେ । ଏତଦ୍‌ବ୍ୟତୀତ ‘ଦୂର ଦୂରାନ୍ତର’, ‘ଇଣ୍ଡୋନେସିଆ ଅନୁଭୁତ’ , ‘ଅନ୍ତରଂଗ ଭାରତ’ ଆଦି ଭ୍ରମଣ କାହାଣୀ ରଚନା କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲେ ମଧ୍ୟ ଜଣେ ମାନବବାଦୀ ସୁଗାଳ୍ପିକ ଭାବେ ଯଥେଷ୍ଟ ପ୍ରତିଷ୍ଠିତ ମନୋଜ ଦାସଙ୍କ ରଚିତ ଗଳ୍ପ ସଂକଳନମାନଙ୍କ ମଧ୍ୟରୁ ‘ଆରଣ୍ୟକ’, ‘ଲକ୍ଷ୍ମୀର ଅଭିସାର’, ‘ମନୋଜ ପଞ୍ଚବିଂଶତ’, ‘ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’, ‘ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ’, ‘ବିଷକନ୍ୟାର କାହାଣୀ’, ‘ସମୁଦ୍ର କ୍ଷୁଧା’, ‘ଜୀବନର ସ୍ଵାଦ’ ଓ ସର୍ବୋପରି ‘ଶେଷ ବସନ୍ତର ଚିଠି’ ଆଦିର ଗଳ୍ପ ଗୁଡ଼ିକ, ଏକ ବୁଦ୍ଧିଦୀପ୍ତ ପ୍ରାଜ୍ଞ ଶାଳୀନତାରେ ମହିମ୍ନ ହୋଇପାରିଛି । ଉକ୍ତ ଗଳ୍ପ ସଂକଳନଗୁଡ଼ିକ ମଧ୍ୟରୁ, ସତରଗୋଟି ଗଳ୍ପ ସଂଯୋଜିତ, ‘ମନୋଜ ଦାସଙ୍କ କଥା ଓ କାହାଣୀ’ ଗଳ୍ପ ସଂକଳନଟି ୧୯୭୧ ମସିହାରେ ପ୍ରକାଶ ପାଇଲା, ଯାହାକି ଗାଳ୍ପିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାର ଗୌରବ ଆଣି ଦେଇ ପାରିଥିଲା ।

 

୧୯୭୬ ମସିହାରେ ପ୍ରକାଶ ପାଇଥିବା ‘ଶେଷ ବସନ୍ତର ଚିଠି’ ଗଳ୍ପସଂକଳନ ହେଉଛି, ଗାଳ୍ପିକ ମନୋଜ ଦାସଙ୍କ ଏକ ଅସାମାନ୍ୟ ଶିଳ୍ପକୃତି । ଏହାର ଇଂରାଜୀ ସଂସ୍କରଣ ‘A letter from the last spring, ଦେଶ ବିଦେଶର ବହୁ ପ୍ରକାଶନରେ ପ୍ରକାଶିତ ହୋଇଛି । ଏଥିରେ ମୋଟ ପନ୍ଦରଟି ଗଳ୍ପ ସ୍ଥାନ ପାଇଛି । ପ୍ରତ୍ୟେକ ଗଳ୍ପ ପଛରେ ରହିଛି ଶିଳ୍ପୀ ହୃଦୟର ସୂକ୍ଷ୍ମାନୁଭବ । ଜୀବନକୁ ସେ ଖଣ୍ଡ ବିଖଣ୍ଡ କରି ଦେଖିନାହାନ୍ତି ବରଂ ଯୋଡ଼ିବାର ପ୍ରୟାସ କରିଛନ୍ତି । ଦୃଶ୍ୟମାନ ଜଗତର ଊର୍ଦ୍ଧ୍ୱରେ ରହି ପ୍ରତ୍ୟକ୍ଷ କରିଛନ୍ତି ଅଦୃଶ୍ୟ ଭାବସତ୍ତାକୁ ।

 

ମୋପାଁସା ଏବଂ ଆନାତୋଲ ଫ୍ରାନ୍ସଙ୍କ ଗଳ୍ପଗୁଡ଼ିକ ଭଳି, ‘ଶେଷ ବସନ୍ତର ଚିଠି’ର ଗଳ୍ପଗୁଡ଼ିକ ଖୁବ୍‌ ଅନ୍ତର୍ଭେଦୀ । ମନୋଜ ଦାସଙ୍କ ଗଳ୍ପଗୁଡ଼ିକ ଏବଂ ତାଙ୍କର ରୁଚି ବହିର୍ମୁଖୀ ହେବା ବ୍ୟତୀତ ଅଧିକା ଅନ୍ତର୍ମୁଖୀ ହେବା ଏକ ଧର୍ମ ପାଲଟି ଯାଇଛି । ଚରିତ୍ରମାନଙ୍କର ବାହ୍ୟ ଆଚରଣ ପରିବର୍ତ୍ତେ, ସେମାନଙ୍କ ଅନ୍ତଃସ୍ଥଳକୁ ହିଁ ଅଧିକ ସୂଚିତ କରିଛନ୍ତି । ମାନବୀୟ ଆରୋପଣ ସତ୍ତ୍ୱେ‌ ଅସ୍ତିତ୍ୱବାଦୀ ଚେତନା ଓ ଫ୍ରଏଡୀୟ ମନୋବୈଜ୍ଞାନିକ ବିଶ୍ଳେଷଣାତ୍ମକ ପଦ୍ଧତିରେ ଗଳ୍ପଗୁଡ଼ିକ ପରିପୁଷ୍ଟ ହୋଇପାରିଛି ।

 

‘ଅନ୍ତରଙ୍ଗ ଦାନବ’ ଗଳ୍ପଟିରେ ସେ ଜଣେ ସ୍ୱପ୍ନାଚ୍ଛନ୍ନ ବାଳିକାର ମନ ଓ ନୀରବ ଅଭିମାନକୁ ପ୍ରତୀକିତ କରିଛନ୍ତି । ପ୍ରଥମଶ୍ରେଣୀ କୁପେରେ ଯାତ୍ରା କରୁଥିବା ବାପା ଓ ଝିଅର ମୃଦୁଶବ୍ଦାଳାପ, ଓ ଅନ୍ତର୍ହିତ ବଂଶୀସ୍ଵର ପାଇଁ ଝିଅର ନିଦ୍ରାଭଂଗ, ପିତୃହୃଦୟରେ ଆଣି ଦେଇଛି ଅବ୍ୟକ୍ତ ବେଦନା ଓ ଅନୁତାପ । କିଛି ସମୟ ତଳେ, ଚଳନ୍ତା ଟ୍ରେନରେ ବାଦୁଡ଼ି ଭଳି ଓହଳିଥିବା ଲୋକଟିକୁ ଡାକି ଆଣି ବସାଇଥିଲେ । ଚେହେରାରେ ଏତେଟା ସୁନ୍ଦର ନଥିଲେ ମଧ୍ୟ ଲୋକଟି ସୁନ୍ଦର ଭାବେ ବଂଶୀବାଦନ କରୁଥିଲା । ଉପର ବର୍ଥରେ ଶୋଇଥିବା ନିଜ ଝିଅର ନିଦ୍ରା ଭାଂଗିଯିବ, ଏହି ଆଶଙ୍କାରେ ବାପା ତାକୁ ନ ବାହାରି ଯିବାପାଇଁ ଆଦେଶ ଦେଲେ । ବଂଶୀସ୍ଵର ବନ୍ଦ ହେବାମାତ୍ରେ ଝିଅର ନିଦ ଭାଙ୍ଗି ଯାଇଛି । ବାପା ଯାହାକୁ ଅଭଦ୍ର ଅକୃତଜ୍ଞ ମନେକରି ଡବାରୁ ବାହାରିଯିବା ପାଇଁ ଆଦେଶ ଦେଇଥିଲେ ସେହି ଲୋକର ବଂଶୀସ୍ଵର ହିଁ ତାଙ୍କ ଝିଅ ଆଖିରେ ସୁନିଦ୍ରା ଆଣିଦେଇଥିଲା ।

 

କନ୍ୟାର ସୁନ୍ଦର ସ୍ଵପ୍ନ ବୃତ୍ତାନ୍ତ ଶୁଣିବାପରେ ପିତା ନିଜକୁ ହିଁ ବିରାଟକାୟ ଦାନବ ଭୂମିକାରେ ଦେଖିଛନ୍ତି । ଏହି ଗଳ୍ପଟିରେ ଏକ ଛୋଟ ବାଳିକାର ସ୍ଵପ୍ନାଚ୍ଛନ୍ନ ଭାବନା ଓ ଯୁକ୍ତିଯୁକ୍ତ ମନସ୍ତତ୍ତ୍ୱକୁ ବିଶ୍ଳେଷଣ କରିଛନ୍ତି ଗାଳ୍ପିକ ମନୋଜ ଦାସ।

 

ଗୋଟେ ଶିଶୁର ମନସ୍ତତ୍ତ୍ଵକୁ ଆଧୁନିକ ପିତାମାତା ଯେତେଦୂର ବିଶ୍ଲେଷଣ କରିପାରିନାହାଁନ୍ତି, ତା‘ଠାରୁ ଅଧିକ କରିଛନ୍ତି ମନୋଜ ଦାସ ‘ଦୂରନିର୍ଜନ ସୁର’ ଗଳ୍ପରେ । ଶିଶୁ କନ୍ୟା ମୀନା ପରିବାରର ଏକମାତ୍ର ସନ୍ତାନ ଥାଇ ବାପାମାଙ୍କର ସମସ୍ତ ଆଦର, ସ୍ନେହ ପାଉଥିଲେ ମଧ୍ୟ, ସୀତାର ପ୍ରତି ତା’ର ମା’ଙ୍କର ଦୁର୍ନିବାର ଆକର୍ଷଣକୁ ଆଦୌ ସହିପାରୁ ନଥିଲା । ମୀନାକୁ ଗେଲ କରିବା ପରେ, ମା ଯଦି କିଛି ସମୟ ସୀତାର ବାଦନରେ ବ୍ୟୟ କରୁଥିଲେ, ତେବେ ସେହି ସମୟଟିକକ ମୀନା ପାଇଁ ବିଷର୍ଣ୍ଣ ଓ ଚିନ୍ତିତ ହେବାର ସମୟ ହୋଇପଡ଼ୁଥିଲା । ସୀତାର ବାଦନ କଲା ସମୟରେ ମୀନା ଅନାବଶ୍ୟକ ଅଝଟ କରୁଥିଲେ ମଧ୍ୟ ମା’ ବୁଝିପାରିନାହାଁନ୍ତି । ତଦ୍ଵାରା ଏମିତି ଏକ ସମୟ ଆସିଲା, ବାପା,ମାଙ୍କ ଅଜାଣତରେ ସେ ସୀତାରକୁ ସ୍ଥାନାନ୍ତର କରି, ସେହି ବାକ୍‌ସ ମଧ୍ୟରେ ନିଜକୁ ନିବୁଜ କରି ଦେଇଥିଲା । ମୀନାର ଧାରଣା ଥିଲା ଯେ ମା’ଯେପରି ସୀତାରକୁ ଭଲପାଆନ୍ତି ସେହି ବାକ୍‌ସ ମଧ୍ୟରେ ଥିବାରୁ, ତାକୁ ମଧ୍ୟ ଠିକ୍‌ ସେହିପରି ସ୍ନେହ କରିବେ-। କୋଠରୀ ଭିତରେ ମୀନାକୁ ନପାଇ ବାପା, ମା ବ୍ୟସ୍ତ ହୋଇପଡ଼ିଥିଲେ ଏବଂ ଘର, ଅଗଣା, ପଡ଼ୋଶୀମାନଙ୍କ ଘର ଖୋଜିଥିଲେ । କେଉଁଠି ମଧ୍ୟ ମୀନା’ର ଖୋଜଖବର ପାଇ ନଥିଲେ । ଶେଷକୁ ମୀନା ମା’ଙ୍କଦ୍ୱାରା ଆବିଷ୍କୃତା ହୋଇଥିଲା ସୀତାର ବାକ୍‌ସ ଭିତରୁ ଲୁହ ଜଡ଼ସଡ଼ ଅବସ୍ଥାରେ ।

 

ସ୍ନେହ ଚାହୁଁଥିବା ଗୋଟେ ଶିଶୁର ମାନସିକ ଉଦ୍‌ବେଳନକୁ ଆଧୁନିକ ପିତା-ମାତା ବୁଝିନପାରିବାର ଅସହାୟତା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

 

ନିଖିଳ ଭାରତ ଆନ୍ତଃ-ବିଶ୍ୱବିଦ୍ୟାଳୟ ଯୁବସମ୍ମିଳନୀର ସାଂସ୍କୃତିକ ପ୍ରତିଯୋଗିତାରେ, ସୀତାର ବାଦନରେ ପ୍ରଥମ ହେବାର ଗୌରବ, ପରବର୍ତ୍ତୀ ସମୟ ଆଣିଦେଇଥିଲା ମୀନା ପାଇଁ । କିନ୍ତୁ ସେତେବେଳକୁ ମୀନାର ମା’ ନଥିଲେ ।

 

ମାର୍କସୀୟ ଭାବନା ଓ ସାମ୍ୟବାଦୀ ଚିନ୍ତାଧାରାର ସଫଳ ସ୍ଵାକ୍ଷର ହେଉଛି, ଗାଳ୍ପିଙ୍କ ‘ଏକ ଚୋରିର ବୃତ୍ତାନ୍ତ’ । ସମ୍ଭବତଃ ୧୯୪୩ ମସିହାରେ ବାଲେଶ୍ଵର ଜିଲ୍ଲାରେ ହୋଇଥିବା ଭୟାବହ ଦୁର୍ଭିକ୍ଷ ଏହି ଗଳ୍ପର ପୃଷ୍ଠଭୂମି । ମୁଠିଏ ଖାଇବାକୁ ନପାଇ ଲୋକମାନେ ପୋକମାଛି ପରି ମରିପଡ଼ୁଥିବାବେଳେ ବୃଦ୍ଧ ବୃନ୍ଦାବନବାବୁ, ଏକକାଳୀନ କୋଡ଼ିଏ ସେର ଚାଉଳ ପାଇ ଯାଇଥିଲେ ଦାନସୂତ୍ରରେ, ଠିକ୍‌ ସେହିଦିନ ଦୁଇକୋଶ ଦୂରରୁ ତାଙ୍କ ଝିଅ ଅନୁ ଓ ତା’ର ପୁଅ ଆସିଥିଲେ । ବାପାଙ୍କର କୋଡ଼ିଏ ସେର ଚାଉଳ ବୋଲି ଜାଣିଲେ ଅନୁର ଲୋଭ ଆସିପାରେ ଭାବି ବୃନ୍ଦାବନବାବୁ ଚାଉଳକୁ ଦୁଇ ଭାଗ କରି ଦେଲେ । କିଛି ନିଜର ଏବଂ କିଛି, ନାଳ ଆରପାରି ବିଶେଇ ପ୍ରଧାନର ବୋଲି ମିଛ କହିବାକୁ ବାଧ୍ୟ ହୋଇଥିଲେ, ନିଜ ଅନିଚ୍ଛା ସତ୍ତ୍ଵେ ମଧ୍ୟ । ଅନେକ ଦିନପରେ ମୁଠାଏ ଚାଉଳ ପାଇଥିବାରୁ ଶାଗ ଓ ଭାତକୁ ଅତି ଯତ୍ନର ସହିତ ‘ଅନୁ’ ରାନ୍ଧିଥିଲା ଯାହାକି ତୃପ୍ତିର ସହିତ ତିନିଜଣଯାକ ଭୋଜନ କରିଥିଲେ ।

 

ପୂର୍ଣ୍ଣିମା ପାଖାପାଖି ତିଥି, ଉଜ୍ଜ୍ଵଳ ଚନ୍ଦ୍ର ଉପରେ ମେଘମାଳାର ଆସ୍ତରଣ ଖେଳିଯାଇଥିଲା-। ସେହି ସମୟରେ ଗ୍ରାମବାସୀମାନେ ‘ଚୋର-ଚୋର’ ଚିତ୍କାର କଲେ । ଅନ୍ଧକାରକୁ ଏଡ଼େଇବାପାଇଁ ଜମିଦାର ଘରୁ ଡେ’ଲାଇଟ ଆସିଲା ଏବଂ ସମସ୍ତେ ଜଙ୍ଗଲ ଭିତରେ ଗୋଡ଼ାଇଲେ-। ଚୋର ଆଘାତ ପାଇବାପରେ ମଧ୍ୟ ପଳାୟନ କରୁଥାଏ । ପରେ ଦେଖାଗଲା ଏକ ଛାୟାମୂର୍ତ୍ତି ଆସି ବୃନ୍ଦାବନବାବୁଙ୍କ ବାରିପଟେ ଅଦୃଶ୍ୟ ହୋଇଗଲା । ସେତିକିବେଳେ ବୁଢ଼ା ମାଙ୍କଡ଼ଟିଏ ବାରିପଟ ଗଛରୁ ଡେଇଁ ଅନ୍ଧକାର ଆଡ଼େ ଧାଇଁଲା । ଗ୍ରାମବାସୀମାନେ ସେପଟେ ଗୋଡ଼ାଇଲେ । କ୍ଷତାକ୍ତଭାବେ ନିଜ କନ୍ୟାକୁ ଆବିଷ୍କାର କଲେ ଘରଭିତରେ ବୃନ୍ଦାବନବାବୁ, ଯାହାକୁ ପୂର୍ବଦିନ ଖରାବେଳେ ସମସ୍ତଙ୍କ ଅଗୋଚରରେ ବିଦାୟ ଦେଇଥିଲେ ଆଉ ଶ୍ରଦ୍ଧାରେ ଯାହାର ନାମ ରଖିଥିଲେ ‘ଅନ୍ନପୂର୍ଣ୍ଣା’ । ଅଶ୍ରୁତପୂର୍ବ ଭୟଭୀତ କଣ୍ଠରେ ପଚାରିଲେ - “ତୁ ପୁଅକୁ ଘରେ ଛାଡ଼ି ଏଇ ଅନ୍ଧାର ବର୍ଷାରେ ପୁଣି ଦୁଇକୋଶ ବାଟ ଆସିଥିଲୁ ମା’ ?’’ - (୧)*

 

*(୧)

ଶେଷ ବସନ୍ତର ଚିଠି, ପୃଷ୍ଠା - ୫ ।

 

ଆଧୁନିକ ମଣିଷର ବହୁବିଧ ଦିଗ ଉନ୍ନୋଚନ କରିବା ସହ ସାମ୍ୟବାଦ ସପକ୍ଷରେ ଲେଖନୀ ଚାଳନା କରିବାର ପ୍ରକୃଷ୍ଟ ଉଦାହରଣ ଏହି ଗଳ୍ପରୁ ମିଳିଥାଏ । କ୍ଷୁଧାବିଗଳିତ ମଣିଷ ସଂସାରରେ କୌଣସି ପାପ କରିବାକୁ ମଧ୍ୟ କୁଣ୍ଠିତ ହୋଇ ନଥାଏ ।

 

‘ଝଂକାର’ ରେ ପ୍ରକାଶିତ ଓ ‘ଯୋଗଫଳ’ ପ୍ରବନ୍ଧରେ ମନୋଜ ଦାସ କହିଛନ୍ତ - ‘‘ଆମେ ଚାହୁଁ ଏକ ଶଙ୍କାମୁକ୍ତ ଶାନ୍ତ କୁଟୀର, ଭୋକିଲା ପେଟ ପାଇଁ ମୁଠିଏ ଦାନା ଆଉ ରକ୍ତହୀନର ଉଲଗ୍ନ କଳେବର ପାଇଁ ଖଣ୍ଡେ ଆବରଣ । ଆମେ, ଶିଶୁ ସନ୍ତାନ ମୁହଁରେ ହସ ଫୁଟୁଥିବାର ଚାହୁଁ । ଜାତି, ଧର୍ମ ଓ ଅର୍ଥ ତା’ର ନିଷ୍ପାପ ଜୀବନର ବିକାଶ ପଥରେ ଅନ୍ତରାୟ ନ ହେଉ, ରୋଗ, ଯନ୍ତ୍ରଣାରେ ଔଷଧ ଟିକେ ନପାଇ ସେ ଯେମିତି ମାଟି କାମୁଡ଼ି ପଡ଼ିବନି ।’’ (୨) *

 

*(୨)

ଯୋଗଫଳ - ଝଙ୍କାର, ୧୯୬୦ ଡିସେମ୍ବର ।

 

ସାମନ୍ତୀୟ ଚରିତ୍ରମାନଙ୍କ ଅନ୍ତରର ଗଭୀର ଜ୍ଵଳନକୁ ମଧ୍ୟ ଦର୍ଶାଇଛନ୍ତି ଗାଳ୍ପିକ ମନୋଜ ଦାସ । ‘ସଉକ’ ଗଳ୍ପରେ, ଜମିଦାରୀ ହସ୍ତାନ୍ତର ପରେ ବି ହୃଷିକେଶବାବୁ ନିଜ ସମ୍ମାନ ଓ ଆଭିଜାତ୍ୟ ଭିତରେ ବଞ୍ଚିବାକୁ ଚାହିଁଛନ୍ତି । ପୁରାତନ ବାରିକ ‘ଚୈତନ୍ୟ’ର “ଦି’ ନିଉଲଣ୍ଡନ ସେଲୁନ’’ରେ ସମସ୍ତଙ୍କ ଆଗରେ ଚାରି ଅଣା ପଇସା ଦେଇ ସଗର୍ବରେ ବାହାରିବାର ଦୃଶ୍ୟରୁ, ଏକ ଅବକ୍ଷୟୀ, ରୁଗ୍‌ଣ ମାନସିକତାର ପରିଚୟ ମିଳି । ପ୍ରତି ସପ୍ତାହରେ ଚୈତନ୍ୟ ଆସି ହୃଷିକେଶବାବୁଙ୍କ ଘରେ ପହଞ୍ଚିଯାଉଥିଲା ଏବଂ କ୍ଷୌରକର୍ମ ସମାପନ କରୁଥିଲା । ହୃଷିକେଶବାବୁ, ଚୈତନ୍ୟକୁ ମାତ୍ର ଚାରିଅଣା ଦେଲେ ମଧ୍ୟ କୃତ୍ୟକୃତ୍ୟ ହୋଇ ଗ୍ରହଣ କରୁଥିଲା । ଚୈତନ୍ୟର ଦୀର୍ଘ ଦିନର ଅସୁସ୍ଥତା ଫଳରେ ହୃଷିକେଶବାବୁ ବାଧ୍ୟ ହୋଇଛନ୍ତି, ଟୈତନ୍ୟର ଯୁବକ ପୁଅ ଚଲାଉଥିବା “ଦ’ ନିଉ ଲଣ୍ଡନ ସେଲୁନ’’କୁ ଯିବାପାଇଁ । କ୍ଷୌର ସାରି ଚାରିଅଣା ଦେବା ମାତ୍ରେ ତା’ର ହସ୍ତ ସଂକୁଚିତ ହେବା ପରିବର୍ତ୍ତେ ବରଂ ପ୍ରସାରିତ ହୋଇଛି । ପୁଣି ସେଲୁନ୍‌ରୁ ବାହାରିଲା ବେଳକୁ ମୃଦୁ ଭର୍ତ୍ସନା ମଧ୍ୟ ଶୁଣିବାକୁ ପାଇଛନ୍ତି । ଏଥିରେ ସାମାନ୍ୟ ବିଚଳିତ ହୋଇ ପଡ଼ିଛନ୍ତି।

 

ହୃଷିକେଶବାବୁ ଚୈତନ୍ୟକୁ ଚାରିଅଣା ଦେବା ମଧ୍ୟରେ ଅକପଟ ସ୍ନେହ ଝରିପଡ଼ୁଥିଲା । ଜଣେ ବିଶ୍ଵସ୍ତ ସେବକର ମାଲିକ ପ୍ରତି ଯେତିକି ଶ୍ରଦ୍ଧା, ସମ୍ମାନ ରହିବା କଥା ତାହା ବି ଚୈତନ୍ୟ ପାଖରେ ଥିଲା । ହୃଷିକେଶବାବୁ କେବେ ମଧ୍ୟ ଚୈତନ୍ୟର ଅମଙ୍ଗଳ ଚାହିଁ ନଥିଲେ । ସେ ଭାବୁଥିଲେ ନିଜେ ଚାରିଅଣା ଦେବା ଦ୍ୱାରା, ଅନ୍ୟମାନେ ତାହା ଦେଖି ଦେଲେ ଚୈତନ୍ୟର ଲାଭ ହେବ । କିନ୍ତୁ ଚାରିଅଣାର ମୂଲ୍ୟ ଯେ କେତେ ନଗଣ୍ୟ, ତାହା ବୁଝିବାରେ ବିଳମ୍ବ କରିଥିଲେ ।

 

ଫକୀରମୋହନଙ୍କ ପରେ ପରେ ସାମନ୍ତବାଦୀ ଚରିତ୍ରମାନଙ୍କର ଦାରୁଣ ଅବକ୍ଷୟ ଓ ଗଭୀର ଅନ୍ତର୍ଦାହକୁ, ମନୋଜ ଦାସ ହିଁ ଏକମାତ୍ର ଗାଳ୍ପିକ, ଯେ କି ଅତି ତିକ୍ଷ୍‍ଣ ଭାବେ ଫୁଟାଇ ପାରିଛନ୍ତି ତାଙ୍କ ଗଳ୍ପଗୁଡ଼ିକରେ । ମନୋଜ ଦାସଙ୍କ କିଛି କିଛି ଭାବ ସୁରେନ୍ଦ୍ର ମହାନ୍ତିଙ୍କଠାରେ ମଧ୍ୟ ଲକ୍ଷ୍ୟ କରାଯାଇପାରେ । ଇଂରାଜୀ ସାହିତ୍ୟର ପ୍ରସିଦ୍ଧ କଥାଶିଳ୍ପୀ E.M. Forster ଙ୍କ କନ୍‌ଜର୍‌ଭେଟିଭ୍‌ ଚରିତ୍ର ଏବଂ ମନୋଜ ଦାସଙ୍କ ସାମନ୍ତବାଦୀ ଚରିତ୍ରମାନଙ୍କର ସାମ୍ୟତା ଲକ୍ଷ୍ୟ କରାଯାଇପାରେ ।

 

‘ବିଲେଇ’ ଗଳ୍ପଟି ଖୁବ ହୃଦୟସ୍ପର୍ଶୀ ହୋଇପାରିଛି । ବୋଉ ଅତ୍ୟଧିକ ସ୍ନେହ କରୁଥିବା ବିଲେଇଟି ପ୍ରତି, ମହେନ୍ଦ୍ରବାବୁ ଈର୍ଷା ଏବଂ ଅସୂୟାରେ ଜଳୁଥିଲେ । କାରଣ ତାଙ୍କ ଖାଇବାରେ ଭାଗ ବସେଇବା ପାଇଁ କେହି ନଥିଲେ, ଥିଲା ଏହି ବିଲେଇଟି । ସ୍କୁଲକୁ ଯିବାପାଇଁ ତର ତର ହୋଇ ଖାଇବାକୁ ଯାଉଥିବା ପଖାଳ କଂସା ପାଖରୁ ମାଛ ଖଣ୍ଡକ, ବିଲେଇ ଦ୍ୱାରା ଅପହୃତ ହେବାର ଦୃଶ୍ୟ ଦେଖି ସେ ଅସମ୍ଭାଳ ହୋଇ ପଡିଥିଲେ । ବିଲେଇଟିକୁ ମାରିଦେବା ପାଇଁ ଗୋଡ଼େଇଥିଲେ ମଧ୍ୟ ଅସଫଳ ହୋଇଥିଲେ ।

 

ପ୍ରୌଢ଼ ବୟସରେ ମଧ୍ୟ, ବୋଉ ଓ ବିଲେଇର ସ୍ମୃତି, ମହେନ୍ଦ୍ରବାବୁଙ୍କ ମନକୁ ଚହଲାଇ ଦେଉଛି । ଅତୀତର ବିଲେଇଟି ପ୍ରତି ଗଭୀର ମମତା ଆସି ଯାଇଛି, ଏବଂ ବିଲେଇ ଖୋଜିବାକୁ ଯାଇ ଭଙ୍ଗା କାନ୍ଥ ଡେଇଁ ବର୍ଷାରେ, ବାରିପଟ ଆଡ଼ୁ ପ୍ରବେଶ କରିଛନ୍ତି । ଚୁଲିମୁଣ୍ଡେ ଘୁଡ଼ୁରୁ, ଘୁଡ଼ୁରୁ କରୁଥିବା ଅବସ୍ଥାରେ ପତ୍ନୀଙ୍କ ଡାକରେ ମୋହଭଙ୍ଗ ହୋଇଛି ମହେନ୍ଦ୍ରବାବୁଙ୍କର ।

 

ଏକ ଶିଶୁ ମନ ଓ ନିରହଙ୍କାରୀ ଚିତ୍ର ରୂପେ ମହେନ୍ଦ୍ରବାବୁଙ୍କୁ ଗ୍ରହଣ କରାଯାଇପାରେ । ପ୍ରୋଢ଼ ବୟସରେ ମଧ୍ୟ ସ୍ମୃତିମୟ ଅତୀତ ରୋମନ୍ଥନ ହୋଇ ପିଲାଳିଆ ମନୋଭାବ ଜାଗ୍ରତ ହୋଇଛି । ଏହି ଗଳ୍ପଟି ଏକାନ୍ତ କୌତୁହଳୋଦ୍ଦୀପକ ହେଲେ ମଧ୍ୟ ବାସ୍ତବ ସତ୍ୟ ।

 

‘ତୃତୀୟ ପୁରୁଷ’ ଗଳ୍ପରେ, ଚଟିଘରେ ଆଶ୍ରୟ ନେଇଥିବା ପତି, ପତ୍ନୀଙ୍କ ପ୍ରଥମ ସନ୍ତାନ, ସେହିଠାରେ ହିଁ ଜନ୍ମଲାଭ କରିଛି । ଏହା ଫଳରେ ଚଟିଘରର ମାଲିକ ତିନିଜଣଙ୍କ ଭଡ଼ା ଦାବି କରିଛି । ସ୍ଵାମୀ ପ୍ରତିଯୁକ୍ତିକଲାବେଳେ ପତ୍ନୀ ତୃତୀୟ ବ୍ୟକ୍ତି ନିଜ ଜନ୍ମିତ ପୁଅର ଭଡ଼ା ଦେଇଦେବା ପାଇଁ କହିଛି । ସେ ଚାହେଁ ନାହିଁ ଯେ ତା’ର ପୁଅ ଭୂମିରେ ପାଦ ଦେଉ ଦେଉ ଋଣୀ ହେଉ ।

 

ଏହି ଗଳ୍ପଟିରେ ମାତୃ ହୃଦୟର ଏକ ଅଦ୍‌ଭୁତ ଓ ବିସ୍ମୟ ଭାବନା ପ୍ରକଟିତ ହୋଇଛି । ସାଧାରଣ ଘଟଣାଟି ଏଭଳି ମନେହେଲେ ମଧ୍ୟ ଏହା ମଧ୍ୟରେ ଅତ୍ୟନ୍ତ ତୀକ୍ଷଣ୍‌ ଓ ମାର୍ମିକ ଭାବନା ଲକ୍ଷ୍ୟ କରାଯାଇପାରେ । ପ୍ରତ୍ୟେକ ମଣିଷର ମନରେ କୌଣସି ଏକ ବିଶେଷ ବସ୍ତୁ ପ୍ରତି ଦୁର୍ବାର ଆକର୍ଷଣ ରହିଥାଏ । ଠିକ ସେହିପରି ମମତା ରହିଥିଲା ବୃଦ୍ଧ ସଦାନନ୍ଦବାବୁଙ୍କର ତାଙ୍କ ବାଡ଼ିପଟେ ଥିବା ପରିତ୍ୟକ୍ତ କୂଅଟି ପ୍ରତି । ଇଞ୍ଜିନିୟର ପୁଅର ସମସ୍ତ ପ୍ରସ୍ତାବକୁ ଏଡ଼େଇଦେଇ କୂଅ ପୋତି ଦେବାର ସଂଭାବନାକୁ ରୁଦ୍ଧକରି ଦେଇଥିଲେ ମଧ୍ୟ ସେ ହାରିଯାଇଛନ୍ତି । ପାହାନ୍ତିଆ ସମୟରେ ମନ୍ତ୍ରମୁଗ୍‌ଧ ହୋଇ କୂଅ ଭିତରେ ଜୀବନର ଲାଭକ୍ଷତି ହିସାବ କରୁ କରୁ ଟ୍ରକ୍‌ରେ ବୋଝେଇ ଆସିଥିବା ପଥରରେ ‘କୂଅ’ ପୋତିହୋଇଯାଇଛି ।

 

ମନୋଜ ଦାସଙ୍କର ଏହି ଗଳ୍ପମାନଙ୍କର ପ୍ରତ୍ୟେକ ଚରିତ୍ର ବିସ୍ମୟକର, ଭାବୋଦ୍ଦୀପକ ଓ ରହସ୍ୟମୟ (Mystic) ଚେତନାର ଅନ୍ତର୍ଗତ । ଉଦୟ ସୂର୍ଯ୍ୟ ଭଳି ଜୀବନର ନିରାଟ ସତ୍ୟକୁ ପ୍ରସ୍ଫୁଟନ କରାଇଦେବା ପାଇଁ ମନୋଜ ଦାସଙ୍କ ଲେଖନୀ ଆଦୌ କୃପଣ ନୁହେଁ ।

 

‘ଝଡ଼ର ଗତିପଥ’ ଗଳ୍ପରେ ଶ୍ରୀଯୁକ୍ତ, ଶ୍ରୀମତୀ ସିନ୍‌ହା ଏବଂ ଅଧ୍ୟାପକ ପ୍ରବାଳକିଶୋର, ଯେଉଁ ଝଡ଼ର ସମ୍ମୁଖୀନ ହୋଇଛନ୍ତି, ତାହା ହେଉଛି ଆଧୁନିକ ଅସହାୟ ମଣିଷର ଅନ୍ତର୍ଦ୍ୱନ୍ଦ୍ୱ । ସମୁଦ୍ର କୂଳରେ ଛାଡ଼ି ଆସିଥିବା ଜିପ୍‌ ଓ ପରିତ୍ୟକ୍ତ କୋଠାର ଚୌକିଦାର ଝଡ଼ର ଲେଶମାତ୍ର ପ୍ରକୋପ ଅନୁଭବ କରିନଥିବା ସତ୍ତ୍ୱେ‌ ଚରିତ୍ରମାନେ ସୃଷ୍ଟି ଓଲଟି ପଡ଼ିବାର ଆଶଙ୍କାରେ ଭୟଭୀତ ହୋଇପଡ଼ିଛନ୍ତି । ଆଧୁନିକ ମଣିଷ ପାଇଁ ଏ ଅସହାୟତା ଅବଶ୍ୟ ନୂଆ ନୁହେଁ । ଅତି ନିକଟରୁ ନିରୀକ୍ଷଣ କଲେ ଏହାକୁ ଜୀବନର ବାସ୍ତବ ସତ୍ୟ କୁହାଯାଇପାରେ । ଟି. ଏସ. ଇଲିଅଟ୍‌ଙ୍କ ‘ଓ୍ୱେଷ୍ଟଲେଣ୍ଡ’ କବିତାରେ, ଓ୍ୱେଷ୍ଟମିଷ୍ଟର ବ୍ରିଜ ଭାଙ୍ଗିଗଲା ପରି, ସବୁଆଡ଼େ ଭାଙ୍ଗିଯିବାର ଶବ୍ଦ, ଆଧୁନିକ ମଣିଷର ମନକୁ ଭୟଭୀତ କରିଦେଇଛି ।

 

‘ଶେଷବସନ୍ତର ଚିଠି’ ଗଳ୍ପରେ ଗାଳ୍ପିକ ମନୋଜ ଦାସଙ୍କ ଏକ ନିରୀହ, ନିଷ୍ପାପ, କୋମଳମତି ଶିଶୁର ଅଭିନବ ମନସ୍ତତ୍ତ୍ୱ ପ୍ରତି ସକରୁଣ ସଂବେଦନାତ୍ମକ ଦୃଷ୍ଟିପାତ ଏକାନ୍ତ ମର୍ମସ୍ପର୍ଶୀ । ସରକାରୀ କଲେଜରୁ ଅବସର ନେବାପରେ, ଗାଳ୍ପିକ, ପ୍ରାଇଭେଟ ସାନ୍ଧ୍ୟ ମହାବିଦ୍ୟାଳୟରେ ଅଧ୍ୟାପକ ଜୀବନ ବିତାଉଛନ୍ତି, ସହରରେ କେଉଁ ଏକ ଭଡ଼ାଘର ନେଇ । ଗାଳ୍ପିକ ପ୍ରତିଦିନ ଦେଖନ୍ତି, ଛୋଟ ବାଳିକାଟିଏ, ରାସ୍ତାକୁ ଘଣ୍ଟା ଘଣ୍ଟା ଅନାଇରହେ । ଫେରିବାଲାର ଡାକ, ମୋଟର ଟ୍ରାମର ଡାକ କୌଣସିଥିରେ ତା’ର ମନ ହେଲେ ନାହିଁ । ଆଖି ଦୁଇଟି ଉଦାସିଆ ଦିଶୁଥିଲେ ମଧ୍ୟ ତା’ର ମୁହଁରେ ଖୋଜିଲା ଖୋଜିଲା ଭାବ ଥିଲା । ପ୍ରତିଦିନ ଅପରାହ୍ନରେ ପୋଷ୍ଟମ୍ୟାନ ତାଙ୍କ ଦ୍ଵାର ଅତିକ୍ରମ କରି-ଯାଉଥିଲେ ସେ ଘରକୁ ଫେରୁଥିଲା ।

 

ଏଇ ଟିକି ଝିଅଟି ହେଉଛି ରୀନା, ଯେ’କି ତାର ମା’ଠାରୁ ଚିଠି ପାଇବା ଅପେକ୍ଷାରେ, ‘ଅପରାହ୍ନର ଅନେକ ସମୟ ଏମିତି ବିତାଇ ଦେଉଥିଲା । ମନୋଜ ଦାସଙ୍କ ଭାଷାରେ “ଶିଶୁ କନ୍ୟାଟିଏ ଭିତରେ ମୁଁ ଖାଲି ଶିଶୁର ସମସ୍ତ ଗୌରବ ଦେଖେନାହିଁ, ଅଧିକନ୍ତୁ ଦେଖିଥାଏ, ଏକ ସହଜାତ ମାତୃତ୍ୱର ସ୍ନେହ ସ୍ନିଗ୍‌ଧ ଝଲକ ।’’ (୩)

 

(୩)

ମନୋଜ ପଞ୍ଚବିଂଶତି - ମନୋଜ ଦାସ

 

ଦୂରସ୍ଥ ହସପିଟାଲ୍‌ରୁ ତା’ ମା ଦେଇଥିବା ଚିଠିଟି, ଦରୁଆନ ହାତରେ, ଗାଳ୍ପିକଙ୍କ ପାଖକୁ ପଠାଇଦେଇ ରୀନା ବୋଧେ ଆଶ୍ଵସ୍ତ ଅନୁଭବ କଲା । ରୀନାର ନିଶ୍ଚିତ ଧାରଣା ଥିଲା ଯେ, ସେ ନିଜେ ଯେମିତି ତା’ ମା’ର ଚିଠି ପାଇଁ ଅପେକ୍ଷାରତ ଥିଲା, ଗାଳ୍ପିକ ମଧ୍ୟ ସେହିପରି ଥିବେ । କାରଣ ଗାଳ୍ପିକ ମଧ୍ୟ ପ୍ରତିଦିନ ଅପରାହ୍ନରେ ରାସ୍ତାକୁ ଚାହିଁଥାନ୍ତି । ଚିଠିଟିକୁ ଆମୂଳଚୁଳ ପାଠ କରି ସାରିଲାପରେ ଗାଳ୍ପିକ ଜାଣିଲେ ଯେ ରୀନା’ର ମା’ଆଉ ଇହଜଗତରେ ନାହାନ୍ତି । ଏଇ ଚିଠି ହେଉଛି, ରୀନା ପାଇଁ, ତା’ର ମା’ଠାରୁ ଶେଷ ଚିଠି, ଶେଷ ବସନ୍ତର ।

 

ଆସନ୍ନ ବୃଦ୍ଧ ବୟସରେ ମଧ୍ୟ ଲେଖକଙ୍କ ହୃଦୟରେ ମାତୃସ୍ନେହର ସମସ୍ତ ସ୍ମୃତି ଜୀଇଁ ଉଠିଲା ଏବଂ ଅତ୍ୟନ୍ତ ଆର୍ଦ୍ର ଏବଂ ସିକ୍ତ କଣ୍ଠରେ ତାଙ୍କ ଓଠରୁ ଉଚ୍ଚାରିତ ହୋଇଥିଲା-‘ରୀନା, ଟିକି ମାଆଟି ମୋର’ ।

 

ମନୋଜ ଦାସ ‘ଶେଷ ବସନ୍ତର ଚିଠି’ ଗଳ୍ପସଂକଳନରେ ମୁଖ୍ୟ ଚରିତ୍ରମାନଙ୍କୁ ବିଶ୍ଲେଷଣ କରିବା ସହ ଗୌଣ ଚରିତ୍ରମାନଙ୍କୁ ଅମର୍ଯ୍ୟାଦା ପ୍ରଦାନ କରିନାହାନ୍ତି । ତାଙ୍କ ଗଳ୍ପମାନଙ୍କରେ ଯେତେସବୁ ଚରିତ୍ର ସ୍ଥାନ ପାଇଛନ୍ତି, ସମସ୍ତେ ଗୋଟେ ଗୋଟେ ଭିନ୍ନ ମଣିଷ ଏବଂ ସେ ସେମାନଙ୍କଦ୍ୱାରା ଜୀବନର ଭିନ୍ନ ଭିନ୍ନ ଦିଗ ଉନ୍ମୋଚନ କରାଇଛନ୍ତି ।

 

ମନୋଜ ଦାସଙ୍କ ଉକ୍ତ ଗଳ୍ପଗୁଡ଼ିକରେ ଆଧୁନିକ ମଣିଷର ମାନସିକ ଉଦ୍ଭଟତା, ବହୁବିଧ ଆଚରଣ, ମୃତ୍ୟୁ ସଚେତନତା ତଥା ଜୀବନକୁ ବିଶ୍ଲେଷଣ କରିବାର ଚିତ୍ର ଖୁବ୍‌ ଗମ୍ଭୀର ଓ ପ୍ରାଣବନ୍ତ-। ଅସ୍ତିତ୍ୱବାଦୀ ଦାର୍ଶନିକ ସୋରେନ୍‌ କିରକେଗାର୍ଡ, ଦସ୍ତୋଭସ୍କି, ଜାଁପଲ ସାର୍ତଙ୍କ ଦର୍ଶନ ସହିତ ଗଳ୍ପମାନଙ୍କର ଭାବରେ ପ୍ରାୟ ସାମ୍ୟତା ଲକ୍ଷ୍ୟ କରାଯାଇଥାଏ । ଆଦର୍ଶ ଓ ବିବେକର ସଚେତନତା ଓ ଅସଚେତନତାର ଊର୍ଦ୍ଧ୍ୱରେ, ଗାଳ୍ପିକ ମଣିଷ ଜୀବନର ନିରାଟ ସତ୍ୟ ଏବଂ ବୃହତ୍ତମ ସୂଷ୍ମାନୁଭବକୁ, ଶେଷବସନ୍ତର ଚିଠି ଗଳ୍ପସଂକଳନର ପୃଷ୍ଠାରେ ପ୍ରତୀକିତ କରିଛନ୍ତି ।

 

 

ଓଡ଼ିଆ ବିଭାଗ,

ସମ୍ବଲପୁର ବିଶ୍ଵବିଦ୍ୟାଳୟ

 

ସହାୟକ ଗ୍ରନ୍ଥ ସୂଚୀ

୧.

Modern Continental Literary Criticism - O.B. Hardison

୨.

ସାହିତ୍ୟେର ସ୍ଵରୂପ - ରବୀନ୍ଦ୍ରନାଥ ଠାକୁର

୩.

ଝଙ୍କାର - ୧୯୬୦

 

***

 

Unknown

ଭିନ୍ନ ଦିଗନ୍ତ, ସ୍ଵତନ୍ତ୍ର ଦୀପ୍ତି ଏବଂ ଔପନ୍ୟାସିକ ଶାନ୍ତନୁକୁମାର

ଡକ୍ଟର ସନ୍ତୋଷ ତ୍ରିପାଠୀ

(ଏକ)

 

ଓଡ଼ିଆ ଉପନ୍ୟାସର ସୁଦୀର୍ଘ ଏକଶହ ବର୍ଷର ପରଂପରାରେ ଉଭୟ ଅନ୍ତଃରୀଣ ସୌନ୍ଦର୍ଯ୍ୟ ଓ ବ୍ୟାବହାରିକ ଭାଷାର ବହିଃରଙ୍ଗୀୟ ଅଭିବ୍ୟଂଜନା ଚାତୁରୀ ଦୃଷ୍ଟିରୁ କଥାଶିଳ୍ପୀ ଶାନ୍ତନୁକୁମାର ଆଚାର୍ଯ୍ୟଙ୍କ ପରିକଳ୍ପିତ ଉପନ୍ୟାସଜଗତ ଅଧିକ ପ୍ରଭାବଯୁକ୍ତ, ଚେତନାଶୀଳ, ସ୍ଵଦେଶୀୟ ମୂଲ୍ୟବୋଧ ଅନୁରକ୍ତ ଓ ନୂତନ କଳାଭିମୁଖ୍ୟର ପରିଚାୟକ । ଦ୍ୱିତୀୟ ବିଶ୍ଵଯୁଦ୍ଧୋତ୍ତର ଆର୍ଥନୀତିକ ଅଭାବବୋଧ ଓ ସ୍ଵାଧୀନୋତ୍ତର ଭାରତୀୟ ଭାବମାନସର ଅବକ୍ଷୟମାଣ ସ୍ଥିତାବସ୍ଥାର ପୃଷ୍ଠଭୂମି ଉପରେ ଚଳନ୍ତି ଦୃଷ୍ଟିଭଙ୍ଗୀ, ଘଟାନ୍ତରିତ ଜୀବନବୋଧର କଞ୍ଚା ଅନୁଭୂତି ଏବଂ ସାଂସ୍କୃତିକ ସଂକଟବୋଧକୁ ନେଇ ତାଙ୍କ ଉପନ୍ୟାସଗୁଡ଼ିକ ପାଠକ ପ୍ରାଣରେ ଐନ୍ଦ୍ରଜାଲିକ ପ୍ରଭାବ ସୃଷ୍ଟି କରିଛି-। ମଣିଷର ପ୍ରାଣସତ୍ତାର ଭାସମାନ ସଂସ୍ଥିତି ଓ ଜୀବନର ବାସ୍ତବ ସତ୍ୟ ମଧ୍ୟରେ ଏକ ସାବେଗ ରୋମାଞ୍ଚଧର୍ମୀ ଚିତ୍ରାତ୍ମକ ଅତିବାସ୍ତବ ଉପଲବ୍ଧିକୁ ଅନୁସଂଧାନ କରି ବିଜ୍ଞାନସୁଲଭ ବିଶ୍ଳେଷଣ ଦେବାରେ ତାଙ୍କ ଉପନ୍ୟାସମାନସ ଏକ ସ୍ଵତନ୍ତ୍ର ଦୀପ୍ତି ଓ ମୌଳିକ ଦିଗନ୍ତର ଉନ୍ମୋଚନକାରୀ ସ୍ମାରକୀଭାବରେ ପ୍ରତିଭାତ ହୋଇ ଉଠିଛି । ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କ ରଚିତ ‘ନରକିନ୍ନର’, ‘ଶତାବ୍ଦୀର ନଚିକେତା’, ‘ତିନୋଟି ରାତ୍ରିର ସକାଳ’, ‘ଯାତ୍ରାର ପ୍ରଥମପାଦ’, ‘ଦକ୍ଷିଣାବର୍ତ୍ତ’, ‘ଅନ୍ୟଏକ ସମୟ ଅନ୍ୟ ଏକ ଭାରତ’, ‘ଶକୁନ୍ତଳା’, ‘ମନ୍ତ୍ରୀଙ୍କ ସେୟାର’, ‘ଧରିତ୍ରୀ କାନ୍ଦ’ ଏବଂ ଅନୁ ହଜିଯିବାପରେ’ ଇତ୍ୟାଦି ଉପନ୍ୟାସଗୁଡ଼ିକ ମଧ୍ୟରେ ଓଡ଼ିଆ ସହୃଦୟ ଉପନ୍ୟାସାମୋଦୀ ପାଠକସମାଜ କାହ୍ନୁ ଚରଣ, ଗୋପୀନାଥ, ରାଜକିଶୋର, ଜ୍ଞାନୀନ୍ଦ୍ର ଓ ନିତ୍ୟାନନ୍ଦ ପ୍ରମୁଖଙ୍କ ପରି ଗତାନୁଗତିକ ରୋମାଣ୍ଟିକ୍‌-ବାସ୍ତବବାଦୀ କାହାଣୀପ୍ରଧାନ ଉପନ୍ୟାସ ସଂରଚନାଭଙ୍ଗୀକୁ ପରିହାର କରି ଅତିବାସ୍ତବବାଦୀ ଶିଳ୍ପାଦର୍ଶସଂପନ୍ନ ସଂସ୍ଥିତିଶୀଳ କଳାକୌଶଳକୁ ଉପଲବ୍ଧ କରିଥାନ୍ତି । ତାଙ୍କ ଉପନ୍ୟାସରେ ବାସ୍ତବ ଜୀବନବୋଧ ସହିତ ପରିପୂରକ ଚରିତ୍ରସବୁ ଅତିବାସ୍ତବବାଦୀୟ ଶୈଳୀରେ ଅବଚେତନପ୍ରସୂତ ଗୋଟିଏ ଗୋଟିଏ ଝାପ୍‌ସା ଭାବନାର ପ୍ରତୀକ ରୂପେ ଆତ୍ମପ୍ରକାଶ କରିଛି ।

 

ସମାଜ, ସଂସ୍କୃତି ଓ ଜୀବନର କ୍ରମବିବର୍ତ୍ତିତ ମୂଲ୍ୟବୋଧ ଅଧିକ ପରିମାଣରେ ଶ୍ରୀ ଆଚାର୍ଯ୍ୟଙ୍କ ଉପନ୍ୟାସରେ ଜର୍ଜ, ଗୋଦରୀବୁଢ଼ୀ, ବାୟା, କୁଶା, ବାବାଜୀ, ଧୋବାବୁଢ଼ା, ବିଭୂପ୍ରସାଦ, ନଟବର, ମିନି, ଅନୁପମ ଓ ଯଜ୍ଞଦତ୍ତ ଇତ୍ୟାଦି ଚରିତ୍ରମାନଙ୍କ ବୃତ୍ତିପ୍ରବୃତ୍ତି ଭିତରେ ପ୍ରଚ୍ଛବିତ ହୋଇ ଉଠିଛି । ଚଳନ୍ତି ବିଶ୍ଵାସ, ଚଳନ୍ତି ସମୟ ଓ ଚଳିତ ପ୍ରାଣଧାରାର ଅନ୍ତଃଦୋଳନକୁ ଏସବୁ ଚରିତ୍ର ଭିତରେ ମେଜିକ୍‌ ରିୟାଲିଜ୍‌ମ ପ୍ରକ୍ରିୟାରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ପାଠକଙ୍କୁ ଫେରାଇ ଦେଇଛନ୍ତି ଯାହା ଭିତରେ ମଣିଷର ଅପେକ୍ଷା ତା’ର ସଂଘର୍ଷଶୀଳ ପ୍ରାଣର ସୂକ୍ଷ୍ମସତ୍ତାକୁ ଲକ୍ଷ୍ୟ କରାଯାଇଥାଏ ।

 

ଏତଦ୍‌ବ୍ୟତୀତ ପାରଂପରିକ ଶଗଡ଼ଗୁଳାରେ ସଂଚାଳିତ ଭୀଙ୍ଗୀ ପ୍ରଧାନର ଭାଷା ଶୈଳୀ ଅପେକ୍ଷା ଓଡ଼ିଆ ଉପନ୍ୟାସକୁ ବ୍ୟାବହାରିକ ଭାଷାର ଆଶ୍ରୟରେ ସାଙ୍କେତିକ ବ୍ୟଂଜନା ଓ ଚିତ୍ରଧର୍ମୀ ସୌନ୍ଦର୍ଯ୍ୟରେ ରଦ୍ଧିମନ୍ତ କରି କଥାଶିଳ୍ପୀ ଆଚାର୍ଯ୍ୟ ଅଭିନବତ୍ୱର ସ୍ଵାକ୍ଷର ପ୍ରଦାନ କରିଛନ୍ତି-। ଏହି ସାଙ୍କେତିକ ତଥା ସୂଚନାଧର୍ମୀ ବିମ୍ବପ୍ରଧାନ ବକ୍ତବ୍ୟଧର୍ମୀ ଶୈଳୀର ଅବଲମ୍ବନରେ ତାଙ୍କ ଉପନ୍ୟାସଗୁଡ଼ିକ ମନସ୍ତତ୍ତ୍ୱ, ଦର୍ଶନ, ବିଜ୍ଞାନ - ବିଶ୍ଲେଷଣ, ସ୍ଥିତିଶୀଳତା, ବାମପନ୍ଥୀ ଚେତନା, ମାନବବାଦୀ ଅନୁଚିନ୍ତା, ସ୍ଵଭାବବାଦୀ ପ୍ରବଣତା ଓ ଅତିବାସ୍ତବବାଦୀ ଅବବୋଧ, ଇତ୍ୟାଦି ଦିଗରୁ ଏକ ମିଶ୍ରିତ କଳାବେଦନ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଉପନ୍ୟାସର କ୍ରମବିକାଶରେ ପ୍ରଥମ କରି ପ୍ରୟୋଗବାଦିତା ନାମରେ ବୌଦ୍ଧିକ ପ୍ରତିମୂଲ୍ୟବୋଧର ସୂତ୍ରପାତ କରିଛି । ଏହି କ୍ରମରେ ଶାନ୍ତନୁବାବୁଙ୍କ ଉପନ୍ୟାସ ସଂସାରର ମୌଳିକ ଭାବଦିଗନ୍ତ ଓ ସ୍ଵତନ୍ତ୍ର କଳାଦୀପ୍ତି ସଂପର୍କରେ ପରିଶୀଳନ କରାଯାଇପାରେ ।

 

(ଦୁଇ)

 

ଅତିବାସ୍ତବବାଦୀ ଅବବୋଧ

ସ୍ଵୟଂକ୍ରିୟ ମାନସିକ ଶକ୍ତି ଚାଳନାରେ ଚରିତ୍ରମାନଙ୍କର ଅନ୍ତର୍ନିହିତ ପ୍ରାଣସତ୍ତା ଓ ମାନସିକ ସତ୍ତାର ସଂଗୁପ୍ତ ଭାବନା ତଥା ପ୍ରତିକ୍ରିୟାକୁ ପ୍ରକାଶ କରିବା ଦିଗରୁ ଶାନ୍ତନୁ କୁମାର ଆଚାର୍ଯ୍ୟ ଓଡ଼ିଆ ଉପନ୍ୟାସରେ ଅତିବାସ୍ତବବାଦୀ କଳାବବୋଧର ଅନ୍ୟତମ ପ୍ରବକ୍ତା ଭାବରେ ବହୁ ଚର୍ଚ୍ଚିତ । ବାହ୍ୟ ବାସ୍ତବତା ସହିତ ଅନ୍ତଃବାସ୍ତବତାର ସମନ୍ୱୟ ସ୍ଥାପନ କରି ଅବାସ୍ତବ ସ୍ଵପ୍ନ, ଅବଚେତନମନର ଦୋଳନ ଓ ମାନସିକ ଜଗତର ଆଦିମ କ୍ରିୟାପ୍ରତିକ୍ରିୟାକୁ ଉପନ୍ୟାସର ଚିତ୍ର ଚରିତ୍ର ମଧ୍ୟରେ ପ୍ରତିଫଳନ କରାଇ ଶ୍ରୀ ଆଚାର୍ଯ୍ୟ ନିଜର ଅନୁଭୂତିକୁ ଅତିବାସ୍ତବବାଦୀ ରୂପାୟନ ଦେଇଛନ୍ତି । ‘ନରକିନ୍ନର’ ଉପନ୍ୟାସରେ ଅନ୍ନଦାତ୍ରୀ ମାତୃତ୍ୱମହିମାଦୀପ୍ତା ଗୋଦରୀବୁଢ଼ୀ ପ୍ରତି ତା’ର ଆଶ୍ରିତ ବୀରସାମଲ, ନଜିରମିଆଁ, ଗଜିଆ, କାମାୟା, ଚରଣରାଓ ଇତ୍ୟାଦିଙ୍କର ଜୈବିକ ଦୁର୍ବଳତା, ‘ଶତାବ୍ଦୀର ନଚିକେତା’ରେ ନଟବର ପ୍ରତି ନଗ୍ନ ଆକର୍ଷଣରେ ମୋହାଚ୍ଛନ୍ନା ସୁକୁମାରୀ ପ୍ରତି ବିଭୁପ୍ରସାଦର ପୈଶାଚିକ ପ୍ରତିକ୍ରିୟାଶୀଳ ଆଚରଣ, ବିକାର ମାନସିକତା ଭିତରେ ‘ଯାତ୍ରାର ପ୍ରଥମପାଦରେ’ ପୂଜାଯୋଗ୍ୟ ରାଜନୈତିକ ମଣିଷର ଅନୈତିକ ଭୋଗବାଦୀ ନାରୀ ଧର୍ଷଣ ପିପାସା, ‘ଦକ୍ଷିଣାବର୍ତ୍ତ’ରେ ଧୋବାମହାଜନର ପଦ୍ମଫୁଲିଆ ଝିଅ ପ୍ରତି ବାବାଜୀ ମନରେ ସଂଜାତ ସଂଗୁପ୍ତ ଦୁର୍ବଳତା, ଶକୁନ୍ତଳା ପ୍ରତି ମାୟାର ଜୈବିକ ନଗ୍ନତାର ଆଚରଣ, ନାରୀ-ଭୋଗବାଦୀ ମଣିଷର କୃତ୍ରିମ ସଂପର୍କ ପ୍ରତିଷ୍ଠା ଇତ୍ୟାଦି ମଧ୍ୟରେ ବାହ୍ୟ ବାସ୍ତବତା ଦେଇ ଅନ୍ତଃ ବାସ୍ତବତାର ସଂଗୁପ୍ତ ଚିତ୍ରକୁ ସାବେଗ-ରୋମାଞ୍ଚଧର୍ମୀ ଅନର୍ଗଳତା ଭିତରେ ଶ୍ରୀ ଆଚାର୍ଯ୍ୟ ଅତିବାସ୍ତବବାଦୀ ନିର୍ମାଣଧର୍ମ ଭିତ୍ତିରେ ପ୍ରକାଶ କରିଛନ୍ତି ।

 

ଜଣେ ଅତିବାସ୍ତବବାଦୀ କଥାଶିଳ୍ପୀ ରୂପେ ଶାନ୍ତନୁବାବୁ ବିଷୟ, ଚରିତ୍ର ଓ ଘଟଣା ନିର୍ବାଚନରେ ସଯତ୍ନ ସତ୍ୟାନୁସଂଧାନୀ ହୋଇ ସତ୍ୟକୁ ମାନସିକ ମୂଲ୍ୟବୋଧ କ୍ରମେ କାବ୍ୟିକ କଳ୍ପନାର ଚିତ୍ରାତ୍ମକ ଚାହାଣିରେ ପ୍ରଖ୍ୟାପନ କରିଛନ୍ତି । ସାମାଜିକ ଅଙ୍ଗାକାରବାଦୀ ଜୀବନଧାରାରେ ଆପାଙ୍‌କ୍ତେୟ ଜର୍ଜ; ଅଂଧାରୀ ଅଜ୍ଞତା ଭିତରେ ଜନ୍ମ ନେଇଥିବା ରୈକ୍ୱ; ସାମାଜିକ ବିପ୍ଲବ ମାଧ୍ୟମରେ ଏକ ସମତାଶୀଳ ଗଣଚେତନାର ସ୍ୱପ୍ନ ଦେଖିଥିବା ବାୟା, କୁଶା; ଜୀବନର ପ୍ରତିଟି ଅନୁଭୂତି ଭିତରେ ଏକ ଭାସମାନ ଅଭିଳାଷର ଅନୁଗାମୀ ହୋଇଥିବା ଅନୁପମ; ଆତ୍ମ-ବିଡ଼ମ୍ବନାରୁ ଦ୍ରୁତ ଅଭ୍ୟୁତ୍‌ଥାନ ଭିତରେ ସଂକଳ୍ପ ନେଇ ଫାଣ୍ଟାସିରେ ପହଞ୍ଚିଥିବା ଧର୍ଷିତା ମିନି; ବିଭୁପ୍ରସାଦ ଓ ନଟବରଙ୍କ ଲକ୍ଷ୍ୟହୀନ ଜୀବନଯାତ୍ରା ଭିତରେ ଆଧୁନିକ ଯୁବଗୋଷ୍ଠୀର ବିଭଙ୍ଗ ମାନସିକତା; ଧୋବାବସ୍ତିର ପଚମାନ କଳୁଷିତ ଅଜ୍ଞାନ ଗଣବିଶ୍ଵାସର ସ୍ଥିତାବସ୍ଥା ଓ ପ୍ରକୃତି ପାଖରେ ପାର୍ଥିବ ବସ୍ତୁଗତ ସଂପଦକୁ ତ୍ୟାଗକରି ବସ୍ତୁବାଦୀ ମଣିଷର ଦକ୍ଷିଣାବର୍ତ୍ତ ପରିକ୍ରମା ଇତ୍ୟାଦିକୁ ଅନୁଶୀଳନ କଲେ ଯେକେହି ବୁଦ୍ଧିଜୀବୀ ପାଠକ ଏହି ସିଦ୍ଧାନ୍ତରେ ଉପନୀତ ହେବେ ଯେ ‘ନରକିନ୍ନର’ଠାରୁ ‘ଅନୁ ହଜିଯିବା ପରେ’ - ପ୍ରତ୍ୟେକଟି ଉପନ୍ୟାସରେ ଶାନ୍ତନୁ ସ୍ରଷ୍ଟାମାନସ ଏହି ସତ୍ୟରେ ପହଞ୍ଚିଛି - ଯେତିକି ଦୃଶ୍ୟମାନ ସେତିକି ମଧ୍ୟରେ ବାସ୍ତବତା ସୀମିତ ନୁହେଁ । ଦୃଶ୍ୟମାନ ସମାଜ, ମଣିଷ ଓ ଚଳଣିର ବସ୍ତୁବାଦୀ ଭାବସତ୍ତାର ଅନ୍ତଃସ୍ଥଳରେ ସୂକ୍ଷ୍ମ ରୂପରେ ଯେଉଁ କ୍ରିୟାପ୍ରତିକ୍ରିୟାର ନିର୍ଯ୍ୟାସ ଜଡ଼ିତ ତାହା ବାସ୍ତବଠାରୁ ଅଧିକ ସତ୍ୟ ଏବଂ ଏହି ସୂତ୍ରରେ ଅତିବାସ୍ତବ-। ଜର୍ଜଠାରେ ନଜିରମିଆଁ, ହରିମିସ୍ତ୍ରୀ, କବିରାଜବୁଢ଼ା, ମିସେସ୍‌ ଆଡ଼ାମ ଏହି ଅତିବାସ୍ତବ ସତ୍ତାଙ୍କୁ ଦେଖି ନିଜ ନିଜର ଗୋପନ ଗୁଣରାଶିକୁ ତା’ ନିକଟରେ ସମର୍ପି ଦେଇଛନ୍ତି । ଛୋଟା ଗରୁଡ଼ ବି ଜର୍ଜକୁ ପାହାଡ଼ ଚଢ଼ିବାର ସର୍ବୋତ୍ତମ କୌଶଳଟି ଶିଖାଇ ଦେବାକୁ ପଶ୍ଚାତ୍‌ପଦ ହୋଇନାହିଁ । ଧୋବାବସ୍ତିରେ ନିର୍ବିକାର ଚିତ୍ତରେ ମଇଳା ଲୁଗା ସଫାକରିବାର ଅନ୍ତରାଳରେ ମନୁଷ୍ୟ ଅନ୍ତରରୁ ଅଂଧାରୀ ଆବିଳତାର ଧାରଣାକୁ ପରିଷ୍କାର କରିଦେଇ ସତ୍ୟ-ଶାନ୍ତି-ପବିତ୍ରତାର ଦିଗ ସମ୍ବନ୍ଧରେ ମାର୍ଗ ପ୍ରଦର୍ଶିତ କରାଇଥିବା ରୈକ୍ୱଠାରେ ଅତିମାନସିକ ଅତିବାସ୍ତବ ସତ୍ତାକୁ ଦେଖି ଧୋବାବୁଢ଼ା, ବୁଢ଼ୀ, ମହାଜନବୁଢ଼ା ଓ ତାର ପଦ୍ମଫୁଲିଆ ଝିଅ ସ୍ଵାଭାବିକ ଭାବରେ ତା’ଠାରେ ନିଜତ୍ୱକୁ ଅଜାଡ଼ି ଦେଇଛନ୍ତି ଯାହା ଅତିବାସ୍ତବତା ଭିତ୍ତିରେ ବାସ୍ତବ ହୋଇ ଉଠିଛି । ଅନୁରୂପଭାବରେ ଶଙ୍କୁନ୍ତଳାଠାରେ କଣୁଆଁ ଗ୍ରାମବାସୀଙ୍କର ଏକ ଅହେତୁକ ଶକ୍ତିର ଅନୁସଂଧାନ, ଯାତ୍ରାଦଳର ଗୋଟି ପୁଅ କୃଷ୍ଣଠାରେ ସୁପ୍ରୀତିଙ୍କର ପରମ ପ୍ରେମସତ୍ତାର ଉପଲବ୍ଧି, ଯଜ୍ଞଦତ୍ତର ସମୟୋଚିତ ଅନୁସନ୍ଧିତ୍ସା, ଅନୁପମର ମୂଲ୍ୟବୋଧ ପ୍ରତି ଏକ ପ୍ରତିକ୍ରିୟାଶୀଳ ଅନ୍ୱେଷାତ୍ମକ ଆକର୍ଷଣ, ବିଭୁପ୍ରସାଦ, ନଟବର ଓ ମନମୋହନଙ୍କ ସ୍ଖଳନଜନିତ ନିଷ୍ଫଳ ମାନସିକତାର ବ୍ୟକ୍ତିତ୍ୱକୁ ନେଇ ଶ୍ରୀଯୁକ୍ତ ଆଚାର୍ଯ୍ୟ ପ୍ରମାଣ କରି ଦେଇଛନ୍ତି ଦୃଶ୍ୟମାନ ସାମାଜିକ ସତ୍ତାର ପରଦା ଅନ୍ତରାଳରେ ସୂକ୍ଷ୍ମାତିସୂକ୍ଷ୍ମ ବିନ୍ଦୁରୂପରେ ଅତିବାସ୍ତବ ସତ୍ତା ସଂଗୁପ୍ତ ରହିଛି ।

 

ନିଜର ଅନ୍ନଦାତ୍ରୀ ଓ ପାଳନକର୍ତ୍ତ୍ରୀ ମାତୃପ୍ରତିମ ନାରୀଟି ପ୍ରତି ବୀରସାମଲ, କାମାୟା, ଗଜିଆ, ଇତ୍ୟାଦିଙ୍କର ଦେହବାଦୀୟ ଆକର୍ଷଣ, ଲଣ୍ତ୍ରୀବାଲୀ ପ୍ରତି ଜର୍ଜର ଅବଚେତନ ମନର ସ୍ରୋତାୟିତ ତରଙ୍ଗାୟିତ ଭାବାନ୍ତର, ସୁପ୍ରୀତିଙ୍କ ପ୍ରତି ମନ୍ତ୍ରୀ ବଳିୟାର ସିଂଙ୍କ ନଗ୍ନମନର ଦୁର୍ବଳ ଆକର୍ଷଣ, ମିନି ପ୍ରତି ଗୋଧିମାନଙ୍କର ପଙ୍କିଳ କଳୁଷିତ ମାନସିକତା, ମୁରାଶା ସମ୍ବନ୍ଧରେ ବିଭୁପ୍ରସାଦର ଇନ୍ଦ୍ରିୟଗ୍ରାହୀ ଆବେଗ, ସୁକୁମାରୀର ନଟବରର ବ୍ୟକ୍ତିତ୍ୱ ପ୍ରତି ଥିବା ଯୌନପ୍ରବଣ ଆସକ୍ତି ଇତ୍ୟାଦିକୁ ଶାନ୍ତନୁବାବୁଙ୍କ ଉପନ୍ୟାସରୁ ଅଧ୍ୟୟନକଲେ ସ୍ପଷ୍ଟ ପ୍ରତିପନ୍ନ ହୁଏ ଯେ ଅବଚେତନଶୀଳ ନଗ୍ନ ଭାବାନ୍ତର ଦେଇ ବ୍ୟକ୍ତିର ଭାସମାନ ସତ୍ତାକୁ ରୂପାୟନ ଦେବା ହିଁ ଅତିବାସ୍ତବବାଦ । ମଣିଷର ଇଚ୍ଛା, ଆବେଗ, ପ୍ରବଣତା, ଉପଲବ୍‍ଧି, ଆସକ୍ତି ଓ ବଂଚିବାର ବିଧିସତ୍ୟକୁ ଅବଚେତନ ପ୍ରତିକ୍ରିୟାବୋଧ ଦ୍ଵାରା ପ୍ରଣୋଦିତ କରାଇ ଶାନ୍ତନୁବାବୁ ସର୍ବପ୍ରଥମେ ସାଙ୍କେତିକ ଅନର୍ଗଳତା ଭିତରେ ମ୍ୟାଜିକ୍‌ ରିୟଲିଜମର ଚିତ୍ରଧର୍ମୀ ଅଭିବ୍ୟଂଜନା ଦେଇ ଓଡ଼ିଆ ଉପନ୍ୟାସରେ ଅତିବାସ୍ତବବାଦୀ ଦର୍ଶନର ପରୀକ୍ଷା କରିଛନ୍ତି ଏବଂ ଯେଉଁଠି ପ୍ରକୃତି ପାଖରେ ଜୀବନର ସମସ୍ତ ବସ୍ତୁବୋଧକୁ ସମର୍ପି ଦେବାକୁ ଉପନ୍ୟାସର ସ୍ଵଭାବବାଦୀ ନାୟକ ବାବାଜୀ ଘୋଷଣା କରିଛି - ‘ପ୍ରକୃତି ଜଗିବ ସବୁ, ଯିଏ ଜଗିଛି ଆମର ଏଇ ବନ ପର୍ବତ ନଦୀ ସମୁଦ୍ରକୁ ।’

 

(ତିନି)

 

ସ୍ଥିତି ବାଦୀ ମୂଲ୍ୟବୋଧ

ମଣିଷ ଭିତରେ ବଂଚିବାର, ଅନ୍ୱେଷଣ କରିବାର ଓ ନୂତନ ସିଦ୍ଧିତ୍ୱ ଲାଭ କରିବାର ଏକ ଊର୍ଦ୍ଧ୍ୱଗ ଶାସ୍ତ୍ରୀୟ ଜୀବନାନୁଭୂତିରୁ ଦାର୍ଶନିକ ମନନଶୀଳତା ଭିତରେ କଥାଶିଳ୍ପୀ ଶାନ୍ତନୁ ଆଚାର୍ଯ୍ୟ ଅନ୍ତର୍ମୁଖୀ ବାସ୍ତବତାର ଅନୁବ୍ରତୀ ହୋଇଛନ୍ତି । ଏଯାବତ୍‌ ରଚିତ ତାଙ୍କର ଦଶଖଣ୍ଡି ଉପନ୍ୟାସରେ ସ୍ଥିତିବାଦୀ ଅଂଧାରୀ ଚେତନା (Dark blood consciousness for existence) ସହିତ ବଞ୍ଚିବାର ମୌଳିକ ଅଭିଳାଷର ନାନ୍ଦନିକ ମୂଲ୍ୟବୋଧର ମନନଶୀଳ ରୂପାୟନକୁ ପ୍ରତୀକାତ୍ମକ ଶିଳ୍ପବ୍ୟଂଜନା ମଧ୍ୟରେ ଅନୁଭବ କରାଯାଇଥାଏ । ଗତାନୁଗତିକ ସଇତାନୀ ଚରିତ୍ର, ଆଦର୍ଶବାଦୀ ଚରିତ୍ର, ପୁଲକବାଦୀ ଚରିତ୍ର ଓ ଭାବପ୍ରବଣ ଚରିତ୍ରକୁ ତ୍ୟାଗ କରି ଜଣେ ସଂସ୍ଥିତିଶୀଳ ଚେତନାବାଦୀ ଔପନ୍ୟାସିକଭାବରେ ଶାନ୍ତନୁବାବୁ (Existentialist-Novelist) ବ୍ୟକ୍ତିବାଦୀ ମଣିଷର ବଂଚିବାର ଦାର୍ଶନିକ ଅଭିଳାଷକୁ ନେଇ ଚରିତ୍ର ଚିତ୍ରଣ କରିଛନ୍ତି । ମଣିଷଟିଏ ନୂଆକରି ତିଆରି କରିବାର ଆତ୍ମପ୍ରତ୍ୟୟବାଦୀ ଜର୍ଜଠାରୁ ମଣିଷ ଉପରେ ଗୁରୁତ୍ୱ ଆରୋପ କରି ଅଂଧାରୀ ଅଜ୍ଞତାର ପଚମାନତାରୁ ଶୁଦ୍ଧସତ୍ତାର ଉତ୍ତରଣ ମଣିଷର ପରିକଳ୍ପନାରେ ଅଭିଳଷିତ ଦକ୍ଷିଣାବର୍ତ୍ତର ଅନୁସନ୍ଧାନୀ ଚରିତ୍ର ଜର୍ଜ ଏବଂ ବାସ୍ତବତା ଭିତରୁ ଜୀବନର ମୂଲ୍ୟବୋଧକୁ ଭିନ୍ନଭାବରେ ବିଚାର କରି ନିଜସ୍ଵ ପରିଧିର ଚେତନାରେ ଜଗତକୁ ପରିମାପ କରିଥିବା ଅନୁପମ ଚରିତ୍ର ପର୍ଯ୍ୟନ୍ତ ଶାନ୍ତନୁବାବୁଙ୍କ ପ୍ରତ୍ୟେକ ଚରିତ୍ର ବଂଚିବାର ସ୍ଵତନ୍ତ୍ର ସ୍ଵତନ୍ତ୍ର ଅଭିଳାଷରେ ବେଶ୍‌ ଚଳନ୍ତି ସମୟର ସ୍ଥିତିବାଦୀୟ ପ୍ରତିନିଧିତ୍ୱ କରିପାରିଛନ୍ତି । ଗୋଦରୀ ବୁଢ଼ୀ, ନଟବର, ଚରଣରାଓ, ଗରୁଡ଼, ବିଭୁପ୍ରସାଦ, କୁଶା, ବାୟା, ଯଜ୍ଞଦତ୍ତ, ଦେବବ୍ରତ, ସୁପ୍ରୀତି , ଡିମୋକ୍ରାସି ଜାବାଳ, ଧୋବାବୁଢ଼ା ଇତ୍ୟାଦି ଚରିତ୍ରମାନଙ୍କରେ ସୃଜନଶୀଳତାର ଅନ୍ତରାଳରେ ବଞ୍ଚି ରହିବାର ଓ ସଂସ୍କାରମୁକ୍ତ ହୋଇ ନୂତନ ନୂତନ ଉପାୟ ମଧ୍ୟରେ ଜୀବନକୁ ପରିଚାଳିତ କରାଇ ନେବାର ଏକ ଉଦାତ୍ତ କାବ୍ୟସୁଲଭ ଦାର୍ଶନିକ ଭାବନାକୁ ଉପଲବ୍ଧି କରାଯାଇଥାଏ ।

 

କଥନକଳାକୁ ଅସ୍ଵୀକାର କରି ଶାନ୍ତନୁ ଶିଳ୍ପୀପୁରୁଷ ଉପନ୍ୟାସରେ ବ୍ୟକ୍ତିକ ଅବଚେତନର ଆତ୍ମନିଷ୍ଠତାକୁ ଚରମ ସତ୍ୟ (Truth is subjectivity) ଭାବରେ ଗ୍ରହଣ କରି ଭାବ-ପ୍ରଧାନ ବକ୍ତବ୍ୟଧର୍ମୀ ଶିଳ୍ପକୌଶଳକୁ (Idealistic uttering art - from) ବୌଦ୍ଧିକ ରସସିକ୍ତତା । (Intellectual complex) ମାଧ୍ୟମରେ ପରୀକ୍ଷା କରିଛି । ତାଙ୍କ ଉପନ୍ୟାସର ମଣିଷଗୁଡ଼ିକ ପାରିପାର୍ଶ୍ୱିକ ଚଳନ୍ତିକା ମଧ୍ୟରେ ବଂଚିବା ପାଇଁ ଆତ୍ମାର ଦୁଃସାହସିକ ଯାତ୍ରା (the adventures of the soul for existence in current situations) କରିଛନ୍ତି । ପେଟ ଓ ପାଟିର ସଂସାର ଭିତରେ ବଂଚିବାକୁ ଏକମାତ୍ର ବୃହତ୍ତମ ସତ୍ୟ ଭାବରେ ଅନୁଭବକରି ଜୀବନର ସାରସତ୍ତାକୁ ଅନ୍ୱେଷାବୋଧର ବକ୍ରରେଖା ଉପରେ ଗତିଶୀଳକରାଇ ନେଇଥିବା ‘ନରକିନ୍ନର’ର କେନ୍ଦ୍ର ଚରିତ୍ର ଜର୍ଜ; ମିଛରୁ ସତ୍ୟର ସଂଧାନ କରି ଅଂଧାରୀ ସମାଜର ଯାବତୀୟ ମଳିନତାକୁ ଧୋବା ଗଣ୍ଡିରାକୁ ସଫା କରିବା ପରି ପରିଚ୍ଛନ୍ନ କରିବା ନିମନ୍ତେ ନିର୍ବିକାର ଆତ୍ମପ୍ରତ୍ୟୟ ଭିତରେ ସଂଘର୍ଷ କରିଥିବା ଦକ୍ଷିଣାବର୍ତ୍ତର ରୈକ୍ୱ; ନୈତିକତାବିହୀନ ରୁଗ୍‌ଣ ମାନସିକତାର ଶିକାରୀ ମିନି, ସୁପ୍ରୀତି, ମୁରାଶା ଓ ଶକୁନ୍ତଳା; ନିରର୍ଥକ ମୂଲ୍ୟବୋଧ ସହିତ ଜୀବନର ଅବକ୍ଷୟମାଣତାକୁ ସ୍ଵୀକାର କରି ନେଇଥିବା ଆତ୍ମବିଚ୍ଛିନ୍ନତାବାଦୀ ଚଳନ୍ତି ଶତାବ୍ଦୀର ‘ଅସହାୟ ନଚିକେତା’ - ବିଭୁପ୍ରସାଦ, ନଟବର ଓ ମନମୋହନ; ସମୟର ବାସ୍ତବ ସତ୍ତା ଭିତରେ ଜୀବନର ଉଗ୍ର ହତାଶାକୁ ସନ୍ଦର୍ଶନ କରି ମୂଲ୍ୟବୋଧର ସଂକଟ ଭିତରେ ବ୍ୟକ୍ତିସତ୍ତାଙ୍କୁ ସାବେଗ ହଜେଇ ଦେଇଥିବା ଆତ୍ମନିରୁଦ୍ଦେଶ୍ୟ ଅନୁପମ ଏବଂ ପାରଂପରିକ ଧାରଣା ଓ ପରିବର୍ତ୍ତନ ପ୍ରବଣତା ଭିତରେ ଘଟାନ୍ତରିତ ସାମାଜିକ ଅଙ୍ଗୀକାରବୋଧର ପ୍ରମୂର୍ତ୍ତ ସାକ୍ଷୀ ଯଜ୍ଞଦତ୍ତ ଇତ୍ୟାଦି ଚରିତ୍ରଗୁଡ଼ିକୁ ସମୀକ୍ଷାତ୍ମକ ବ୍ୟବଚ୍ଛେଦ କଲେ ସ୍ପଷ୍ଟ ଉପଲବ୍ଧ ହୁଏ ଯେ ଶାନ୍ତନୁ କଳାମାନସ ଚରିତ୍ର ସୃଜନରେ ଜୀବନର ବଳିଷ୍ଠ ସଦ୍ୟତମ ଉପାଦାନକୁ (current element too strong for life) ଜଣେ ସଂସ୍ଥିତି ସଚେତନଶୀଳ ଔପନ୍ୟାସିକ ରୂପେ ଗଠନକଳାର ଆଧାର ରୂପେ ଗ୍ରହଣ କରିନେଇଛି ।

 

ଦସ୍ତୋଭସ୍କି, ନିତ୍‌ସେ, ସାର୍ତ୍ତ, କାମ୍ୟୁ, କାଫ୍‌କା ଓ ହେମିଙ୍ଗ୍‌ଓ୍ୱେଙ୍କ ପରି କଥାଶିଳ୍ପୀ ଓ ଚିନ୍ତାନାୟକମାନଙ୍କ ସମ ଶାନ୍ତନୁ ମଣିଷର ସାଂସ୍କୃତିକ ବିପର୍ଯ୍ୟୟ, ମାନସିକ ନାସ୍ତିବାଚକତା ଓ ତା’ର ଆଧ୍ୟାତ୍ମିକ ଭାବାନୁଭୂତି ସହିତ ଅବଚେତନର ଦୋଳନକୁ ଉପନ୍ୟାସର ଚରିତ୍ର ଓ ବିଷୟବୃତ୍ତ ଭିତରେ ଅପୂର୍ବ ସମନ୍ୱୟ ଭିତ୍ତିରେ ପ୍ରଖ୍ୟାପନ କରିଛନ୍ତି । ଉପନିଷଦ, ଗୀତା, ମହାଭାରତ, ରାମାୟଣ, ବୈଷ୍ଣବ ତତ୍ତ୍ଵ ପୃଷ୍ଠଭୂମିରେ ତାଙ୍କ ଉପନ୍ୟାସରେ ଆଧ୍ୟାତ୍ମିକ ସଂକଟ ସହିତ ମଣିଷ ଜୀବନର ସାଂସ୍କୃତିକ ଉଦ୍‌ଭଟତା ରୂପାୟିତ ହୋଇଛି ଯାହା ପାଠକକୁ ସ୍ଥିତିବାଦୀୟ କଳାବେଦନରେ ଆକର୍ଷଣ କରିଥାଏ । ‘ନରକିନ୍ନର’ରେ ଧର୍ମଭୀରୁ ମଣିଷମାନଙ୍କୁ ପ୍ରତାରିତକରି ପଇସା ରୋଜଗାର କରିବାକୁ ଜର୍ଜ ଘୃଣା କରିଛି । ‘ଶକୁନ୍ତଳା’ରେ ପୁରାଣ ପରଂପରାର ଶାଶ୍ୱତ ନାରୀସତ୍ତାକୁ ଲୁଣ୍ଠନ କରାଯାଇଛି ଏବଂ ବାୟା, କୁଶାଙ୍କ ନକ୍‌ସଲପନ୍ଥୀ ଆନ୍ଦୋଳନ ଜଗନ୍ନାଥ ଚେତନାର ଦୃଢ଼ ସାଂସ୍କୃତିକ ପ୍ରଭାବ ପାଖରେ ବିଫଳ ହୋଇଛି । ‘ଶତାବ୍ଦୀର ନଚିକେତା’ରେ ସାଂପ୍ରତିକ ଯୁବମାନସ ମଧ୍ୟରେ ଉପନିଷଦୀୟ ନଚିକେତାର ଦୃଢ଼ ଆତ୍ମପ୍ରତ୍ୟୟର ଅଭାବ ସାଂସ୍କୃତିକ ଅବକ୍ଷୟମାଣତାର ପ୍ରତିଭୂ ଭାବରେ ରୂପ ପାଇଛି । ‘ଦକ୍ଷିଣା ବର୍ତ୍ତ’ରେ ଉପନିଷଦୀୟ କର୍ମବାଦୀ ସତ୍ୟନିଷ୍ଠ ପବିତ୍ର ମାନବାତ୍ମାର ଉତ୍ତରଣତ୍ୱକୁ ଗୀତା, ରାମାୟଣ ଓ ଭାଗବତର ଆଧିଭୌତିକ ସୌନ୍ଦର୍ଯ୍ୟ ଭିତରେ ରୈକ୍ୱ ଚରିତ୍ର ମଧ୍ୟରେ ପ୍ରତିଫଳିତ କରାଇ ଔପନ୍ୟାସିକ ସାଂସ୍କୃତିକ ଅଂଧାରୀ ସ୍ଥିତାବସ୍ଥାରୁ ମଣିଷକୁ ମୁକ୍ତକରି ଶାନ୍ତି ଓ ପବିତ୍ରତାର ଦକ୍ଷିଣାଭିମୁଖୀ କରାଇନେବାକୁ ପ୍ରୟାସ କରିଛନ୍ତି । ‘ଧରିତ୍ରୀର କାନ୍ଦ’ରେ ପ୍ରାଚୀନ ଆଧ୍ୟାତ୍ମିକ ମୂଲ୍ୟବୋଧର ସମାଜ ଓ ଆଧୁନିକ ବ୍ୟସ୍ତିବାଦୀ ବସ୍ତୁତାନ୍ତ୍ରିକସଭ୍ୟତାର ସଂଘର୍ଷକୁ ଗ୍ରାମ୍ୟ ଜୀବନ ଓ ସହରାଭିମୁଖୀ ଗ୍ରାମ୍ୟମାନସର ଅନ୍ତଃଦ୍ୱନ୍ଦ୍ୱ ମଧ୍ୟରେ ପରିସ୍ଫୁଟନ କରାଯାଇଛି । ଏସବୁ ପ୍ରମାଣିତ କରେ ଶାନ୍ତନୁବାବୁ ତାଙ୍କ ଉପନ୍ୟାସସଂସାରର ଭାବପିଣ୍ଡରେ ଏକ ସାଂସ୍କୃତିକ ଅବବୋଧକୁ ଏବଂ ତା’ର ଅବମୂଲ୍ୟାୟନ ମାନସିକ ଘଟାନ୍ତରକୁ ମୌଳିକ ଆତ୍ମସତ୍ତାଭାବରେ ଅବଲମ୍ବନ କରିଛନ୍ତି ।

 

ଜଣେ ନିଷ୍ଠାପର ସଂସ୍ଥିତିଶୀଳ ଚେତନା ଅନୁକାରୀ କଥାଶିଳ୍ପୀ ଶାନ୍ତନୁଙ୍କ ଉପନ୍ୟାସରେ ମଣିଷର ଅନ୍ତଃବ୍ୟକ୍ତିତ୍ୱକୁ ଜାଣିବା ଏବଂ ତା’ର ସ୍ଵାଧୀନ ମନୋବୃତ୍ତି ତଥା ଇଚ୍ଛାବୃତ୍ତି (Free-human will and intention) ପ୍ରତି ସଶ୍ରଦ୍ଧ ଧ୍ୟାନଦେବା ବିଷୟରେ ଅଧିକ ଗୁରୁତ୍ୱ ଦିଆଯାଇଥିବାର ଲକ୍ଷ୍ୟ କରାଯାଏ । ସ୍ଵାଧୀନ ଇଚ୍ଛାବୃତ୍ତି ତାଙ୍କ ଚରିତ୍ରମାନଙ୍କର ସ୍ଥିତିର ନିୟାମକ ହୋଇଛି । ନିଜର ସମକାଳୀନ ଓ ନିଜସ୍ଵ ସାଂସ୍କୃତିକ ଭୂଖଣ୍ଡର ମୂଲ୍ୟବୋଧାନୁସାରୀ ମଣିଷମାନଙ୍କର ଆତ୍ମସତ୍ତାକୁ ଉପନ୍ୟାସରେ ପ୍ରତିଫଳିତ କରାଇ ସ୍ଵାଧୀନ ମନୋବୃତ୍ତିର ଚିରନ୍ତନ ମୁହଁକୁ ସେ ଉପନ୍ୟାସରେ ପ୍ରତିବିମ୍ବିତ କରାଇଛନ୍ତି । (That is to say, a novel is basically a kind of dream-mirror, in which the novelist tries to reflect his essential self, time and feeling. - Colin Wilson - The craft of the novel - P - 21) ସ୍ଥିତିବାଦୀ ସାହିତ୍ୟ ଦର୍ଶନର ବ୍ୟକ୍ତିକ ସ୍ଵାଧୀନବିଳାସକୁ ଧ୍ୟାନ ଦେଇ (All existentialist writers seem to justify in some way the freedom and importance of human personality. Encyclopaedia Britannica - Vol - 8 - 1969-P. 964) ଶାନ୍ତନୁବାବୁ ସ୍ୱାଧୀନ ମନୋବୃତ୍ତିର ଚରିତ୍ରମାନଙ୍କ ବ୍ୟାକ୍ତିସତ୍ତାର ଆନ୍ତଃରୂପକୁ ଚିତ୍ରଣ କରିଛନ୍ତି । ନିଜର ସ୍ଵାଧୀନ ଇଚ୍ଛାବୃତ୍ତି ଅନୁସାରେ ପରିଚାଳିତ ଜର୍ଜ ଜୀବନର ମେୱା ସଂଧାନ କରିଛି । ଗୋଦରୀବୁଢ଼ୀ, ନାଜିରମିଆଁ, ବୀରସାମଲ, ଚରଣରାଓ, କବିରାଜ ବୁଢ଼ା, ହରିମିସ୍ତ୍ରୀ, ଗରୁଡ଼ ଓ ମିସ୍‌ ଆଡାମ୍‌ସ ପ୍ରମୁଖଙ୍କୁ ନିଜର ଗୁରୁ ତଥା ପରାମର୍ଶଦାତା ଭାବରେ ଗ୍ରହଣ କରିଥିଲେ ବି ମଣିଷ ଓ ସମାଜ ସମ୍ବନ୍ଧରେ ତା’ର ସିଦ୍ଧାନ୍ତ ସ୍ଵାଧୀନ ମନୋବୃତ୍ତିର ଅବଧାରଣା ଉପରେ ପ୍ରତିଷ୍ଠିତ । ଏହି ମନୋଭାବର ମୁକ୍ତ ଦର୍ଶନକୁ ଜର୍ଜର ନିମ୍ନଲିଖିତ ମାନସିକ ସିଦ୍ଧାନ୍ତର ପ୍ରତିକ୍ରିୟାରୁ ସ୍ପଷ୍ଟ ଉପଲବ୍ଧି କରାଯାଇପାରେ :

 

“ସୃଷ୍ଟିର ପରିତ୍ରାଣ ନିମିତ୍ତ, ସଂସାରରୁ ପାପଭାରା ନାଶିବା ନିମିତ୍ତ ମୁଁ ଯୁଗେ ଯୁଗେ ଜନ୍ମ ହୁଏ, ମୁଁ ହିଟିଲର, ମୁଁ ପାର୍ଟିଚିଫ୍‌, ମୁଁ... ମୁଁ ।’’ (ନରକିନ୍ନର - ପୃ .୩୮୧)

 

ଏହି ମୁଁତ୍ୱର ଆତ୍ମିକ ଭାବନାକୁ ମୁକ୍ତ ମନୋଭାବକୁ ବିଭୁପ୍ରସାଦ, ଯଜ୍ଞଦତ୍ତ, ବାବାଜୀ ଓ ଅନୁପମ ଚରିତ୍ରମାନଙ୍କର କ୍ରିୟା-ପ୍ରତିକ୍ରିୟା ମଧ୍ୟରେ ଅଧିକତର ସଂଚାରିତ ହୋଇଥିବାର ଲକ୍ଷ୍ୟ କରାଯାଏ । ସ୍ଵଇଚ୍ଛାର ବଳବତ୍ତର ପ୍ରତିକ୍ରିୟାରୁ ବାବାଜୀ ନିର୍ବିକାରରେ ଧୋବାବସ୍ତିରେ ଜଗତର ମଇଳା ଲୁଗାକୁ କର୍ମଯୋଗୀଟିଏ ପରି ସଫାକରିଛି, ବିଭୁପ୍ରସାଦ ନିମ୍ନବର୍ଗର କନ୍ୟା ସୁକୁମାରୀକୁ ବିବାହ କରିଛି ଏବଂ ଯଜ୍ଞଦତ୍ତ ବାରମ୍ବାର ଶିକ୍ଷାକ୍ଷେତ୍ରରେ, ପରିବାରରେ ଓ ବଂଧୁ ମହଲରେ ସାଧାରଣ ବିଶ୍ଵାସର ସତ୍ୟକୁ ଫାଙ୍କି ଦେଇ ନିଜସ୍ଵ ଧାରଣାକୁ ପ୍ରତିଷ୍ଠା ଦେବାକୁ ଯାଇ ଲକ୍ଷ୍ୟ ପଥରୁ ଆପେ ପାଦ ଘୁଞ୍ଚାଇ ଆଣି ଭିନ୍ନ ପଥରେ ଗତି କରିଛି ।

 

(ଚାରି)

 

ନବମାନବବାଦୀ ଚିନ୍ତାଧାରା

କଥାଶିଳ୍ପୀ ଶାନ୍ତନୁକୁମାର ନିଜର ଉପନ୍ୟାସଜଗତକୁ ନେଇ ଓଡ଼ିଆ ଉପନ୍ୟାସର କ୍ରମୋନ୍ନତିରେ ଏକମାତ୍ର ସଫଳ ନବମାନବବାଦୀ ଚିନ୍ତାଧାରାର (Neo - Humanism) ପ୍ରବକ୍ତାରୂପେ ସୁବିଦିତ ହୋଇପାରିଛନ୍ତି । ରୋମାଣ୍ଟିକ୍‌ କଳାଦର୍ଶ ଓ ସ୍ଵେଚ୍ଛାଚାରୀ ରାଜନୈତିକ ଚିନ୍ତାଧାରା ବିରୁଦ୍ଧରେ ଏକ ପ୍ରତିବାଦ ରୂପରେ ଆତ୍ମପ୍ରକାଶ କରିଥିବା ପାଶ୍ଚାତ୍ୟ ଜଗତୀୟ ମାନବବାଦୀ ନବୀନ ମୂଲ୍ୟବୋଧର ଚିନ୍ତାଧାରାକୁ ଶ୍ରୀଯୁକ୍ତ ଆଚାର୍ଯ୍ୟ ସାଂସ୍କୃତିକ ସଂକଟବୋଧ, ଐତିହ୍ୟବାଦୀ ବିଶ୍ୱାସର ପୁନରୁତ୍ଥାନ, ଆତ୍ମପ୍ରତ୍ୟୟସଂପନ୍ନ ବ୍ୟକ୍ତିତ୍ଵ ବୋଧ ଓ ନୀତିନିଷ୍ଠ ରାଜନୀତିକ ବିଚାରବିମର୍ଶ ଭିତ୍ତିରେ ଆରୋପ କରିଛନ୍ତି । ନବମାନବବାଦର ପ୍ରମୁଖ ପ୍ରବକ୍ତା Paul Elmar More ଓ Irving Babitଙ୍କ ଚିନ୍ତା ଓ ଚେତନା ସହିତ ଭାବସାମ୍ୟ ରକ୍ଷାକରି ଶାନ୍ତନୁକୁମାର ସ୍ୱୈରାଚାରୀ ରାଜନୈତିକ ଆଭିମୁଖ୍ୟର ରୁଗ୍‌ଣତା, ଅବକ୍ଷୟମାଣତା ଓ କ୍ଷମତାବିଳାସୀ ବ୍ୟଭିଚାରକୁ ‘ଯାତ୍ରାର ପ୍ରଥମପାଦ’, ‘ଶତାବ୍ଦୀର ନଚିକେତା’, ‘ମନ୍ତ୍ରୀଙ୍କ ସେୟାର’, ‘ଅନ୍ୟଏକ ସମୟ ଅନ୍ୟଏକ ଭାରତ’ ଓ ଧରିତ୍ରୀର କାନ୍ଦ, ଇତ୍ୟାଦି ଉପନ୍ୟାସରେ ପ୍ରତିଫଳିତ କରିଛନ୍ତି । ଏହି କ୍ରମରେ ରୋମାଣ୍ଟିକ୍‌ ଭାବପ୍ରବଣ ଧାରାରୁ ନିଜର ଉପନ୍ୟାସକୁ ବିଚ୍ୟୁତ କରାଇ ସେ ସାଂପ୍ରତିକ ଜୀବନର ବିବିଧ ଭାବସମସ୍ୟାକୁ ଗଳ୍ପବୃତ୍ତରେ ଆଦୃତ କରାଇଛନ୍ତି । ଏହି ଦୃଷ୍ଟିରୂ ‘ଯାତ୍ରାର ପ୍ରଥମପାଦ’ରେ ବିଶୃଙ୍ଖଳିତ ନୈତିକତାହୀନ ବିକାର ମାନସିକତାରେ ଆକ୍ରାନ୍ତ ରାଜନୈତିକ କ୍ଷମତାବିଳାସୀଙ୍କର ଅପକ୍ରିୟାଗୁଡ଼ିକ ମଧ୍ୟରୁ ଏକ ନାରୀଧର୍ଷଣ ଘଟଣାର ବାସ୍ତବ ଅନୁଭୂତିକୁ ଔପନ୍ୟାସିକ ପ୍ରକାଶ କରିଥିବା ବେଳେ ଆନ୍ତରିକ ପ୍ରତିକ୍ରିୟାଶୀଳ କ୍ଷୋଭ ଭିତ୍ତିରେ ‘ମନ୍ତ୍ରୀଙ୍କ ସେୟାର’, ଉପନ୍ୟାସରେ ନାରୀ-ମାଂସ- ପିପାସୁ ନେତୃତ୍ୱର ନଗ୍ନ ପୁରୁଷାକାରକୁ ବିଷୟବୃତ୍ତର ପ୍ରଧାନ ବକ୍ତବ୍ୟୋତ୍ସ ଭାବରେ ଗ୍ରହଣ କରିଛନ୍ତି। ‘‘ଧରିତ୍ରୀର କାନ୍ଦ’ରେ ଉଲଗ୍ନ ଯୌନ ମାନସିକତା, ବିଶୃଙ୍ଖଳିତ ପଲ୍ଲୀଜୀବନ, ଶିକ୍ଷାଭିମୁଖ୍ୟର ସ୍ଖଳନ, ସାମାଜିକ ବିଚାରବୋଧର ଅପମୂଲ୍ୟାୟନ ପଶ୍ଚାତ୍‌ରେ କାର୍ଯ୍ୟକାରଣ ରୂପେ ବିଦ୍ୟମାନ ଥିବା ରାଜନୀତିକ ଅପସଂସ୍କୃତିର ପ୍ରଭାବକୁ ଲକ୍ଷ୍ୟ କରାଯାଇଥାଏ । ‘ଅନ୍ୟ ଏକ ସମୟ ଅନ୍ୟଏକ ଭାରତ’ ଉପନ୍ୟାସରେ ପ୍ରାକ୍‌-ସ୍ୱାଧୀନତାକାଳୀନ ମୁକ୍ତିକାମୀ ଆଶା-ଆକାଂକ୍ଷା ଓ ତଦ୍‌ଜନିତ ସ୍ଵପ୍ନାବିଷ୍ଟ ମାନସିକତାର ସ୍ଵାଧୀନୋତ୍ତରକାଳୀନ ମୋହଭଙ୍ଗର ସାଙ୍କେତିକ ରୂପାୟନକୁ କ୍ଷମତା ଲିପ୍‌ସା ରାଜନୈତିକ ଚିତ୍ତବୃତ୍ତି ଭିତ୍ତିରେ ଉପଲବ୍ଧି କରାଯାଇଥାଏ । ବିଖଣ୍ଡିତ ସ୍ଵାଧୀନତାର ସ୍ଵପ୍ନ ଚିତ୍ରଧର୍ମୀ ବର୍ଣ୍ଣନା ଚାତୁରୀ ମାଧ୍ୟମରେ ଏହି ଉପନ୍ୟାସକୁ ଉଗ୍ର-ନବମାନବବାଦୀ ଶିଳ୍ପୀମାନସର ଅଗ୍ନିସ୍ଫୁଲିଙ୍ଗରୂପେ ପାଠକ ସାମ୍ନାରେ ପରିଚିତ କରାଇଛି । ‘ଶତାବ୍ଦୀର ନଚିକେତା’ରେ ବସ୍ତୁବାଦୀ ରାଜନୀତିର ଆକର୍ଷଣରେ ଗବେଷଣା କାର୍ଯ୍ୟରୁ ସ୍ଖଳିତ ହୋଇଥିବା ମନମୋହନ, ନଟବର ଓ ମିଃ. ଶେଠୀ, ଇତ୍ୟାଦି ଚରିତ୍ରମାନଙ୍କଠାରେ ଜଣେ ନବମାନବବାଦୀ ଶିଳ୍ପୀଭାବରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ଆତ୍ମନିଷ୍ଠାର ସଂହତିଜନିତ ଅଭାବକୁ ଦେଖାଇ ଦେଇଛନ୍ତି ।

 

ଆତ୍ମାନୁଭୂତି ଓ ଆତ୍ମନିଷ୍ଠାର ସଂହତି ନବମାନବବାଦୀ ଚେତନାର ମୌଳିକ ଦାର୍ଶନିକ ଉତ୍ସ । ନବମାନବବାଦର ଆଦ୍ୟ ପ୍ରବର୍ତ୍ତକ ଇରାସମସ୍‌ଙ୍କ ମତରେ-“ମନୁଷ୍ୟର ଚିତ୍ତ ଭାଗରେ ଉତ୍‌ଥାନମୁଖୀ ହେବାର ପ୍ରଚେଷ୍ଟା ସତତ ଲାଗିରହିଛି ।’’ ବାସ୍ତବିକ ନିମ୍ନମୁଖୀନ ଚିନ୍ତା ଓ ଉର୍ଦ୍ଧ୍ୱଗ ଭାବନାର ସଂଘର୍ଷ ମଧ୍ୟରେ ଚିତ୍ତକୁ ଉତ୍ତାନପାଦ ହେବାର ପ୍ରୟାସୀ କରିବା ନବମାନବବାଦୀ ଦର୍ଶନର ମୂଳ ସତ୍ୟ । ଏହି ଦାର୍ଶନିକ ସିଦ୍ଧାନ୍ତର ଅନ୍ୟତମ ପ୍ରସାରକ ମୋରଙ୍କ ମତରେ - ‘ସାଧାରଣ ସତ୍ତା (Ordinary)ରୁ ଅନ୍ତରୀଣ ପ୍ରତିରୋଧ (Inner checks) ମାଧ୍ୟମରେ ସର୍ବୋତ୍ତମ ସତ୍ତାକୁ ଉତ୍ତରିତ (developed to best self) ହେବାର ନୈତିକ ଦୃଷ୍ଟିକୋଣର ବିକାଶ ଦେଇ ମାନବୀୟ ଚେତନାର ଯଥାର୍ଥ ସୁଷ୍ଠୁ ପ୍ରକାଶ ହୋଇ ପାରିବ (Aristocracy and justice) । ଏହି ତାର୍ତ୍ତ୍ୱିକ କଳାସିଦ୍ଧାନ୍ତର ଅନୁରାଗବୋଧ ପ୍ରତି ଆନୁଗତ୍ୟ ରହି ଔପନ୍ୟାସିକ ଆଚାର୍ଯ୍ୟ ତାଙ୍କର ପ୍ରତିଟି ଉପନ୍ୟାସର ଅଙ୍ଗୀ ଚରିତ୍ରଗୁଡ଼ିକୁ ମଣିଷଜାତି ପାଇଁ ଉତ୍ତରଦାୟୀ ଭାବରେ ଚିତ୍ରଣ କରିଛନ୍ତି । ଜର୍ଜ ନୂଆକରି ମଣିଷ ଗଠନ ପାଇଁ ଅଭିଳାଷ ପୋଷଣ କରିଛି । ବାରମ୍ବାର ବିଫଳତା ଭିତରେ ବି ଗରୁଡ଼ ପରି ପାହାଡ଼ ଚଢ଼ିବାର ଉଦ୍ୟମ କରିବା ଓ ମେୱାର ସନ୍ଧାନ କରିବା ପାଇଁ ଜର୍ଜ ପାରଂପରିକ ସତ୍ତାଠାରୁ ନିଜକୁ ମୁକ୍ତକରି ନିଜର ଆତ୍ମସତ୍ତାକୁ ଭିନ୍ନମାର୍ଗୀ କରିଛି । ଗୋଦରୀବୁଢ଼ୀର ଚୌରାଳିଶି ବର୍ଷର ନାରୀସତ୍ତାରୁ ମାତୃତ୍ୱର ସନ୍ଧାନ ନକରି କଂଚା ଆବେଗକୁ ଉପଭୋଗ କରିବାକୁ ଇଚ୍ଛାକରିଥିବା ନାଜିରମିଆଁ, ବୀରସାମଲ, ଚରଣରାଓ, କାମାୟା, ଗଜିଆ, ଇତ୍ୟାଦିଙ୍କୁ ସେ ନିଜକୁ ତିଳତିଳ କରି ନିଃଶେଷକରି ବଂଚିବାର ସୁଯୋଗ ଓ ସୁରାକ୍‌ ଯୋଗାଇଥିବାର ଲକ୍ଷ୍ୟ କରାଯାଏ ଯାହା ଭିତରେ ନବମାନବବାଦୀ ଚେତନାର ବଳବତ୍ତର ପରିପ୍ରକାଶକୁ ଅନୁମାନ କରାଯାଇପାରେ । ସାମାଜିକ ପରିବେଶ ଓ ବ୍ୟବସ୍ଥା ଭିତରେ ମନୁଷ୍ୟକୁ ପ୍ରତିକ୍ରିୟାଶୀଳ କରାଇ ମୌଳିକ ବ୍ୟକ୍ତି ସତ୍ତାର ବିକାଶ ଘଟାଇବା ନବମାନବବାଦୀ ଶିଳ୍ପୀର ମୁଖ୍ୟ ବୈଶିଷ୍ଟ୍ୟ । ଏହି ବୈଶିଷ୍ଟ୍ୟକୁ ‘ଦକ୍ଷିଣାବର୍ତ୍ତ’ ଓ ‘ଧରିତ୍ରୀର କାନ୍ଦ’ରେ ପରିପୂର୍ଣ୍ଣତା ସହିତ ଉପଲବ୍ଧି କରିହୁଏ । ସକଳ ଊର୍ଦ୍ଧ୍ୱରେ ମୁନଷ୍ୟକୁ ଗୁରୁତ୍ୱ ଦେଇ ସାରା ଜଗତର ମଇଳା ଲୁଗାକୁ ସଫାକରି ଅନ୍ଧାର ମଧ୍ୟରୁ ମନୁଷ୍ୟକୁ ଉଦ୍ଧାରକରି ତା’ଠାରେ ଅତିମାନସ ସତ୍ତାର ମହତ୍ୱକୁ ଉନ୍ମୋଚନ କରାଇ ରୈକ୍ୱ ଦକ୍ଷିଣାବର୍ତ୍ତ ଉଦ୍ଦେଶ୍ୟରେ ସାଧାରଣ ଧୋବାବସ୍ତିର ମଣିଷକୁ ପରିଚାଳିତ କରାଇଦେଇଛି । ପାଠଚକ୍ର ମାଧ୍ୟମରେ, ନୂତନ କର୍ମସ୍ଫୃହା ମଧ୍ୟରେ ଓ ବସ୍ତୁତାନ୍ତ୍ରିକ ମୋହତ୍ୟାଗ ଭିତରେ ଏହି ଉପନ୍ୟାସରେ ସାଧାରଣ ସତ୍ତାର ମଣିଷ ଅତିମାନସ ପ୍ରେରଣାର ଅସାଧାରଣ ସତ୍ତାକୁ ଉନ୍ନୀତ ହୋଇଥିବାର ଲକ୍ଷ୍ୟ କରାଯାଏ ।

 

ନବମାନବବାଦୀ ଚେତନାବିଶ୍ଵାସୀ ଶାନ୍ତନୁ ସ୍ରଷ୍ଟାପୁରୁଷ ଉପନ୍ୟାସଗୁଡ଼ିକର ପ୍ରତିଟି ଚରିତ୍ର ଭିତ୍ତିରେ ମଣିଷ ଭିତରେ ଅନୁପମତ୍ୱ, ନୂତନତ୍ୱ, ସ୍ଵତନ୍ତ୍ରବୋଧ ଓ ମୌଳିକ ବ୍ୟକ୍ତିସତ୍ତାକୁ ସଂଧାନ କରିଛି । ଏ ଦୃଷ୍ଟିରୁ ତାଙ୍କ ଉପନ୍ୟାସରେ ପ୍ରତ୍ୟେକ ଚରିତ୍ର ଗତାନୁଗତିକ ଧାରଣାର ଶଗଡ଼ ଗୁଳାରେ ନଚାଲି ନିଜ ନିଜର ଅଭିନବ ମାର୍ଗ ନିର୍ମାଣ କରିଥିବାର ଲକ୍ଷ୍ୟ କରାଯାଏ । ସ୍ମୃତିରୋମନ୍ଥନ ପ୍ରଣାଳୀ ଭିତରେ ଚରିତ୍ରଗୁଡ଼ିକ ଆତ୍ମସତ୍ତାକୁ ବିଶ୍ଳେଷଣ କରି ନିଜକୁ ପ୍ରଥାସିଦ୍ଧ ଚଳଣିଧାରାଠାରୁ ବିଚ୍ଛିନ୍ନକରି ଚଳନ୍ତି ମୂଲ୍ୟବୋଧାନୁସାରେ ନବଜାଗୃତାଭିମୁଖୀ ହୋଇଛନ୍ତି । ଏହି କ୍ରମରେ ଜର୍ଜ ଏକ ଜିଜ୍ଞାସାବାଦୀ ଅନୁସନ୍ଧିତ୍ସୁ ଚରିତ୍ର ଭାବରେ, ଭବାନୀ ପ୍ରସାଦ ଓ ନଟବର ସାଂପ୍ରତିକ ସମୟର ଯଥାର୍ଥବାଦୀ ପ୍ରତିନିଧି ଶ୍ରେଣୀୟ ଚରିତ୍ର ଭାବରେ, ଧୋବାବୁଢ଼ା, ଧୋବାବୁଢ଼ୀ ଓ ଧୋବା ମହାଜନ ମାନବବାଦୀ ସହାନୁଭୂତିଶୀଳ ଚରିତ୍ରର ପ୍ରତୀକ ଭାବରେ, ଲକ୍ଷ୍ମୀଧର ନୂତନ ଗଣାଭିମୁଖୀ ବିପ୍ଳବର ସୂତ୍ରଧର ଭାବରେ ଓ ରୈକ୍ୱ ନୂତନ ସାଂସ୍କୃତିକ ମୂଲ୍ୟବୋଧ ସୃଷ୍ଟିକାରୀ ଚରିତ୍ର ଭାବରେ ପାଠକର ଧାରଣାକୁ ଐନ୍ଦ୍ରଜାଲିକ ଆକର୍ଷଣରେ ବାଛି ରଖିଥାନ୍ତି; ଯାହା ଏକ ଅଭିନବ ପ୍ରତିମୂଲ୍ୟବୋଧର ସ୍ମାରକୀ ହୋଇ ପାରିଛି । ଆତ୍ମାର ବିକାଶ ‘ନରକିନ୍ନର’, ‘ଶତାବ୍ଦୀର ନଚିକେତା’, ‘ଦକ୍ଷିଣାବର୍ତ୍ତ’ ଓ ‘ଅନୁ ହଜିଯିବାପରେ’ ଉପନ୍ୟାସର ମୁଖ୍ୟ ଉପଜୀବ୍ୟ ରୂପେ ଅନୁସୃତ ହୋଇଛି, ଯାହାକୁ ଅଧ୍ୟୟନ କରି ସିଦ୍ଧାନ୍ତରେ ଉପନୀତ ହେବାକୁ ହୁଏ ଯେ ବ୍ୟକ୍ତିସତ୍ତାର କ୍ରମୋନ୍ନତି ପ୍ରଦର୍ଶନପୂର୍ବକ ଏକ ଉଦାତ୍ତ ନବମାନବବାଦୀ Subjective responsibility କୁ ଶାନ୍ତନୁବାବୁ ସୃଜନକଳ୍ପନାର ଆଧାରଭୂମି ଭାବରେ ମୁଖ୍ୟତଃ ଗ୍ରହଣ କରିଛନ୍ତି । ନବମାନବବାଦୀ ଆତ୍ମନିଷ୍ଠ ଦାୟିତ୍ୱବୋଧରୁ ‘ଧରିତ୍ରୀର କାନ୍ଦ’ ଉପନ୍ୟାସରେ ବୃହସ୍ପତି ମିଶ୍ର ନିଜକୁ ଦେବଦହର ସାମଗ୍ରିକ ମଣିଷମାନଙ୍କ ପାଇଁ ଉତ୍ତରଦାୟୀ କରିଛନ୍ତି ଏବଂ ଅନୁପମ ବସ୍ତୁବାଦୀ ପାଶ୍ଚାତ୍ୟ ଭୂଖଣ୍ଡରେ ମଧ୍ୟ ମଣିଷସମାଜ ପାଇଁ ଆମସ୍ଵାର୍ଥକୁ ତ୍ୟାଗ କରିଥିବା ଯୁଗପୁରୁଷମାନଙ୍କ ଆଦର୍ଶର ସ୍ମୃତିଚାରଣ ଭିତରେ ନିଜର ଆତ୍ମସତ୍ତାକୁ ହଜାଇ ଦେଇ ସକଳ ଊର୍ଦ୍ଧ୍ୱରେ ମଣିଷର ପାରିଲାପଣିଆର ଜୟଗାନ କରିଛି ।

 

(ପାଞ୍ଚ)

 

ଶିଳ୍ପ ପ୍ରକରଣରେ ଅଭିବ୍ୟକ୍ତିବାଦୀୟ ଭାଷାଶୈଳୀ

ଅନ୍ତର୍ମୁଖୀ ଭାବ ଓ ଅନ୍ତର୍ନିହିତ ତଥ୍ୟରେ ଉଦ୍‌ଭାସିତ ବକ୍ତବ୍ୟକୁ ସାଙ୍କେତିକ ମାଧ୍ୟମରେ ଉପସ୍ଥାପନା କରିବା ରୀତି ହିଁ ଅଭିବ୍ୟକ୍ତିବାଦ ଭାବରେ ଶିଳ୍ପପ୍ରକରଣରେ ଗ୍ରହଣ କରାଯାଇଥାଏ । ଉଭୟ ବ୍ୟକ୍ତିନିଷ୍ଠ ଓ ସମଷ୍ଟିନିଷ୍ଠ ବାସ୍ତବତାର ଅନ୍ତଃସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ସୂଚନାଧର୍ମୀ ସାଙ୍କେତିକ ଶୈଳୀର ପ୍ରୟୋଗ କରି ଅଭିବ୍ୟକ୍ତିବାଦୀୟ ଶିଳ୍ପପ୍ରକ୍ତିୟାକୁ ସ୍ଵାଧୀନୋତ୍ତର କାଳରେ ‘ନରକିନ୍ନର’ ଉପନ୍ୟାସରେ ପ୍ରଥମକରି ଶାନ୍ତନୁବାବୁ ସଫଳତାର ସହିତ ପ୍ରତିଷ୍ଠା ଦେଇଛନ୍ତି । ସଂକେତ ମାଧ୍ୟମରେ ଭାବ ଅଧିକ ବ୍ୟଂଜିତ ଓ ସଂପ୍ରସାରିତ ହୋଇଥାଏ - ଏହା ଶାନ୍ତନୁବାବୁଙ୍କ ଉପନ୍ୟାସରେ ପରୀକ୍ଷିତ ହୋଇ ପାରିଛି । ଭାଙ୍ଗୀ ପ୍ରଧାନ ଭାଷାଶୈଳୀ (Mannered Prose-style)କୁ ପରିହାର କରି ଭାବର ଆତ୍ମମୁଖୀ ସତ୍ତାକୁ ପରିଚ୍ଛନ୍ନ ରୂପାୟନ ଦେବାରେ ସମର୍ଥ ପ୍ରତୀକ, ଚିତ୍ରକଳ୍ପ, ମିଥ୍‌ ଆର୍କିଟାଇପ୍‌ ଓ ରୂପକଳ୍ପାଦି ଶାବ୍ଦିକ ବ୍ୟଂଜନାରୀତିକୁ ଶାନ୍ତନୁବାବୁ ନିଜ ଉପନ୍ୟାସମାନଙ୍କରେ ଗ୍ରହଣ କରିଛନ୍ତି । ପ୍ରତୀକାତ୍ମକତା ବ୍ୟତୀତ ଶାନ୍ତନୁବାବୁଙ୍କ ଭାଷାଭଙ୍ଗୀ କଂଚା ଆବେଗର ଅନାହତ ଅନର୍ଗଳତା ଭିତରେ ବକ୍ତବ୍ୟ ପ୍ରଧାନ ହୋଇଛି ଓ ବିଶ୍ଳେଷଣାତ୍ମକ ମଧ୍ୟ ହୋଇଛି ଏବଂ ଆତ୍ମକଥନୀ ମାଧ୍ୟମରେ ଚେତନା ପ୍ରବାହଧର୍ମୀ ହୋଇଛି । ତାଙ୍କ ଭାଷାପାଟବତାକୁ ‘ଧରିତ୍ରୀର କାନ୍ଦ’, ‘ଦକ୍ଷିଣାବର୍ତ୍ତ’ ଓ ‘ଅନୁ ହଜିଯିବାପରେ’ ଉପନ୍ୟାସ ତ୍ରୟରେ ଏକ ଅତିବାସ୍ତବବାଦୀୟ ବାଚନିକତା ଭିତରେ ସଂଲଗ୍ନୀକୃତ (Related with surealistic statement) ଅନୁଭବ କରାଯାଇଥାଏ । ପୁନଶ୍ଚ ‘ଧରିତ୍ରୀର କାନ୍ଦ’, ‘ନରକିନ୍ନର’ ଓ ‘ମନ୍ତ୍ରୀଙ୍କ ସେୟାର’, ଇତ୍ୟାଦି ଉପନ୍ୟାସରେ ଏକ ରୈଖିକ ସଂଳାପଧର୍ମୀ (Static Speed) ପରିବେଷଣ ଚାତୁରୀ ଭିତରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ପାଠକର ଆପଣାର କଂଚାମାଟିର ଅନୁଭୂତିକୁ ଯୁକ୍ତିସଂଗତ ଓ ବିଶ୍ଵାସଯୋଗ୍ୟ କରି ଚିତ୍ରାତ୍ମକ ରୂପାୟନ ଦେଇଥିବାର ଲକ୍ଷ୍ୟକରାଯାଏ । ମୋଟ ଉପରେ ଶାନ୍ତନୁବାବୁଙ୍କ ଉପନ୍ୟାସର ଭାଷାଶୈଳୀ ଗ୍ରାମୀଣତା ଭିତ୍ତିରେ ଯେପରି ବ୍ୟାବହାରିକ ଅନୁରାଗରେ ସ୍ନିଗ୍ଧ (Lucid in native experience) ସେହିପରି ଅନ୍ତର୍ମୁଖୀନ ଅଭିବ୍ୟଂଜନା ଧର୍ମ ଭିତରେ ସାଙ୍କେତିକ ଭାବଦ୍ୟୋତକ ହୋଇଥିବାରୁ ଉପନ୍ୟାସକୃତିଗୁଡ଼ିକର ଅଧିକାଂଶ ବାକ୍ୟ, ପରିଚ୍ଛେଦ ଓ ଅଧ୍ୟାୟ ଗଳ୍ପକଳାସଂପନ୍ନ ନହୋଇ ଭାବୋଦ୍ଦୀପନାବାଦୀ (impressionistic) ହୋଇ ଉଠିଛି ।

 

ସାଙ୍କେତିକ ଶବ୍ଦବିନ୍ୟାସ ମାଧ୍ୟମରେ ଜଣେ ଅଭିବ୍ୟକ୍ତିବାଦୀ (Expressionist) କଥାଶିଳ୍ପୀ ରୂପେ ଶାନ୍ତନୁବାବୁ ଅବାସ୍ତବ ଶିଳ୍ପପ୍ରକରଣର ପରିପ୍ରକାଶ ନିମନ୍ତେ ସ୍ଥାନୀୟ ପ୍ରତୀକ ଓ ଶବ୍ଦ ବ୍ୟଜନାର ଆଶ୍ରୟ ନେଇଛନ୍ତି । ସାଧାରଣ ସ୍ତରୀୟ ବ୍ୟବହୃତ ଭାଷାକୁ ନୂତନ ରୂପ, ନୂତନ ଅର୍ଥ, ନୂତନ ଭଙ୍ଗୀ ଓ ନୂତନ ବ୍ୟଂଜନାଶକ୍ତିରେ ସେ ସାଙ୍କେତିକ ଗାମ୍ଭୀର୍ଯ୍ୟ ଦେଇ ଋଦ୍ଧିମନ୍ତ କରିଛନ୍ତି ଯାହା ମାଧ୍ୟମରେ । ଅନ୍ତର୍ନିହିତ ଭାବରାଶି ଶାଣିତ-ଅନୁଭବ-ସଂବେଦୀ ହୋଇଉଠିଛି । ‘ନରକିନ୍ନର’ରେ ପିଂପୁଡ଼ିମନ୍ଦା, ରବର କଣ୍ଢେଇ, ଅଙ୍ଗାର ଚିତ୍ର ଓ ମେୱା, ‘ଦକ୍ଷିଣାବର୍ତ୍ତ’ରେ ଚଢ଼େଇ, ହଂସ, ମଇଳାଲୁଗା, ଅଗରବତୀ, ଦକ୍ଷିଣଦିଗ ଓ ‘ଶକୁନ୍ତଳା’ରେ ଯକ୍ଷ, ଜଗନ୍ନାଥ, ଇତ୍ୟାଦି ପ୍ରତୀକଗୁଡ଼ିକର ଇଂଗିତାତ୍ମକ ଆରୋପଣ ଶାନ୍ତନୁ - ଉପନ୍ୟାସର ଶିଳ୍ପପ୍ରକ୍ରିୟାକୁ ବୁଦ୍ଧିବାଦୀ ମାନ୍ୟତା ପ୍ରଦାନ କରିଛି । ସଂକେତ ମାଧ୍ୟମରେ ଚେତନା - ଚରିତ୍ର - ପରିବେଶ ମଧ୍ୟରେ ଏକ ସଂହତିସୂଚକ ଭାବବଳୟ ସୃଷ୍ଟି କରିବାରେ ଞ୍ଜପନ୍ୟାସିକ ବେଶ୍ ସମର୍ଥ ହୋଇ ପାରିଛନ୍ତି ।

 

ଏହି କ୍ରମରେ ଶାନ୍ତନୁବାବୁଙ୍କ ଭାଷାଶୈଳୀର ବିବିଧ ଅଭିବ୍ୟକ୍ତିଧାରାକୁ ସଦୃଷ୍ଟାନ୍ତ ଅନୁଶୀଳନ କରାଯାଇପାରେ ।

 

ବାସ୍ତବ ଜୀବନର ସତ୍ୟକୁ ଓ ଆତ୍ମାର ସାବେଗ ରୂପକୁ ଭାବପୂର୍ଣ୍ଣ କରି ପ୍ରକାଶ କରିବା ନିମନ୍ତେ ଶାନ୍ତନୁ ଶିଳ୍ପୀ-ପୁରୁଷ କଥିତ ଭାଷାର ଆଶ୍ରୟ ନେଇଛନ୍ତି । ଉଦାହରଣ ସ୍ଵରୂପ -

 

 

 

 

ଚିତ୍ରକଳ୍ପ ପ୍ରୟୋଗରେ ବୈଚିତ୍ର୍ୟ ସଂପାଦନପୂର୍ବକ ଭାବର ଯାଦୂକାରୀ ବ୍ୟଂଜନା ସୃଷ୍ଟି ନିମନ୍ତେ ଏକ ଆଚାର୍ଯ୍ୟଙ୍କ ଉପନ୍ୟାସଗୁଡିକରେ କାବ୍ୟିକ ରୂପକଳ୍ପର ଶୋଭାବର୍ଦ୍ଧକ ସଂଯୋଜନା ଓଡ଼ିଆ ଉପନ୍ୟାସରେ ଏକ ପ୍ରୟୋଗବାଦୀ ଆବେଗ ପ୍ରଧାନ (Emotive prose) ଗଦ୍ୟଶୈଳୀର ଅନୁବର୍ତ୍ତନ କରାଇଛି ।

 

ଉଦାହରଣ ସ୍ଵରୂପ -

 

 

 

ଭାବନାର ଓ ଘଟଣାର ଆକର୍ଷଣୀୟ ବିସ୍ତାର ଅପେକ୍ଷା ବକ୍ତବ୍ୟର ଉପମାଧର୍ମୀ ଉପସ୍ଥାପନା, ତର୍କଣାଧର୍ମୀ ରୂପାୟନ ଓ ରୂପକଳ୍ପାତ୍ମକ ସଂରଚନା ଆଚାର୍ଯ୍ୟଙ୍କ ଶିଳ୍ପାୟନବିଧିକୁ ମୌଳିକତାରେ ଉଦ୍‌ଭାସିତ କରିଦେଇଛି । ଫାଣ୍ଟାସିର ସାବେଗ ଆରୋପଣ, ପୌରାଣିକ ଉପମା ବା ମିଥ୍‌ର ଇଂଗିତାତ୍ମକ ଚିତ୍ରଧର୍ମୀ ଉପସ୍ଥାପନା, ରୂପକଳ୍ପର ତର୍କଣାଧର୍ମୀ ବ୍ୟବହାର, ଇତ୍ୟାଦିକୁ ଆଶ୍ରୟ କରି ଜୀବନବୋଧର ସୂକ୍ଷ୍ମସତ୍ତା ତଥା ସାମାଜିକ ସ୍ଥିତାବସ୍ଥାର ଚଳନ୍ତିକାକୁ ପ୍ରକାଶ କରିବା ଆଚାର୍ଯ୍ୟଙ୍କ ଭାଷାଶୈଳୀର ବିଶେଷତ୍ୱ । ବ୍ୟଂଜନାଭିବ୍ୟକ୍ତିର ଏହି ସ୍ଵାତନ୍ତ୍ର୍ୟକୁ ନିମ୍ନ ଦୃଷ୍ଟାନ୍ତରୁ ଅନୁଧ୍ୟାନ କରାଯାଇପାରେ -

 

 

ସ୍ଥୂଳତଃ ମଣିଷର ଅବଚେତନ ସ୍ତରର ଆନ୍ଦୋଳନ, ଚେତନସ୍ତରର ଅଭିଳାଷ, ଆବେଗ ଓ ଅନ୍ୱେଷାର ଚରମ ପ୍ରକାଶ ଏକ ଇଙ୍ଗିତାତ୍ମକ ଚିତ୍ରଧର୍ମୀ ଅତିବସ୍ତୁବାଦୀ ଅଭିବ୍ୟକ୍ତି ଚାତୁରୀ ମଧ୍ୟରେ ତାଙ୍କ ଉପନ୍ୟାସରେ ସଂଭବ ହୋଇପାରିଛି ଯାହା ମଧ୍ୟରେ ଏକ ବୌଦ୍ଧିକ କାବ୍ୟାନୁଭୂତିର ଉଦାତ୍ତ ଗଠନ ପ୍ରଣାଳୀକୁ (Intellectual poetic structure) ଉପଲବ୍ଧ କରାଯାଇଥାଏ ।

 

ପରିଶେଷରେ ଶାନ୍ତନୁବାବୁଙ୍କ ଉପନ୍ୟାସ ପରିକଳ୍ପନାର ବିଧିପ୍ରବିଧିର ବ୍ୟାପ୍ତି ଓ ଦୀପ୍ତିକୁ ପରିଶୀଳନ କରି କୁହାଯାଇପାରେ ଯେ ବ୍ୟାବହାରିକ ଭାଷାର ଇଙ୍ଗିତଧର୍ମୀ ରୂପଧର୍ମ ଭିତରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ଜଣେ ସମୟ- ସଚେତନଶୀଳ ପର୍ଯ୍ୟବେକ୍ଷକ ରୂପେ ଚଳନ୍ତି ଜୀବନ ଓ ସମାଜର ନିଚ୍ଛକ ଭାବସତ୍ତାର ଅନୁଭୂତିକୁ କାବ୍ୟିକ ତନ୍ମୟତା ଭିତରେ ପ୍ରତୀକିତ କରିଛନ୍ତି, ଯାହା ଓଡ଼ିଆ ଉପନ୍ୟାସ ପରଂପରାରେ ସ୍ଵତନ୍ତ୍ର ଅଧ୍ୟାୟର ସ୍ମୃତିବହନ କରିଆସିଛି ।

 

 

ଅଧ୍ୟାପକ, ମାଣିକେଶ୍ଵରୀ କଲେଜ,

ଗଡ଼ ତୁମୁଲିଆ, ଗୋପାଳପୁର,

ସୁନ୍ଦରଗଡ - ୭୭୦୦୨୪ ।

 

***

 

ମଣିଷର କବିତା : କବିତାର ମଣିଷ

ଡକ୍ଟର ମିହିର କୁମାର ସାହୁ

 

କବି ବସଂତ କୁମାର ମୁଦୁଲି ଉତ୍ତର-ସତୁରୀର ଜଣେ ରୂପକାର ତଥା ଚିତ୍ରକାର । ଏଠି ରୂପକାର ବା ଚିତ୍ରକାର କହିଲେ ସେ କବିତା ମାଧ୍ୟମରେ ମଣିଷର ପ୍ରତ୍ୟେକଟି ସମ୍ବେଦନାକୁ ରୂପ ଦେଇଛନ୍ତି, ସମାଜର ଛାୟା ଓ ଛବିକୁ ଆଂକିଛନ୍ତି । ୧୯୮୦ ଅକ୍ଟୋବର ସଂଖ୍ୟା ‘ଭୁର୍ଜପତ୍ର’ (୧) ରେ ତାଂକ ‘ରାତ୍ରି’ କବିତା ପ୍ରଥମେ ପ୍ରକାଶିତ ହୁଏ । ଅର୍ଥାତ୍ ୟା’ ପୂର୍ବରୁ କବି କବିତା ଲେଖିବା ଜାରି ରଖିଥିଲେ ଏବଂ ୟା’ ପରଠୁଁ ବିଭିନ୍ନ ପତ୍ରପତ୍ରିକାରେ ଏଯାବତ୍‌ କବିତା ପ୍ରକାଶିତ ହୋଇଆସୁଥିଲା କାବ୍ୟାମୋଦୀ ଭାବବିହ୍ୱଳ ହୋଇ ବସନ୍ତ ଲେଖୁଛନ୍ତି ଅଜସ୍ରାବୀ କବିତା । ତାଙ୍କ ରଚିତ ପ୍ରାୟ ପାଂଚଶତ କବିତାରୁ ଆମେ ମାତ୍ର ଏକଶତ କବିତାର ରୂପ ଓ ସ୍ଵର ଶୁଣିଛୁ । ୧୯୮୧ରେ ତାଂକର ପ୍ରଥମ କବିତା ସଂକଳନ ‘ଯିଏ ଯେଉଁଠି ଅଛି’ ପ୍ରକାଶ ପାଏ । ତା’ ପରେ ୧୯୯୦ରେ ପ୍ରକାଶ ପାଏ ‘ବସନ୍ତ ବର୍ଣ୍ଣମାଳା’ । ହେଲେ ଦ୍ୱିତୀୟ ସନ୍ତାନକୁ ଦେଖିବାର ସୁଯୋଗ ଜୁଟିନଥିଲା କବିଙ୍କର । ୧୯୮୬, ଜୁନରେ କବିଙ୍କର ଅଚାନକ ଦୁର୍ଘଟଣାଜନିତ ମୃତ୍ୟହୁଏ । ତାଙ୍କ ୯୨ କବିତାକୁ ନେଇ ପ୍ରକାଶ ପାଏ ‘ବସନ୍ତ ବର୍ଣ୍ଣମାଳା’ । ଏଠି ଗୋଟେ ଦେଖିବାର କଥା, କବିଙ୍କ ମୃତ୍ୟୁପରେ ବହୁ କବିତା ପ୍ରକାଶିତ ବା ପୁନଃପ୍ରକାଶିତ ହୋଇଛି ଏବଂ ହୋଇଆସୁଛି । କବି ଜାଣିଥିଲେ ମୃତ୍ୟୁ ତାଂକୁ ଶୀଘ୍ର ବାଟ କଢ଼ାଇନେବ । ମୃତ୍ୟୁ ପ୍ରତି ତାଙ୍କର ଭୟ ନଥିଲା । ସରୋଜିନୀ ନାଇଡ଼ୁଙ୍କ ‘O death, You can’t die’, ଭଳି ସେ ମଧ୍ୟ ନିଜର ମୃତ୍ୟୁକୁ ସ୍ଵୀକାର କରୂଥିଲେ ଖୁବ୍ ସ୍ଵାଭାବିକ ଭାବରେ । କବି ଖୁବ୍‌ ସଚେତନ ଥିଲେ ଯେ, ରକ୍ତ ମାଂସଧାରୀ କବିଟିର ମୃତ୍ୟୁ ଥାଇପାରେ ହେଲେ ତା’ର କବିତାର ମୃତ୍ୟୁ ନାହିଁ । କବିତାହିଁ କବିକୁ ବଂଚାଇ ରଖେ-। ମୃତ୍ୟୁପରେ ଜୀବନ ଲଭେ କବି । ତାଙ୍କର ବହୁ କବିତାରେ ଏ ପ୍ରକାର ସ୍ଵର ଶୁଣିବାକୁ ମିଳେ ।

 

(୧)      ଦୁଃଖର ଶରଶଯ୍ୟାରେ

ମୃତ୍ୟୁ ମୋର କାମ୍ୟ ନୁହେଁ

କାମ୍ୟ ମୋର ସାମାଜିକ ଅଂଗୀକାର

ମୋର ପ୍ରଥମ ବିନ୍ଦୁ ପତନରେ

ଏବଂ ମୋର ଶେଷ ରକ୍ତ ତର୍ପଣରେ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୫୬)

 

(୨)      କେଉଁ ସ୍ୱପ୍ନାବିଷ୍ଟ ମୁହୂର୍ତ୍ତରେ

ମୋ ଦେହରୁ କାଢ଼ି ନିଆଯାଇଛି

ସାଂଜୁ, ପୋଷାକ, ମୁକୁଟ ଓ କରବାଳ

ତେଜ, ବୀର୍ଯ୍ୟ, ସକଳ ଆୟୁଧ

ସ୍ଥାନାନ୍ତରିତ କରାଯାଇଛି ନିର୍ଜନତାର ସାମ୍ରାଜ୍ୟକୁ

କେବଳ ମୁଁ ବଞ୍ଚୁଛି ଏଠି

ବଣ୍ୟ ବିଜନତାର ସିକ୍ତ ତନ୍ଦ୍ରାତାପ ତଳେ ।

ମୃତ ପ୍ରତ୍ୟୟଂକ ଶୁଷ୍କ ପତ୍ରଗଦା ଉପରେ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୯୧)

 

(୩)      ଯଦି ମୋତେ ଭଲ ପାଉଥାଅ ।

ଦୁଇଧାଡ଼ି କବିତାରେ ତମ ଦୁଃଖ ଲେଖି

ଥୋଇଦେବ ମୋ ଭଙ୍ଗା ଡେଣାରେ,

ମୁଠାଏ ଆଲୋକ ନେଇ

ମୁଁ ପୁଣି ଆସିବି ଫେରି

ସ୍ଵପ୍ନଭର୍ତ୍ତି ତମରି ଗର୍ଭରେ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୫)

 

କବି ତ’ ଦ୍ୱିତୀୟ ଈଶ୍ଵର । ସୃଜନୀକ୍ରିୟା ପାଇଁ ସେ ବାରଂବାର ଆସିପାରନ୍ତି । ବାଂରବାର ଜନ୍ମନେଇ ପାରନ୍ତି । ଘୋଡ଼ାଶାଳରେ ବା ବନ୍ଦୀଶାଳାରେ ବା ସ୍ଵପ୍ନଭର୍ତ୍ତି କେଉଁ କବିର ଗର୍ଭରେ ।

 

‘ବସନ୍ତ’ ଋତୁରାଜ । ତାଂକ କବିତାରେ ସବୁଋତୁରେ ଏକ ବିରାଟ ସମାବେଶ ହୋଇଛି । ଶବ୍ଦର ରୂପକାର ସେ’, ଶବ୍ଦର ଯାଦୁକର ‘ସେ’ । ଶବ୍ଦର ପ୍ରେମିକ ‘ସେ’ । ଶବ୍ଦରେ ବନ୍ଦୀ ‘ସେ’ । ଶବ୍ଦରେ ମୁକ୍ତି ‘ସେ’ । ଶବ୍ଦରେ ତାଙ୍କ ଜନ୍ମ, ଶବ୍ଦରେ ତାଙ୍କ ମୃତ୍ୟୁ । ଶବ୍ଦସବୁ ରୂପାୟିତ ହୋଇଛନ୍ତି - ଏକ ଅପୂର୍ବ ମୂଦ୍ରାରେ ଅସଂଭବ ଭଂଗୀରେ । ସ୍ଵରସବୁ ଆତଯାତ ହୋଇଛନ୍ତି ବିଭିନ୍ନ ରାଗରେ, ଛନ୍ଦରେ । ଭାଷାସବୁ ଚିତ୍ରିତ ହୋଇଛନ୍ତି ବିଭିନ୍ନ ରଙ୍ଗରେ, ରସରେ । ଅପୂର୍ବ ରୂପ, ରସ, ଛନ୍ଦରେ ତାଙ୍କ କାବ୍ୟନାୟିକା ଚଳଚଞ୍ଚଳ, ଭାବବିହ୍ୱଳ । ସବୁଠି ସବୁ କବିତାରେ ମଣିଷର କଥା, ମଣିଷର ବ୍ୟଥା । ମଣିଷର ସ୍ମୃତି, ମଣିଷର ଅନୁଭୂତି । କେଉଁଠି ମଣିଷର ଦୁଃଖ, ଦୈନ୍ୟ, ନୈରାଶ୍ୟ, ପୀଡ଼ନର କଥା କହିଛନ୍ତି ତ, କେଉଁଠି ମଣିଷର ପ୍ରେମ, ସଂପର୍କ, ସ୍ଵପ୍ନ ଓ ଜୀବନର କଥା କହିଛନ୍ତି । ପୁଣି କେଉଁଠି ଶଠତା, ପ୍ରତାରଣାର କଥା କହିଛନ୍ତି ତ କେଉଁଠି ବଂଚିବାର ପ୍ରେରଣା ଓ ଆହ୍ୱାନ ଦେଇଛନ୍ତି । ମଣିଷ ଜୀବନର ମୂଲ୍ୟବୋଧ ପ୍ରତି କବି ସବୁବେଳେ ସଜାଗ ଥିଲେ, ସଚେତନ ଥିଲେ-। ମଣିଷପଣିଆର ଜାଗ୍ରତ ପ୍ରହରୀ ସେ । ବ୍ୟକ୍ତିଗତ ଓ ଗୋଷ୍ଠୀଗତ ମନୁଷ୍ୟ ସମାଜର ଦୈନ୍ୟତାକୁ କବି ଅଙ୍ଗେ ଅଙ୍ଗେ ଅନୁଭବ କରୁଥିଲେ । ଗଭୀର ମାନବିକତାରେ କବିଙ୍କ କବିତାସବୁ ଦୀପ୍ତିମାନ ।

 

ତଳିଆ ଜୀବନ, ନିଷ୍ପେଷିତ ଜୀବନ ପ୍ରତି କବିଙ୍କର ଶ୍ରଦ୍ଧା ଓ ଦୁର୍ବଳତା ସର୍ବାଧିକ । ଅଙ୍ଗୀକାର ମଧ୍ୟ ସେଇଭଳି ଉଜ୍ୱଳ ଓ ସ୍ପଷ୍ଟ । ‘ଅନ୍ଧ ଗଳିର ଲୋକମାନଙ୍କ ପାଇଁ ଗୋଟିଏ କବିତା’, ‘ଜନ୍ମଦିନ’, ‘ଜେଲ୍‌ଖାନାର କଏଦୀ ସହ ଏକ ସାକ୍ଷାତକାର’, ‘ତୃତୀୟ ପ୍ରହର’, ‘ନିଦ୍ରାର ଅଚେତ ସହରରେ ପ୍ରଚାରପତ୍ର ବାଣ୍ଟୁଥିବା ଝିଅଟି’, ‘ନ ପାରିଲା ଲୋକଟି କଣ ଚାହେଁ’, ‘ପରିବେୱା’, ଇତ୍ୟାଦି କବିତାରୁ । ଉଦାହରଣ ନିଆଯାଇପରେ ।

 

(୧)      ରାସ୍ତା କଡ଼ରେ

ଶୀତରେ ଥୁରୁଥୁରୁ ହେଉଥିବା

ସେଇ ଭିକାରୀ ପିଲାଟି

ଯଦି ଗୀତଟିଏ ବୋଲିପାରନ୍ତା,

ବସ୍ତିଗଳିର ଦୁଆର ବନ୍ଧରେ ବସି

ଯୌବନକୁ ବିକିଭାଂଗି ବଂଚୁଥିବା

ସେଇ ଷୋଡ଼ଶୀ କିଶୋରୀଟି

ଯଦି ଫୁଲଟିଏ ଦେଇପାରନ୍ତା;

ଆଉ ମାଟିଝାଟିର କୁଡ଼ିଆତଳୁ

ଖାଦାନ୍‌ରେ କାମ କରୁଥିବା ପୁଅକୁ ।

ଚାତକ ପରି ଚାହିଁରହିଥିବା ମାଆ

ଯଦି କୋଳପାତି ଦିଅନ୍ତା

ଆଃ,

କେଡ଼େସୁନ୍ଦର

ହୋଇଥାନ୍ତା ଏ ସଂଧ୍ୟା

ମୋର ତ୍ରିଂଶତିତମ

ଜନ୍ମଦିନ ।

(ବସନ୍ତ ବର୍ଣ୍ଣମାଳା : ପୃ -୮୧)

 

(୨)      ନ’ ପାରିଲା ଲୋକଟିଏ କ’ଣ ଚାହେଁ

ମୁଠାଏ ସ୍ଵପ୍ନ ଅଥବା ଦି’ମୁଠା ଅଙ୍ଗାର

ନ’ ପାରିଲା ଲୋକଟିଏ କ’ଣ ଚାହେଁ

ପ୍ରାଚୀରକୁ ଲଘିଂବାର ଇଛା

ଅବା କୋମଳ ଗାନ୍ଧାର ।

(ବସନ୍ତ ବର୍ଣ୍ଣମାଳା :ପୃ ୧୧୩)

 

(୩)      ବାରମ୍ବାର ବନ୍ୟା ଓ ମରୁଡ଼ିରେ ଯେତେବେଳେ

ଆତଙ୍କିତ ହୋଇ ଉଠନ୍ତି ମୋର ପଡ଼ୋଶୀମାନେ,

ଆଉ କାଂଶବାଂଶ ନଦୀର ପଟ୍ଟାପୋଲ

ଯେତେବେଳେ ଭାଙ୍ଗିପଡ଼େ ମୋ ଉପରେ

ସେତେବେଳେ ତୋ କଥା ମନେପଡ଼େ

(ବସନ୍ତ ବର୍ଣ୍ଣମାଳା : ପୃ ୧୧୮)

 

(୪)      ଦେଖ ଅସହାୟ ମଣିଷର ଧାଁ ଦଉଡ଼ରେ

କେମିତି ଥରୁଛି ପୃଥ୍ଵୀର ଆତ୍‌ମା,

ଅସଂଲଗ୍ନ ଶବ୍‌ଦରେ

କେମିତି କମ୍ପୁଛି କବିର କଲମ;

ଆଉ ଜୀଇଁବାର ଦାବିନେଇ କେମିତି

ଚିତ୍‌କାର କରୁଛି ଅପୋଗଣ୍ଡ ଶିଶୁ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୨୧)

 

କବି କେଉଁଠି ହାରିଯିବାକୁ ଚାହିଁନାହାନ୍ତି । ଭାଂଗି ପଡ଼ିନାହାନ୍ତି କେବେ ସେ ନିଜେ ବା କାହାକୁ ବି ଭାଂଗିପଡ଼ିବାକୁ ଦେଇ ନାହାନ୍ତି । ସବୁଠି କାବ୍ୟିକ ଆସ୍ପର୍ଦ୍ଧା ପ୍ରକାଶ ପାଇଛି । କାବ୍ୟିକ ଆହ୍ୱାନ ମାଧ୍ୟମରେ ବଂଚିବାର/ଜୀଇଁବାର ନୂଆ ବାଟ ଦେଖାଇଦେଇଛନ୍ତି । ଜୀବନର ସମସ୍ତ ଅସହାୟତା ପ୍ରତି କବି ଖୁବ୍‌ । ସଚେତନ । ଖୁବ୍‌ ସମ୍ବେଦନଶୀଳ ମଧ୍ୟ । ସବୁଠି ସହୃଦୟତାର ଆହ୍ୱାନ । ଆଉ ଏ ଆହ୍ୱାନ ମାଧ୍ୟମରେ କବି ଜାଗ୍ରତ କରିବାକୁ ଚାହଛନ୍ତି, ସତର୍କ କରିଦେବାକୁ ଚାହିଁଛନ୍ତି ମନୁଷ୍ୟକୁ/ସମାଜକୁ/ଜାତିକୁ/ଗୋଷ୍ଠୀକୁ ।

 

(୧)      ବନ୍ଧୁଗଣ, ଉଠ

ଅନ୍ଧାରରେ ବାଘ ମାତିଛି, ଉଠ

ପେଡ଼ି ଭିତରର ନିଆଁ ରାସ୍‌ତା ମାଗୁଛି, ଉଠ

ଅମଡ଼ା ରାସ୍‌ତାରେ ଧସେଇ ପଶୁଥିବା

ଦୁର୍ଦ୍ଦାନ୍ତ ପ୍ରେମିକଟିଏ

ଦୁଆରରେ ଶବ୍ଦ କରୁଛି, ଉଠ

ଉଠ,

ଏବେପରା ଉଠିବାର ବେଳ ।

(ବସନ୍ତ ବର୍ଣ୍ଣମାଳା : ପୃ ୩୯)

 

(୨)      ଆ, ମୁକୁଳି ଆ, ଅହଂକାରର ସିଂହାସନରୁ

ଆ, ମୁକୁଳି ଆ, ଦୁର୍ବଳ ସ୍ୱପ୍ନର ଚଉହଦୀରୁ

ଆ, ମୁକୁଳି ଆ, ସାଁବାଳୁଆର ଖୋଳରୁ

ଆ, ମୁକୁଳି ଆ, ଶବ୍‍ଦର ଚୋର୍ଯ୍ୟ ନଗରରୁ

ଆ, ମୁକୁଳି ଆ, ଅଇଁଠା ପତ୍ରର ଅବଶିଷ୍ଟାଂଶରୁ ।

ଆ, ମୁକୁଳି ଆ, ଦିଗନ୍ତର ଅନ୍ଧାରରୁ ।

ଆ, ଆଗେଇ ଆ, ରାସ୍‌ତାକୁ ।

ଶବ୍‍ଦର ବୋମା ଧରି

ତୋ’ର ହକ୍‌ଦାବି ମାଗିବାକୁ ।

ମାଗିବାକୁ କୋଟି କୋଟି ମଣିଷର ସ୍ୱପ୍ନ ।

(ବସନ୍ତ ବର୍ଣ୍ଣମାଳା : ପୃ ୫୭)

 

(୩)      ତେବେ ଡେରି କାହିଁକି ?

ବନ୍ଦ ଦୁଆର ଖୋଲି ଆଗେଇଆସ ରାସ୍‌ତାକୁ

ସାମ୍‌ନା କର ସେଇ ଉଦ୍ଧତ ଛାଇକୁ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୭୫)

 

(୪)      କହିଥିଲି ନା,

ନଈକୂଳରେ ରାତି କଟେଇବା

ଭାରି ହୁସିଆର ଥିବ

ନହେଲେ ସୁନ୍ଦେରୀ ବଣରେ

ବାଘର ଥାବାରେ

ଚାପି ହୋଇଯିବ

ତମ ସମଗ୍ର ଜୀବନ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୮୦)

 

(୫)      ତମେ ଯେଉଁଠି ଥାଆନା କାହିଁକି

ମୋ ଧ୍ୱନିର ପ୍ରତ୍ୟୁତ୍ତର ଦିଅ ।

ଆସନ୍ନ ମୁହୂର୍ତ୍ତର ଶୁଭ୍ରତାରେ

ଆଶ୍ଲେଷି ନିଅ, ପୂର୍ଣ୍ଣେଇ ନିଅ

ସମୁଜ୍ଜ୍ୱଳ ବିନ୍ଦୁରେ, ନାଦରେ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୯୨)

 

ବହୁ କବିତାରେ ମାନବସମାଜ ପ୍ରତି କବିଙ୍କର ଅଦ୍ଭୁତ ତ୍ୟାଗ ଓ ଆତ୍ମୋତ୍ସର୍ଗର ସ୍ଵର ଶୁଣିବାକୁ ମିଳେ । କବି ଭୀମ ଭୋଇଙ୍କ ଭଳି କେଉଁଠି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ବୋଲି କହିଛନ୍ତି ତ କେଉଁଠି ଶେଷ ରକ୍ତ ବିନ୍ଦୁକୁ ମଧ୍ୟ ମାନବ ସେବାରେ ଉତ୍ସର୍ଗ କରିଛନ୍ତି । ମାନବ ସମାଜ ପାଇଁ କବିଙ୍କର ଗଭୀର ଶୋଚନା । ଅବ୍ୟବସ୍ଥିତ ସମାଜ, ନୀତିହୀନ ରାଜନୀତି, ସଂସ୍କାରହୀନ ସଂସାର ପାଇଁ କବି ଅତ୍ୟନ୍ତ ଶୋକାତୁର । କେଉଁଠି କେଉଁଠି ଅସହାୟ ମଣିଷଟିଏକୁ ଦେଖି କବିପ୍ରାଣ ତାଂକର କାନ୍ଦି ଉଠିଛି/ ବିଳପି ଉଠିଛି ।

 

(୧)      ମୁ ତୁମକୁ ଗୋଟି ଗୋଟି

ପାରି କରିଦେବି ମୋ ପିଠିରେ

ପହଞ୍ଚେଇ ଦେବି ଆର କୂଳରେ

ରକ୍ତନଦୀର ସ୍ରୋତ ଯେତେ ପ୍ରବଳ

ହେଉନା କାହିଁକି

ମୁଁ ତମକୁ ପହଞ୍ଚେଇ ଦେବି ଠିକଣା ସ୍ଥାନରେ

ଏକ ସୁନ୍ଦର ପୃଥିବୀର ମରୂଦ୍ୟାନରେ ।

(ବସନ୍ତ ବର୍ଣ୍ଣମାଳା : ପୃ ୪)

 

(୨)      ମୁଁ ଏଠାରେ ଡେଣାଭଙ୍ଗା କ୍ଳାନ୍ତପକ୍ଷୀ ।

ଶୋଇଅଛି ଶିଶୁତ୍ୱର ବିବସ୍ତ୍ର ଶେଯରେ

ଚାରିପଟେ ଚିହ୍ନା ଓ ଅଚିହ୍ନା

ଯେତେ ମଣିଷଙ୍କ ମୁହଁ

ସନ୍ତ୍ରସ, କେଉଁ ଏକ ରୁଗ୍‌ଣ ଆତଂକରେ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୫)

 

(୩)      ଆମେ ଜାଣୁ,

ଆମେ ହଜେଇ ଦେଇଛୁ

ଆମର ସ୍ନେହ, ପ୍ରେମ, ଦୟା, କ୍ଷମା,

ପ୍ରଣୟ, ପ୍ରତ୍ୟୟ ସବୁକିଛି

ଘୁଣଖିଆ ପରଂପରାର ଅନ୍ଧାର ଭିତରେ

ଯେଉଁଠି ଶୋଷଣ, ଅତ୍ୟାଚାର ଓ ଯୌନବ୍ୟାଧି

ପୀଡ଼ିତ ଏକ ମାତାଲ୍‌ ସଭ୍ୟତା

ନିଲାମ କରୁଥାଏ ପ୍ରତି ମୁହୂର୍ତ୍ତରେ

ଆମର ମାନବିକତାକୁ ।

(ବସନ୍ତ ବର୍ଣ୍ଣମାଳା : ପୃ ୩୨)

 

(୪)      ଯେତେ ଗୁଳି ଅଛି

କୁଢ଼େଇ ଦିଅ ମୋ ଛାତିରେ

ଯେତେ ପ୍ରେମ ଅଛି

ଅଜାଡ଼ି ଦିଅ ଏ ମାଟିରେ ।

(ବସନ୍ତ ବର୍ଣ୍ଣମାଳା : ପୃ ୬୯)

 

କବିଟିଏ ମନୁଷ୍ୟର ସମସ୍ତ ସମ୍ବେଦନା, ଯାତନା, ଅନୁଶୋଚନା ଭିତରେ ବଂଚିରହେ । ପଳାୟନ- ପନ୍ଥୀ ନୁହେଁ ସେ । ମନୁଷ୍ୟତା ଭିତରେ ତା’ର ଜନ୍ମ, ମନୁଷ୍ୟତା ଭିତରେ ତା’ ର ମୃତ୍ୟୁ । ତେଣୁ ସେ କହିଛନ୍ତି :-

 

ପରିତ୍ୟକ୍ତ ଜନପଦରେ

ଗୀତ ବୋଲେ ଯିଏ

ସେ କ’ଣ ବଂଶୀବାଦକ ?

ପୋଡ଼ାଜଳାର ମହାଶ୍ମଶାନରେ

ରାଜପଣ ଦାବୀକରେ ଯିଏ

ସେ କ’ଣ ସମ୍ରାଟ ??

(ବସନ୍ତ ବର୍ଣ୍ଣମାଳା : ପୃ ୧୬)

 

ଏକ ସୁସ୍ଥ ମାନବ ସମାଜ ଗଠନରେ କବି ଆଶାବାଦୀ । ମାନବିକତାର ପ୍ରତିଷ୍ଠା ପାଇଁ କବିର ଏକ ସ୍ଵତନ୍ତ୍ର ଦାବି ରହିଛି, ସେଇଥିପାଇଁ କବି ସଚେତନ କରାଇଦେଇଛନ୍ତି କବିକୁଳକୁ -

 

କବି,

ଶେଷ ଶବ୍ଦ ଫୁଟିବା ପୂର୍ବରୁ

ଜାହିର କର

ନଚେତ୍‌ ମର ।

(ବସନ୍ତ ବର୍ଣ୍ଣମାଳା : ପୃ ୨୧)

 

ମାନବିକତାର ଆଲୋକିତ ଦିଗ ପ୍ରତି କବି ବେଶ୍‌ସଚେତନ । ତାଙ୍କ ଭାଷାରେ –

 

କାଠଗଡ଼ାରେ ଠିଆହୋଇ

ନିଜକୁ ପରଖିବା ମୋର କାମ୍ୟ ନୁହେଁ

ମଲ୍ଲୀଫୁଲର ଆୟୁଷ ନେଇ

ଫୁଟିବା, ମହକିବା ତ ମୋର ଜୀବନ

ଦୋସ୍ତ,

ବିକଳ୍ପର ପ୍ରୟୋଜନ କ’ଣ ?

(ବସନ୍ତ ବର୍ଣ୍ଣମାଳା : ପୃ ୨୭)

 

ପ୍ରକୃତ ମଣିଷଟିଏ ଖୋଜିବାରେ କବି ନିରାଶ ହୋଇପଡ଼ିଛନ୍ତି । କବିପ୍ରାଣ ତାଙ୍କର ବ୍ୟଥିତ ହୋଇଛି । ହତାଶ ହୋଇପଡ଼ି ସେ କହିଛନ୍ତି -

 

(୧)      ମାନବିକ ଅଧି‌କାରର ସ୍ଵର ଓ ସ୍ୱାକ୍ଷରକୁ

ବାରମ୍ବାର ଦୋହରାଉଥିବା କବିଟିକୁ

ଝୁଲେଇ ଦିଆଯାଉଛି ଫାଶି ଖୁଣ୍ଟରେ ।

(ବସନ୍ତ ବର୍ଣ୍ଣମାଳା :ପୃ ୪୯)

 

(୨)      ମଣିଷର ପରିଚୟ ହଜିଯାଇଛି

ଅସତ୍ୟର ଭାଷାକୋଷରେ, ଏବଂ

ପ୍ରତିବାଦର ଆଦ୍ୟ ଉଚ୍ଚାରଣ ହଜିଯାଉଛି

ଅସଂଗତିପୂର୍ଣ୍ଣ ବିଯୋଡ଼ ଶବ୍ଦରେ ।’

(ବସନ୍ତ ବର୍ଣ୍ଣମାଳା :ପୃ ୪୮)

 

(୩)      ଯେତେବେଳେ ସାଲିସ୍‌ କରିପାରୁନି,

ଯେତେବେଳେ ଜନଗହଳି ଭିତରେ

ଯୁବତୀଟିଏ ଧର୍ଷଣ ହେବାର ଦୃଶ୍ୟ ଦେଖି ବି,

ଚୁପ୍ ରହିଯାଉଛି ମଣିଷ ।

(ବସନ୍ତ ବର୍ଣ୍ଣମାଳା : ପୃ ୫୬)

 

(୪)      ଜନନୀ ଗର୍ଭରେ ଆଡ଼ାପଡ଼ି

ତମର ମରିଯିବା ଉଚିତ ଥିଲା ମାନବ

କିମ୍ବା ଏକାଦଶ ଅବତାର ହୋଇ ।

ତମର ଜନ୍ମନେବା ଦରକାର ଥିଲା ।

(ବସନ୍ତ ବର୍ଣ୍ଣମାଳା : ପୃ ୧୦୧)

 

ସମାଜର ସମସ୍ତ ଅବ୍ୟବସ୍ଥା, ମାନବିକତାର ସମସ୍ତ ଅବିଚାର ପାଇଁ କବିର ଏକ ସ୍ଵତନ୍ତ୍ର ଦାୟିତ୍ୱବୋଧ ରହିଛି । କବି ବସନ୍ତ ଏଥିପ୍ରତି ବେଶ୍‌ ସଚେତନ । ସେ ଚୁପ୍‌ଚାପ୍ କିଛି ସହିଯିବାକୁ । ଚାହିଁନାହାନ୍ତି । କବିତା ତାଙ୍କର ପ୍ରିୟ ଅସ୍ତ୍ର । ତେଣୁ ସେ କହିଛନ୍ତି -

 

ପ୍ରତିଟି ରକ୍ତବିନ୍ଦୁରେ ସୃଷ୍ଟି କରିବ କବିତା

ଯାହା ପ୍ରତିଧ୍ୱନିତ ହେଉଥିବ

ପ୍ରତିଟି ମଣିଷର କଣ୍ଠରେ,

ଲେଖି ହୋଇ ଯାଉଥିବ

ପ୍ରତିଟି ଧଳା କାଗଜରେ ।

(ବସନ୍ତ ବର୍ଣ୍ଣମାଳା : ପୃ ୭୧)

 

ଅମଣିଷପଣିଆକୁ କବି ଧିକ୍କାର କରିଛନ୍ତି ସବୁଠି । ତାଂକର ଧିକ୍କାର କରିବା ଢଂଗବି ସ୍ପଷ୍ଟ ଓ ନିର୍ଭୀକ ।

 

(୧)      ସାମାନ୍ୟ ଫୁଲମାଳ, କରତାଳି, ରାଜାନୁଗ୍ରହ

ଓ ମାନପତ୍ର ପାଇଁ ତମର ପ୍ରତିଦ୍ୱନ୍ଦିତା ?

ଧିକ୍‌ଧିକ୍‌ ତମର ଅମଣିଷପଣିଆଁ

ନଣ୍ଡାଏ ଛେପ କି ଦୂବଘାସରେ ଆତ୍ମହତ୍ୟା

କରିବା ବରଂ ସବୁଠାରୁ ଭଲ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୦୭)

 

(୨)      ମୁଁ ଅସ୍ୱୀକାର କରେ ସେଇ ଭଣ୍ଡ ଦେବତ୍ୱକୁ

ମଣିଷ ମଣିଷ ମଝିରେ ବାଡ଼ ବତା ଦେଇ

ଛୋଟ କରି ଦେଉଥିବା ସେଇ ଆଦିମ ଖଡ଼ିଦାଗକୁ ।

ଆତ୍‌ମପ୍ରତ୍ୟୟହୀନ ଶବ୍‌ଦକୁ ଗନ୍ଧଯୁକ୍ତ କରି

ମେଣ୍ଢାଶାଳକୁ ଅଡ଼େଇନେଉଥିବା ମେଷପାଳକକୁ ।

ଗୋଟିଏ ରଙ୍ଗଛଡ଼ା, ମାନଚିତ୍ରକୁ ପରିତ୍ୟାଗ କରି

ଅନ୍ୟା ଏକ ନକ୍‌ସା ଆଂକୁଥିବା

ଧୂର୍ତ୍ତ ଈଶ୍ୱରକୁ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୨୩)

 

(୩)      ଦୁନିଆଁର ସମସ୍ତ ଦୁଆର ଓ ଝର୍କାକୁ

ମୁଁ ଏମିତି ଖଟ୍‌ ଖଟ୍‌ କରୁଥିବି

ଯେ ପର୍ଯ୍ୟନ୍ତ ମୋର ଶବ୍‌ଦର ପ୍ରତିଶବ୍‌ଦ

ମୁଁ ଫେରି ନ ପାଇଛି

ଆତ୍ମୀୟତାର ଏରୁଣ୍ଡିବନ୍ଧରୁ,

ଭିତରର ମଣିଷ ଯେ ପର୍ଯ୍ୟନ୍ତ

କୋଳେଇ ନ ନେଇଛି

ବାହାରର କ୍ଳାନ୍ତ ଅଗଣାରେ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୩୪)

 

(୪)      ଅମଣିଷ ହୋଇ ବଂଚିବାର ଲଜ୍ଜା

ମୋତେ ବେଶି ଘାରେ, ବେଶି ଦୁଃଖଦିଏ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୫୨)

 

ସମାଜ ପ୍ରତି ଯେଭଳି ଦାୟିତ୍ୱବୋଧ ରହିଛି, ମାନବିକତାର ପ୍ରତିଷ୍ଠା ପାଇଁ ମଧ୍ୟ ବସନ୍ତଙ୍କର ସେଇଭଳି ଅଙ୍ଗୀକାରବଦ୍ଧତା ରହିଛି । ତାଙ୍କର ଏ ଅଙ୍ଗୀକାରବଦ୍ଧତା ଆମୋର୍ତ୍ସଗରେ ପୁଷ୍ଟ ।

 

(୧)      ମୁଁ ସ୍ଵର୍ଗ ଚାହେଁନି

ଆଲୁଅ ଅନ୍ଧାର ଭର୍ତ୍ତି

ଏ ମାଟିର ଚଉଦପା’ ମଣିଷଟିଏ ହୋଇ

ରହିବାକୁ ଚାହେଁ ତୋ’ରି ସାମ୍‌ନାରେ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୫୪)

 

(୨)      ଡରିଯାଇନି ନିଘଞ୍ଚ ଜଙ୍ଗଲର

ଶବ୍‌ଦହୀନତାରେ, ଶାର୍ଦ୍ଦୁଳର ଉଗ୍ର ହେଣ୍ଟାଳରେ

କୃଷ୍ଣସାର ପଛେ ଧାଇଁ ଧାଇଁ

ବାଟବଣା ହୋଇ

ବିଚ୍ୟୁତ ହୋଇନି’ ସାଧନାରୁ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୬୯)

 

(୩)      ସେ ଲୁହର ନଦୀ ହେଉକି

ରକ୍ତର ନଦୀ ହେଉ

ଆର କୂଳରେ ତମକୁ

ପହଞ୍ଚେଇ ଦେଲେ

ମୋର ଛୁଟି, ମୋର ନିର୍ବାଣ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୮୧)

 

ଭୁଖଣ୍ଡ ପ୍ରେମ :- କବିଙ୍କର ମାତୃଭୂମି ପ୍ରତି ଶ୍ରଦ୍ଧା, ନିଜ ଗାଁ ମାଟି ପ୍ରତି ମମତା କିଛି କମ୍‌ ନୁହେଁ । ‘ସ୍ଵାଧୀନ ଭାରତ’ର ଦୈନ୍ୟତାକୁ ସେ ସହିପାରିନାହାନ୍ତି । ଗାନ୍ଧୀ, ଗୋପବନ୍ଧୁଙ୍କ ନାରେ ଚାଲିଥିବା ନୀତିହୀନ ରାଜନୀତିକୁ ଧିକ୍କାର କରିଛନ୍ତି । ସର୍ବୋପରି ସ୍ଵାଧୀନ ଭାରତର ଏକ ସୁନ୍ଦର ରୂପ ଦେଖିବାକୁ କବି ଆଶାୟୀ ।

 

(୧)      ଅନ୍ଧାରରେ, ସଢ଼ୁଛି ଏ କାହାର ଶବ ?

ନିରୁଦ୍ଦିଷ୍ଟ ଈଶ୍ଵରର ନା’ ମୋର

ନା ମୋର ପ୍ରିୟତମ ଭୂଖଣ୍ଡର ??

(ବସନ୍ତ ବର୍ଣ୍ଣମାଳା : ପୃ ୪୭)

 

(୨)      କବି,

ଯଦି ପାରୁଛ

ତମର ସମସ୍ତ ଶକ୍ତି ପ୍ରୟୋଗ କରି

ଆଘାତ କର ମୋର ଦେହ ଉପରେ ।

ନିଗିଡ଼ି ଯାଉଥିବା ପ୍ରତିଟି ରକ୍ତବିନ୍ଦୁରେ

ରଙ୍ଗେଇ ଦେଇଯାଅ

ମୋର ପରିଚିତ ଭୂଖଣ୍ଡକୁ;

ଟେକି ନେଇଯାଅ କଲମମୁନରେ ମାନଚିତ୍ରକୁ

ମୋର କଳ୍ପିତ ଶୀର୍ଷାସନକୁ ।

(ବସନ୍ତ ବର୍ଣ୍ଣମାଳା : ପୃ ୫୪)

 

(୩)      ହାତେଇବାକୁ ଡିଆଁ ମାରି ନାକେଦମ୍‌

ସଭ୍ୟତାର ମଝିଖୁଣ୍ଟକୁ ଶବ୍‍ଦ ଫୋପାଡ଼ି ଫୋପାଡ଼ି

ସହସ୍ର ବର୍ଷର ଖରାକୁ ଆତ୍ମସ୍ଥ କରି

ଚନ୍ଦ୍ର ଠାରୁ ଆହୁରି ସଫେଦ ହେବାକୁ

ଚେଷ୍ଟା କରିଛି ।

(ବସନ୍ତ ବର୍ଣ୍ଣମାଳା : ପୃ ୭୨)

(୪)      ଆଃ,

କେତେ ଶୋଷରେ

ମୂର୍ଚ୍ଛାଯାଇଛି ମୋର ପ୍ରିୟତମ ଦେଶ,

କେତେ ନଖ ଓ ଦାନ୍ତର ଅତ୍ୟାଚାରରେ

ବୀଭତ୍ସ ଦିଶୁଛି ମୋ ମା’ର ମୁହଁ

ଆଃ......

(ବସନ୍ତ ବର୍ଣ୍ଣମାଳା : ପୃ ୧୩୯)

 

(୫)      ନା,

ଲୁଣିମାରି ଯାଇଥିବା

ମୋର ଭଙ୍ଗା କୁଡ଼ିଆର କାନ୍ଥପରି

ମୋ ଦେଶର ଭାଗ୍ୟ;

ଛପରର ଘୁଣଖିଆ ବତା ଓ ବାଉଁଶ ପରି

ମୋ ଦେଶର ସ୍ୱପ୍ନ,

ମୂଷାଙ୍କ ଦାଉରେ ମୋର ବିପର୍ଯ୍ୟସ୍ତ କୋଠରୀ ପରି

କ୍ଷତ ବିକ୍ଷତ ମୋର ମାନଚିତ୍ର

ଆଉ ମୂଷା ମାଂସର ଲୋଭରେ

ଅନୁପ୍ରବେଶକାରୀ ସର୍ପଂକ ପରି

ସନ୍ତ୍ରାସବାଦର ବିଭୀଷିକାରେ

ଥରୁଛି ମୋର ଦେଶର ହୃତ୍‌ପିଣ୍ଡ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୭୯)

 

ଶବ୍ଦର ଖେଳାଳୀ ଥଲେ ବସନ୍ତ । ଶବ୍ଦରେ ବିଭିନ୍ନ ଖେଳର ସର୍ଜନା କରିପାରୁଥିଲେ ସେ ଅନାୟାସରେ । ଶବ୍ଦର କାରୀଗର ଥଲେ ସେ । ତାଙ୍କ ଶବ୍ଦଶିଳ୍ପ ବେଶ୍‌ ସମୃଦ୍ଧ ଓ ଋଦ୍ଧିମନ୍ତ । ଶବ୍ଦ ଉପରେ ଥିଲା ତାଙ୍କର ଅଖଣ୍ଡ ବିଶ୍ଵାସ । ଶବ୍ଦରେ ସେ ଚମତ୍କାରିତା ଦେଖାଇଛନ୍ତି । ସଂଯୋଜନା ତାଙ୍କର ବେଶ୍‌ ମାଧୁର୍ଯ୍ୟପୂର୍ଣ୍ଣ । ଶବ୍ଦର ପ୍ରଭାବ ଓ ପ୍ରତିକ୍ରିୟା ସଂପର୍କରେ କବି ସଚେତନ । ଶବ୍ଦରେ ସେ ବୋମା ତିଆରି କରିପାରନ୍ତି, ଚୁମା ବି ଦେଇ ପାରନ୍ତି । ଶବ୍ଦରେ ମାନବିକତାର ପ୍ରତିଷ୍ଠା କରିପାରିଛନ୍ତି ସେ । ତାଙ୍କର ବହୁ କବିତାରୁ ଏଭଳି ଉଦାହରଣ ନିଆଯାଇପାରେ । ସବୁଠି ଶବ୍ଦର ବାହାଦୂରୀ, ଶବ୍ଦର ଚାତୂରୀ । ସବୁଠି ଶବ୍ଦର ବୀରତ୍ୱ, ଶବ୍ଦର ରାଜତ୍ଵ । ‘ଶବ୍ଦ’ର ଶବ୍ଦପ୍ରତି କବିଙ୍କର ଅହେତୁକ ପ୍ରେମ, ଶ୍ରଦ୍ଧା । ସବୁ କବିତାର ଚାବିକାଠି ଶବ୍ଦ, କେବଳ ଶବ୍ଦ । ‘ବସନ୍ତ ବର୍ଣ୍ଣମାଳା’ର କବିତାସବୁ ଏମିତି । ଦ୍ରୋହ, ବିଦ୍ରୋହ, ଅସନ୍ତୋଷ, ପ୍ରତିକିୟା ଓ ସିଧାସଳଖ ମୁହାଁମୁହିଁ ଶବ୍‌ଦର ହତିଆର । ତାଙ୍କ କବିତାର ଭୂମି ବେଶ୍‌ ଉର୍ବର । ତେଣୁ ତାଙ୍କ ଶବ୍ଦ ସମୃଦ୍ଧ । କେଉଁଠି ତତ୍‌କ୍ଷଣାତ୍‌ ଭାବ ଉଦ୍ରେକକାରୀ ଶବ୍ଦ ପ୍ରୟୋଗ କରିଛନ୍ତି ତ କେଉଁଠି ଶବ୍ଦରେ ବିଶେଷ କ୍ରିୟାପଦସବୁ ସୃଷ୍ଟି କରିଛନ୍ତି । ଶବ୍ଦ ସଂଯୋଜନା ଓ ପ୍ରୟୋଗ ଚମତ୍‌କାର ଭାବରେ ସ୍ଵାଭାବିକ୍‌ ହୋଇଛି ତାଙ୍କର ବହୁ କବିତାରେ । ତେଣୁ କବି ‘‘ମଣିଷର କବିତା’’ ଲେଖୁ ଲେଖୁ ଖୁବ୍‌ ସ୍ଵାଭାବିକ୍‌ ଭାବରେ ‘‘କବିତାର ମଣିଷ’’ ହୋଇପଡ଼ିଛନ୍ତି ।

 

(୧)      ଅନ୍ଧାରରେ ଦିଗନ୍ତକୁ ଚାହିଁରହିଥିବା

ଅସହାୟ ମଣିଷର ପ୍ରତିନିଧିକୁ

ବାନ୍ଧିନିଆଯାଇପାରେ କ୍ରୁଶକାଠକୁ

ହେଲେ କବିତା କେବେ ମରି ପାରେନା

ଅଗ୍ନି ସମ୍ଭୂତ ଶବ୍ଦର ପ୍ରତିଧ୍ଵନି

କେବେ ନିଶଫଳା ହଏନି

ସମସ୍ତ ଦୁଃଖ ଓ ଯନ୍ତ୍ରଣାର ଶରଶଯ୍ୟାରେ

କବିଟିଏ ଜନ୍ମୁଥାଏ ପ୍ରତି ମୁହୂର୍ତ୍ତରେ ।

(ବସନ୍ତ ବର୍ଣ୍ଣମାଳା : ପୃ ୩୮)

 

(୨)      ଶବ୍‍ଦ ଗଢ଼ି ଗଢ଼ି କବି ମାଦଳ

ଆକାଶ ବି ଅନ୍ଧାର

ତାରି ଭିତରେ ଶୁଣାଯାଏ

ବଞ୍ଚିବାର ଅସ୍ପଷ୍ଟ ଚିତ୍‌କାର ।

(ବସନ୍ତ ବର୍ଣ୍ଣମାଳା : ପୃ ୪୧)

 

(୩)      ଆଉ ପବନରେ ସଞ୍ଚରିଯାଉଥିବା

ତା’ର ଶବ୍‌ଦମାନଂକ ପ୍ରତିଧ୍ୱନିକୁ ଶୁଣ,

କେମିତି ଝଂକୃତ ହେଉଛନ୍ତି

ପ୍ରତିଟି ଅସହାୟ ଆତ୍‌ମାର କର୍ଣ୍ଣରେ

ଜାଣେ, ସେଇ ଶବ୍ଦହିଁ ଦିନେ କଥା କହିବ

ତା’ର ସମର୍ଥ ଢଙ୍ଗରେ ଏଇ ପାଣି ପବନରେ

କୁଆଁ ମେଲୁଥିବା ଘଟଣାମାନଙ୍କ

ଅଦୃଶ୍ୟ ହସ୍ତାକ୍ଷରରେ ।

(ବସନ୍ତ ବର୍ଣ୍ଣମାଳା : ପୃ ୪୮)

 

(୪)      ଅନେକ ଅନୁଭବର କଥା

ମାଟିର ବ୍ୟଥା, ଜୀବନର ଭାଷାନେଇ

ମହମହ ଗନ୍ଧରେ ବାସୁଛି ଶବ୍ଦ ।

(ବସନ୍ତ ବର୍ଣ୍ଣମାଳା : ପୃ ୯୬)

(୫)      କାରଣ,

ଶକ୍ତିମାନ’ ଶବ୍‌ଦଟିଏ

କି ଗତିବାନ୍‌ ପଂକ୍ତିଟିଏ ଯଥେଷ୍ଟ

ଶତାବ୍ଦୀର କ୍ଳାନ୍ତି ବୋହିବାକୁ ।

(ବସନ୍ତ ବର୍ଣ୍ଣମାଳା : ପୃ ୯୯)

 

(୬)      ଲକ୍ଷେଭାର ପଦ୍ମଫୁଲ

ଦହି ଦୁଧ, ସର ଓ ଲବଣୀ ଦେଇ

ତମେ ଆସ ବସନ୍ତ ଉତ୍ସବ ଦେଖି

ମୋର ପଛେ ପଛେ ଦଳବଳ ଘେନି

ମୁଁ ଚାଲିଛି ଆଗେ ଆଗେ

ଜ୍ଵଳନ୍ତ ମଶାଲ ଓ ଶବ୍‌ଦ ବ୍ରହ୍ମେ

ସମ୍ରାଟଙ୍କ ବ୍ୟୂହ ଭେଦିବାକୁ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୩୬)

 

ଶବ୍ଦ ସଂଯୋଜନା : କେତୋଟି କବିତାରେ କବିଙ୍କର ଶବ୍ଦ ସଂଯୋଜନାରେ କୁହୁକୀୟ ଚମତ୍କାରିତା ପରିଲକ୍ଷିତ ହୁଏ । କାବ୍ୟିକ ଦୃଢ଼ତାରେ ଶବ୍ଦସବୁ ସ୍ଵରତୋଳେ :

 

(୧)      ରାଜାଂକ ମଣୋହି ବେଳ, ହରିବୋଲ୍‌

ଭାସିଲା ପଥର ବୁଡ଼ିଲା ଶୋଲ, ହରିବୋଲ୍‌

ଉଡ଼ୁଛି ତ୍ରିରଙ୍ଗା ବାନା , ହରିବୋଲ୍‌

ପିନ୍ଧିବାକୁ ନାହିଁ କନା, ହରିବୋଲ୍‌

ଖାଇବାକୁ ନାହିଁ ଦାନା, ହରିବୋଲ୍‌

ପାଦ ରଖିବାକୁ ଯାଗା ଟିକେ ନାହିଁ

ବଡ଼ ଦେଉଳକୁ ଅନା, ହରିବୋଲ୍‌ ।

(ବସନ୍ତ ବର୍ଣ୍ଣମାଳା : ପୃ ୯)

 

(୨)      ଧାନ ଫୁଲରେ ଝଡ଼

ନଈ ସୁଅରେ ବାଡ଼

ମାଆ ଛାତିରେ ହାଡ଼

ଶିଶୁ ଓଠରେ ରଡ଼

କଥା ମୁହଁରେ ମାଡ଼

ଚିନ୍ତା ଦେହରେ ଜାଡ଼

ଖଣ୍ଡିଆ ଭୁତର ଦାନ୍ତ କଡ଼୍‌ ମଡ଼୍‌

ଅନ୍ଧାରକୁ ବାଟ ଛାଡ଼ ।

(ବସନ୍ତ ବର୍ଣ୍ଣମାଳା : ପୃ ୯୨)

 

(୩)      ଶବ୍ଦରେ ଫୁଲ ଫୁଟୁ

ବୋମାରେ ଛତୁ ଫୁଟୁ

ଧାନଶୀଁଷା କ୍ଷୀର ଢୋକୁ

ବାଳୁଙ୍ଗାର ଶିରୀ ତୁଟୁ

ସକାଳରେ ସୂର୍ଯ୍ୟ ହସୁ

ସଂଜହେଲେ ଜହ୍ମ ନାଚୁ

ନୀରବତାର ବନ୍ଧ୍ୟା ଭୂଇଁ

ପାଲଟିଯାଉ କୋଳାହଳର ଖେଳ ପଡ଼ିଆ ।

(ପୃ ୧୦୩ : ବସନ୍ତ ବର୍ଣ୍ଣମାଳା)

 

(୪)      ଶବଦ୍‌ରେ ପୁହେଇ ରାତି

ସୁରରେ ହଜେଇ ଭୀତି

ମୋହରେ ତିନ୍ତେଇ ମାଟି

କବିତାରେ ନିଆଁ ଯୋଖି

ଆ’ ଆ, ରେ ନୀଳପକ୍ଷୀ

ଅକୃତ୍ରିମ ଶବ୍ଦର ଗର୍ଭରୁ

ମୋର ଶୂନ୍ୟ ହାତ ପାପୁଲିକୁ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୬୩)

 

(୫)      ଥରୁଟିଏ ଆଖିଖୋଲିଥିଲେ

ଆକାଶ ହୋଇଥା’ନ୍ତା ଦୃଶ୍ୟମୟ

ଥରୁଟିଏ ଶବ୍‌ଦ ଫୁଟିଥିଲେ

ମାଟି ହୋଇଥା’ନ୍ତା ଧ୍ଵନିମୟ;

ଥରୁଟିଏ ଛୁଇଁଦେଇଥିଲେ

ନିମକାଠ ହୋଇଥା’ନ୍ତା ବାସନାମୟ

(ବସନ୍ତ ବର୍ଣ୍ଣମାଳା : ପୃ ୧୬୯)

 

କାବ୍ୟିକ ଦାୟିତ୍ୱବୋଧ : କବି ବସନ୍ତ ତାଂକର କାବ୍ୟିକ ଦାୟିତ୍ୱବୋଧ ପ୍ରତି ବେଶ୍‌ ସଚେତନ ଥିଲେ । ଜାଗ୍ରତ ପ୍ରହରୀ ପରି ସେ ସଦା ସଜାଗ ଥିଲେ ନିଜର କାବ୍ୟିକ ସତ୍ତାପ୍ରତି । ନିଜକୁ ତିଳ ତିଳ କରି ଉତ୍ସର୍ଗ କରିବାରେ ତାଙ୍କର ଗଭୀର ନିଷ୍ଠାଥିଲା । ମାନବିକ ମୂଲ୍ୟବୋଧ ପ୍ରତିଷ୍ଠା ପାଇଁ ସେ ଯେକୌଣସି ପନ୍ଥା ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ ।

 

(୧)      କେଉଁ ଦୂର ବନାନୀର ଶୁଷ୍କଡାଳରେ

କ୍ରନ୍ଦନରତା ଏକଲା କପୋତୀର ଦୁଃଖରେ

ନିର୍ଭୟରେ କହିରଖୁଛି ସମସ୍ତଂକୁ

ମୁଁ ବସନ୍ତ ମୁଦୁଲି ଓଡ଼ିଶାର କବି

ମୁଁ ଚରି ଯିବି ସମଗ୍ର ପୃଥିବୀକୁ ମୋର କଲମରେ

ହଜାର ବାର ଧ୍ୟାନସ୍ଥ ହେବି ବୁଦ୍ଧ ପରି

ହଜାର ବାର ଠିଆ ହେବି ଶତ୍ରୁର ବ୍ୟୂହରେ ।

(ବସନ୍ତ ବର୍ଣ୍ଣମାଳା : ପୃ ୫୦)

 

(୨)      ମୁଁ କବି ବସନ୍ତ ମୁଦୁଲି

ଗୋଟାପଣ ଓଡ଼ିଶା ଦେଶର

ମୋର କବିତାରେ

ସାରା ଭୂଗୋଳକୁ ମୁଁ

ଚରିଯିବାକୁ ପ୍ରସ୍ତୃତ ;

ମୋତେ ବାଧାଦେବ, ଏତେ ବହପ କାହାର ।

(ବସନ୍ତ ବର୍ଣ୍ଣମାଳା : ପୃ ୬୦)

 

(୩)      ଦକ୍ଷିଣ ହସ୍ତ କାଟିଦେଇଛି ଗୁରୁ ଦକ୍ଷିଣାରେ

ବାମ ହସ୍ତ ଦେଉଛି ପିତୃବ୍ୟଂକ ଋଣ ସୁଝିବାରେ

ଗୋଡ଼ ଦୁଇଟି ପୋତିଦେଇଛି

ଖୁଣ୍ଟ ପରି ନଈଗଣ୍ଡରେ

ଅନୁଜମାନଂକୁ ପାରିକରିବାରେ

ଏବଂ ଅବଶିଷ୍ଟ ଦୁବଳ ଛାତିର

ସବଳ କଲିଜାକୁ ସଞ୍ଚିରଖିଛି

ମୋର ବିଶ୍ଵାସଘାତକିନୀ ମିତଣୀ ପ୍ରୀତ୍ୟାର୍ଥେ ।

(ବସନ୍ତ ବର୍ଣ୍ଣମାଳା : ପୃ ୧୨୨-୧୨୩)

 

(୪)      ନା, ଏ କବିତା ମାର୍କସ୍‌ର ପ୍ରତିଧ୍ଵନି ନୁହେଁ

ନୁହେଁ ପେବ୍ଲୋ ନେରୁଦାର,

ଏ ସ୍ଵର ନା ନଜରୁଲ୍‌ର ନା ବେଂଜାମିନ୍‌ ମୋଲେସର

ନା ରବି ସିଂ ର !

ଏ ସ୍ଵର ଖାସ୍‌ ବସନ୍ତ ମୁଦୁଲିର

ଅଭିଶପ୍ତ ମାଟି ପାଇଁ ଧ୍ୟାନସ୍ଥ ଦଧିଚୀର,

ଏକବିଂଶ ଶତାବ୍ଦୀ ପାଇଁ ପେଡ଼ିପୁଟୁଳା ବାନ୍ଧି

ସଜବାଜ ହେଉଥିବା ମଣିଷର ଗଣ୍ଠୁଳି ଭିତରେ

ଅଣନିଃଶ୍ଵାସୀ ମୁକ୍ତି ଆଶାୟୀ ଏକ ତରୁଣ କବିର ।

(ବସନ୍ତ ବର୍ଣ୍ଣମାଳା : ପୃ ୧୩୩)

 

ମାନବିକତା ପ୍ରତି କବି ବସନ୍ତ ବେଶ୍‌ ସମ୍ବେଦନଶୀଳ । ମାନବବାଦର ପ୍ରତିଷ୍ଠା ପାଇଁ ସେ ଅଭୂତ ଆତ୍ମସମର୍ପଣର କଥା ମଧ୍ୟ କହିଛନ୍ତି । ଅମଣିଷପଣିଆକୁ ଧିକ୍କାର କରିଛନ୍ତି, ମୁକାବିଲା କରିବାକୁ ଆଗେଇ ଆସିଛନ୍ତି । ନିଃସ୍ଵ ତଥା ଅସହାୟ ମଣିଷ ପାଇଁ ତାଙ୍କର ଦୁର୍ବଳତା ଅଧିକ । କବିତାସବୁ ମାନବିକ ଗୁଣାବଳୀରେ ଋଦ୍ଧିମନ୍ତ ତଥା ଜୀବନ୍ତ । ସଚୁ କବିତା ଭାବଗର୍ଭକ । ଭାବର ତେଜୀୟାନ୍‌ ବାଗ୍ମିତା ପାଠକର ହୃଦୟକୁ ପ୍ରବେଶ କରିଯାଏ/ଭେଦିଯାଏ, ଚରିଯାଏ ସାରା ଶରୀର-। ଶେଷରେ ଏତିକି କୁହାଯାଇପାରେ- ‘‘ବସନ୍ତଙ୍କ କବିତା ମଣିଷପଣିଆକୁ ଉଖାରିବାରେ ସମର୍ଥ । ଆପଣାକୁ, ଆପଣାର ପରିବେଶ ଓ ଜୀବନକୁ ଏପରିକି ଖାଇ ଗୋଡ଼ାଉଥିବା, ରକ୍ତ ଚାଉଳ ଚୋବା, ଧୋକାବାଜ ମୁତଫର୍କା ସମୟକୁ ଚିତ୍‌ପଟାଙ୍ଗ କରିଦେବାକୁ ତାଙ୍କ କବିତାର ଢେରଢେର ତାକତ୍‌ ଅଛି । କିନ୍ତୁ ନିତ୍ୟନୂତନ ବର୍ଣ୍ଣୋତ୍ସବରେ ବସନ୍ତ ସମେତ ତାଙ୍କ ସୃଜନଶୀଳତା ଆଜି ସମ୍ଭାବନା ପରି ଉଦାର, ପ୍ରେମିକ ପରି ନୀରବତାରେ ଦୁର୍ବାର ।’’ ।। ୨ ।।

 

।। ୧ ।।

କମଳାକାନ୍ତ ଲେଙ୍କା - ବସନ୍ତ ବର୍ଣ୍ଣମାଳା, ‘୧୯୯୦’

।। ୨ ।।

କମଳାକାନ୍ତ ଲେଙ୍କା - ବସନ୍ତ ବର୍ଣ୍ଣମାଳା, ‘୧୯୯୦’

 

 

ଓଡ଼ିଆ ବିଭାଗ,

ବିଶ୍ୱଭାରତୀ/ଶାନ୍ତିନିକେତନ - ୭୩୧୨୩୫(ପ.ବ)

 

***

 

ସାଂପ୍ରତିକ ଓଡ଼ିଆ ଶିଶୁକବିତାର ଛନ୍ଦ : ଏକ ସିଂହାବଲୋବନ

ଡକ୍ଟର ମନୀନ୍ଦ୍ର ମହାନ୍ତି

।। ଏକ ।।

 

ଶିଶୁ ସାହିତ୍ୟ କ୍ଷେତ୍ରରେ ‘ଶିଶୁକବିତା’କୁ ‘ଶିଶୁଗୀତ’ ବୋଲି କହିବା ଅଧିକ ଯୁକ୍ତିଯୁକ୍ତ ହେବ । କାରଣ, ‘ଶିଶୁକବିତା’କୁ ପିଲାଟି ମନେମନେ ପଢ଼େନାହିଁ, କି ବଡ଼ ପାଟିରେ ପଢ଼େନାହିଁ, ସେ ସ୍ୱରଧରି ବୋଲିଥାଏ । ଅର୍ଥାତ୍‌, ‘ଗାନଧର୍ମିତା’ ହିଁ ଏହାର ପ୍ରାଣବିନ୍ଦୁ । ତେଣୁ, ହିନ୍ଦୀ ଶିଶୁସାହିତ୍ୟର ବିଶିଷ୍ଟ ଗବେଷକ ଡକ୍ଟର ହରିକୃଷ୍ଣ ଦେବସରେଙ୍କ ମତରେ - ‘‘ଗୀତ୍‌ ଗେୟ ହୋତା ହୈ, ଇସ୍‌ଲିୟେ ଉସେ ଉହ୍ନେଁ, ଗାନେ ୟା ସୁନ୍‌ନେ ମେଁରି ଆନନ୍ଦ ଆତା ହୈ ।’’ (ହିନ୍ଦୀ ବାଲ୍‌ସାହିତ୍ୟ : ଏକ ଅଧ୍ୟୟନ - ଆୟାରାମ ଏଣ୍ଡ୍ ସନ୍ସ - ଦିଲ୍ଲୀ - ୧୯୬୯-ପୃ ୨୩୮) । Agnes Repplierଙ୍କ ମତରେ କବିତାରେ କଳ୍ପନା ତା’ର ଜ୍ଞାନର ସୀମାକୁ ଅତିକ୍ରମ କରି ବାହାରି ଯାଇଥାଏ । ତା’ର ‘ଭାବ’ ତାକୁ ଏତେ ଦୂରକୁ ନେଇଯାଇଥାଏ ଯେ; ଯେଉଁଠିକି ତା’ର ଜ୍ଞାନ ପହଞ୍ଚିପାରେ ନାହିଁ । ତା’ର କେବଳ ଦରକାର - ଆନନ୍ଦ’ (Quoted by Littin Smith- A Critical Approach to Children’s Literature - Page - 98)-। ଶିଶୁର ଏହି ‘କଳ୍ପନା’ କୁ ପରିସ୍ଫୁଟ କରିବାରେ ସାହାଯ୍ୟ କରେ ‘ଗୀତ’ ର ସ୍ଵର ମାଧୁରୀ । ଏହି ଗେୟଧର୍ମିତା ପିଲାକୁ କେବଳ ଆନନ୍ଦ ପ୍ରଦାନ କରେ ନାହିଁ, ତାକୁ ବୁଝି ଗ୍ରହଣ କରିବାକୁ ମଧ୍ୟ ସକ୍ଷମ ହୁଏ, ଏବଂ ମନେରଖିବାକୁ ମଧ୍ୟ ସହଜ ହୁଏ । (ହିନ୍ଦୀ ବାଲ୍‌ସାହିତ୍ୟ : ଏକ ଅଧ୍ୟୟନ - ପୃ : ୨୪୦)

 

ପୁନଶ୍ଚ, କୁହାଯାଏ- ‘‘Poetry is an art of the ear not of the eyes, in other wards poetry is sound not sight’’, ଅର୍ଥାତ୍‌ କବିତା - କର୍ଣ୍ଣ ପାଇଁ - ଏକ କଳା । ଏହା ଚକ୍ଷୁ ପାଇଁ ନୁହେଁ । ଅନ୍ୟ ଭାଷାରେ, କବିତାହିଁ ଧ୍ୱନି ବା ସ୍ଵର, ମାତ୍ର, ସୃଷ୍ଟି ନୁହେଁ-। (ବାଲ୍‌ଗୀତ ସାହିତ୍ୟ - ଶ୍ରୀ ନିରଙ୍କାର ଦେଓ ସେବକ - କିତାବ ମହଲ ପ୍ରାଇଭେଟ୍‌ ଲିମିଟେଡ଼୍‌, ୧୯୬୬ - ପୃ : ୧୦୩) । ସାଧାରଣ କବିତା କ୍ଷେତ୍ରରେ ଗାନଧର୍ମିତାହିଁ ଯେ ପ୍ରାଣବିନ୍ଦୁ, ତାହା ସ୍ଵୀକାର କରାଯିବ । ଏହି ଗାନଧର୍ମିତା ସ୍ଵର ବା ‘ଧ୍ୱନି’ ର ‘ଗତିପଥ’ ବା ‘ଗତିବେଗ’ ଉପରେ ଆଧାରିତ, ‘ଧ୍ୱନି’ର ଏହି ‘ଗତିପଥ’ ବା ‘ଗତିବେଗ’ର ଶୃଙ୍ଖଳାହିଁ - ଛନ୍ଦ ।

 

‘ଧ୍ୱନି’ ର ଗତିପଥହିଁ ‘ଛନ୍ଦ’ର ମୂଳକଥା । ଏହି ‘ଧ୍ଵନି କେତେବେଳେ ଦୀର୍ଘ ହୋଇଯାଏ, କେତେବେଳେ କ୍ଷୁଦ୍ର ହୋଇଯାଏ, କେତେବେଳେ ଉଚ୍ଚକୁ ଆରୋହଣ କରିଯାଏ ତ, କେତେବେଳେ ନିମ୍ନକୁ ଅବତରଣ କରିଯାଏ । ଧ୍ଵନିର ଏହି ‘ଗତି’ ର ‘ଦିଗ’ ଓ ‘ବେଗ’ ହିଁ - ‘ଛନ୍ଦ’ ର ମୂଳକଥା ।

 

‘ଛନ୍ଦ’ - ହେଲା ଏକ ଧ୍ୱନିଗତ ଶୃଙ୍ଖଳା । ନିର୍ଦ୍ଧିଷ୍ଟ ଧ୍ୱନି ଶୃଙ୍ଖଳାରେ ବୋଲାଯାଇଥିବା ଗୀତ ଏକ ନିର୍ଦ୍ଦିଷ୍ଟ ନାମ ବହନ କରିଥାଏ । ଏହି ଧ୍ଵନି ଶୃଙ୍ଖଳା ଶ୍ରୋତା ବା ପାଠକ ମନରେ ଯେଉଁ ‘ଭାବ’ (ବା ରସ)ର ଉଦ୍ରେକ କରାଏ, ତାହାହିଁ କବିତାକୁ ସଫଳ କରାଇଥାଏ । ସହଜ କଥାରେ, କବି ଯେଉଁ ‘ଭାବ’କୁ ପ୍ରକାଶ କରିଥାନ୍ତି, ‘ଛନ୍ଦ’ ହଁ ତାକୁ ଅଧିକ ପରିପୂର୍ଣ୍ଣ କରିତୋଳେ ।

 

‘ଛନ୍ଦ’ ଏକ ପରିବେଷଣଗତ ମାଧ୍ୟମ ହେଲେ ମଧ୍ୟ ଏହା ଗୀତର ମର୍ମକୁ ରସୋତ୍ତୀର୍ଣ୍ଣ ଏବଂ ହୃଦୟଗ୍ରାହୀ କରାଇବାରେ ସାହାଯ୍ୟ କରିଥାଏ । ତେଣୁ ‘ଗୀତ’ର ‘ଭାବ’ ଓ ‘ଛନ୍ଦ’ ଏକତ୍ର ହୋଇଗଲେ ଏହା ଶ୍ରୋତାର ମନ ଓ ଶ୍ରୁତିକୁ ରସାଣିତ କରିଦିଏ ଏବଂ ‘ଭାବ’ ର ସମୁଦ୍ର ଉତ୍‌କୂଳ - ଉତ୍‌କୂଳ ହୋଇଉଠେ । ‘ଛନ୍ଦ’ ଯଦି ‘ଭାବ’କୁ ଅଧିକ ସୁଦୃଢ଼ ଓ ହସବନ୍ତ କରି ତୋଳେ, ତେବେ ସେହିଠାରେହିଁ ସାହିତ୍ୟ-କର୍ମର ସଂପୂର୍ଣ୍ଣତା ଆସେ । ଏହି ସଂପୂର୍ଣ୍ଣତାହିଁ - ‘ଛନ୍ଦ’ ସୃଷ୍ଟିର ମୂଳହେତୁ ।

 

ସୁତରାଂ, ଏହି ‘ଛନ୍ଦ’ ଦିଗରୁ ଶିଶୁଗୀତ ଅଧ୍ୟୟନର ଆବଶ୍ୟକତା ରହିଛି । ସାଂପ୍ରତିକ ଓଡ଼ିଆ ଶିଶୁଗୀତର ଛନ୍ଦସଂପଦ ପ୍ରସଂଗରେ କିଞ୍ଚିତ୍‌ ଆଲୋକପାତ୍‌ କରିବା ଏହି ଚର୍ଚ୍ଚାର ମୁଖ୍ୟ ବିଷୟ ।

 

।। ଦୁଇ ।।

 

ଭାରତୀୟ ଛନ୍ଦକୁ ମୁଖ୍ୟତଃ ଦୁଇଗୋଟି ଭାଗରେ ବିଭକ୍ତ କରାଯାଇଥାଏ । ଯଥା - ବୈଦିକ ଓ ଲୌକିକ । ବୈଦିକ ଛନ୍ଦ ପୁନଶ୍ଚ, ସାତଗୋଟି ଭାଗରେ ବିଭକ୍ତ କରାଯାଇଛି । ଯଥା - ଗାୟତ୍ରୀ, ଉଷ୍‌ଣିବ୍‌, ଅନୁଷ୍ଟୁପ୍‌, ବୃହତି, ପଂକ୍ତି, ତ୍ରିଷ୍ଟୁପ୍‌, ଜଗତୀ । କିନ୍ତୁ, ଲୌକିକ ଛନ୍ଦକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥାଏ । ଯଥା - (କ) ମାତ୍ରିକ, (ଖ) ବର୍ଣ୍ଣିକ ।

 

ଯେଉଁ ଛନ୍ଦ ‘ବର୍ଣ୍ଣ’ ବା ‘ଅକ୍ଷର’ ‘ମାତ୍ରା’ର ସଂଖ୍ୟା ଦ୍ୱାରା ନିୟନ୍ତ୍ରିତ ହେଲା- ତାହାକୁ ମାତ୍ରିକ ଛନ୍ଦ (ଗୁରୁ - ଲଘୁ ଛନ୍ଦ) କୁହାଯାଏ । ‘କ’ ଠାରୁ ‘ହ’ ପର୍ଯ୍ୟନ୍ତ ବର୍ଣ୍ଣ ଏକ ମାତ୍ରା ବିଶିଷ୍ଟ । ମାତ୍ର ଆ, ଈ, ଊ, ଏ ଓ ଔ ଅନୁସାର ଏବଂ ବିସର୍ଗ ଯୁକ୍ତ ସ୍ୱରବର୍ଣ୍ଣ ତଥା ଏଇସବୁ ମାତ୍ରାଯୁକ୍ତ ‘କ’ଠାରୁ ‘ହ’ ପର୍ଯ୍ୟନ୍ତ ବର୍ଣ୍ଣ (କା, କୂ, କେ, କୈ, କୋ, କୌ, କଂ, କଃ ପ୍ରଭୃତି) ଦୁଇମାତ୍ରା ବିଶିଷ୍ଟ । ଯୁକ୍ତବର୍ଣ୍ଣର ପୂର୍ବବର୍ତ୍ତୀ ବର୍ଣ୍ଣ ଦୁଇଟି ମାତ୍ରା ବିଶିଷ୍ଟ । ଏକମାତ୍ରା ଅକ୍ଷର ସ୍ଥାନରେ ସ୍ଵର ଅଳ୍ପକ୍ଷଣସ୍ଥାୟୀ ଉଚ୍ଚାରିତ ହୁଏ ଏବଂ ଦ୍ୱିମାତ୍ରାଠାରେ ସ୍ଵର ସାମାନ୍ୟ ଦୀର୍ଘ କ୍ଷଣସ୍ଥାୟୀ ଉଚ୍ଚାରିତ ହୁଏ । (ଓଡ଼ିଆ ଛନ୍ଦର ବିକାଶ - ଡକ୍ଟର ଜାନକୀବଲ୍ଲଭ ମହାନ୍ତି - ଓଡ଼ିଶା ସାହିତ୍ୟ ଏକାଡ଼େମୀ - ୧୯୬୧ - ପୃ: ୪ ଦଷ୍ଟବ୍ୟ ।)

 

ସାଂପ୍ରତିକ ଓଡ଼ିଆ ଶିଶୁଗୀତରେ ଏହି ସ୍ଵରମାତ୍ରିକ ଛନ୍ଦର ପ୍ରଚଳନ ପ୍ରଚୁର ଭାବରେ ଦେଖିବାକୁ ମିଳେ ।

 

ଉଦାହରଣ ସ୍ୱରୂପ - -

ନୀଳ ଆକାଶକୁ ଉଡ଼ି ଉଡ଼ିଯା

୨୧ ୨୨ ୧୨ ୧୨ ୧୨୨

      ଉଡ଼ିଯା ମୋର ଲୋଟଣି ପାରା,

      ୧୨୨ ୨୧ ୨୧୨ ୨୨

            ମେଘ ରାଇଜରେ ବୁଲି ବୁଲିକା

            ୨୧ ୨୧୨୨ ୨୨ ୨୨୨

                  ବଉଦ ସାଥେ ଖେଳିବୁ ପରା

                  ୧୧୧ ୨୨ ୨୨୨୧୨

(ଝୁମୁକା - ଶୀ ରାମକୃଷ୍ଣ ନନ୍ଦ - ପୃ: ୧୨୪)

 

ଏହି ପଦଟିରେ ୧ମ ପାଦ ବା ଚରଣରେ ଅକ୍ଷର ସଂଖ୍ୟା -୧୧ । ମାତ୍ରା ସଂଖ୍ୟା -୧୮ । ୨ୟ ପାଦରେ ଅକ୍ଷର ସଂଖ୍ୟା - ୧୦ । ମାତ୍ରା ସଂଖ୍ୟା - ୧୭ ୩ୟ ପାଦର ଅକ୍ଷର ସଂଖ୍ୟା -୧୧-। ମାତ୍ରା ସଂଖ୍ୟା -୨୦ । ଚତୁର୍ଥ ପାଦର ଅକ୍ଷର ସଂଖ୍ୟା -୧୦, ଓ ମାତ୍ରା ସଂଖ୍ୟା -୧୬ । (ଅକ୍ଷର ସଂଖ୍ୟା ସମତା ପ୍ରତି ଲକ୍ଷ୍ୟ ରଖି ପଦ୍ୟର ପ୍ରତ୍ୟେକ ଚରଣ ରଚିତ ହେଲେ ତାହାକୁ ‘ବର୍ଣ୍ଣିକ ଛନ୍ଦ’ କୁହାଯାଏ । ଯଥା -

 

ଅଜା ଯାଇଥିଲେ ମାଛ ଧରିକି, = ୧୧ ଅକ୍ଷର

ଧରି ଆଣିଥିଲେ ଚେକାଫିରିକି = ୧୧ ଅକ୍ଷର

 

(ଅଜା ଯାଇଥିଲେ ମାଛ ଧରିକି - ଶ୍ରୀନିରଞ୍ଜନ ବେହେରା- ଶିଶୁସ୍ୱପ୍ନ - ପୃ: ୪୫)

 

ଏହାର ପ୍ରଥମ ପାଦ ଓ ୨ୟ ପାଦରେ ୧୧ଟି କରି ଅକ୍ଷର ସ୍ଥାନ ପାଇଛି ।

 

ସ୍ୱରରେ ପ୍ରସାରଣ ଓ ସଂକୋଚନଦ୍ଵାରା ପାଦର ସମତା ରକ୍ଷାକରାଯାଇଥାଏ । ଏପରି ଶିଶୁଗୀତକୁ ଗୁରୁଲଘୁ ଛନ୍ଦ ବା ‘ସ୍ଵରବୃତ୍ତ’ ଛନ୍ଦ କୁହାଯାଏ । ଏହି ପ୍ରକାର ଓଡ଼ିଆ ଶିଶୁଗୀତ ସାଂପ୍ରତିକ କାଳରେ ଅଧିକ ପରିମାଣରେ ଦେଖିବାକୁ ମିଳେ ।

 

ଏଇଟି/ଆମର/ରୋଷେଇ/ଘର/

ଏଘର/ଭିତରେ/ସଫା/ସୁତର/

ଏଇଠାରେ/ମାଆ/

ପରିବା/କାଟେ/

ବେସର/ବାଟେ/

ଜାଇ/ରଗଡ଼େ/

ଗଢ଼ଇ/ପିଠା/

ଆରିସା/କାକରା/ଆହାକି/ମିଠା/ ।

(ଆମ ଘର - ଶ୍ରୀ ନନ୍ଦକିଶୋର ସାମଲ)

 

ଛୋଟ ପିଲାମାନଙ୍କ ପାଇଁ ରଚିତ ଗୀତର ସ୍ଵରପର୍ବ ଖୁବ୍‌ କ୍ଷୁଦ୍ର ହେବା ଆବଶ୍ୟକ । ଏହିପରି ଗୀତ ସାଂପ୍ରତିକ ଓଡ଼ିଆ ଶିଶୁ କବିତାରେ ଦେଖାଯାଏ ଯଥା –

 

ଏ ଅନ୍ଧାର/ତୁଟ/ତୁଟ/

ଏ ସୂରୁଯ/ଉଠ/ଉଠ ।

 

(ଏ ଖୁସି ଆସ ଆସ - ଡ: ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ - ଶିଶୁ ସ୍ଵପ୍ନ - ୧୯୯୬ ପୃ:୩)

 

ଗୋଟିଏ ପଦରେ ଦୁଇପାଦ ବିଶିଷ୍ଟ ଶିଶୁଗୀତ ରଚନାର ସଂଖ୍ୟା ସର୍ବାଧିକ ଦେଖାଯାଏ ।

 

ଉଦାହରଣ -

ନାଆଁ ତାର/ମାଙ୍କଡ଼/

ଖାଏ କଷି କାଙ୍କଡ/ ।

 

(ମାଙ୍କଡ଼ - ଶ୍ରୀ ବଙ୍କିମଚନ୍ଦ ନାୟକ - ସାପ୍ତାହିକ - ମୀନାବଜାର - ପ୍ରଜାତନ୍ତ୍ର - ତା ୨୦.୨.୯୫ ରିଖ)

 

ଗୋଟିଏ ପଦରେ ୩ ପାଦ ବିଶିଷ୍ଟ ଗୀତ ମଧ୍ୟ ଦେଖିବାକୁ ମିଳେ ।

 

ଚଉକିରେ/ଚଉକି/

ତୋ ଉପରେ/ବସି ଆମେ/

କରୁ କେତେ/ସଉକି ।

 

[ ଚଉକି-(ପୁଷିଲୋପୁଷି) - କବିଚନ୍ଦନ ନିରଞ୍ଜନ ରଥ - ୧୯୯୬-ପୃ: ୨୧]

 

ଗୋଟିଏ ପଦରେ ୪ ଗୋଟି ପାଦବିଶିଷ୍ଟ ଗୀତ ମଧ୍ୟ ପରିଦୃଷ୍ଟ ହୁଏ । ଯଥା -

 

ଗଛରୁ ଶିଖାଅ/                  ସହିବା ଶକତି/

ଫଳ ଦେଇ ମାଡ଼/ ଖାଏ/ ।

ମାଟିରୁ ଶିଖାଅ/                  ମାଆର ମମତା /

କେତେସେ ସେନେହ/ଦିଏ ।

 

(ଶିଖାଅ ହେ ପ୍ରଭୂ ! - ଡ: ଜଗନ୍ନାଥ ମହାନ୍ତି - ଶିଶୁ ସାହିତ୍ୟର କଥା ଓ କବିତା - ୧୯୯୬ - ପୃ: ୧)

 

ଏହା ‘ବଂଗଳାଶ୍ରୀ ରାଗ’ରେ ରଚିତ । ଏହାର ୬ଷ୍ଠ, ୧୨ଶ, ୧୮ଶ ଓ ୨୦ଶ ଅକ୍ଷରରେ ଯତିପାତ ହୁଏ । ଓଡ଼ିଶାରେ ଏହି ଛନ୍ଦର ଆଦର ଶିଶୁମହଲରେ ସର୍ବାଧିକ ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼େ । (ଓଡ଼ିଆ ମୌଖିକ ଶିଶୁସାହିତ୍ୟ - ଡ: ବସନ୍ତ କିଶୋର ସାହୁ - ଚିତ୍ରୋପଳା ପବ୍ଳିକେଶନ - ୧୯୬୬- ପୃ : ୩୦୮)

 

ଗୋଟିଏ ପଦରେ ୫ ପାଦବିଶିଷ୍ଟ ଗୀତ ରଚନା ମଧ ଦେଖିବାକୁ ମିଳେ । ଉଦାହରଣ –

 

ବାପା, ମୁଁ/କିଣନ୍ତି/ରାକ୍ଷୀଟିଏ/

ନାହିଁତ/ମୋହର/ଭାଇଟିଏ/

କାହାତେ/ବାନ୍ଧିବି/

ସେନେହ/ମାଗିବି /

ମନଟା/ମୋହର/ଦବିଯାଏ/ ।।

(ରାକ୍ଷୀ - ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ - ଶିଶୁସ୍ୱପ୍ନ - ପୃ : ୩୭)

 

ଗୋଟିଏ ପଦରେ ୬ଟି ପାଦବିଶିଷ୍ଟ ପଦ ରଚନାର ମଧ୍ୟ ପ୍ରଚଳନ ରହିଛି -

 

ସାଧବ ବୋହୁଲୋ/      ସାଧବ ବୋହୂ/

ମୁହଁ ପୋତି ପୋତି/      କୁଆଡ଼େ ଯାଉ ?/

ନାଲି ଗୁଲୁ ଗୁଲୁ/            ସାଧବ ବୋହୂ/

ବରଷ ଯାକତୁ/            କେଉଁଠି ରହୁ ?/

ବରଷାଆସିଲେ/            ପାଟଶାଢ଼ୀ ପିନ୍ଧି/

ଘାସ ପଡ଼ିଆରେ/            ବୁଲୁତୁ ଆଉ/ ।

(ଝୁମୁକା - ଶ୍ରୀ ରାମକୃଷ ନନ୍ଦ - ପୃ : ୧୨୩)

 

ଗୋଟିଏ ପଦରେ ୭ଟି ପାଦ ବିଶିଷ୍ଟ ପାଦ ରଚନା କମ୍‌ ପରିମାଣରେ ଦେଖାଯାଏ ।

 

ଦେହରେ ତୁମ/            ଡେଣା ଲଗାଇ/

ପରୀ ରାଇଜେ/            ଆଣେ ବୁଲାଇ/

ଝିଲି ମିଲିଆ /            ତାରା ଆକାଶେ/

ପରୀ ସାଥୀରେ/            ଖେଳ ଉଲ୍ଲାସେ

ମନରେ ତୁମ/            ଆନନ୍ଦଭରେ/

କାଉଁରୀ କାଠି/            ଦିଏମୋ ଛୁଇଁ/

କହିଲ ଦେଖି/            କିଏରେ ମୁହିଁ ?/

 

[ସପନ - (ମୋମଣି ମାଣିକ) - ଶ୍ରୀ ସୂର୍ଯ୍ୟମଣି ସାମନ୍ତରାୟ - ୧୯୮୬ - ପୃ: ୩୭ ]

 

ଗୋଟିଏ ପଦରେ ଆଠ ବା ନଅ ପାଦ ବିଶିଷ୍ଟ ରଚନାର ସଂଖ୍ୟା ଅତ୍ୟଳ୍ପ । ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କର ଏହି ଛନ୍ଦର ଗୀତ କେତୋଟି ପରିଲକ୍ଷିତ ହୁଏ । ଯଥା –

 

ମୋ ଦେଶଟି/ଓଡ଼ିଶା/

ମେଘ କରଇ/ବରଷା/

ଚଷାଭାଇ/ସାରା ବରଷ/

କରଇ ଚାଷ/ବେଉଷା /,

ବଣରେ ଅଛି/କାଠ, ବାଉଁଶ/

ବିଲରେ ଧାନ/ବିରି ସୋରିଷ/

ଲୁହା କୋଇଲା/ଭରିଛି ଦେଶ/

ବଙ୍ଗ ବିହାର/ପଡ଼ିଶା /

ମୋ ଦେଶଟି/ଓଡ଼ିଶା/ ।।

[ଦେଶ ଓ ଦଶ (ମୋ ଦେଶ) - ପୃ : ୨ ]

 

ଯେଉଁ ଶିଶୁଗୀତରେ ଉପଧା ମିଳନ ରକ୍ଷା କରାଯାଇଥାଏ, ସେଠାରେ ତାହା ଅଧିକ ଶ୍ରୁତି ମାଧୁର୍ଯ୍ୟ ହୋଇ ପାରିଥାଏ, ଯେତେବେଳେ ପଦର ଶେଷ ଅକ୍ଷରର ମିଳନ ହୋଇଥାଏ ଏବଂ ଶେଷ ଅକ୍ଷରର ପୂର୍ବବର୍ତ୍ତୀ ସ୍ଵରବର୍ଣ୍ଣର ମଧ୍ୟ ସାମ୍ୟ ରହିଥାଏ, ସେଠାରେ ଉପଧା ମିଳନ ରକ୍ଷିତ ହୋଇଥାଏ ସାଂପ୍ରତିକ ଓଡ଼ିଆ ଶିଶୁଗୀତରେ ମଧ୍ୟ ଉପଧା ମିଳନ ଥିବା ଗୀତ ପରିଲକ୍ଷିତ ହୁଏ । (ଓଡ଼ିଆ କବିତାର ଛନ୍ଦ - ଶ୍ରୀ ଗୌରୀ କୁମାର ବ୍ରହ୍ମା - କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର୍‌ - ୧୯୬୭, ପୃ: ୭୮) । ଉଦାହରଣଟିଏ

 

ଫୁଲଟିଏ ଫୁଟିଲାରେ

ଫୁଲଟିଏ/ଫୁଟିଲା,/

ଦିଗେ ଦିଗେ/ମିଠା ମିଠା/

ବାସ ତା’ର/ଛୁଟିଲା ।/

 

(ଫୁଲଟିଏ ଫୁଟିଲା - ଶ୍ରୀ ଭଗବାନ ପାଢ଼ୀ - ମାଣିକ ବିଶ୍ୱନାଥ ଦାତବ୍ୟ ସ୍ମୃତିନ୍ୟାସ - ୧୯୯୫ -ପୃ : ୧)

 

ଛୋଟପିଲାମାନଙ୍କ ପାଇଁ ଗଣନାଗୀତର ଛନ୍ଦ (Counting Rhyme) ଉପଯୁକ୍ତ ହୋଇଥାଏ । ଏଥିରେ ବାରମ୍ବାର ଯତିପାତ ସାଂଗକୁ ଏହାର ସ୍ଵରରେ ଆରୋହଣ ଓ ଅବତରଣର ଗତି ମଧ୍ୟ ଦୃତ ହୋଇଥାଏ । (ଓଡ଼ିଆ ଶିଶୁସାହିତ୍ୟ : ଉନ୍ମେଷ ଓ ବିକାଶ - ଡକ୍ଟର ମନୀନ୍ଦ୍ର ମହାନ୍ତି - ମାଣିକ ବିଶ୍ଵନାଥ ଦାତବ୍ୟ ସ୍ମୃତିନ୍ୟାସ - ୧୯୯୨- ପୃ:୮୮)

 

ସାଂପ୍ରତିକ ଓଡ଼ିଆ ଶିଶୁକବିତାରେ ଏହି ପ୍ରକାର କବିତାର ସଂଖ୍ୟା ଅଙ୍ଗୁଳି ମେୟ । ଉଦାହରଣଟିଏ -

 

ମାଛଧରେ/ଓଧ/ବୁଡ଼ୁ/ବୃଡ଼ୁ ।

ପାଣିରେ/ଫୋଟକା/ଭୁଡ଼ୁ/ଭୁଡ଼ୁ ।

 

ଖୁଡ଼ୁ ଖୁଡ଼ୁ - ଘୁଡ଼ୂ ଘୁଡ଼ୁ - ଶ୍ରୀ ବଟକୃଷ୍ଣ ସ୍ଵାଇଁ - ମନପବନ - ସେପ୍ଟେମ୍ୱର - ୧୯୯୬)

 

ମୌଖିକ ଶିଶୁଗୀତର ଛନ୍ଦ (ଲୋକଗୀତ) ହିଁ ଲିଖିତ ଶିଶୁଗୀତର ଜନନୀ । ଏହାକୁ ପ୍ରାଚୀନ ଓ ଏହା ସ୍ଵାଭାବିକ ଛନ୍ଦ ବୋଲି ଆଲୋଚକମାନେ ମତ ଦିଅନ୍ତି । (ଓଡ଼ିଆ ଛନ୍ଦ : ଚିନ୍ତନ ଓ ପ୍ରୟୋଗ - ଶ୍ରୀ ରାମବାହାଲ ତେଓୟାରୀ - ଏଷଣା/୯ମ ସଂଖ୍ୟା/ଅକ୍ଟୋବର/୧୯୮୪) ମା’ କୋଳରେ ଥାଇ ଅଥବା ଖେଳିଲାବେଳେ ବା ସାଙ୍ଗସାଥୀମାନଙ୍କ ସହିତ ଆବୃତ୍ତି କଲାବେଳେ ସେ ଯେଉଁ ଗୀତଶୁଣିଥାଏ, ସେହି ଛନ୍ଦର ଗୀତ ସେ ଶୁଣିବାକୁ ବା ପଢ଼ିବାକୁ ଅଧିକ ଆଗ୍ରହ ପ୍ରକାଶ କରିଥାଏ । ଏଣୁ, ଶିଶୁ ଗୀତରେ ସେହି ‘ନାନା ବାୟାଗୀତ’ (Nurscry Rhyme), ଖେଳଗୀତ ବା ଆବୃତ୍ତି ଆଦିର ଛନ୍ଦରେ ସଂପ୍ରତିକ ଶିଶୁଗୀତମାନ ବହୁସଂଖ୍ୟାରେ ରଚିତ ହୋଇଥିବାର ଲକ୍ଷ୍ୟ କରାଯାଏ । କେତୋଟି ଦୃଷ୍ଟାନ୍ତ -

 

(କ)       ଟୁଉକୁ ମୂଷିରେ/ଟୁଉକୁ ମୂଷି /

ତୋତେ ଦେଖି କୁନା/ହୁଅଇ ଖୁସି

ଲୁଚି ଲୁଚି କେଣେ/ପଳେଇ ଯାଉ/

ଖୋଜିଲେ କିପାଇଁ/ଦେଖାନହେଉ ? /

 

(ଟୁଉକୁ ମୂଷି - ଶ୍ରୀ ସୋମନାଥ ମିଶ୍ର, ଶିଶୁସାହିତ୍ୟ କଥା ଓ କବିତା - ପୃ : ୫୪ ।)

 

(ଖ) ଉଦୁ/ଉଦୁମା/                  ତାଳ/ଗୋଟମା/

ତାଳ/ବାହୁଙ୍ଗାରେ/ବସା

ବାଆ/କଲେ/ବସା/            ଦୋହଲୁ/ଥାଏ

ମାନେନା/ଝଡ଼ ବରଷା/ ॥

(ବାଇ ଚଢ଼େଇ - ଶ୍ରୀ ନିରଞ୍ଜକର - ଶି.ସା.କ.କ. - ପ୍‌: ୨୮)

 

(ଗ) ମୌଖି‌କ ଶିଶୁଗଳ୍ପ ମଧ୍ୟ ଏହି ସମୟରେ ରଚନା କରାଯାଇ ଶିଶୁମହଲରେ ବେଶ୍‌ ଲୋକପ୍ରିୟ ହୋଇପାରିଛି । ଯଥା –

 

ହରିଣ-/ହରିଣ/- ଦେ ଶିଙ୍ଗ/, ଖୋଳେ ମାଟି/,

ଯିବି ତଳକୁ/ କାଟି କାଟି /

ଦେଖିବି କଅଣ/ ଅଛି ସେଠି/ ।।

(ଭୂଇଁ ତଳେ ତଳେ - ଡ: ଦୁର୍ଗାପ୍ରସାଦ ପଟ୍ଟନାୟକ)

 

॥ ତିନି॥

 

ସାଂପ୍ରତିକ ଓଡ଼ିଆ ଶିଶୁକବିତାରେ ‘ଗୁରୁ-ଲଘୁ ଛନ୍ଦ’ରେ ବହୁ ଶିଶୁକବିତା ରଚିତ ହୋଇଥିବାର ଲକ୍ଷ୍ୟ କରାଯାଏ । ତେଣୁ, ବିଭିନ୍ନ ପାଦରେ ଅକ୍ଷର ସଂଖ୍ୟା ସମାନ ରହିନଥାଏ । ବିଭିନ୍ନ ଶାସ୍ତ୍ରୀୟ ଛନ୍ଦରେ ବହୁ କମ୍‌ସଂଖ୍ୟକ ଗୀତ ରଚନା କରାଯାଇଛି । ଏଣୁ, କବି ଅଧିକ ସ୍ୱାଧୀନ ହୋଇଛି, ଏହି ‘ଛନ୍ଦ’ ବା ଧ୍ଵନି ବା ସ୍ଵରକୁ ଗୀତର ‘ଭାବ’ ନିୟନ୍ତ୍ରିତ କରିଥାଏ । ଅନ୍ୟ ଭାଷାରେ, ଗୀତର ନିର୍ଦ୍ଦିଷ୍ଟ ଛନ୍ଦଶୃଙ୍ଖଳା ନଥିବାରୁ ଗୋଟିଏ ପଦରେ ବିଭିନ୍ନ ପାଦର ନିର୍ଦ୍ଦିଷ୍ଟତା ରହିଲା ନାହିଁ । ଏପରିକି ଯତିପାତ୍‌ର ମଧ୍ୟ ନିର୍ଦ୍ଦିଷ୍ଟତା ରହିଲା ନାହିଁ ।

 

ଛନ୍ଦର ଏହି ଧାରା କେବଳ ଶିଶୁଗୀତରେ ନୁହେଁ, ଓଡ଼ିଆ ସାହିତ୍ୟର ସବୁଜ ଯୁଗରେ ଛନ୍ଦରାଜ୍ୟରେ ଏହିପରି ଏକ ପରିବର୍ତ୍ତନ ଘଟିଥିଲା । ଏହାର ପ୍ରଭାବ ଓଡ଼ିଆ ଶିଶୁଗୀତ ଉପରେ ପଡ଼ିବା ସ୍ୱାଭାବିକ, କାରଣ, ସବୁଜ ଯୁଗ ବା ସବୁଜ ଗୋଷ୍ଠୀର କବିମାନେ ସେତେବେଳେ ମୁଖ୍ୟତଃ ପିଲାମାନଙ୍କ ପାଇଁ ଗୀତ ରଚନା କରୁଥିଲେ। ଶିଶୁ ପତ୍ରିକାରେ ଏବଂ ଶ୍ରେଣୀରେ ପଠିତ ପାଠ୍ୟ ପୁସ୍ତକରେ ଏଦିଗରେ କବି କାଳିନ୍ଦୀ ଚରଣ ପାଣିଗ୍ରାହୀକୁ ସ୍ମରଣ କରାଯାଇପାରେ ।

 

ସତ୍ୟବାଦୀ ଯୁଗରେ ଲୋକଗୀତର ଛନ୍ଦକୁ ଅଧକ ଗୁରୁତ୍ଵ ପ୍ରଦାନ କରାଯାଉଥଲା, ଏବଂ ସବୁଜ ଯୁଗରେ ଲେଖକ କବି ଯେତେବେଳେ ‘ଛନ୍ଦ’ ଦିଗରୁ ଅଧିକ ସ୍ଵାଧୀନତା ପାଇଲା, ଏହାର ପ୍ରଭାବ ଶିଶୁସାହିତ୍ୟର କବିମାନଙ୍କ ଉପରେ ପଡ଼ିବା ଏକ ସ୍ଵାଭାବିକ କଥା । ଏଣୁ, ସାଂପ୍ରତିକ କାଳରେ ମୌଖିକ ଶିଶୁଗୀତର ଛନ୍ଦ ସହିତ କବି ନିଜସ୍ଵ ବହୁ ଛନ୍ଦକୁ ପ୍ରୟୋଗ କରିବାକୁ ଯତ୍ନ କରିଛନ୍ତି ।

 

ତେବେ ‘ସ୍ଵରପର୍ବ’ ଗୁଡ଼ିକରେ କ୍ଷୁଦ୍ରତାକୁ ଅଧିକ କବି ଗ୍ରହଣ କରିଛନ୍ତି, ଗୀତରେ ଧ୍ଵନ୍ୟାତ୍ମକ ଶବ୍ଦକୁ ଗ୍ରହଣ କରାଯାଇଥିବାରୁ ଏହା ଶିଶୁର ଶ୍ରୁତିମାଧୁର୍ଯ୍ୟ କରିବା ସଂଗେ ସଂଗେ ‘ଛନ୍ଦ’ର ସୌକୁମାର୍ଯ୍ୟ ମଧ୍ୟ ବର୍ଦ୍ଧନ କରିଥାଏ ।

 

ସ୍ଥୁଳତଃ, ସାଂପ୍ରତିକ କାଳରେ ଓଡ଼ିଆ ଶିଶୁଗୀତର ଛନ୍ଦ ଦିଗରେ କବିମାନେ ସ୍ଵାଧୀନତା ପାଇବା ସଂଗେ ସଂଗେ ମୌଖିକ ଗୀତଛନ୍ଦକୁ ଅଧିକ ଗ୍ରହଣ କରୁଥିବାରୁ ଲକ୍ଷ୍ୟ କରାଯାଏ । ଭାବାନୁସାରେ ଛନ୍ଦର ଅକ୍ଷର ଓ ଯତିପାତ୍ର ନିୟମ ନିର୍ଭର କରୁଛି ।

 

ସହାୟକ ଗ୍ରନ୍ଥପୁଞ୍ଜି –

 

୧.

ପ୍ରବନ୍ଧାବଳୀ - (ଓଡ଼ିଆ ଛନ୍ଦ) - ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ - ଓଡ଼ିଶା ସାହିତ୍ୟ ଏକାଡେମୀ - ୨ୟ ପ୍ରକାଶ - ୧୯୯୪ ।

୨.

ଓଡ଼ିଆ କବିତାର ଛନ୍ଦ - ଶ୍ରୀ ଗୌରୀକୁମାର ବ୍ରହ୍ମା - କଟକଷ୍ଟୁଡ଼େଣ୍ଟ ଷ୍ଟୋର - ୧୯୬୭ ।

୩.

ଓଡ଼ିଆ ଛନ୍ଦର ବିକାଶ - ଡକ୍ଟର ଜାନକୀବଲ୍ଲଭ ମହାନ୍ତି - ଓଡ଼ିଶା ସାହିତ୍ୟ ଏକାଡେମୀ - ୧୯୬୧ ।

୪.

ଓଡ଼ିଆ ଶିଶୁସାହିତ୍ୟ:ଉନ୍ମେଷ ଓ ବିକାଶ - ଡକ୍ଟର ମନୀନ୍ଦ୍ର ମହାନ୍ତି - ମାଣିକ ବିଶ୍ୱନାଥ ଦାତବ୍ୟ ସ୍ମୃତିନ୍ୟାସ - ୧୯୯୨।

୫.

ଓଡ଼ିଆ ମୌଖିକ ଶିଶୁସାହିତ୍ୟ - ଡକ୍ଟର ବସନ୍ତ କିଶୋର ସାହୁ - ଚିତ୍ରୋତ୍ପଳା ପବ୍ଲିକେଶନ - ୧୯୯୬ ।

୬.

ଓଡ଼ିଆ ଶିଶୁସାହିତ୍ୟର ଇତିବୃତ୍ତ - ସଂ-ଡକ୍ଟର ସୁରେଶ ଚନ୍ଦ୍ର କର - ତମସା ପ୍ରକାଶନୀ - ୧୯୯୨ ।

୭.

ଶିଶୁସାହିତ୍ୟ ବିଧାନ - ଡକ୍ଟର ମନୀନ୍ଦ୍ର ମହାନ୍ତି, ଅପର୍ଣ୍ଣା ପ୍ରକାଶନୀ - ୧୯୯୫ ।

୮.

ପିଲାଙ୍କୁ କି ପ୍ରକାର ବହି ଦେବା ? ଡକ୍ଟର ମନୀନ୍ଦ୍ର ମହାନ୍ତି - ଅପର୍ଣ୍ଣା ପ୍ରକାଶନୀ - ୧୯୯୦ ।

୯.

ପିଲାଙ୍କ ସାହିତ୍ୟର କଳା ଓ କୌଶଳ - ଡକ୍ଟର କୃତ୍ତିବାସ ନାୟକ - ଅରୁଣ - ତରୁଣ- ୧୯୯୫ ।

୧୦.

ଏଷଣା/୯ମ ଖଣ୍ଡ - ଅକ୍ଟୋବର - ୧୯୮୪ (ଓଡ଼ିଆ ଛନ୍ଦ : ଚିନ୍ତନ ଓ ପ୍ରୟୋଗ - ଶ୍ରୀରାମବାହାଲ ତେଓୟାରୀ)

 

 

ବିଭାଗୀୟ ମୁଖ୍ୟ : ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ଚନ୍ଦ୍ରଶେଖର ମହାବିଦ୍ୟାଳୟ,

ଚମ୍ପୁଆ/କେନ୍ଦୁଝର/୭୫୮୦୪୧.

 

***

 

ସାହିତ୍ୟ ଓ ମନସ୍ତତ୍ତ୍ୱ

ଡକ୍ଟର. ସୃଷ୍ଟିଧର ପଣ୍ଡା

 

ବୈଦିକ ଯୁଗରୁ ସାହିତ୍ୟର ଅଖଣ୍ଡ ପ୍ରବାହ ନିଜର ସ୍ଫୀତ କଳେବର ମଧ୍ୟରେ ବହୁ ଉପାଦାନ ଲୁକ୍‌କାୟିତ କରି ରଖିଛି । ପ୍ରକୃତିର କାନ୍ତ-କମନୀୟ ବୈଭବ, ଜୀବନର ବାସ୍ତବ ବୈଚିତ୍ର୍ୟ ଏବଂ ଏସବୁର ଶିଳ୍ପଗତ ବୈଶିଷ୍ଟ୍ୟ ସାହିତ୍ୟର ମୁଖ୍ୟ ବିଭାବ । ଏହି ସାହିତ୍ୟ ସୃଷ୍ଟିର ପଶ୍ଚାତ୍‌ଭାଗରେ ମଣିଷର ସର୍ଜନାତ୍ମକ ‘‘ମନ’’ ? ଏକ ପ୍ରଧାନ ଭୂମିକା ଗ୍ରହଣ କରେ, ଯାହାର ଅଧ୍ୟୟନ କେବଳ ମନସ୍ତତ୍ତ୍ୱ ଦ୍ୱାରା ସମ୍ଭବ । ମନସ୍ତତ୍ତ୍ୱର ଅନ୍ୟତମ ଜନକ ସିଗମଣ୍ଡ ଫ୍ରଏଡ଼୍‌ ତାଙ୍କ ସତୁରୀତମ ଜନ୍ମଦିନରେ ପାଇଥିବା ସମ୍ବର୍ଦ୍ଧନା ‘ଅଚେତନର ଆବିଷ୍କର୍ତ୍ତା’ (Discoverer of unconscious) କୁ ସଂଶୋଧନ କରି କହିଥିଲେ ଯେ ମଣିଷର ଅବଚେତନ ମନର ରହସ୍ୟ ତାଙ୍କ ପୂର୍ବରୁ କବି ଓ ଦାର୍ଶନିକମାନେ ଉଦ୍‌ଘାଟନ କରିସାରିଛନ୍ତି । (The poets and philosophers before me discovered the unconscious. ।)

 

ସାହିତ୍ୟର ଭଣ୍ଡାର ମଣିଷର ଭାବ ଓ ତା’ର ଶୈଳ୍ପିକ ପ୍ରକାଶକୁ ନେଇ ପୁଷ୍ଟ । ଏହି ଭାବର ଅଧ୍ୟୟନ ମନସ୍ତତ୍ତ୍ୱ ଚର୍ଚ୍ଚାର ମୁଖ୍ୟ ବିଷୟ । ପ୍ରାଚୀନ କାଳରେ ମନସ୍ତତ୍ତ୍ଵର ଏକ ବିଧିବଦ୍ଧ ଆଲୋଚନା ସମ୍ଭବ ହୋଇନଥିଲେ ସୁଦ୍ଧା ଭାରତର ଋକ୍‌ବେଦ ତଥା ୟୁରୋପର ପ୍ଲାଟୋଙ୍କଠାରେ ମନୋବିଜ୍ଞାନ ସମ୍ବନ୍ଧୀୟ ପ୍ରଚୁର ସାମଗ୍ରୀ ଦେଖିବାକୁ ମିଳେ । ଭାରତୀୟ ରସ ମୀମାଂସାରେ ଭାବ, ବିଭାବ, ଅନୁଭାବ ଓ ସଂଚାରୀ ଭାବର ଉଲ୍ଲେଖ ରହିଛି । ମନୋବିଜ୍ଞାନର ମୂଳତତ୍ତ୍ଵ ସହିତ ଏସବୁର ସଂପର୍କ ସହଜେ ଅନୁଭବ କରିହେବ ।

 

ପୃଥିବୀରେ ସାହିତ୍ୟ ସୃଷ୍ଟିର ମନୋବୈଜ୍ଞାନିକ କାରଣ ସମ୍ବନ୍ଧୀୟ ଅନେକ ମତବାଦ ପ୍ରଚଳିତ । ଫ୍ରଏଡ୍‌ଙ୍କ ଅନୁସାରେ ସାହିତ୍ୟିକ ନିଜର ଅବଦମିତ ବାସନାର ପରିପୂର୍ତ୍ତି ନିମନ୍ତେ ସାହିତ୍ୟ ସୃଷ୍ଟି କରି ପ୍ରତିଷ୍ଠା ହାସଲ କରେ । ପାଠକ ମଧ୍ୟ ଅଧ୍ୟୟନ ମାଧ୍ୟମରେ ଚରିତ୍ର ସହିତ ଐକାତ୍ମ୍ୟପୂର୍ବକ ବହୁ ହର୍ଷବିଷାଦର ଭାଗୀଦାର ହୁଏ । ଅର୍ଥାତ୍‌, ସାହିତ୍ୟ ଦ୍ୱାରା ଅବଦମିତ ଓ ଅପ୍ରକଟିତ ଇଚ୍ଛାର ପୂର୍ତ୍ତି ସମ୍ଭବ । ଏହି ମାନସିକ ପ୍ରକ୍ରିୟାକୁ ଫ୍ରଏଡ୍‌ ଭାବମୋକ୍ଷଣ (cathersis) ବୋଲି ନାମକରଣ କରିଛନ୍ତି । ତାଙ୍କ ମତରେ ସର୍ଜନାତ୍ମକ କ୍ରିୟା ହେଉଛି ଏକ ବିକାରାତ୍ମକ କ୍ରିୟା । କାରଣ କଳାକାର ନିଜ ମୂଳ ବାସନା ପୂରଣରେ ଅସମର୍ଥ ଯୋଗୁଁ ଅନ୍ୟ ଉପାୟରେ ବ୍ୟକ୍ତିତ୍ୱ ବିକାଶ ଦିଗରେ ସଚେଷ୍ଟ ହୁଏ । ସ୍ଵପ୍ନ ଓ ସାହିତ୍ୟର ମୁଖ୍ୟ ସ୍ରୋତ ଏକ ବୋଲି ଫ୍ରଏଡ୍‌ଙ୍କର ମତ । ଅଜ୍ଞାତ ମନ ମଧ୍ୟରେ ଥିବା ଅଭୁକ୍ତ କାମବାସନା ଯେପରି ମନୋରମ ଛାୟାଚିତ୍ର ଆକାର ଧାରଣ କରି ସ୍ୱପ୍ନରେ ରୂପାନ୍ତରିତ ହୁଏ, ସାହିତ୍ୟରେ ଭାବଚିତ୍ର ପ୍ରଦର୍ଶନ ମଧ୍ୟ ଠିକ୍‌ ସେହିପରି ।

 

ସାହିତ୍ୟ ଏକ ମାନସିକ ବିକାର । ବିକାରଗ୍ରସ୍ତ ମନୁଷ୍ୟ ଯେମିତି ଅନେକ କିଛି ପାପ ଚିନ୍ତା କରେ, ସାହିତ୍ୟିକ ସେହିଭଳି ଅନେକ ବାସ୍ତବ ଘଟଣାକୁ ରଙ୍ଗ ଦେଇ, ରୂପ ଦେଇ, ମିଛର ଆଶ୍ରୟ ନେଇ ଅବାସ୍ତବର ଚୂଡ଼ାନ୍ତରେ ପହଞ୍ଚିବାକୁ ଚେଷ୍ଟା କରେ । ତେଣୁ ସାହିତ୍ୟକୁ ବିକାରଗ୍ରସ୍ତ ମନୁଷ୍ୟର - ଚିନ୍ତା ଅଥବା ମାନସିକ ବିକାର କହିବାରେ ବାଧା ନାହିଁ (ମହାନ୍ତି, ବ୍ରଜମୋହନ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ - ପ୍ରଥମାର୍ଦ୍ଧ - ପୃ ୧) । ଫ୍ରଏଡ୍‌ଙ୍କ ମତରେ ଇଦଂ ଓ ଅହଂର ସଂଘର୍ଷ ଫଳରେ ସ୍ଵାୟୁ ବ୍ୟତିକ୍ରମ (Neurosis)ରୋଗର ଉତ୍ପନ୍ନ ସମ୍ଭବ । ଅର୍ଥାତ୍‌ ଯେତେବେଳେ ବ୍ୟକ୍ତି ଓ ସମାଜ ସହିତ ସଂଘର୍ଷ ହେତୁ ଉତ୍ପନ୍ନ ବିଷମତା ଏବଂ କଠିନତାକୁ ବ୍ୟକ୍ତି ସମ୍ମୁଖୀନ ହୋଇନପାରେ, ସେତେବେଳେ ସ୍ନାୟୁ ବ୍ୟତିକ୍ରମ ଦେଖାଯାଏ । ପ୍ରତ୍ୟେକ କଳାତ୍ମକ ସୃଷ୍ଟି (ସାହିଚ୍ୟ) ଏହି ସ୍ନାୟୁ ବ୍ୟତିକ୍ରମର ଫଳଶ୍ରୁତି । ସ୍ନାୟୁ ବ୍ୟତିକ୍ରମ ରୋଗୀ ଭଳି କଳାକାର ଅନ୍ତର୍ମୁଖୀ । ଫଳରେ ସେ ନିଜର ତୃତୀୟ ନୟନ ମାଧ୍ୟମରେ ଲୋକ ଚରିତ୍ର ବିଶ୍ଳେଷଣ କରେ ଏବଂ ଅନ୍ୟମାନଙ୍କ ଅଜ୍ଞାତ ମନରେ ଥିବା ଅବଦମିନ ବାସନାର ପୂରଣ ନିମନ୍ତେ ପଥ ଅନ୍ୱେଷଣ କରି ସେମାନଙ୍କ ଦ୍ୱାରା ଧନ୍ୟବାଦ ତଥା ପ୍ରଶସ୍ତି ପାଇବାର ଅଧିକାରୀ ହୁଏ । ଏହି କ୍ରିୟା ଦ୍ୱାରା ଶ୍ରଦ୍ଧା, ସମ୍ମାନ ଓ ନାରୀର ଅନୁକମ୍ପା ଆଦି କଳ୍ପନାରେ ମଧ୍ୟ ଉପଲବ୍‌ଧି କରେ । (Freud, Sigmund-Introductory Lectures on Psycho-analysis, 1933, P.315)

 

ଏ ଦୃଷ୍ଟିରୁ ଭାବନାର ଏକ ଖଣ୍ଡିତ ରୂପ ଅଚେତନ ମନରୁ ଚେତନ ମନକୁ ରୂପାନ୍ତରିତ ହେବାପରେ ରଚନା ପ୍ରକ୍ରିୟାରେ ପରିଣତ ହୁଏ । ଏହି ସମୟରେ ସାହିତ୍ୟିକ ଅଚେତନରୁ ଚେତନ ଆଡ଼କୁ ଉନ୍ମୁଖ ରହେ ଏବଂ ରଚନାର ପ୍ରାରମ୍ଭ ମାତ୍ରେ କଳ୍ପନାର ଛାୟାଚିତ୍ରକୁ ଶବ୍ଦରେ ପରିଣତ କରିବାକୁ ପଡ଼େ । କେତେବେଳ କିଛି ଶବ୍ଦ ବାଦ୍‌ ପଡ଼ିଯାନ୍ତି ଏବଂ ସେସବୁର ପ୍ରତିଶବ୍ଦ ନମିଳିବା ଯାଏ ରଚନା ପ୍ରକ୍ରିୟା ବନ୍ଦ ରହେ । ସ୍ରଷ୍ଟା ନିଜର ବ୍ୟକ୍ତିଗତ ଦର୍ଶନକୁ ସାଧାରଣ ଉପଲବ୍‌ଧ୍‌ରେ ପରିଣତ କରେ, ଯାହା ଫଳରେ ସାହିତ୍ୟ ସାର୍ବଜନୀନ ହେବା ସଂଗେ ସଂଗେ କାଳଜୟୀ ହୁଏ ।

 

ଫ୍ରଏଡ୍‌ଙ୍କ ଅଭିମତକୁ ମନୋବୈଜ୍ଞାନିକ ଏଡ଼ଲର ପ୍ରକାରାନ୍ତରେ ସ୍ଵୀକାର କରନ୍ତି । ତାଙ୍କର ଆତ୍ମପ୍ରତିଷ୍ଠା (Self-assertion) ସମ୍ବନ୍ଧୀୟ ବିଚାର ସାହିତ୍ୟ ରଚନା କ୍ଷେତ୍ରରେ ପ୍ରଯୋଜ୍ୟ । କୌଣସି ବ୍ୟକ୍ତି ଗୋଟିଏ ଦିଗର ହୀନତାକୁ ଅନ୍ୟ ଦିଗରେ ପୂର୍ଣ୍ଣ କରିପାରେ । ଯେପରି କୌଣସି ଲୋକ ଉତ୍ତମ ଡାକ୍ତରଟିଏ ହୋଇ ନପାରିଲେ ସୁଦ୍ଧା ସେହି ଅଭାବବୋଧକୁ ପୂରଣ କରିବା ଲାଗି ଉତ୍ତମ ଶିକ୍ଷକଟିଏ ହେବାକୁ ଚେଷ୍ଟା କରେ ଏବଂ ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିପାରେ କିମ୍ବା ନିଜକୁ ଜଣେ କୁଶଳୀ ଇଂଜିନିୟରଟିଏ ଭାବେ ଗଢ଼ି ତୋଳି ନପାରିବାର ଅଭାବବୋଧକୁ ପୂର୍ଣ୍ଣ କରିବା ପାଇଁ ଜଣେ ଶ୍ରେଷ୍ଠ ସାହିତ୍ୟିକ ହେବାକୁ ଉଦ୍ୟମ କରେ । ଏଡ଼ଲର ଏହି ଆତ୍ମପ୍ରତିଷ୍ଠାର ଆବେଗକୁ କାମ ଆବେଗ (Sex impulse) ଅପେକ୍ଷା ମୁଖ୍ୟ ମଣୁଥିଲେ । ତାଙ୍କ ମତରେ ସାହିତ୍ୟର ମୂଳ ବୀଜ କାମନାର ଅପୂର୍ଣ୍ଣତାରୁ ଜାତ: ହୁଏ । ସେହି ଦୃଷ୍ଟିରୁ ସାହିତ୍ୟ, ସାହିତ୍ୟିକମାନଙ୍କ ଜୀବନଗତ ଅଭାବର ଏକ ପୂର୍ଣ୍ଣ ରୂପ ।

 

ସାହିତ୍ୟ ସୃଷ୍ଟି ସମ୍ବନ୍ଧୀୟ ଫ୍ରଏଡ଼୍‌ ଓ ଏଡ଼ଲରଙ୍କ ତଥ୍ୟକୁ ୟୁଙ୍ଗ କେତେକାଂଶରେ ଅସ୍ୱୀକାର କରନ୍ତି । ତାଙ୍କ ଦୃଷ୍ଟିରେ ବ୍ୟକ୍ତିର ମାନସିକ ବ୍ୟବହାର କାମବାସନା ବା ଆତ୍ମପ୍ରତିଷ୍ଠା ଦ୍ୱାରା ପ୍ରଭାବିତ ହୁଏ ନାହିଁ । ଏହା ଏକ ଅଭେଦ୍ୟ ଜୀବନୀଶକ୍ତି, ଯାହାର ଅଭିବ୍ୟକ୍ତି କେତେବେଳେ ଲୈଙ୍ଗିକ ସୁଖର ଅନୁସରଣରେ ଅଥବା କେତେବେଳେ ଉତ୍କର୍ଷର ଅନୁସନ୍ଧାନରେ ଲିପ୍ତ । ଅନେକ କ୍ଷେତ୍ରରେ ଏହା କଳାତ୍ମକ ସଜନ ତଥା ଅନ୍ୟ କାର୍ଯ୍ୟରେ ବ୍ୟାପ୍ତ । ମାନସିକ ଶକ୍ତି ଅଥବା କାମବାସନାର ଉପଯୋଗ ମୂଳତଃ ଆତ୍ମ ପରୀକ୍ଷଣ (Self preservation) ତଥା ଜାତି ପରୀକ୍ଷଣ ପାଇଁ ଉଦ୍ଦିଷ୍ଟ । ଯେତେବେଳେ ଏହି ଜୈବିକ ଆବଶ୍ୟକତାର ପରିପୂର୍ତ୍ତ ଆସେ, ସେତେବେଳ ସେହି ଶକ୍ତି ସାମାଜିକ, ସାଂସ୍କୃତିକ ବା ସୃଜନାତ୍ମକ ଆବଶ୍ୟକତା ପୂରଣ ଦିଗରେ ଧାବିତ ହୁଏ । ୟୁଙ୍ଗଙ୍କ ଦୃଷ୍ଟିରେ ଚିତ୍ତ (Psyche) ଦୁଇ ପରସ୍ପର ବିରୋଧୀ ବୃତ୍ତି ଦ୍ୱାରା ଗଠିତ । ଏକ ବିଶେଷ ଆନ୍ତରିକ କ୍ରିୟାଶୀଳତା ଏହି ବୃତ୍ତିଦ୍ୱୟ ମଧ୍ୟରେ ସମତା ସ୍ଥାପନା କରେ । ଏହି କ୍ରିୟାଶୀଳତାକୁ ୟୁଙ୍ଗ କଳ୍ପନାର ଆଖ୍ୟା ଦେଇଛନ୍ତି । ଉକ୍ତ ସକ୍ରିୟ ‘କଳ୍ପନା’ ନୂତନ ସମସ୍ୟାର ସମାଧାନକାରୀ ଏବଂ ଅନାଗତ ଯୋଜନାର ପଥ ପ୍ରଦର୍ଶକ । ଅନେକ ସମୟରେ ଚିତ୍ତର ଚିନ୍ତାଧାରାକୁ ଏହି ସକ୍ରିୟ କଳ୍ପନା ଏପରି ରୂପଦିଏ, ଯାହାର ଭାବ ସୌନ୍ଦର୍ଯ୍ୟ ଅନ୍ୟମାନଙ୍କ ପ୍ରତି ରୁଚିକର । ଏହି ଉପାୟରେ ଯେତେବେଳେ ଦୁଇଟିଯାକ ବୃତ୍ତିର ମିଳନ ଘଟେ, ସେତେବେଳେ ହିଁ ସାହିତ୍ୟସୃଷ୍ଟି ସମ୍ଭବ ।

 

ସାହିତ୍ୟିକ ଭାବାତ୍ମକ ଆଘାତଠାରୁ ପ୍ରେମର ଅନୁଭୂତି ପର୍ଯ୍ୟନ୍ତ ଯାବତୀୟ ଉପଲବ୍‌ଧ୍‌କୁ ସାହିତ୍ୟରେ ଉପଯୋଗ କରିଥାଏ । ପୃଥିବୀରେ ବୃକ୍ଷ ନିଜର ସ୍ଥିତି ବଜାୟ ରଖି ଶାଖାପ୍ରଶାଖା ବିସ୍ତାର କଲାଭଳି ୟୁଙ୍ଗଙ୍କର ଏହି ଅଭେଦ୍ୟ ଜୀବନୀଶକ୍ତି ସାହିତ୍ୟିକଠାରେ ନିତ୍ୟ ପ୍ରବର୍ଦ୍ଧମାନ । ଏଥ୍‌ରୁ ପ୍ରମାଣିତ ହୁଏ ଯେ କଳାକାରର ସୃଜନୀଶକ୍ତି ସ୍ଵାଭାବିକ ଓ ପ୍ରଚୁର । ପୁନଶ୍ଚ, କେବଳ କଳାକାର ନୁହେଁ, ପ୍ରତ୍ୟେକ ସାଧାରଣ ଲୋକଠାରେ ଏହି ଶକ୍ତି ଉଣା ଅଧିକେ ମହଜୁଦ୍‌ ଥାଏ । କିନ୍ତୁ ସମସ୍ତଙ୍କ ଦ୍ୱାରା ଏହାର ବିନିଯୋଗ ଅସମ୍ଭବ । ବିଶ୍ୱରେ ନିତ୍ୟନୂତନ ସାହିତ୍ୟସୃଷ୍ଟି ମୂଳରେ ଏହି ଶକ୍ତି ବିଦ୍ୟମାନ ବୋଲି ମନସ୍ତତ୍ତ୍ୱବିଦ୍‌ମାନଙ୍କର ମତ ।

 

ଅଚେତନ ସ୍ତରର ପ୍ରକ୍ରିୟାକୁ ବାଦ୍‌ଦେଇ ସର୍ବପ୍ରଥମ ଥର ପାଇଁ ମନୋବିଜ୍ଞାନୀ ଉଇଲିୟମ୍‌ ଜେମସ୍‌ ଚେତନ ଚିତ୍ତର ମହତ୍ତ୍ଵ ପ୍ରତିପାଦନ କଲେ । ଚେତନା ବ୍ୟକ୍ତିବିଶେଷର ଏକ ଅଭିନ୍ନ ଅଂଶ ଏବଂ ପରିବର୍ତ୍ତନଶୀଳତା ଚେତନାର ସର୍ବଶ୍ରେଷ୍ଠ ବିଶେଷତ୍ଵ । ଜେମ୍‌ସ୍‌ଙ୍କ ମତରେ ମନୁଷ୍ୟର ବିଚାର ପୂର୍ବ ବିଚାରର ଅନୁକୃତି ନୁହେଁ ବରଂ ଏଥିରେ ଦେଶ ତଥା କାଳର ଛାୟା ସୁସ୍ପଷ୍ଟ-। କୌଣସି ସର୍ଜନଶୀଳ ସାହିତ୍ୟକୃତିର ସୃଷ୍ଟି ପୂର୍ବରୁ ଚେତନାରେ ଆଲୋଡ଼ିତ ବିଚାରଧାରା ଏକ ସୁସଂଗତ ରୂପ ଧାରଣ କରେ ଓ ତାପରେ ଏକ କଳାକୃତିରେ ପରିଣତ ହୁଏ । ସାହିତ୍ୟର ବିଖଣ୍ଡିତ ରୂପ ଅଚେତନ ଚିତ୍ତର ପରିଧି ଅତିକ୍ରମ କରି ଚେତନରେ ପହଞ୍ଚେ ଏବଂ ଅନାୟସରେ ରଚନା ପ୍ରକ୍ରିୟାର ବଶୀଭୂତ ହୁଏ । କୌଣସି ଭାବ କ୍ରିୟାଶୀଳ ହୋଇ ବିକଶିତ ହେଲେ ତା’ର ଉଜ୍ଜ୍ୱଳତା ବା ସ୍ଵଚ୍ଛତା ବୃଦ୍ଧିପାଏ କ୍ରିୟାଶୀଳତା ଓ ଉଜ୍ଜ୍ୱଳତାର ପରିମାଣ ଉପରେ ନିର୍ଭର କରେ ଚେତନାର ଭିନ୍ନ ଭିନ୍ନ ସ୍ତର । କ୍ରିୟାଶୀଳତାର ପରିମାଣ ଆଉ ଉଜ୍ଜ୍ୱଳତାର ପରିମାଣ ଏବଂ ଉଭୟର ଭାଗ ମାପ ଅନୁପାତ ନିରୂପଣ କରେ ଚେତନାର ସ୍ତର । ଭାବର ଅବଦମିତ ଅବସ୍ଥାକୁ petitis perception କୁହାଯାଏ । ଭାବ ଯେତେବେଳେ ଚେତନାରେ ବାସ୍ତବ ରୂପ ପରିଗ୍ରହକରେ, ସେତେବେଳେ ତାକୁ Apperception କୁହାଯାଏ । ଏହି ଅବଦମିତ petitis perception ସ୍ତରଠାରୁ ଆରମ୍ଭ କରି Appcrccption ସ୍ତର ବା ଚେତନାରେ ତାହା ବାସ୍ତବ ରୂପ ଧାରଣ କରିବା ପର୍ଯ୍ୟନ୍ତ ‘ଭାବ’ ବିଭିନ୍ନ ସ୍ତରରେ ବିକାଶ ଲାଭ କରିଥାଏ । ଯାହାକୁ ଅଚେତନ ବୋଲି କହୁଛୁ, ତାହା ଏକ ଆପେକ୍ଷିକ ଧାରଣା ଏବଂ ତାହା ଚେତନ ହେବାର ସମ୍ଭାବନା ଅଛି (ଦାସ ରାଇଚରଣ - ରୋମାଣ୍ଟିକ ଅବବୋଧ, ୧୯୮୭, ପୃ - ୮୦) । କ୍ରିୟାଶୀଳତା ଚେତନାର ମୂଳକଥା ଓ ଏହିଠାରୁ ସାହିତ୍ୟର ଜନ୍ମ । ଏହି ସାହିତ୍ୟର ବିଷୟବସ୍ତୁ ବ୍ୟକ୍ତିର ମନ, ସମ୍ବେଦନା, ନୈରାଶ୍ୟ, ବିଷାଦ, ଆକାଂକ୍ଷା, ତୃପ୍ତି ଆଦିର ସମ୍ମିଶ୍ରଣ ଉପରେ ପର୍ଯ୍ୟବସିତ ଏବଂ ଏସବୁର ବିଶ୍ଳେଷଣ କେବଳ ମନୋବିଜ୍ଞାନ ଦ୍ୱାରା ହିଁ ସମ୍ଭବ। ପ୍ରାଚୀନ ସାହିତ୍ୟରେ ଚେତନ ଚିତ୍ତ ଓ ଅହଂର ଏକ ବିକଶିତ ରୂପ ଦେଖିବାକୁ ମିଳିଥାଏ । କିନ୍ତୁ ଆଜିର ସାହିତ୍ୟରେ ଅର୍ଦ୍ଧଚେତନ ଓ ଅଚେତନର ଅଭିବ୍ୟକ୍ତି ଅତି ସ୍ପଷ୍ଟ । ପ୍ରାଚୀନ ସାହିତ୍ୟରେ କଳ୍ପନା ସହିତ ତୃପ୍ତିର ସ୍ଵର ଝଂକୃତ ହେଉଥ୍‌ବା ବେଳେ ଆଜିର ସ୍ଵର କେବଳ ଅବସାଦ ଓ ନିରାଶାରେ ପୂର୍ଣ୍ଣ । ଏହି ବିଷାଦ ଓ ନୈରାଶ୍ୟ ସାହିତ୍ୟକାରର ବିକାରଗ୍ରସ୍ତ ଅନୁଭୂତିର ଉଦ୍‌ଭୂତ ।

 

ସାହିତ୍ୟସୃଷ୍ଟିର ମୂଳ ଉତ୍ସ ସହିତ ଏକ ଶୁଦ୍ଧ ମାନସିକତାର ସଂଯୋଗ ଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ସର୍ବସମ୍ମତ ବିଶ୍ଳେଷଣ ସମ୍ଭବ ହୋଇପାରି ନାହିଁ । ୟୁଙ୍ଗ ଏ ସଂପର୍କରେ ମତଦେଇ କହନ୍ତି ଯେ ମଣିଷର ବୁଦ୍ଧି-ବୃତ୍ତି ସର୍ଜନାତ୍ମକ ପ୍ରକ୍ରିୟାର ଏକ ନିର୍ଭୁଲ ହିସାବ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ । ବରଂ ଏହାର ଆବିର୍ଭାବ ସମ୍ବନ୍ଧରେ ଏକ ଧୂମାଭ ଅନୁଭୂତି ଗ୍ରହଣ କରାଯାଇପାରେ । କିନ୍ତୁ ଏହାକୁ ପୂର୍ଣ୍ଣ ରୂପରେ ବୁଝିହେବ ନାହିଁ । ଅନ୍ୟ ଏକ ସ୍ଥାନରେ ଏପରି ସମାନ ମନ୍ତବ୍ୟ ଦେଇ ୟୁଙ୍ଗ କହନ୍ତି, ‘‘ଏକ କଳାକୃତିର ସର୍ଜନାତ୍ମକ ମନସ୍ତାତ୍ୱିକ ଅବସ୍ଥା ଆଲୋଚନା ସମୟରେ ଏହାର ବସ୍ତୁ ଓ ତା’ର ଅର୍ଥ ଖୋଜିବା ନିରର୍ଥକ (Yung, C.G.-Modern man in search of a soul, 1961, P.182) । ତେବେ ସାହିତ୍ୟର କେନ୍ଦ୍ର ବା ଉତ୍ସବିନ୍ଦୁକୁ ସ୍ପର୍ଶ କରିବାରେ ବିବିଧତା ଥିବା ପରି ଏକ ସାହିତ୍ୟକୃତିକୁ ଜଣେ ସାହିତ୍ୟ ସମାଲୋଚକ ଯେପରି ଆଲୋଚନା କରିଥାଏ, ଜଣେ ମନସ୍ତତ୍ତ୍ୱବିଦ୍‌ ସେହି ସାହିତ୍ୟ କୃତିକୁ ଆଲୋଚନା କରିବାରେ ଏକ ମୌଳିକ ପାର୍ଥକ୍ୟ ରହିଛି । ସମାଲୋଚକ ପକ୍ଷରେ ସାହିତ୍ୟର ଯେଉଁ ଉପାଦାନଟି ଗୁରୁତ୍ୱପୂର୍ଣ, ଜଣେ ମନୋବିଜ୍ଞାନୀ ପକ୍ଷେ ତାହା ନଗଣ୍ୟ ହୋଇପାରେ । ପ୍ରାୟ ଅନେକ ଉଚ୍ଚମାନର ସାହିତ୍ୟକୃତି ଅଛି, ଯାହା ପ୍ରତି ମନୋବିଜ୍ଞାନ ପ୍ରବଳ ଆଗ୍ରହ ଦେଖାଇ ଥାଏ । କିନ୍ତୁ ତଥାକଥିତ ମନସ୍ତାତ୍ତ୍ଵିକ ସାହିତ୍ୟ ସୃଷ୍ଟି ପ୍ରତି ଜଣେ ସାହିତ୍ୟ ସମାଲୋଚକ ଯେତେ ପରିମାଣରେ ଗୁରୁତ୍ୱ ଆରୋପ କରିଥାଏ, ତାହା ଜଣେ ମନସ୍ତତ୍ତ୍ୱବିଦ୍‌ ପାଇଁ ସେତେ ପ୍ରଶଂସାଯୋଗ୍ୟ ନୁହେଁ । ଏହି ମନସ୍ତାତ୍ତ୍ୱିକ କୃତିଟି ନିଜେ ନିଜର ବିଶ୍ଳେଷଣ କରିଥାଏ, କିନ୍ତୁ ସ୍ରଷ୍ଟା ଯେଉଁଠି ଚରିତ୍ରମାନଙ୍କର ମନସ୍ତତୃ ବିଶ୍ଳେଷଣ କରିନଥାଏ ଏବଂ ଯାହା ବିଶେଷ୍ଳଣ ପାଇଁ ଏକ ସ୍ଵତନ୍ତ୍ର ଦ୍ୱାର ଉନ୍ମୁକ୍ତ କରି ରଖିଥାଏ । ମନସ୍ତାତ୍ତ୍ୱିକର ସେଥିରେ ଆଗ୍ରହ ଥାଏ । ମନସ୍ତାତ୍ତ୍ଵିକ ପ୍ରକାଶ ନଥିବା ଏହି ଭାବୋଦ୍ଦୀପକ ବର୍ଣ୍ଣନାତ୍ମକ ରଚନା ଅନ୍ତନିର୍ହିତ ମନସ୍ତାତ୍ତ୍ଵିକ ଚିନ୍ତାଧାରାର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ଏବଂ ରଚୟିତା ସେ ବିଷୟରେ ଅଜ୍ଞ । ଅପର ପକ୍ଷରେ ମନସ୍ତାତ୍ତ୍ଵିକ ରଚନାରେ ଲେଖକ ମୂଳ ଆକୃତିକୁ ରୁକ୍ଷ ପରିବେଶରୁ ଆଣି ତାକୁ ମନସ୍ତାତ୍ତ୍ୱିକ ଭାବାଲୋକ ଭିତରେ ଏକ ନୂଆ ରୂପ ଦିଏ । ଏହା ଏକ ବିଧି, ଯାହା ଅଧିକାଂଶ ସମୟରେ ମନସ୍ତାତ୍ତ୍ୱିକ ଦୃଷ୍ଠି କୋଣକୁ ଅପସାରି ଦିଏ । ତେଣୁ ଏ ଧରଣର ମନସ୍ତାତ୍ତ୍ଵିକ ସାହିତ୍ୟକୃତି ଭିତରକୁ ଜଣେ ସାଧାରଣ ଲୋକ ପଶିପାରେ । କିନ୍ତୁ ଦ୍ୱିତୀୟ ପ୍ରକାର ସାହିତ୍ୟରେ ମନସ୍ତତ୍ତ୍ଵବିଦ୍‌ ପାଇଁ ଆହ୍ୱାନ ଥାଏ ଏବଂ ସେ ହିଁ କେବଳ ତା’ର ଗଭୀର ଅର୍ଥ ପ୍ରକାଶ କରିପାରେ ।

 

ଉପରୋକ୍ତ କଥାଟିକୁ ବୁଝିବା ଲାଗି ମନସ୍ତତ୍ତ୍ଵବିଦ୍‌ମାନେ ସମଗ୍ର ରଚନାରୀତିକୁ ଦୁଇଭାଗରେ ବିଭକ୍ତ କରିଛନ୍ତି । ଗୋଟିଏ Visionary ଏବଂ ଅପରଟି Psychological Psychological ରୀତିରେ ରଚିତ ସାହିତ୍ୟସମୂହ ସାଧାରଣତଃ ମାନବର ଚେତନରାଜ୍ୟରୁ କଥାବସ୍ତୁ ସଂଗ୍ରହ କରେ, ଯେଉଁଥିରେ ମଣିଷର ଚେତନକୁ ସଜାଡ଼ୁଥବା ବିଭିନ୍ନ ଶିକ୍ଷା, ଭାବୋଦ୍ଦୀପକ ଆଘାତ, ଯୌନକାମନାଜନିତ ଅଭିଜ୍ଞତା ଏବଂ ମନୁଷ୍ୟର ଭାଗ୍ୟ ବିପର୍ଯ୍ୟୟ ଆଦି ଅନ୍ତର୍ତ୍ତୁକ୍ତ । କିନ୍ତୁ visionary ରଚନାରୀତିର କାବ୍ୟସୃଷ୍ଟି ମଣିଷର ଚେତନ ମନର ଅଭ୍ୟନ୍ତରରେ ଥିବା ଅଦ୍ଭୁତ ଅଭିଜ୍ଞତାର ଜଗତରୁ ନିଜର ଅସ୍ତିତ୍ୱ ଉତ୍ପାଦନ ଓ ମଣିଷର ଅତିମାନବୀୟ ଜଗତକୁ ପ୍ରବୋଧନ କରେ ।

 

ଫ୍ରଏଡ୍‌ଙ୍କ ଦ୍ୱାରା ଆରମ୍ଭ ହୋଇ ୟୁଙ୍ଗ୍‌ଙ୍କ ମାଧ୍ୟମରେ ବିକଶିତ ହୋଇଥିବା ସାହିତ୍ୟର । ମନସ୍ତାତ୍ତ୍ଵିକ ଅଧ୍ୟୟନ ସାହିତ୍ୟ ସମାଲୋଚକମାନଙ୍କ ପାଇଁ ଏକ ଆକର୍ଷଣୀୟ ବସ୍ତୁ ହୋଇ ପଡ଼ିଥିଲା । ସାହିତ୍ୟ-ଆଲୋଚନା ଓ ମନୋବିଜ୍ଞାନର ଦ୍ୱିପାକ୍ଷିକ ସଂପର୍କର ପ୍ରଥମାବସ୍ଥାରେ ଫ୍ରଏଡ୍‌ କେବଳ ସାହିତ୍ୟ ସହିତ ସାହିତ୍ୟିକର ସ୍ନାୟୁରୋଗର ସମ୍ବନ୍ଧ ଅନୁସଂଧାନ କଲେ । ଏହାର ଦ୍ୱିତୀୟ ପର୍ଯ୍ୟାୟରେ ଆସିଥିଲା ମିଥ୍‌ ପ୍ରସଂଗ । କିନ୍ତୁ ସମାଲୋଚକ ମିଥ୍‌ର ସ୍ଥିତି ଓ ତା’ର ପ୍ରୟୋଗ ସଂପର୍କରେ କମ୍‌ ଗୁରୁତ୍ୱ ଦେଇଥାଏ । ମନସ୍ତାତ୍ତ୍ୱିକ ବିଶ୍ଳେଷଣର ସମସ୍ତ ନିୟମ ଏହିପରି ବେଳେ ବେଳେ ସାହିତ୍ୟ ସମାଲୋଚକମାନଙ୍କଦ୍ୱାରା ଗୃହୀତ ହୋଇନଥାଏ । ଯେଉଁ ସମୟଠାରୁ ମନସ୍ତାତ୍ତ୍ଵିକ ବିଶ୍ଲେଷଣ କଳାତ୍ମକ ସୃଷ୍ଟି ଏବଂ ମନୋବ୍ୟାଧି ମଧ୍ୟରେ ତଥା ସାହିତ୍ୟିକର କାମନା ଏବଂ ତାଙ୍କ ଜୀବନର ମନସ୍ତାତ୍ତ୍ୱିକ ବ୍ୟାଖ୍ୟାନ ସମ୍ବନ୍ଧର ଆଲୋଚନା ଆରମ୍ଭ କରିଛି, ସେହିଦିନଠାରୁ ଗୋଟିକର ପ୍ରାନ୍ତ ଅନ୍ୟ ଉପରେ ପଡ଼ିଛି । ମାତ୍ର ଏହି ସମ୍ବନ୍ଧର ପରିସର ସୀମିତ । ସାହିତ୍ୟ ସମାଲୋଚକ ସାହିତ୍ୟକୁ ସ୍ନାୟୁରୋଗର ଉତ୍ପାଦନ ବୋଲି ଭାବେନାହିଁ । ତା’ ନିକଟରେ ସାହିତ୍ୟ ବଡ଼, ସାହିତ୍ୟର ସୃଷ୍ଟି ପ୍ରକ୍ରିୟା ନୁହେଁ । ଏଣୁ ମନସ୍ତାତ୍ତ୍ଵିକ ସାହିତ୍ୟସମାଲୋଚନା ବିରୁଦ୍ଧରେ କ୍ଷୀଣ ପ୍ରତିବାଦର ସ୍ଵର ଆମେରିକାରେ ପ୍ରଥମେ ଗୁଞ୍ଜରି ଉଠିଥିଲା ଏବଂ ଏହି ପ୍ରତିବାଦୀମାନଙ୍କ ମତରେ ଏହା ବାସ୍ତବ ସମୟର ଏକ ଦୂଷିତ ସନ୍ତାନ । (Pritchard, John Poul-Criticism in America, 1956, P.222) ସେମାନେ ଫ୍ରଏଡ୍‌ଙ୍କ ଲୈଙ୍ଗିକ ତତ୍ତ୍ଵର ପରିବର୍ତ୍ତନ ଆଣି ସାହିତ୍ୟର ମାଧ୍ୟମ ଭାବେ ଅଚେତନକୁ ଗୁରୁତ୍ୱ ଦେଲେ ଏବଂ ପ୍ରମାଣ କଲେ ଯେ ବିସ୍ତୃତ ଅଭିଜ୍ଞତାରେ ପୂର୍ଣ୍ଣ ମଣିଷର ମଗ୍ନଚୈତନ୍ୟ ସାଂସ୍କୃତିକ ପୃଷ୍ଠଭୂମିରେ ତା’ ବାସ୍ତବ ନିରୀକ୍ଷଣକୁ ପ୍ରକାଶ କରିପାରିବ । ସମାଲୋଚକ Waldo Frako ତାଙ୍କର ‘‘The Rediscovery of America’ ପୁସ୍ତକରେ ସାହିତ୍ୟର ସାଂସ୍କୃତିକ ପୃଷ୍ଠଭୁମି ସହିତ ମନସ୍ତତ୍ତ୍ୱ, ଦର୍ଶନ ଏବଂ ସମାଜତତ୍ତ୍ୱକୁ ଯୋଡ଼ିବା ସଙ୍ଗେ ସଙ୍ଗେ ସାହିତ୍ୟର ସୌନ୍ଦର୍ଯ୍ୟ ତତ୍ତ୍ଵକୁ ଗୁରୁତ୍ୱ ଦେଲେ । ଏହାପରେ ବିଖ୍ୟାତ ସମାଲୋଚକ Frederrickj.Hoffiman ତାଙ୍କ Freudianism and the Literary Mind ଗ୍ରନ୍ଥରେ ସାହିତ୍ୟର ମନସ୍ତାତ୍ତ୍ୱିକ ସମାଲୋଚନା ଆନ୍ଦୋଳନକୁ ପର୍ଯ୍ୟାଲୋଚନା କରି ମତ ଦେଲେଯେ, ମନୋ-ବିଶ୍ଳେଷଣ ମାଧ୍ୟମରେ ସାହିତ୍ୟ ଆଲୋଚନା କରାଯାଇପାରେ; ମାତ୍ର ସମାଲୋଚନାର ଅନ୍ୟାନ୍ୟ ଧାରାକୁ ବାଦ୍‌ଦେଇ ଏହାକୁ ମୁଖ୍ୟ ଭୂମିକା ପ୍ରଦାନ କରାଯାଇପାରିବ ନାହିଁ ।

 

ହଫମ୍ୟାନ ତାଙ୍କର ଅନ୍ୟ ଏକ କୃତି ‘Psychoanalysis and Literary Criticismରେ ମନୋବିଶ୍ଳେଷଣକୁ ସାହିତ୍ୟ ଆଲୋଚନାର ତିନିଗୋଟି ବିଭାଗରେ ପ୍ରୟୋଗ କରିବା ପାଇଁ ମତ ଦେଇଛନ୍ତି । ସେଗୁଡ଼ିକ ହେଲା, ଭାଷାଶୈଳୀ, ଲେଖକର ଜୀବନଚରିତ ବିଶ୍ଳେଷଣ ଏବଂ ମିଥ୍‌ ଓ ଗୂଢ଼ ସଂକେତ । ତେବେ ସାହିତ୍ୟଆଲୋଚନା କ୍ଷେତ୍ରରେ ମନସ୍ତତ୍ତ୍ଵର ଭୂମିକା ସଂପର୍କରେ ଯେଉଁସବୁ ବିରୋଧ ଉଠିଛି, ତା’ର ବେଶିଭାଗ ସାହିତ୍ୟିକର ମନସ୍ତତ୍ତ୍ୱକୁ ନେଇ କିନ୍ତୁ ସାହିତ୍ୟ ଅନ୍ତର୍ଗତ ଚରିତ୍ରର ବ୍ୟାବହାରିକ କାର୍ଯ୍ୟକଳାପ, ତା’ର ମାନସିକତା ଓ ଭାଷା, ଆଦିର ବିଶ୍ଳେଷଣ ନିମନ୍ତେ ମନୋବିଶ୍ଳେଷଣର ତାତ୍ପର୍ଯ୍ୟ ରହିଛି । ମାତ୍ର ଏ ଦିଗରେ ଥିବା ମୁଖ୍ୟ ପ୍ରତିବନ୍ଧକଟି ହେଲା, ମନୋବିଶ୍ଳେଷଣର ପ୍ରତ୍ୟେକଟି ତତ୍ତ୍ଵ ମଣିଷର ‘ମନ’ ସହିତ ସଂପୃକ୍ତ ଥିବାରୁ ଏବଂ ମନ ଅଦୃଶ୍ୟ ତଥା ଅସ୍କୃଶ୍ୟ ହୋଇଥିବାରୁ ଏଯାବତ୍‌ ମନସ୍ତତ୍ତ୍ୱର ଶେଷକଥା କୁହାଯାଇପାରି ନାହିଁ । ଫଳରେ ଏଭଳି ଏକ ତଥ୍ୟକୁ ଆଶ୍ରୟ କରି ସାହିତ୍ୟ ଆଲୋଚନା କରିବା ପୂର୍ବରୂ ପରିବର୍ତ୍ତନଶୀଳ ତଥା ନିତ୍ୟନୂତନ ଆବିଷ୍କାର ସହିତ ପରିଚିତ ନହେଲେ ସାହିତ୍ୟକୁ ସରଳ ଓ ବୋଧଗମ୍ୟ କରୁଥିବା ସମାଲୋଚନା ନିଜେ ଅଂଧକାର ଭିତରେ ରହିଯିବାର ସମ୍ଭାବନା ବେଶି । ତେବେ ଅନ୍ୟ ପକ୍ଷରେ ଏସବୁ ସତ୍ୟକୁ ଦୃଷ୍ଟିରେ ରଖି ସାହିତ୍ୟ ଓ ମନୋବିଜ୍ଞାନର ଉଦ୍ଦେଶ୍ୟ ଓ ପ୍ରବୃତ୍ତିଗତ ସଂପର୍କକୁ ପର୍ଯ୍ୟାୟଭୁକ୍ତ ଆଲୋଚନା ମାଧ୍ୟମରେ ନିର୍ଦ୍ଧାରଣ କରାଯାଇପାରେ ।

 

ଭାବ ପ୍ରକଟନ ଓ ଏହାର ଶୈଳ୍ପିକ ଏକକ ହିସାବରେ ସାହିତ୍ୟ ପୃଥିବୀର ସୁନ୍ଦର ଓ ଆନନ୍ଦ ପ୍ରଦାନକାରୀ ମାଧ୍ୟମର ଅନ୍ୟତମ ଶ୍ରେଷ୍ଠ ଅଙ୍ଗ । ମଣିଷର ହୃଦୟସତ୍ତାରୁ ଏହାର ଉନ୍ମେଷ ଏବଂ ଉତ୍ତରଣ । ପୁନଶ୍ଚ, ଅପରର ହୃଦୟ ଜୟ କରି କଳାକାର ତାହାର କୃତି ନିର୍ମାଣ କରେ । ଏହି କୃତିର ବିସ୍ତୃତ ଗର୍ଭରେ ଲୁଚି ରହିଥାଏ ମଣିଷ ମନର ଆଶା-ନିରାଶା, ହର୍ଷ-ବିଷାଦ, ଆକାଂକ୍ଷା ତୃପ୍ତି ତଥା ପ୍ରବୃତ୍ତି-ନିବୃତ୍ତିର ରହସ୍ୟାନୁଭୂତି । ଜୀବନର ଯାବତୀୟ ଅନାଲୋଚ୍ୟ ପରିଚ୍ଛେଦ ସାହିତ୍ୟର ପରିସରଭୁକ୍ତ । ଲୋକଜୀବନ ଓ ସମାଜମାନସର ଅଥଳ ଥଳରୁ ସାରସ୍ଵତସୃଷ୍ଟି ପ୍ରକ୍ରିୟା ଭିନ୍ନ ଭିନ୍ନ ମାଧ୍ୟମରେ ପଲ୍ଲବିତ ହୋଇଛି ଏବଂ ଏହି କଳାର ଆକର୍ଷଣ ମୁଖ୍ୟତଃ ଯୁକ୍ତି ଓ ରୁଚିଭିତ୍ତିକ। ଏଠି କଳ୍ପନା ଅଛି ସତ, କିନ୍ତୁ ନାହଁ ଆମ ଖିଆଲି ପ୍ରକ୍ରିୟାର ଅସୁସ୍ଥତା ବା ରୁଗ୍‌ଣତା । ସାହିତ୍ୟିକ କଳ୍ପନା ଯୌକ୍ତିକ । ଚିତ୍ତର ରହସ୍ୟ ଉନ୍ମୋଚନ ଓ ଚିତ୍ତ ବିନୋଦନ ଏହାର ପ୍ରଧାନ ଆଭିମୁଖ୍ୟ । ସମାନତଃ, ମନସ୍ତତ୍ତ୍ୱ ବ୍ୟକ୍ତିର ଅପ୍ରକାଶିତ ଭାବନାର ଏକ ସାର୍ଥକ ଅଭିଧାନ, ମନୁଷ୍ୟ ଚିତ୍ତର ଏକ ଲୁକ୍‌କାୟିତ ଅଂଶର ଆବିଷ୍କର୍ତ୍ତା । ମନୁଷ୍ୟର ସମ୍ବେଦନଶୀଳ ହୃଦୟରେ ପ୍ରତି ମୁହୂର୍ତ୍ତରେ ଯେଉଁ ଅସଂଖ୍ୟ ଭାବନାର ଉନ୍ମେଷ ଘଟେ, ସେହି ସବୁ ମାନସିକ ଅଭିବ୍ୟକ୍ତିର ଅଧ୍ୟୟନ ମନୋବିଜ୍ଞାନର ମୁଖ୍ୟ ଉଦ୍ଦେଶ୍ୟ । ସାହିତ୍ୟ ବ୍ୟକ୍ତିର ମାନସିକ କ୍ରିୟା ଓ ବିଚାରକୁ ଉପସ୍ଥାପନ କରିବାର ସଂକଳ୍ପ ନେଇଥିବା ବେଳେ ମନୋବିଜ୍ଞାନ ଏହି ମାନସିକ କ୍ରିୟା ଓ ବିଚାରସବୁର ଉତ୍ସ ସଂଧାନରେ ବ୍ରତୀ ।

 

ବ୍ୟାୟାକରଣଶାସ୍ତ୍ର ‘ସାହିତ୍ୟ’ ଶବ୍ଦର ‘ହିତ’ ଓ ‘ସ’ର ସଂଯୋଗରୁ ସହିତ ବୋଲି ନିର୍ଦ୍ଦେଶ କରେ । ଏହି ‘ସହିତ’ ଶବ୍ଦ ସଂଗେ ‘ଣ୍ୟତ୍‌’ ପ୍ରତ୍ୟୟର ମିଶ୍ରଣ ଫଳରେ ସାହିତ୍ୟ ଶବ୍ଦ ନିଷ୍ପନ୍ନ ହୁଏ । ମଣିଷର ସହଗାମୀ ସାହିତ୍ୟ, ଜୀବନର ଅଭିବ୍ୟକ୍ତି, ଭାବ ଓ ବିଚାରର ଏକ ବ୍ୟକ୍ତ ରୂପ । ମନସ୍ତତ୍ତ୍ୱ ମଧ୍ୟ ମଣିଷ ଜୀବନର ପର୍ଯ୍ୟବେକ୍ଷଣକାରୀ ଏବଂ ସମାନ ଭାବ ତଥା ବିଚାରର ଅବ୍ୟକ୍ତ ରୂପ ସଂଧାନକାରୀ । ଆୟତନ ଦୃଷ୍ଟିରୁ ସାହିତ୍ୟର କାୟା ଏତେ ବିସ୍ତତ ଯେ ତା’ର ପ୍ରବୃତ୍ତି ଖୋଜି ବସିବା ନିରର୍ଥକ । ତେବେ ଆଧୁନିକ ସାହିତ୍ୟ, ପ୍ରାଚୀନ ରୂପକଥାର ମୋହ ତ୍ୟାଗ କରି ଅତି ବାସ୍ତବତାକୁ ଆବୋରି ନେଇଛି । ସମାଜର ନଗ୍ନ ରୂପକୁ ଉଦ୍‌ଘାଟନ କରିସାରିବାପରେ ସାହିତ୍ୟ ଅଧୁନା ବ୍ୟକ୍ତିର ଚିତ୍ତ ଅଭିମୁଖୀ । ପ୍ରତ୍ୟେକ କ୍ଷେତ୍ରରେ ମନୁଷ୍ୟର ପ୍ରବୃତ୍ତିଗତ ସ୍ଥୂଳତାରୁ ସୂକ୍ଷ୍ମତା ଆଡ଼କୁ ସାହିତ୍ୟର ଧ୍ୟାନ ପ୍ରସାରିତ । ମନୋବିଜ୍ଞାନ କ୍ରମେ ଚେତନ ମନରୁ ଅଚେତନ ଦିଗକୁ ଅଗ୍ରସର ହେଉଥିବାବେଳେ ସାହିତ୍ୟ ମନୋବିଜ୍ଞାନର ଅନୁଗାମୀ ।

 

ସାହିତ୍ୟର ରସାସ୍ୱାଦନ ସମୟରେ ପାଠକ କ୍ରମଶଃ ଚେତନରୁ ଅଚେତନ ଅଭିମୁଖେ ଅଗ୍ରସର ହୁଏ । ପଠନର ପ୍ରାଥମିକ ଅବସ୍ଥାରେ ପାଠକ ନିଜର ବ୍ୟକ୍ତିତ୍ୱ ପ୍ରତି ସଜାଗ ଥାଏ । କିନ୍ତୁ କଳାକୃତିର ସାର୍ବଜନୀନ ଓ ସର୍ବକାଳୀନ ସ୍ଥାୟୀ ଆବେଦନ ଯୋଗୁଁ ଏହି ବ୍ୟକ୍ତିତ୍ୱ ଏକ ଇନ୍ଦ୍ରିୟାତୀତ ସତ୍ତାରେ ପରିଣତ ହୁଏ । ଏହି ବ୍ୟକ୍ତି ଚେତନାର ଉତ୍ତରଣ ଯାତ୍ରାରେ, ପାଠକ ସାହିତ୍ୟର ଭାବ ସହିତ ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ ମିଳିତ ହୁଏ ଏବଂ ସଂପୂର୍ଣ୍ଣ ନିମଜ୍ଜିତ ହୋଇଯାଏ । ଏହି ଭାବ ନିମଜ୍ଜିତ ଅବସ୍ଥା ପୂର୍ଣ୍ଣ ମାତ୍ରାରେ ନୈସର୍ଗିକ । ଆସକ୍ତି ବା ରାଗ, ସମ୍ମୋହନରେ ପରିଣତ ହୁଏ । ସବୁକିଛି ହଜେଇ ଦେବାର ହତାଶା ଓ ନୈରାଶ୍ୟର ସମାପ୍ତି ଆସେ । ଜଂଜାଳଗ୍ରସ୍ତ ମଣିଷକୁ ସାହିତ୍ୟ ମୁହୂର୍ତ୍ତକର ପ୍ରଶାନ୍ତି ଓ ମୁଗ୍‌ଧାବସ୍ଥା ଭିତରେ ରଖି ଏକ Psychedelicର ଭୂମିକା ଗ୍ରହଣ କରେ-। ମନୋବିଜ୍ଞାନୀମାନଙ୍କର କ୍ରିୟାକଳାପ ମଧ୍ୟ ଠିକ୍‌ ଏହିପରି କାମନାର ଅପୂର୍ତ୍ତିଜନିତ ବିକାରକୁ ସେମାନେ ସମ୍ନୋହନ ପ୍ରକ୍ରିୟାରେ ପରିଶୋଧନ କରିଥାନ୍ତି । ଫଳରେ ବ୍ୟକ୍ତିର ମାନସିକ ସୁସ୍ଥତା ଫେରିଆସେ ଏବଂ ତା’ ର ତୃପ୍ତ ଚିତ୍ତ ହୁଏ ଶୁଦ୍ଧ ଓ ସ୍ଵତଃସ୍ତୂର୍ତ୍ତ । ସାହିତ୍ୟଦ୍ୱାରା କାମନାର ବିଶୋଧନ ହେବାଭଳି ମନସ୍ତତ୍ତ୍ଵ ମାଧ୍ୟମରେ ମଧ୍ୟ ମାନସିକ ରୋଗୀଙ୍କର ଅପୂର୍ଣ୍ଣ ଇଚ୍ଛାର ବିଶୋଧନ କରାଯାଇଥାଏ ।

 

ଶରୀର ମଧ୍ୟରେ ଆତ୍ମା ଓ ମନର ଅବସ୍ଥିତି ନିରୂପଣ କରିବାର ଚେଷ୍ଟା ଏକ ପ୍ରାଚୀନ ପରଂପରା । ଭାରତୀୟ ଆଦି ଧାରଣା ଅନୁସାରେ ଆତ୍ମା ମନକୁ ନିୟନ୍ତ୍ରଣ କରେ ଏବଂ ହୃଦୟରେ ହିଁ ଏହି ଆତ୍ମା ଅବସ୍ଥିତ । କ୍ରମଶଃ ଆତ୍ମା ଓ ମନ ସମ୍ୱନ୍ଧୀୟ ତାତ୍ତ୍ୱିକ ଭିତ୍ତିର ପରିବର୍ତ୍ତନ ଆସିଲା ଏବଂ ଏ ଦୁହଁଙ୍କୁ ଧର୍ମର ଆବଦ୍ଧ ପରିସର ଭିତରୁ ମୁକ୍ତି ମିଳିଲା । ମନ, ଅବର୍ଣ୍ଣନୀୟ ଭାବନାର ମୂର୍ତ୍ତିମନ୍ତ ପ୍ରତିମା ଓ ଆତ୍ମାର ସମ୍ମୋହନକାରୀ ଏକ ଶକ୍ତି-ଏଭଳି ଏକ ଧାରଣାରୁ ମନୋବିଜ୍ଞାନର ସୃଷ୍ଟି । ସାହିତ୍ୟ ଏହି ଆନ୍ଦୋଳିତ ମନୋରାଜିର ଏକ ସ୍ଵତଃସ୍ଫୂର୍ତ୍ତ ଅଭିବ୍ୟକ୍ତି । ତଥାକଥିତ ‘ପ୍ରତିଭା’ର ଧାରଣା ପୂର୍ବଜନ୍ମର ବଦ୍ଧ ବିଶ୍ଵାସ ମଧ୍ୟରୁ ନିଷ୍କୃତି ପାଇ ମାନସିକ ପ୍ରବଣତା ଓ ଆଭ୍ୟନ୍ତରୀଣ ଅଭିବ୍ୟକ୍ତିର ଏକ ଅଚେତନ ପ୍ରକ୍ରିୟା ହିସାବରେ ସ୍ଵୀକୃତି ପାଇଲା । ସାହିତ୍ୟର ସୃଷ୍ଟି ଏହି ମୋହଗ୍ରସ୍ତ ମନ ଓ କ୍ରିୟାଶୀଳ ପ୍ରତିଭାରୁ । ଅତଏବ, ସାହିତ୍ୟ ଓ ମନୋବିଜ୍ଞାନ ଯଥାକ୍ରମେ ମନର ପ୍ରବଣତାରୁ ଏବଂ ପ୍ରବଣତା ନିମନ୍ତେ ସୃଷ୍ଟ । ନିଜସ୍ଵ କ୍ରିୟାପ୍ରତିକ୍ରିୟାହୀନ ମୁକୁର ସଦୃଶ ମନରେ ଭାବ ସଂଯୋଗ ହେତୁ ସର୍ଜନାତ୍ମକ ସାହିତ୍ୟ ସମ୍ଭବ ଏବଂ ମନସ୍ତତ୍ତ୍ୱ ଏହି କ୍ରିୟାପ୍ରତିକ୍ରିୟା ତଥା ଭାବର ବିଶଦ ବ୍ୟାଖ୍ୟାକାର - ଏହାହିଁ ଆଜିର ନୂତନ ଉପଲବ୍‌ଧି ।

 

ସାହିତ୍ୟ ଓ ମନସ୍ତତ୍ତ୍ୱର ପାରିଭାଷିକ, ଉଦ୍ଦେଶ୍ୟଗତ, ପ୍ରବୃତ୍ତିଗତ, ପ୍ରକିୟାଗତ ଓ ତାତ୍ତ୍ୱିକ ସମ୍ବନ୍ଧ ଅତି ନିବିଡ଼ । ଦୁହେଁ ଦୁଇଟି ସ୍ଵତନ୍ତ୍ର ବିଦ୍ୟା ହେଲେ ହେଁ ପରସ୍ପରର ପରିପୂରକ । ସମାଜର ସୁଷ୍ଠୁ ବିକାଶ ନିମନ୍ତେ ସାହିତ୍ୟର ଭୁମିକା ଯେପରି ଗୁରୂତ୍ଵପୂର୍ଣ୍ଣ , ମନସ୍ତତ୍ତ୍ୱର ଅବଦାନ ସେହିପରି ମହତ୍ତ୍ଵପୂର୍ଣ୍ଣ । ମନସ୍ତତ୍ତ୍ୱ ବ୍ୟତିରେକେ ସାହିତ୍ୟ ଯେପରି ବିକଳାଙ୍ଗ, କଳାତ୍ମକତା ବିଚାର ଅଭାବରେ ମନସ୍ତତ୍ତ୍ୱ ସେହିପରି ଅସଂପୂର୍ଣ୍ଣ ।

 

 

ଅଧ୍ୟାପକ, ଓଡ଼ିଆ ବିଭାଗ,

ବେଳାଭୂମି ମହାବିଦ୍ୟାଳୟ, ଅଭଣା, ବାଲେଶ୍ୱର

 

***

 

Unknown

ସାହିତ୍ୟରେ ଆଧ୍ୟାତ୍ମିକତା

ଡକ୍ଟର ପ୍ରମୋଦ କୁମାର ଦ୍ୱିବେଦୀ

 

ଆତ୍ମା ଏବଂ ମନ ସମ୍ବନ୍ଧୀୟ ତଥା ଆତ୍ମା ଓ ପରମାତ୍ମାଙ୍କ ସମ୍ବନ୍ଧୀୟ ବିଶେଷଜ୍ଞାନକୁ ଆଧ୍ୟାତ୍ମିକତା କୁହାଯାଏ । ଆତ୍ମା ସମ୍ବନ୍ଧୀୟ ସମ୍ୟକ୍‌ ଜ୍ଞାନ ହାସଲ କରିବାକୁ ଯୁଗେ ଯୁଗେ ମନୁଷ୍ୟ ମନରେ ଗଭୀର ଆଗ୍ରହ ସୃଷ୍ଟି ହୋଇଛି । ଯେଉଁମାନେ ଆତ୍ମାର ଉପଲବ୍‌ଧ୍‌ କରି ତଦନୁସାରେ ଜୀବନକୁ ନିୟନ୍ତ୍ରଣ କରି ପାରିଛନ୍ତି, ସେମାନେ ଜୀବନରେ ମହାସୁଖ ଲାଭକରିଛନ୍ତି । କିନ୍ତୁ ଅନ୍ୟମାନେ ମିଛମାୟାର ମରୀଚିକା ପଛରେ ଧାଇଁ ଧାଇଁ ଦୁଃଖଦ ମୃତ୍ୟୁ ବରଣ କରିବା ହିଁ ସାର ହୋଇଛି ।

 

ରାମ ବା ହରି ବୋଇଲେ ରାମ ବା ହରିର ଦେହକୁ ବୁଝାଏ ନାହିଁ । କାରଣ ସମସ୍ତଙ୍କ ଦେହରେ ରକ୍ତ, ମାଂସ, ଅସିମଜ୍ଜା ଆଦି ଏକ ପ୍ରକାରର ରହିଛି । ଏହି ଦେହ ନଶ୍ଵର । ଜଳ ବୁଦ୍‌ବୁଦ୍‌ ପରି ଏହାର ସ୍ଥାୟିତ୍ୱ କିଛି ନାହିଁ । ଅଥଚ ଆମେ ଏହି ଦେହକୁ ସ୍ନୋ, ପାଉଡ଼ର ମାଖି ଅତର ଆଦି ଦ୍ୱାରା ମଧୁମୟ କରିବାକୁ ଚେଷ୍ଟାକରୁ । କବିବର ରାଧାନାଥଙ୍କ ଭାଷାରେ - ମାଟିର ଏ ଦେହ ନିଶ୍ଚେ ମିଶିବ ମାଟିରେ । ଏହି ସଂସାରରେ ଜନ୍ମନେଇ କେହି ଅମର ହୋଇନାହିଁ । ‘ଜାତସ୍ୟ ହି ଧ୍ରୁବୋ ମୃତ୍ୟୁ’ । ‘ମର୍ତ୍ତ୍ୟ ମଣ୍ଡଳେ ଦେହବହି/ଦେବତା ହୋଇଲେ ମରଇ ।’ ମୃତ୍ୟୁର ଶୀତଳ ସ୍ପର୍ଶ ଥରେ ଲାଭ କଲାପରେ ଆଉଥରେ ଜୀବନ ମିଳିବ କି ନାହିଁ, ତାହା ବଡ଼ ଗହନ କଥା । ଶଙ୍କରାଚାର୍ଯ୍ୟଙ୍କ ଭାଷାରେ ପୂନରପି ଜନମଂ ପୂନରପି ମରଣଂ, ପୁନରପି ଜନନୀ ଜଠରେ ଶୟନଂ , ଅର୍ଥାତ୍‌ ଜନ୍ମ, ଜୀବନ, ମୃତ୍ୟୁ ଏବଂ ପୁନର୍ଜନ୍ମ ହିଁ ସତ୍ୟ ଅଟେ । ତେବେ ଯେଉଁ ଦେହ ଅସ୍ଥାୟୀ, ଯାହାର ମୃତ୍ୟୁ ମାତ୍ରେ ଶବ ଉଠାଅ ଉଠାଅ ବୋଲି ସମସ୍ତେ ବ୍ୟସ୍ତ ହୋଇ ଉଠନ୍ତି, ସେହି ଦେହପ୍ରତି ଆସକ୍ତିର ମାତ୍ରା ବୃଦ୍ଧି କରିବାର ଯଥାର୍ଥତା ନାହିଁ । ବରଂ ଏହି ଦେହ ଯାହା ଦ୍ୱାରା ପରିଚାଳିତ ହୁଏ ସେହି ଆତ୍ମା ଅବିନଶ୍ଵର । ତା’ର ମୃତ୍ୟୁ ବା କ୍ଷୟ ନାହିଁ । ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ, ନ ଚେନଂ କ୍ଲେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ’’ । ଅଗ୍ନି, ମାରୂତ, ଶସ୍ତ୍ର ଆଦି ଆତ୍ମାର କୌଣସି କ୍ଷତି କରିପାରନ୍ତି ନାହିଁ । ତାହା ସତ୍ୟ, ଶିବ, ସୁନ୍ଦର ଏବଂ ସନାତନ । ତେଣୁ ରାମ ବା ହରି ବୋଇଲେ ତାହାର ଦେହ ପରିବର୍ତ୍ତେ ଆତ୍ମାକୁ ବୁଝିବା ଯଥାର୍ଥ ।

 

ଆମ୍ମା ପରମାତ୍ମାଙ୍କ ଅଂଶ ବିଶେଷ । ଜୀବରେ ଆତ୍ମାର ପ୍ରବେଶ ହୋଇଥିବାରୁ ଏହା ଜୀବାତ୍ମା । ଇନ୍ଦ୍ରିୟ ବଳରେ ଆମେ ଦେଖୁ, ଶୁଣୁ, ସ୍ପର୍ଶ କରିଥାଉ ସତ୍ୟ । ମାତ୍ର ଶାନ୍ତ ପରିବେଶ, ଫୁଲର ସୌନ୍ଦର୍ଯ୍ୟ, ଆତ୍ମୀୟଙ୍କ ମୃତ୍ୟୁ ଆଦି ଦ୍ୱାରା ଅନ୍ତର ମଧ୍ୟରେ ଯେଉଁ ପ୍ରତିକ୍ରିୟା ହୁଏ ତାହା ଆତ୍ମାର ଅନୁଭବ । ଦୟା, କରୁଣା, ଆଦର, ସହାନୁଭୂତି ଆଦି ଆତ୍ମା ଦ୍ୱାରା ହିଁ ସାଧିତ ହୋଇଥାଏ-। ଭଲମନ୍ଦ ବିଚାର କରିବା, କାହାର ଦୁଃଖ ଦେଖି ଆହା କହିବା ଅବା କୌଣସି ପୁରାତନ ବନ୍ଧୁଙ୍କୁ ଦେଖି ଆନନ୍ଦ, ଉଚ୍ଛୃସିତ ହେବା କେବଳ ଆତ୍ମାର କାର୍ଯ୍ୟ ଅଟେ । ଇନ୍ଦ୍ରିୟସତ୍ତା ପରିବର୍ତ୍ତେ ଆତ୍ମା ହଁ କେବଳ ସ୍ମରଣ କରିପାରେ । କେବଳ କେତେ ବର୍ଷର ବ୍ୟବଧାନ ନୁହେଁ, ଏପରିକି ପୂର୍ବଜନ୍ମ ପ୍ରସଙ୍ଗକୁ ମଧ୍ୟ ଆତ୍ମା ସ୍ମରଣ କରିପାରେ । ବିଭିନ୍ନ ସମ୍ବାଦପତ୍ରରେ ବେଳେବେଳେ ସମ୍ବାଦ ପ୍ରକାଶ ପାଏ-କୌଣସି ବାବଦ, ତା’ର ପୂର୍ବଜନ୍ମର ଘରଠିକଣା ଏବଂ ତା’ର ସ୍ତ୍ରୀର ନାମ କହି ସହସ୍ରାଧିକ ମାଇଲ୍‌ ଦୂରକୁ ତାକୁ ନେବା ପାଇଁ ଅନୁରୋଧ କରେ । ସେଠାରେ ପହଞ୍ଚିବା ପରେ ବାଳକର ଠିକଣା ଅନୁସାରେ ଘର ଏବଂ ବୃଦ୍ଧା ସ୍ତ୍ରୀଙ୍କୁ ଦେଖିବାକୁ ମିଳେ । ସ୍ତ୍ରୀଙ୍କ ସହିତ ତା’ର ପୂର୍ବ ଜନ୍ମର ଦାମ୍ପତ୍ୟ ଜୀବନର ଗୁପ୍ତ ରହସ୍ୟ ତଥା ସ୍ତ୍ରୀଙ୍କ ଗୁପ୍ତାଙ୍ଗରେ ଥିବା ଚିହ୍ନ ସମ୍ବନ୍ଧରେ କହିବାରୁ ବାଳକର ପୂର୍ବଜନ୍ମ ସମ୍ବନ୍ଧୀୟ ତଥ୍ୟ ସତ୍ୟ ବୋଲି ପ୍ରମାଣିତ ହୁଏ । ଏଭଳି ଘଟଣା କପୋଳକଳ୍ପିତ ନୁହେଁ, ବରଂ ଆତ୍ମାର ସ୍ଥିତି ଏବଂ ଜନ୍ମାନ୍ତରବାଦର ପରିଚାୟକ ଅଟେ ।

 

ସମସ୍ତେ ପୂର୍ବଜନ୍ମ ସମ୍ବନ୍ଧରେ ଜାଣିପାରୁନଥିବାରୁ ଆମ ମନରେ ଏଥିପାଇଁ ସଂଶୟଜାତ ହେବା ସ୍ଵାଭାବିକ । ତେବେ ନିଦ୍ରା, ମୂର୍ଚ୍ଛା ବା ମସ୍ତିଷ୍କରେ ଆଘାତ ଲାଗିଲେ ଆମେ କିଛିକ୍ଷଣ ପାଇଁ ଯେପରି ସ୍ମୃତି ହରାଇ ବସୁ, ମୃତ୍ୟୁ ପରି ଘଟଣା ଘଟିବା ପରେ ସେହିପରି ସ୍ମରଣ ଶକ୍ତି ହରାଇ ବସିବା ମଧ୍ୟ ଅସ୍ୱାଭାବିକ ନୁହେଁ । ପୁଣି ବାଲ୍ୟକାଳରେ ଆମେ ବାକ୍‌ଶକ୍ତିରହିତ ଥିବାରୁ ବୟଃବୃଦ୍ଧି ବେଳକୁ ପୂର୍ବସ୍ମୃତିକୁ ପାସୋରି ଦେବା ମଧ୍ୟ ଅସ୍ଵାଭାବିକ ନୁହେଁ । ଅବଶ୍ୟ ସମସ୍ତେ ପୂର୍ବଜନ୍ମ ବୃତ୍ତାନ୍ତ ଜାଣିଲେ ପୂର୍ବଜନ୍ମର ପ୍ରତିଶୋଧ ବା ସ୍ନେହମମତା ବୃଦ୍ଧି କରିବା ପାଇଁ ବ୍ୟସ୍ତ ରହି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ଭୁଲି ଯାଆନ୍ତେ । ପୂର୍ବଜନ୍ମ ଆମର ମନେପଡ଼ୁନାହିଁ ବୋଲି ତାହା ଅସତ୍ୟ ବୋଲି କହିବା ତେଣୁ ଠିକ୍‌ ହେବ ନାହିଁ । ପୂର୍ବ ଜନ୍ମର କର୍ମଫଳ ଅନୁସାରେ କେହି ଧନୀ ଘରେ ତ କେହି ଦରିଦ୍ର ଘରେ ଜନ୍ମହୁଏ, ପୁଣି କେହି ଅଧିକ ପଢ଼ି କିଛି ମନେ ରଖେ ନାହିଁ ଏବଂ କେହି ଥରେ ପଢ଼ିଲେ ତା’ର ମନେ ରହିଯାଏ । ପୂର୍ବଜନ୍ମ ପ୍ରସଙ୍ଗ ସତ୍ୟ ହେଉ ବା ମିଥ୍ୟା ହେଉ, ଏହି ସଚେତନତା ଥିଲେ ମନୁଷ୍ୟ ସତ୍‌କର୍ମରେ ଯେ ପ୍ରବୃତ୍ତ ହେବ, ଏହା ନିଃସନ୍ଦେହ ।

 

ଦେହ ଆତ୍ମା ଦ୍ୱାରା ପରିଚାଳିତ ହୋଇଥାଏ । ଏହି ଦୃଷ୍ଟିରୁ ଆତ୍ମାକୁ ଚାଳକ (Driver) କୁହାଯାଇପାରେ । ମସ୍ତିଷ୍କଦ୍ୱାରା ଦେହ ପରିଚାଳିତ ହୁଏ ବୋଲି ମସ୍ତିଷ୍କକୁ ଆତ୍ମା ବୋଲି କେହି ଭ୍ରମ କରିଥାନ୍ତି । ମାତ୍ର ମସ୍ତିଷ୍କ ଯାହାର ନିର୍ଦ୍ଦେଶରେ ନିୟନ୍ତ୍ରିତ ହୁଏ ତାହା ହିଁ ଆତ୍ମା । ଏହି ଆତ୍ମା ଦୁଇ ଆଖିପତାର ମଧ୍ୟରେ ଏବଂ ନାସାର ଉର୍ଦ୍ଧ୍ୱରେ ବିରାଜମାନ ଥାଏ ବୋଲି କୁହାଯାଇଅଛି । ଅଭିନେତା ବେଶଭୁଷା ମାଧ୍ୟମରେ ରଙ୍ଗମଞ୍ଚରେ ଅବତୀର୍ଣ୍ଣ ହେବାପରି । ଅଶରୀରୀ ଆତ୍ମା ଶରୀର ମାଧ୍ୟମରେ କାର୍ଯ୍ୟ ସମ୍ପନ୍ନ କରିଥାଏ । ଆମେ ଆମର ଆତ୍ମାକୁ ପରତନ୍ତ୍ର ଏବଂ ଅପୂର୍ଣ୍ଣ ବୋଲି ଅନୁଭବ କରିଥାଉ ଏବଂ ଏହି ହେତୁ ହିଁ ଏକ ସ୍ଵତନ୍ତ୍ର ଏବଂ ପୂର୍ଣ୍ଣତମ ସତ୍ତାରେ ବିଶ୍ଵାସ କରୁ । ତାହା ପରମାତ୍ମା । ଆତ୍ମା ପରମାତ୍ମାଙ୍କ ପ୍ରସଙ୍ଗ କେବଳ ଅନୁଭବ କରିହୁଏ ଯେପରି ପବନକୁ ନଦେଖିଲେ ମଧ୍ୟ ଆମେ ଅନୁଭବ କରିଥାଉ । ଧ୍ୟାନ ଓ ସାଧନା ବଳରେ ଆତ୍ମା ଓ ପରମାତ୍ମାଙ୍କ ମିଳନ ସମ୍ଭବପର ଏବଂ ଏହାଦ୍ୱାରା ମୁକ୍ତି, ମୋକ୍ଷ, ନିର୍ବାଣ ବା ମହାସୁଖ ମିଳିଥାଏ ।

 

ଆତ୍ମାକୁ ପାସୋରି ଆମେ ଦେହକୁ ନେଇ ଅଭିମାନ କଲେ କେବଳ ଅଯଥା ଦୁଃଖ ପାଇବା । ଏହି ଅଭିମାନ ଏକ କୀଟାଣୁ ପରି ଆମକୁ ଏଭଳି ସଂକ୍ରମଣ କରେ ଯେ ଏଥରୁ ମୁକ୍ତିମିଳିବା କଷ୍ଟକର ହୋଇଥାଏ । ନିଜ ଶରୀର ସହିତ ସମ୍ବନ୍ଧ ଥିବା ପରିବାରବର୍ଗଙ୍କ ଦୁଃଖରେ ମଣିଷ ଦୁଃଖୀ ହୁଏ । ପୁତ୍ର କନ୍ୟା, ସ୍ୱାମୀ ବା ସ୍ତ୍ରୀଠାରୁ ଯଥାଯଥ ସମ୍ମାନ ବା ସ୍ନେହ ନପାଇଲେ ସେ ଦୁଃଖୀ ହୁଏ । ଜୀବନ ସଂଗ୍ରାମରେ ହାରିଗଲେ ଦୁଃଖ କରେ । ଜିତିଗଲେ ମଧ୍ୟ ନିଜଠାରୁ ଉଚ୍ଚରେ ଥିବା ଲୋକଙ୍କ ସହିତ ନିଜକୁ ତୂଳନା କରି ସେ ଦୁଃଖ କରେ । କାମବିକାରର ବଶବର୍ତ୍ତୀ ହୋଇ ନିଜର ଶୌର୍ଯ୍ୟବୀର୍ଯ୍ୟ ହରାଇ ସେ ରୋଗାକ୍ରାନ୍ତ ହୁଏ । ପୂତ୍ରକନ୍ୟା ଆଦିଙ୍କ ପ୍ରତି ଅଯଥା ମୋହ ସୃଷ୍ଟି କରି ସେମାନଙ୍କ ଉନ୍ନତି ଓ ସୁଖ ଆଶାରେ ସତ୍‌ ବା ଅସତ୍‌ ଉପାୟରେ ନିରନ୍ତର ଧନ ଉପାର୍ଜନରେ ନିୟୋଜିତ ହୁଏ । (ଏହି ପ୍ରସଙ୍ଗରେ ଦସ୍ୟୁ ରତ୍ନାକରର ଦୃଷ୍ଟାନ୍ତ ଦିଆଯାଇପାରେ) । ବିକାରଗ୍ରସ୍ତ ମଣିଷ ନିଜର ଶୌର୍ଯ୍ୟବୀର୍ଯ୍ୟ ହରାଇ ବିଚାର ଶକ୍ତି ଓ ସହନ ଶକ୍ତି ହରାଏ ଓ କ୍ରୋଧୀ ହୋଇଉଠେ । ଧନ, ସମ୍ପତ୍ତି ଓ ପ୍ରତିପତ୍ତି ସହିତ ତାଳ ଦେଇ ତା’ର ଅହଙ୍କାର ବଢ଼େ । କେହି ଅଜାଣତରେ ତାକୁ ଯଦି ସମ୍ମାନ ପ୍ରଦାନ କରିବାରେ ସାମାନ୍ୟ ଉଣା କରିଛି ବୋଲି ତା’ର ହୃଦ୍‌ବୋଧ ହୁଏ ତେବେ ତା’ର କ୍ରୋଧର ସୀମା ରହେନାହିଁ । କ୍ରୋଧରୁ ରକ୍ତଚାପ ଏବଂ ପରିଣତି ହିଁ ଦୁଃଖଦ ମୃତ୍ୟୁ । ତେଣୁ ଦେହର ଅଭିମାନ ବର୍ଜନୀୟ ।

 

ଆତ୍ମା ପରମାତ୍ମାଙ୍କ ସମ୍ପର୍କ ତଥା ଆଧ୍ୟାତ୍ମିକ ଜ୍ଞାନ ଆହରଣ କଲେ ମନୁଷ୍ୟର ନଶ୍ଵର ଦେହ ତଥା ସାଂସାରିକ ମାୟା ପ୍ରତି ଆସକ୍ତି ଦୂର ହୋଇଯାଏ ! ଆସକ୍ତି ହିଁ ଦୁଃଖର କାରଣ । ଗୀତାରେ କୃଷ୍ଣ ତେଣୁ କହିଛନ୍ତି, ନିୟତକର୍ମ କର । କର୍ମ କର କିନ୍ତୁ ଆସକ୍ତ ହୁଅନାହିଁ । ଆସକ୍ତିରୁ ଦୁର୍ବଳତାର ସୃଷ୍ଟି । ଦୁର୍ବଳ ଶରୀରରେ ଲକ୍ଷଲକ୍ଷ ଦୁଃଖର ଜୀବାଣୁ ପ୍ରବେଶ କରେ । ବିବେକାନନ୍ଦଙ୍କ ଭାଷାରେ (୧) ଶକ୍ତିହିଁ ଜୀବନ, ଦୁର୍ବଳତା ହିଁ ମୃତ୍ୟୁ । କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ କାହାରିକୁ ସ୍ନେହ କରନ୍ତି ନାହିଁ । କଠିନ ହୃଦୟ ହୋଇଥିବାରୁ ସେମାନେ ଦୁଃଖ ଭୋଗନ୍ତି ନାହିଁ । ସେମାନେ କାନ୍ଥ ପରି । କାନ୍ଥ ଯେପରି ସ୍ନେହ କରେନି କି ଦୁଃଖ ଭୋଗ କରେ ନାହିଁ, ସେମାନେ ଠିକ୍‌ ସେହିପରି । ଏପରି ପାଷାଣ ଜୀବନରେ ସୁଖ ମଧ୍ୟ ନାହିଁ । ଏହା ମଧ୍ୟ ଦୁର୍ବଳତା, ତେଣୁ ମୃତ୍ୟୁ ତୂଲ୍ୟ । ଯେଉଁ ହୃଦୟ କେବେହେଲେ ଦୁର୍ବଳତା ଅନୁଭବ କରିନାହିଁ ଦୁଃଖ ଅନୂଭବ କରିନାହିଁ, ସେହି ହୃଦୟ ମଧ୍ୟ ଜାଗ୍ରତ ହୋଇନାହିଁ । ତାହା ସ୍ପନ୍ଦନ- ହୀନ ଜଡ଼ାଅବସ୍ଥା । ଏପରି ଅବସ୍ଥା ଆମର କାମ୍ୟ ନୁହେଁ । ପ୍ରେମର ପ୍ରତିଦାନରେ ଆମେ ଦୁଃଖ ପାଉ । କାରଣ ଆମର ଭଲପାଇବା ନିର୍ମଳ ନ ହୋଇ ପ୍ରତିଦାନରେ ପ୍ରେମ ଲାଭ କରିବାର ଆଶା ଥାଏ । ଯେଉଁଠାରେ ଆକାଙକ୍ଷା ଯେତେ ଅଧିକ, ସେଠାରେ ଦୁଃଖ ସେତେ ଅଧିକ । ଅତଏବ ନିଃସ୍ଵାର୍ଥପର ହେଲେ ଜୀବନରେ ସଫଳତା ମିଳିଥାଏ। ନିଃସ୍ଵାର୍ଥପର ହେଲେ ଯୀଶୁ ଖ୍ରୀଷ୍ଟଙ୍କ ପରି କ୍ରୁଶବିଦ୍ଧ ହେବାକୁ ପଡ଼ିପାରେ । ତଥାପି ମନୁଷ୍ୟ ସମାଜରେ ଶ୍ରେଷ୍ଠତ୍ୱ ଲାଭ କରିହୁଏ । ଆସକ୍ତିଶୂନ୍ୟ ହୋଇ କାର୍ଯ୍ୟକଲେ ଅଶାନ୍ତି ବା ଦୁଃଖ କଦାପି ଆସିବ ନାହିଁ । ଏହି ପ୍ରସଙ୍ଗରେ ଏକ କ୍ଷୁଦ୍ର କାହାଣୀର ଦୃଷ୍ଟାନ୍ତ ଦିଆଯାଇପାରେ । ଥରେ ଜଣେ ଅର୍ଥଲୋଭୀ ଦରିଦ୍ର ଭୂତଟିଏ ପାଇବାକୁ ସାଧୁଙ୍କ ନିକଟକୁ ଯାଇ ପ୍ରାର୍ଥନା କଲା । ସାଧୁ ବାରମ୍ବାର ମନା କରିବା ସତ୍ତ୍ୱେ ଲୋକଟି ଭୂତ ପାଇଁ ବ୍ୟାକୁଳ ହେବାରୁ ସାଧୁ ଗୋଟିଏ ମନ୍ତ୍ର ଶିକ୍ଷାଦେଇ କହିଲେ, ଏହି ମନ୍ତ୍ର ଜପ କଲେ ଭୂତ ଆସିବ । ଯାହା ଆଦେଶ ଦେଲେ କରିବ । ମାତ୍ର ତାକୁ କାମ ଦେଇନପାରିଲେ ଶେଷରେ ସେ ତୁମକୁ ଖାଇଦେବ । ଲୋକଟି ତଥାପି ରାଜିହୋଇ ଏକାନ୍ତରେ ମନ୍ତ୍ରଜପ କରି ଭୁତକୁ ଡାକିଲା ଏବଂ ମୁହୂର୍ତ୍ତକ ମଧ୍ୟରେ ଭୁତ ଲୋକଟିର କଥା ଅନୁସାରେ ପ୍ରାସାଦ, ଅର୍ଥ, ସହର ଏ ଆଦି ସୃଷ୍ଟିକରି ପୁଣି କାମ ମାଗିଲା ଏବଂ କାମ ନଥିଲେ ତାକୁ ଖାଇବ ବୋଲି କହିଲା । ଲୋକଟି ଆଉ ଉପାୟ ନପାଇ ସାଧୁଙ୍କ ନିକଟକୁ ଦୌଡ଼ିଲା । ସାଧୁ ସବୁ କଥା ଶୁଣୁଥିବା ଅବସ୍ଥାରେ ଭୂତ ମଧ୍ୟ ସେଠାରେ ଯାଇ ପହଞ୍ଚିଲା । ସାଧୁ ଲୋକଟିକୁ ଗୋଟିଏ କୁକୁର ଲାଞ୍ଜକାଟି ଭୁତକୁ ସିଧା କରିବାକୁ ଆଦେଶ ଦେବାକୁ କହିଲେ । ଭୂତଟି ଏହି କାର୍ଯ୍ୟ କରିପାରିଲା ନାହିଁ ଏବଂ କହିଲା, ମୁଁ ଏଭଳି ବିପଦରେ କେବେ ପଡ଼ିନଥିଲି । ତେଣୁ ତୁମେ ବରଂ ସମସ୍ତ ସମ୍ପତ୍ତିକୁ ରଖି ମୋତେ ମୁକ୍ତି ଦିଅ । ଲୋକଟି ମଧ୍ୟ ଏହି ଚୁକ୍ତିରେ ସନ୍ତୁଷ୍ଟ । ହୋଇ ରାଜିହେଲା । ଅତଏବ ଗଳ୍ପଟିରୁ ଶିକ୍ଷା ମିଳିଲା ଯେ - କୁକୁର ଲାଞ୍ଜ ସଦୃଶ ଆସକ୍ତିକୁ ସହଜରେ ପରିହାର କରିହୁଏ ନାହିଁ । ତେଣୁ ଆସକ୍ତି ହିଁ ଦୁଃଖର କାରଣ ।

 

ସାହିତ୍ୟରେ ସାଧାରଣତଃ ଆସକ୍ତି ପରିହାର କରି ନିଃସ୍ଵାର୍ଥପର, ନୈତିକ ଏବଂ ନିରାସକ୍ତ ଜୀବନ ଯାପନ କରିବାକୁ ପ୍ରେରଣା ଦିଆଯାଇଥାଏ । ସହିତ ସମ୍ପର୍କକୁ ଭିତ୍ତିକରି ସାହିତ୍ୟର ଏପରି-। ନାମକରଣ କରାଯାଇଛି । ଅର୍ଥାତ୍‌, ମନୁଷ୍ୟ ସହିତ ମନୁଷ୍ୟର, ମନୁଷ୍ୟ ସହିତ ଜାତିର ଓ ଜାତି ସହିତ ଜାତିର ସମ୍ପର୍କ ବଳିଷ୍ଠ କରିବାକୁ ସାହିତ୍ୟର ସୃଷ୍ଟି ପରିକଳ୍ପିତ । ପରସ୍ପର ମଧ୍ୟରେ ସଦ୍‌ଭାବ ପ୍ରତିଷ୍ଠା କଲେ, ସମସ୍ତେ ସୁଖରେ ଚଳିପାରିବେ ବୋଲି କବି ଗାଇଛନ୍ତି -

 

ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର

ବୈକୁଣ୍ଠ ସମାନ ଆହା ଅଟେ ସେହି ଘର ।

 

ସମାଜର ପ୍ରତ୍ୟେକ ବ୍ୟକ୍ତି କିପରି ମଙ୍ଗଳରେ କାଳାତିପାତ କରିବେ, ଏହି ‘ହିତ’ ଶବ୍ଦଟିକୁ ଭିତ୍ତି କରି ‘ସହିତେ ଜାତ’ ସାହିତ୍ୟର ନାମକରଣ କରାଯାଇଛି । ସଂସାରର ମାୟା ଏବଂ ନଶ୍ଵର ଦେହର ଅଭିମାନକୁ ତ କେନ୍ଦ୍ରକରି ମନୁଷ୍ୟ ପରସ୍ପର ମଧ୍ୟରେ କଳହରତ ନ ହେଉ-ଏହା ସାହିତ୍ୟ ମାଧ୍ୟମରେ ଦର୍ଶାଇ ଦିଆଯାଏ । ଆମର ପ୍ରାଚୀନ ସାହିତ୍ୟ ଏହିପରି ନୈତିକ ଏବଂ ଆଦର୍ଶବ୍ୟଞ୍ଜିତ-। ଆତ୍ମା ଓ ପରମାତ୍ମାଙ୍କ : ସମ୍ପର୍କ, ନୀତି କଥା ତଥା ନଶ୍ୱରତା ପ୍ରତି ବିରାଗ ପ୍ରଦର୍ଶନ କରିବା ପାଇଁ ଆମ ପ୍ରାଚୀନ ସାହିତ୍ୟରେ ବିସ୍ତୃତ ବର୍ଣ୍ଣନା ରହିଛି । ଏହି ଦୃଷ୍ଟିରୁ ସାହିତ୍ୟ ଓ ଆଧ୍ୟାତ୍ମିକତା ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଏପରିକି ଏହି ଦୁଇଟି ବିଷୟକୁ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭାବରେ ମଧ୍ୟ ଗ୍ରହଣ କରାଯାଇପାରେ । ଓଡ଼ିଆ ସାହିତ୍ୟରେ ଆଧ୍ୟାତ୍ମିକତା ସମ୍ବନ୍ଧରେ ଏଠାରେ ଆଲୋଚନା କରାଯାଉଅଛି ।

 

ନେପାଳରୁ ପଣ୍ଡିତ ହରପ୍ରସାଦ ଶାସ୍ତ୍ରୀ ୮୪ ସିଦ୍ଧାଚାର୍ଯ୍ୟଙ୍କ କବିତା ସଙ୍କଳନ ଆବିଷ୍କାର କରିଥିଲେ ଏବଂ ଏହାକୁ ‘ବୌଦ୍ଧଗାନ ଓ ଦୋହା’ ଭାବରେ ନାମିତ କରିଥିଲେ । ତାଙ୍କ ମତରେ ଏହା ୭ମ/୮ମ ଶତକର ରଚନା । କବିତାଗୁଡ଼ିକରେ ବୌଦ୍ଧଧର୍ମ ସମ୍ବନ୍ଧରେ ଉଲ୍ଲେଖ ନଥିଲେସୁଦ୍ଧା ‘ସହଜ’ ‘ବୋଧିଚିତ୍ତ’, ‘ନୈରାତ୍ମ’, ପ୍ରଜ୍ଞା, ଧମଣଚମଣ ତଥା ଶବରଶବରୀର ମିଳନରେ ମହାସୁଖ ପ୍ରାପ୍ତିର ପନ୍ଥା ସମ୍ବନ୍ଧରେ ଆଲୋଚନା ହୋଇଥିବାରୁ ଏହାକୁ ବୌଦ୍ଧଧର୍ମ ବା ସହଜିଆଧର୍ମ ଭାବରେ ଉଲ୍ଲେଖ କରାଯାଇଛି । ଶୂନ୍ୟ ହିଁ ପୂର୍ଣ୍ଣ । ଚିତ୍ତବୃତ୍ତିକୁ ଆହାର କରି, ପ୍ରବୃତ୍ତି ଓ ନିବୃତ୍ତି ବିଚାରକୁ ତୁଚ୍ଛକରି ‘ସହଜ’ ଆନନ୍ଦ ମଧ୍ୟରେ ଶୂନ୍ୟର ଉପଲବ୍‌ଧି ସହଜଯାନର ତତ୍ତ୍ଵବାଣୀ ।୨। କବି ଲୁଇପାଦ କହନ୍ତି -

 

କାଆ ତରୁବର ପଞ୍ଚ ବିଡ଼ାଳ ।

ଚଞ୍ଚଳ ଚିଏ ପଇଠ କାଳ

ଦିଢ଼ କରିଅ ମହାସୁହ ପରିମାଣ

ଲୁଇ ଭଣଇ ଗୁରୁ ପୁଚ୍ଛିଅ ଜାଣ ।

 

ଅର୍ଥାତ୍‌ କାୟାରୂପକ ତରୁର ପଞ୍ଚେନ୍ଦ୍ରିୟ ପଞ୍ଚଶାଖା ସଦୃଶ ଏବଂ ଏହି ଇନ୍ଦ୍ରିୟଗୁଡ଼ିକୁ ଦମନ କରି ଚିତ୍ତକୁ ଦୃଢ଼ କରିପାରିଲେ ମହାସୁଖ ମିଳିପାରିବ । ଏହା ନକରି ଯୋଗ ସାଧନା ଯେତେକଲେ ମଧ୍ୟ ମହାସୁଖ ମିଳିବ ନାହିଁ । କାୟା, ବାକ୍‌, ଚିତ୍ତ ରୂପକ ଶରୀର ସତ୍ତାର ଉର୍ଦ୍ଧ୍ୱରେ ମହାସୁଖର ସ୍ଥାନ-। ଅବିଦ୍ୟାମୁକ୍ତ ସାଧକ ନୈରାତ୍ମାଙ୍କ ସହ ମିଳିତ ହୋଇ ମହାସୁଖ ପାଏ । କାହ୍ମୁ ପା ‘ଡୋମ୍ବିଚର୍ଯାରେ କହନ୍ତି -

 

ନଗର ବାହିରେ ଡୋମ୍ବି ତୋହରି କୁଡ଼ିଆ

ଛୋଇ ଛୋଇ ଯାଏ ସୋ ବ୍ରାହ୍ମଣ ନାଂଡ଼ିଆ

ଆଲୋ ଡୋମ୍ବି ତୋଏ ସମ କରିବ ମ ସାଙ୍ଗ

ନିଘିନ କାହ୍ନ କପାଳି ଯୋଇ ଲାଙ୍ଗ ।

 

ଏଠାରେ ପରିଶୁଦ୍ଧା ନୈରାତ୍ମାଦେବୀଙ୍କୁ ଡୋମ୍ବୀ ସହିତ ତୁଳନା କରି ତାଙ୍କ ନିର୍ମଳ ପ୍ରେମରସରେ ମିଳି ସହଜାନନ୍ଦ ଲାଭ କରିବାକୁ ଚାହିଁଛନ୍ତି । ଏହି ସହଜ ତତ୍ତ୍ୱ ହିଁ ବ୍ରହ୍ମତତ୍ତ୍ୱ । ହିନ୍ଦୁ ବ୍ରାହ୍ମଣ୍ୟ ଧର୍ମରେ ଯେପରି ପରମାତ୍ମା ଅବ୍ୟକ୍ତ ଅଥଚ ସର୍ବପରି ବ୍ୟାପ୍ତ, ଠିକ୍‌ ସେହିପରି ବଜ୍ରଯାନ ବା ସହଜଯାନରେ ସହଜ ଅବର୍ଣ୍ଣନୀୟ । ସହଜ ବର୍ଣ୍ଣହୀନ, ରୂପହୀନ, ଚିହ୍ନହୀନ । ଅଥଚ ସହଜ ନିତ୍ୟ ଆନନ୍ଦମୟ ଓ ଅମୃତମୟ । ଏହି ସହଜ ନୈରାତ୍ମା ବା ସହଜ ସୁନ୍ଦରୀ । ସୁଫୀ ଦର୍ଶନରେ ପରମାତ୍ମା ନାରୀ ପରି । ଏଥିରେ ସହଜ ମଧ୍ୟ ନାରୀ । ଏହି ନୈରାତ୍ମାଙ୍କ ସହ ସାଧକ ମିଳିଗଲେ ମହାସୁଖ ଲାଭ କରେ । ଏହାହିଁ ନିର୍ବାଣ ।୩। ଚର୍ଯା ଗୀତିକାର ଭାଷା ଏବଂ ଐତିହାସିକ ଦୃଷ୍ଟି କୋଣରୁ (ବୌଦ୍ଧ ଧର୍ମର ବଜ୍ରଯାନ ଓ ସହଜଯାନର ପୀଠ ଉଡ୍‌ଡିୟାନ ବା ଓଡ଼ିଶା) ଏହା ଓଡ଼ିଆ ଭାଷାର ପ୍ରତ୍ନରୂପ ଭାବରେ ସ୍ଵୀକୃତ ।

 

ବିରାଟ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ -

‘‘ବ୍ରହ୍ମାଣ୍ଡ ଯେତେ ବିଧିମତ, ପିଣ୍ଡରେ ଅଛନ୍ତି ସମସ୍ତ,

ପିଣ୍ଡବ୍ରହ୍ମାଣ୍ଡ ଏକମତ, ତୋ ଆଗେ କହିଦେଲି ତତ୍ତ୍ୱ ।’’

 

ଏହି ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ ଯର୍ଚାଗୀତିକା ଠାରୁ ଆରମ୍ଭ କରି ନାଥ ଧର୍ମ ଓ ପଞ୍ଚସଖା ସାହିତ୍ୟରେ ରୂପାୟିତ ହୋଇଛି । ନାଥଧର୍ମର ଉପାସ୍ୟ ଶିବ ଅଟନ୍ତି । ଗୋରଖନାଥଙ୍କୁ ଶିବଙ୍କ ଅବତାର କୁହାଯାଇଛି । ନାଥଧର୍ମର ମର୍ମବାଣୀ ସମ୍ବନ୍ଧରେ ଏଠାରେ ତାଙ୍କର ଗୋଟିଏ କବିତାର ଦୃଷ୍ଟାନ୍ତ ଦିଆଯାଉଛି ।

 

‘ଏକ ଯେ ହୋଇ ଦୁଇ ଅଲଗବିଲଗ

ନର ହୁଁ ନିରନ୍ତର ସେହୁ ଅଲଗ ।

ସିଷୁମୁନା ମଧ୍ୟେ ସଯୋତି ପ୍ରକାଶ ।

ବନ୍ଦନ୍ତି ନାଥେ ଯେଟି ସିଦ୍ଧଙ୍କର ବିଶୁଆସ ।

(ଶିଶୁବେଦ)

 

ଗୋରେଖନାଥଙ୍କ ସମୟ ୧୨ଶ ଶତାବ୍ଦୀ ଅଟେ ।

 

ନାଥ ଧର୍ମାବଲମ୍ବୀ ତନ୍ତ୍ର ଦ୍ୱାରା ପ୍ରଭାବିତ ଥିଲେ । ତନ୍ତ୍ରରେ ପଞ୍ଚ ‘ମ' କାର ମଦ୍ୟ, ମାଂସ, ମସ୍ତ୍ର୍ୟ, ମୁଦ୍ରା ଓ ମୈଥୁନ ପ୍ରଧାନ୍ୟ ଲାଭ କରିଛି । ବାହାରକୁ ଏସବୁ ଯେଉଁ ଅର୍ଥ ପ୍ରକାଶ କରନ୍ତି, ପ୍ରକୃତରେ ତାହା ନୁହେଁ । ସହସ୍ରାର ପଦ୍ମରୁ ଯେଉଁ ଅମୃତ କ୍ଷରିତ ହୁଏ ତାହା ହିଁ ମଦ୍ୟ । ଏହି ମଦ୍ୟପାନ କଲେ ତଲ୍ଲୀନତା ଆସେ । ମାଂସ ଅର୍ଥ ପୁଣ୍ୟ ଓ ପାପରୂପକ ପଶୁକୁ ଜ୍ଞାନରୂପକ ଖଡ଼୍‍ଗରେ ହତ୍ୟା କରିବା । ଏହା ଦ୍ୱାରା ଚିତ୍ତବ୍ରହ୍ମରେ ଲୀନ ହୁଏ । ଏପରି ସାଧକଙ୍କୁ କୁହାଯାଏ ମାଂସାଶୀ । ସାଧକ ଅଯଥା ବାକ୍ୟ ବ୍ୟୟ କରେ ନାହିଁ । ତାର ହୁଏ ଜିହ୍ୱା ସଂଯମ । ତେଣୁ ତାକୁ କୁହାଯାଏ ମାଂସାହାରୀ । ଶରୀର ମଧ୍ୟରେ ଇଡ଼ା ଓ ପିଙ୍ଗଳା ନାଡ଼ିଦ୍ୱୟକୁ ଯୋଗ ଓ ତନ୍ତ୍ରର ପରିଭାଷାରେ ଗଙ୍ଗା ଓ ଯମୁନା କୁହାଯାଏ । ଏହି ଦୁଇନାଡ଼ିରେ ପ୍ରବାହିତ ଶ୍ଵାସପ୍ରଶ୍ଵାସକୁ ତନ୍ତ୍ରରେ କୁହାଯାଏ ମତ୍ସ୍ୟ । ସାଧକ ଯେତେବେଳେ ଶ୍ଵାସପ୍ରଶ୍ୱାସକୁ ରୋଧକରି କୁମ୍ଭକ ଦ୍ୱାରା ସୁଷୁମ୍ନା ନାଡ଼ିରେ ସଂଚାଳନ କରେ, ସେହି ହେଉଛି ମତ୍ସ୍ୟାହାରୀ । ଅସତ୍‌ ସଙ୍ଗ ତ୍ୟାଗ ହିଁ ମୁଦ୍ରା । ତେଣୁ ସାଧୁ ସଙ୍ଗରେ କାଳଯାପନ କଲେ ସିଏ ମୁଦ୍ରା ସାଧକ ହୁଏ । ସୁଷୁମ୍ନା ଓ ପ୍ରାଣବାୟୁର ମିଳନକୁ କୁହାଯାଏ ମୈଥୁନ । ଏହି ମୈଥୁନରେ ସାଧକ ସାଧାରଣ ସ୍ତ୍ରୀ ପୁରୁଷର ଯୌନ-ସଂଗମଜନିତ ସୁଖଠାରୁ ବହୁଗୁଣରେ ଆନନ୍ଦ ଲାଭ କରେ । ପଞ୍ଚ ‘ମ’ କାରର ଏତାଦୃଶ ତାତ୍ତ୍ୱିକ ଅର୍ଥ ବ୍ୟଞ୍ଜିତ ସାଧନ । ମାର୍ଗ ହିଁ ତାନ୍ତ୍ରିକ କୌଳାଚାର ନାମରେ କଥିତ ।୪। ନାଥ ଧର୍ମରେ ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ତ ଉପଲବ୍‌ଧ୍‌ କରାଯାଏ । ନାଥ ଯୋଗୀମାନେ ସିଦ୍ଧ ଥିଲେ । ସେମାନଙ୍କ ଅନୁଭବଗୁଡ଼ିକ ସାହିତ୍ୟରେ ସ୍ଥାନ ପାଇଛି । ‘ଅମରକୋଷ ଗୀତା’, ଗୋରେଖ ସଂହିତା, ଗୋରେଖ ବୋଧ, ଶିଶୁବେଦ ଆଦି ନାଥ ସାହିତ୍ୟର । ଅନ୍ତର୍ଭୁକ୍ତ । ‘ଶିଶୁବେଦ’ରେ ଗୋରେଖ କହନ୍ତି, ପବନକୁ ନିରୋଧକରି ମନକୁ ଅମନରେ ମିଶାଇ । ଏକାଗ୍ରଚିତ୍ତ ହୋଇ ଜନ୍ମ ମରଣ ଭବଭୟ ଖଣ୍ଡନ କରି ସିଦ୍ଧ ପରମପଦ ଲାଭ କରେ । ତାଙ୍କ ଭାଷାରେ

 

ଯେହ୍ନେ ବକା ନ ହଲଇ ନୀର .

ତେହ୍ନେ ମନପବନ କରି ଥିର ।

ବକ ମାଛ ନୀରେ ସମ କରି ଜାଣ ।

ତେବେ ସେ ପିଣ୍ଡକୁ ପରଚେ ପ୍ରମାଣ

(ଶିଶୁବେଦ)

 

ଏଠାରେ ବଗକୁ ମନ, ମାଛକୁ ପବନ ଓ ନୀରକୁ ବିନ୍ଦୂର ରୂପକ ଭାବରେ ଗ୍ରହଣ କରାଯାଇଛି ।

 

ନାଥ ଧର୍ମ ପରେ ଓଡ଼ିଶାରେ ଶୈବ ଧର୍ମ ଦେଖାଦେଇଥିଲା । ସୋମନାଥ ବ୍ରତ କଥା, ରୁଦ୍ର ସୁଧାନିଧି, ବତ୍ସା ଦାସଙ୍କ ‘କଳସା ଚଉତିଶା’ ଆଦିରେ ଶିବ ମହିମା ବର୍ଣ୍ଣିତ ।

 

ସାରଳା ଦାସ ପଞ୍ଚଦଶ ଶତାବ୍ଦୀର କବି । ଏହା ହିଁ ଘୋର ଭ୍ରଷ୍ଟାଚାର ମଧ୍ୟରେ ସହଜ-ସାଧନାର ବିଲୟର କାଳ । ପ୍ରବର୍ତ୍ତକ ଓ ସଂସ୍କାରକ ରୂପେ ସାରଳା ଦାସ ଆଧ୍ୟାତ୍ମିକ ଜୀବନକୁ ଯୌନ ବ୍ୟଭିଚାରର ଅତଳ ପଙ୍କରୁ ଉଦ୍ଧାର କରି ସମାଜରେ ଅଦ୍ୱୈତ, ଶୂନ୍ୟ ଉପାସନା ଓ ଯୋଗସଂଯମପିଣ୍ଡିତ ଆଧ୍ୟାତ୍ମିକ ସାଧନାର ବାର୍ତ୍ତା ପ୍ରଚାର କରିଥିଲେ । ମାତ୍ର ସେଥିପାଇଁ ଜନସମାଜରୁ ସହଜ ପନ୍ଥାର ସ୍ଵାଦ୍ୟ ଆକର୍ଷଣ ଓ ସହଜସିଦ୍ଧମାନଙ୍କର ବହୁ ବିସ୍ତୃତ ପ୍ରଭାବ ଉଚ୍ଛେଦ କରିବାର ଏକ ସାମାଜିକ ତଥା ଆଧ୍ୟାତ୍ମିକ ଆବଶ୍ୟକତା ରହିଥିଲା । ଏହି ଉଦ୍ଦେଶ୍ୟର ସଫଳତା ପାଇଁ ସାରଳା ପ୍ରଚଣ୍ଡ କବିତ୍ୱ ଓ ପ୍ରତିଭାବଳରେ ଶ୍ରୀକୃଷ୍ଣଙ୍କୁ ସହଜସିଦ୍ଧ କୃଷ୍ଣରେ ପରିଣତ କରି ତାଙ୍କର ବହୁ ଭ୍ରଷ୍ଟାଚାର ଓ ବ୍ୟଭିଚାରର ବର୍ଣ୍ଣନା ମଧ୍ୟରେ ସହଜ ମାର୍ଗର ବିଡ଼ମ୍ବନା ପ୍ରତି ସମାଜର ସଚେତନ ଦୃଷ୍ଟି ଆକର୍ଷଣ କରିଛନ୍ତି । ସାରଳା ମହାଭାରତରେ ଶ୍ରୀକୃଷ୍ଣ ଆଧ୍ୟାତ୍ମିକ ବିପର୍ଯ୍ୟୟ ଓ ବିଡ଼ମ୍ବନାର ଏକ ସଙ୍କେତ । ‘ଖନିକାରର ଜନ୍ମବୃତ୍ତାନ୍ତ’ ପ୍ରସଙ୍ଗରେ ‘ବଡ଼ାଇ’ (ବୁଢ଼ୀ) ସହଜସୁନ୍ଦରୀ ଉପରେ ଶ୍ରୀକୃଷ୍ଣଙ୍କ କାମପୀଡ଼ିତ ଆକ୍ରମଣ ଓ ଗଉଡ଼ ଚନ୍ଦ୍ରସେଣାର ସ୍ତ୍ରୀ ଚନ୍ଦ୍ରସେଣା ସହିତ ନିଶାର୍ଦ୍ଧରେ ରମଣ ପାଇଁ ଗଳିଗଳି ଭ୍ରମଣର କୁତ୍ସିତ ବୀରତ୍ୱ ଏହାର ଉଦାହରଣ ।୫। ମହାଭାରତରେ ବ୍ରହ୍ମଜ୍ଞାନ ଲାଭ କରିବାର ଆଧ୍ୟାତ୍ମିକ ସାଧନା ଓ ଯୋଗ ପ୍ରଣାଳୀ ମଧ୍ୟ ଅଶ୍ୱତ୍‌ଥାମାର ଯୋଗାଭ୍ୟାସ ମାଧ୍ୟମରେ ବର୍ଣ୍ଣିତ ହୋଇଅଛି । ଯଥା -

 

ପବନକୁ ଉଡ଼ାଇଣ ନବଦ୍ୱାର ବାଟେ

ତାହାକୁ ବନ୍ଧନ କରି ଶୋଷିବ ଏ ଘଟେ ।

ନବଦ୍ୱାର ନିରୋଧିତ ବସିଛି ମହାତ୍ମା

ଦେଖି ନ ଦେଖଇ ଶବଦ ଗାରିମା ।

ଜିହ୍ୱାକୁ ଗୋପନ କରି ଘଟିକାର ମୂଳେ

ତହିଁ ସେ ଅମୃତ ପାନ କରେ ସର୍ବକାଳେ ।

(ଆଦିପର୍ବ)

 

‘ବିଲଙ୍କା ରାମାୟଣ’ ଓ ‘ଚଣ୍ଡୀପୁରାଣରେ କବି ଶକ୍ତି ଧର୍ମର ମାହାତ୍ମ୍ୟ ବର୍ଣ୍ଣନା କରିଛନ୍ତି । ଏଥିରୁ କବି ଶାକ୍ତ ଥିଲେ ବୋଲି ପ୍ରମାଣ ମିଳିଥାଏ ।

 

ଖ୍ରୀ: ୧୫୦୯ରେ ଶ୍ରୀ ଚୈତନ୍ୟଙ୍କ ଓଡ଼ିଶା ଆଗମନ ବେଳକୁ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଏବଂ ଅନନ୍ତ ଦାସ ଶ୍ରୀକ୍ଷେତ୍ରରେ ମିଳିତ ହୋଇଥିଲେ ଏବଂ ଧର୍ମ ତଥା ଆଧ୍ୟାତ୍ମିକ ସାହିତ୍ୟ ରଚନାରେ ମନୋନିବେଶ କରିଥିଲେ । ବଳରାମ ଦାସ ଶୂନ୍ୟ ସାଧକ ରୂପେ ହଠଯୋଗୀ ଥିଲେ । ‘ବ୍ରହ୍ମାଣ୍ଡ ଭୁଗୋଳ’, ‘ଜଗମୋହନ ରାମାୟଣ’, ‘ବେଢ଼ା ପରିକ୍ରମା’, ‘ଗୁପ୍ତଗୀତା’, ‘ବିରାଟ ଗୀତା’ ଓ ‘ଲକ୍ଷ୍ମୀ ପୁରାଣ’, ଆଦି ରଚନା ମାଧ୍ୟମରେ ସେ ନିଜର ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ପରିଚୟ ଦେଇଅଛନ୍ତି । ଜଗନ୍ନାଥ ଦାସଙ୍କ ଶ୍ରେଷ୍ଠ ରଚନା ହେଉଛି ‘ଭାଗବତ’ । ମାର୍କଣ୍ଡ ଦାସଙ୍କ ‘କେଶବକୋଇଲି’ ଅବଲମ୍ବନରେ ସେ ଏକ ତାତ୍ତ୍ୱିକ ରଚନା ସୃଷ୍ଟି କରିଛନ୍ତି ‘ଅର୍ଥ କୋଇଲି’ । ‘କେଶବ କୋଇଲି’ର ଟୀକା ଦେବାକୁ ଯାଇ କବି ଲେଖିଛନ୍ତି -

 

“କୋଇଲି କେଶବ ଯେ ମଥୁରାକୁ ଗଲା

କାହାବୋଲେ ଗଲାପୁତ୍ର ବାହୁଡ଼ି ନଇଲା ଲୋ’’

 

ଅର୍ଜୁନ ଉବାଚ

‘‘ଅର୍ଜ୍ଜୁନ ବୋଇଲେ ନାଥ ତୁମ୍ଭେ ଶୁଣ ମହାବାହୁ

ପୁଚ୍ଛିବି କଥାଏ ପ୍ରଭୁ ମୋତେ ଆଜ୍ଞା ହେଉ ।

କେଶବ କୋଇଲି ନାଥ କାହାକୁ ଯେ କହି

ଏହା ମୋତେ ଶ୍ରୀହରି ପ୍ରସନ୍ନେ ଦେବା କହି ।

 

ଶ୍ରୀ ଭଗବାନୁବାଚ

କୋଇଲି ବୋଲିଣ ପାର୍ଥ ଜୀବକୁଟି କହି

ସେହି ଜୀବ ମୁହିଁ ଜାଣେ ସର୍ବତ୍ର ଅଛଇ ।

ଆପେ ଆସିଥିଲା ଜୀବ ଆପେ ଚଳିଗଲା

ସେହି ପୁତ୍ରଗୋଟି ଆଉ ବାହୁଡ଼ି ନଇଲା ।

ଏହି ପୁତ୍ରଗୋଟି ଯହୁଁ ବାହୁଡ଼ି ନଇଲା

ମଥୁରା ସ୍ୱରୂପ ପିଣ୍ଡ ପଡ଼ିଣ ରହିଲା ।” ୬।

 

କବିଙ୍କ ‘ତୁଳାଭିଣା’ ଗ୍ରନ୍ଥରେ ଆଧ୍ୟାତ୍ମିକତା ଓ ଗଦ୍ୟଭାଷାର ଅପୂର୍ବ ସମ୍ମେଳନ ହୋଇଛି । ତୁଳାକୁ ଭିଣିବା ପରି ବ୍ରହ୍ମଜ୍ଞାନର ତତ୍ତ୍ୱକୁ ସରଳଭାବରେ ଏଥିରେ ବର୍ଣ୍ଣନା କରାଯାଇଛି । ଯଥା -

 

‘ଶୁଣ ଗୋ ପାର୍ବତୀ । ଅଣାକାର ଯେ ଜ୍ୟୋତିରୂପ । ଯେ ଅବ୍ୟକ୍ତ ଯେ ମହାଶୂନ୍ୟ, ତାକୁ ବ୍ୟକ୍ତ କରିହେବ ନାହିଁ । ସେହିଠାରୁ ବ୍ରହ୍ମ ପ୍ରଜ୍ଜ୍ୱଳିତ ହୋଇ ଉଚ୍ଛୁଳିଲା । ସେ ଊର୍ଦ୍ଧ୍ୱରୁଟି ଓଁକାର ପ୍ରଣବ ହେଲା । ପ୍ରଣବରୁ ଖସିଲା । ତ୍ରିକୂଟରେ ତ୍ରିବୀଜ ରହିଲା । ସେଠାରେ ଚନ୍ଦ୍ରସୂର୍ଯ୍ୟଙ୍କର ସଙ୍ଗେ ମିଳିଲା-। ମହା ପ୍ରଜ୍ଜ୍ୱଳିତ ଅଗ୍ନି ଜାତ ହେଲା । ଚନ୍ଦ୍ରସୂର୍ଯ୍ୟଙ୍କର ଏକତ୍ୱ ହୋଇଲା । ତ୍ରିକୂଟଠାରେ ମହା ପ୍ରଜ୍ଜ୍ୱଳିତ ତୃପ୍ତି ଉଠିଲା ।’’

 

ଅଚ୍ୟୁତାନନ୍ଦଙ୍କ ‘ଶୂନ୍ୟସଂହିତା’, ‘ହରିବଂଶ’, ‘ଅଣାକାର ସଂହିତା’, ‘ଗୁରୁଭକ୍ତି ଗୀତା’, ଭଜନ, ଜଣାଣ ଓ ମାଳିକାରୁ ତାଙ୍କର ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ପରିଚୟ ମିଳେ । ଯଶୋବନ୍ତ ଦାସଙ୍କ ‘ଶିବସ୍ଵରୋଦୟ’, ଅନୁବାଦ, ‘ଚଉରାଅଶି ଆଜ୍ଞା’, ଅନେକ ଭଜନ, ମାଳିକା ଆଦିରୁ ଉତ୍କଳୀୟ ବୈଷ୍ଣବଙ୍କ ଯୋଗସାଧନ ଓ ତତ୍ତ୍ଵର ସନ୍ଧାନ ମିଳେ । ଅନନ୍ତ ଦାସଙ୍କ ‘ହେତୂଦୟ ଭାଗବତ’ ଗ୍ରନ୍ଥରେ ମନଚୈତନ୍ୟ କଥୋପକଥନ ବା ପ୍ରଶ୍ନୋତ୍ତର ଛଳରେ ରାଧାକୃଷ୍ଣ ଯୁଗଳତତ୍ତ୍ଵର ଯୌଗିକ ବ୍ୟାଖ୍ୟା ପ୍ରଦାନ କରାଯାଇଅଛି ।୭। ‘ଅର୍ଥ ତୋଷିଣୀ’, ‘ଭକ୍ତିମୁକ୍ତିଦାୟକ ଗୀତା’, ଓ ‘ଅଣାକାର ଶବ୍ଦ’ ପ୍ରଭୃତି ତାଙ୍କର କେତୋଟି ତାତ୍ତ୍ଵିକ ରଚନା ଅଟେ । ଅନେକଙ୍କ ମତରେ ସାଂଖ୍ୟର ଶୂନ୍ୟ ସହ ବୌଦ୍ଧଶୂନ୍ୟର ସାମାନ୍ୟ ସାମ୍ୟ ଅଛି । ଯାହାହେଉ, ସହଜିଆମାନଙ୍କର ଯେଉଁ ଶୂନ୍ୟୋପଲବ୍‌ଧି, ତାହା ଓଡ଼ିଶାର ପଞ୍ଚସଖା ଦର୍ଶନରେ ନାହିଁ ସହଜିଆମାନେ ପ୍ରବୃତ୍ତି ମାର୍ଗର ଉପାସକ; ମାତ୍ର ପଞ୍ଚସଖାମାନେ ପ୍ରଧାନତଃ ନିବୃତ୍ତିମାର୍ଗର ଉପାସକ ଥିଲେ ।୮।

 

ରୀତିଯୁଗୀୟ କବି ଦୀନକୃଷ୍ଣ ଦାସ ଥିଲେ କୃଷ୍ଣଭକ୍ତ । ଜୀବନରେ ସେ ବହୁ ଦୁଃଖ କଷ୍ଟ ଭୋଗିଥିଲେ ସୁଦ୍ଧା କୃଷ୍ଣଙ୍କୁ ସୁମରଣା କରି ସେସବୁ ଭୁଲି ଯାଇଥିଲେ । ‘ରସକଲ୍ଲୋଳ’ କାବ୍ୟରେ ସେ କୃଷ୍ଣଙ୍କୁ ଜଗନ୍ନାଥଙ୍କ ଅବତାର ଭାବରେ ଗ୍ରହଣ କରିଛନ୍ତି । କବି କହନ୍ତି -

 

କୋଟି ବ୍ରହ୍ମାଣ୍ଡ ପ୍ରଭୁ ଜଗନ୍ନାଥ

କରନ୍ତି ପୂର୍ଣ୍ଣ ଜନ ମନୋରଥ

କଲି ମୁଁ ଘେନି ଏହି ଅଭିମତ

କରିବାକୁ ରସକଲ୍ଲୋଳ ଗୀତ

କହିଲେ ସେ ଯେଣୁ

କରରେ ମାତ୍ର ଲେଖିଲି ମୁଁ ତେଣୁ

 

ପୁଣି ଜୀବନରେ ସୁଖଦାନ କରୁଥବା ସେଇ କୃଷ୍ଣଙ୍କ ଉଦ୍ଦେଶ୍ୟରେ ସେ କହନ୍ତି –

 

କହେ ଦୀନକୃଷ୍ଣ ରସକଲ୍ଲୋଳ

କର ଜନ ମନ ଏଥି ନିଶ୍ଚଳ

କିଛି ନୋହେ ଅନିତ୍ୟ ଏ ସଂସାର

କଥା ଏତେ ମାତ୍ରକ ଏଥି ସାର

କୃଷ୍ଣ ରୂପ କରୁଥିବ ଧିଆନ

କୃଷ୍ଣ ଚରିତ କରୁଥିବ ଗାନ

କୃଷ୍ଣ କଥା ଶ୍ରବଣରେ ଶୁଣିବ

କୃଷ୍ଣ ବୋଲି ଜଗତକୁ ଜାଣିବ

କୃଷ୍ଣ ଗୀତ ଶରଧାରେ ଗାଇବ

କୃଷ୍ଣ ଦାସକୁ ପ୍ରସନ୍ନ ହୋଇବ

 

ଏହି କାବ୍ୟଟିରେ କବିଙ୍କ ନିର୍ମଳ କବିତ୍ୱ ସହ ଆଧ୍ୟାତ୍ମିକତା, ଆତ୍ମନିଷ୍ଠା ଓ ବୈଷ୍ଣବପ୍ରାଣତାର ଯେଉଁ ପରିଚୟ ମିଳେ, ବାସ୍ତବିକ୍‌ ତାହା ଅଭିନନ୍ଦନୀୟ ।

 

ବିଦଗ୍‌ଧ କବି ଅଭିମନ୍ୟୁ ସାମନ୍ତସିଂହାର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟରେ ନିଜର ପାଣ୍ଡିତ୍ୟ, ଆଧ୍ୟାତ୍ମିକତା ଓ ବୈଷ୍ଣବପ୍ରାଣତାର ପରିଚୟ ଦେଇଛନ୍ତି । କାବ୍ୟ ପ୍ରାରମ୍ଭରେ କବି ଲେଖନ୍ତି -

 

ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧାହରି

ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି ।

ଆଦି ଅନାଦି କାରଣ ନିର୍ଗୁଣ ସଗୁଣ

ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ ।

ଈଶ୍ଵର ସ୍ଵତନ୍ତ୍ର ସ୍ୱୟଂ ଭଗବାନ ତୁହି

ଇଚ୍ଛାମୟ ସର୍ବଶକ୍ତି ବନ୍ତ ତତ୍ତ୍ଵ ବିହି ଯେ ।

ଈଶ ଶେଷାଦି ସେବକ ସେବ୍ୟ ଏକା ତୁହି

ଇଷ୍ଟ ଅଭୀଷ୍ଟ ଦୟାନିଧି ଭାବଗ୍ରାହୀ ଯେ ।

ଉତ୍ପତ୍ତି ପାଳନାନ୍ତ ତୋ ଭୂଭଙ୍ଗୀ ବିକାରେ

ଉତପ୍ଲୁତ ତନ୍ତୁବାୟ ସୂତ୍ର ପରକାରେ ଯେ ।

ଊର୍ଣ୍ଣନାଭିବତ ଖେଳୁ ଇଚ୍ଛାଶକ୍ତି ବଳେ

ଉଦ୍‌ଭବ ହୋଇ ତ ଧର୍ମ ସ୍ଥାପ କାଳେକାଳେ ।

 

ଏଠାରେ କବି ରାଧାକୃଷ୍ଣଙ୍କର ଅବ୍ୟକ୍ତ ନିତ୍ୟପ୍ରେମକୁ ତତ୍ତ୍ଵ ଦୃଷ୍ଟିରୁ ବର୍ଣ୍ଣନା କରିଛନ୍ତି । ଭକ୍ତି ଓ ଦାର୍ଶନିକ ତତ୍ତ୍ଵସମ୍ବଳିତ ଗ୍ରନ୍ଥ ଭାବରେ ଏହା ବୈଷ୍ଣବ ଧର୍ମ ଓ ଦର୍ଶନର ଏକ ପ୍ରଧାନ ଗ୍ରନ୍ଥ ରୂପେ ସ୍ଵୀକୃତ । ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଏବଂ ଅଭିମନ୍ୟୁ ସାମନ୍ତସିଂହାର ବୃନ୍ଦାବନ ଲୀଳା, ରାଧାକୃଷ୍ଣ ଓ ଗୋପୀକୃଷ୍ଣଙ୍କ ପ୍ରେମକୁ ଭିତ୍ତିକରି ବହୁକାବ୍ୟ ରଚନା କରିଥିଲେ ମଧ୍ୟ ମଧ୍ୟଯୁଗୀୟ ରୀତିକାବ୍ୟର ପରମ୍ପରାରୁ ମୁକ୍ତ ହୋଇପାରି ନାହାନ୍ତି ।୯। ସଦାନନ୍ଦଙ୍କ ବ୍ରଜଲୀଳାମୃତ ସମୁଦ୍ର, ଯୁଗଳ ରସାମୃତ ଭଉଁରୀ, ଯୁଗଳ ରସାମୃତ ଚଉଁରୀ, ଚୌର ଚିନ୍ତାମଣି, ତତ୍ତ୍ୱ ତରଙ୍ଗିଣୀ, ପ୍ରେମ ତରଙ୍ଗିଣୀ ଏବଂ ଅଭିମନ୍ୟୁଙ୍କ ପ୍ରେମ ଚିନ୍ତାମଣି ଓ ବିଦଗ୍ଧ ଚିନ୍ତାମଣିରେ ବ୍ରଜ ତଥା ବୃନ୍ଦାବନଲୀଳାର ବିସ୍ତୃତ ଚିତ୍ର ଲକ୍ଷିତ ହେବା ସଙ୍ଗେ ସଙ୍ଗେ ପ୍ରେମତତ୍ତ୍ଵର ରସୋତ୍ତୀର୍ଣ୍ଣ ଆଲେଖ୍ୟ ରହିଛି । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘ବୈଦେହୀଶ ବିଳାସ’, ‘କଳାକଉତୁକ’, ଭୂପତି ପଣ୍ଡିତଙ୍କ ‘ପ୍ରେମ ପଞ୍ଚାମୃତ’ କବିସୂର୍ଯ୍ୟ ବଳଦେବଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’, ‘ଜଗନ୍ନାଥ ଜଣାଣ’, ଭକ୍ତ ଚରଣଙ୍କ ‘ମଥୁରାମଙ୍ଗଳ’, ‘ମନବୋଧ ଚଉତିଶା’, ଭୀମଭୋଇଙ୍କ ‘ସ୍ତୁତିଚିନ୍ତାମଣି’, ଗୋପାଳକୃଷ୍ଣ, ଗୌରହରି ଓ ଗୌରଚରଣଙ୍କ ଅଜସ୍ର କବିତାରେ ହୃଦୟର ଭକ୍ତି ଭାବ ତଥା ଆଧ୍ୟାତ୍ମିକତା ପ୍ରକଟିତ ହୋଇଛି । କେତେକ ସ୍ଥଳରେ ଆଧ୍ୟାତ୍ମିକତାର ବର୍ଣ୍ଣନା କରିବାକୁ ଯାଇ କବି ଲୌକିକ ପ୍ରେମଲୀଳାର ବର୍ଣ୍ଣନା କରିଅଛନ୍ତି । ଏପରି କବିଙ୍କୁ ତୁଳସୀପତ୍ରିଆ କବି କୁହାଯାଇଛି । କୃଷ୍ଣ ଆକର୍ଷଣକାରୀ ଏବଂ ରାଧା ଆରାଧିକା ବୋଲି ଏମାନେ କହୁଥିବାବେଳେ ମାନବୀୟ ଭାବରେ ଏମାନଙ୍କ ପ୍ରେମଲୀଳା ବର୍ଣ୍ଣନା କରିବା ନିନ୍ଦନୀୟ ଅଟେ । ତେବେ ସାହିତ୍ୟରେ ସମସ୍ତ ରସ ଥାଏ ମନ୍ଦିର ଗାତ୍ରରେ ଅଶ୍ଳୀଳତାର ବର୍ଣ୍ଣନା ଥିଲେ ସୁଦ୍ଧା ଭକ୍ତମାନେ ଯେପରି ଏହାର ଆଧ୍ୟାତ୍ମିକତା ପ୍ରତି କେବଳ ଆକୃଷ୍ଟ ହୁଅନ୍ତି, ସେହିପରି ବୈଷ୍ଣବ ଭକ୍ତମାନେ କୃଷ୍ଣଙ୍କ ଆଧ୍ୟାତ୍ମିକ ସତ୍ତାକୁ କେବଳ ଉପଲବ୍‌ଧ୍‌ କରିବେ ବୋଲି କବିମାନେ ଦର୍ଶାଇଛନ୍ତି ।

 

ଆଧୁନିକ ଯୁଗରେ କବିବର ରାଧାନାଥ ରାୟ ‘ଦରବାର’ କାବ୍ୟରେ ଅହଂକାର ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନଙ୍କୁ ଅହଂକାରୀ ଆଲେକ୍‌ଜାଣ୍ଡରଙ୍କ ଅନ୍ତିମ ମୁହୂର୍ତ୍ତର ଚେତାବନୀ ଶୁଣାଇଛନ୍ତି ।

 

“ଜିଣିବାକୁ ଆଉ ନାହିଁ ଧରାଖଣ୍ଡ

ବୋଲି କହେ ଯେହୁ ଅଶ୍ରୁସିକ୍ତ ଗଣ୍ଡ ।

ମଲ।ବେଳେ ବିଶ୍ଵ ବିଜୟୀ ସ୍କନ୍ଦର

କି କହିଥିଲେ ତା ଚିତ୍ତେ ଥରେ ଧର ।

ବୋଇଲେ ଏ ପ୍ରାଣ ଗଲେ ପିଣ୍ଡ ଛାଡ଼ି

ନେବ ଯେବେ ମୋତେ କୋକେଇରେ କାଢ଼ି ।

ଦେଇଥିବ ତହିଁ ମୋ ଶବ ଶୁଆଇ

ବେନିପାଶେ ବେନିକରକୁ ଝୁଲାଇ

ଯା ଦେଖି ଜାଣିବେ ଜଗତେ ସମସ୍ତେ

ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ ।”

 

ଅଳ୍ପଦିନ ପାଇଁ ଭବଚଟିକୁ ଅତିଥି ଭାବରେ ଆସିଥିବା ମଣିଷ ସାନବଡ଼ ଭେଦଭାବ ଭୁଲି ସମସ୍ତଙ୍କୁ ସମ ଭାବରେ ଦେଖିବାକୁ ଏବଂ ଧର୍ମର ମହତ୍ତ୍ଵ ଉପଲବ୍‌ଧି କରିବାକୁ ସେ କହନ୍ତି -

 

‘‘ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି

ତରିବାକୁ ଏହି ସଂସାର ବାରିଧି ।

ଧର୍ମ ଏକା ସିନା ମହତପଣିଆ

ଆଉ ସବୁକଥା ଅଢ଼େଇ ଦିନିଆ ।’’

 

ଭକ୍ତକବି ମଧୁସୂଦନ ରାଓଙ୍କ ବିଭିନ୍ନ କବିତାରେ ଆଧ୍ୟାତ୍ମିକତାର ସ୍ଵର ଗୁଞ୍ଜରିତ ହୋଇଛି-। ‘ଏ ସୃଷ୍ଟି ଅମୃତମୟ ହେ’ କବିତାରେ ‘ମଧୁମୟ ସୃଷ୍ଟି ସୁଧାମୟସୃଷ୍ଟି ଏ ସୃଷ୍ଟି ଅମୃତମୟ ହେ’ ଏବଂ ‘ଆତ୍ମସମର୍ପଣ’ କବିତାରେ -

 

“ତୁମ୍ଭେ ପରିପୂର୍ଣ୍ଣ ଆନନ୍ଦ ସ୍ୱରୂପ

ମୁଁ ସେ ଆନନ୍ଦ ସନ୍ତାନ

ମୁହିଁ କ୍ଷୁଦ୍ର ଊର୍ମି ତୁମେ ମହାସିନ୍ଧୁ

ଊର୍ମି ସିନ୍ଧୁ ଏକାକାର”

 

ଆଦି ଉଲ୍ଲେଖ କରିବା ମାଧ୍ୟମରେ କବି ଯଥାର୍ଥରେ ନିଜର ଭକ୍ତି ପ୍ରାଣତାର ପରିଚୟ ଦେଇଛନ୍ତି । ତାଙ୍କର ‘ପଦ୍ମ’, ‘ନଦୀ ପ୍ରତି’, ‘ଋଷିପ୍ରାଣେ ଦେବାବତରଣ’, ‘ପୃଥିବୀ ପ୍ରତି’, ‘ପରମେଶ୍ୱର’, ‘ସ୍ତବ’ ଆଦି କେତୋଟି ଶ୍ରେଷ୍ଠ ଆଧ୍ୟତ୍ମିକ କୃତି ଅଟେ ।

 

ସ୍ୱଭାବ କବି ଗଙ୍ଗାଧର ମେହେର କାବ୍ୟ ରଚନାରେ ପ୍ରସିଦ୍ଧି ଅର୍ଜ୍ଜନ କରିଥିଲେ ସୁଦ୍ଧା ‘ମଧୁମୟ’, ‘ଭକ୍ତି’, ଓ ‘ଅମୃତମୟ’ ଆଦି କବିତାରୁ ତାଙ୍କର ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ପରିଚୟ ମିଳେ । ‘ମଧୁମୟ’ କବିତାରେ

 

‘ବିଶ୍ୱଦେଖ ମଧୁମୟରେ ଜୀବନ

ବିଶ୍ୱ ଦେଖ ମଧୁମୟ

ମଧୁର ଝରଣ କରିବ ହରଣ

ତୋ ପାପ ମରଣ ଭୟରେ ଜୀବନ ।'

 

ଏବଂ ‘ଭକ୍ତି’ କବିତାରେ -

ବିଶ୍ୱଜୀବନହେ ତୁମ୍ଭଙ୍କୁ କରୁଣାସିନ୍ଧୁ

ବୋଲିବାକୁ ମନ ବଳୁନାହିଁ ଯେଣୁ

ସିନ୍ଧୁ ତୁମ୍ଭ କୃପାବିନ୍ଦୁ ।”...

 

କବି ଯଥାର୍ଥରେ ନିଷ୍କପଟଭାବରେ ଈଶ୍ଵରାର୍ଚ୍ଚିତ ପ୍ରାଣ ହୋଇପଡ଼ିବାରୁ ପାଠକ ହୃଦୟରେ ଗଭୀର ପ୍ରଭାବ ବିସ୍ତାର କରିପାରିଛନ୍ତି ।

 

ଅତ୍ୟାଧୁନିକ ଓଡ଼ିଆ କାବ୍ୟକବିତାରେ ଏବେ ଆଧ୍ୟାତ୍ମିକତାର ସ୍ଵର କ୍ଷୀଣ ହୋଇପଡ଼ିଲାଣି-। ବାସ୍ତବତାବାଦ, ସେକ୍ସ, ପରୀକ୍ଷାନିରୀକ୍ଷାର କଥା କହି ଆଧୁନିକ କବି ପାଠକକୁ ଏକ ଆଧୁନିକତାକୁ ଚିହ୍ନାଇବାର ପ୍ରୟାସ କଲେ ସୁଦ୍ଧା ଏଭଳି କବିତା କାଳଜୟୀ ହେବା ସନ୍ଦେହଜନକ । ପତ୍ରପତ୍ରିକା ଏବଂ ରେଡ଼ିଓ ମାଧ୍ୟମରେ ଭକ୍ତି ଓ ଆଧ୍ୟାତ୍ମିକ ସଂଗୀତର ପ୍ରସାର ଏବେସୁଦ୍ଧା ନୈରାଶ୍ୟ ଜର୍ଜରିତ ଜନମାନସରେ ବଞ୍ଚିବାର ନବଆଶା ସୃଷ୍ଟି କରିଚାଲିଛି । ପାଶ୍ଚାତ୍ୟ ଦେଶବାସୀ ବିଳାସର ଚରମ ସୀମାରେ ପହଞ୍ଚିବାପରେ ପୁଣି ଆଧ୍ୟାତ୍ମିକତା ଆଡ଼କୁ ମୁହାଁଉଥିବାବେଳେ ଓଡ଼ିଆ କବିତାରେ ଆଧ୍ୟାତ୍ମିକତା ପୁଣି ପ୍ରଭାବ ବିସ୍ତାର କରିବ ବୋଲି ବିଶ୍ଵାସ କରାଯାଇପାରେ । ସାହିତ୍ୟରେ ଆଧ୍ୟାତ୍ମିକତାର ସ୍ପର୍ଶ ରହିଲେ ତାହା ପାଠକକୁ ଗଭୀର ଆନନ୍ଦ ଓ ଶାନ୍ତି ଦେଇପାରିବ ବୋଲି ନିଃସନ୍ଦେହରେ କୁହାଯାଇପାରେ ।

 

ସହାୟକ ଗ୍ରନ୍ଥ ସୂଚୀ

୧.

କର୍ମଯୋଗ - ସ୍ୱାମୀ ବିବେକାନନ୍ଦ, ପୃ - ୧୩

୨.

ଓଡ଼ିଆ ସାହିତ୍ୟର ଆଦିପର୍ବ - ସୁରେନ୍ଦ୍ର ମହାନ୍ତି , ପୃ - ୫୦

୩.

ଓଡ଼ିଆ କାବ୍ୟକବିତାର ଧରା ଓ ଧାରା - ଡଃ ବୈଷ୍ଣବ ଚରଣ ସାମଲ, ପୃ - ୧୩୫

୪.

ନାଥ ଧର୍ମର କ୍ରମବିକାଶ - ଡଃ ଦୋଳଗୋବିନ୍ଦ ଶାସ୍ତ୍ରୀ, ପୃ - ୮୪

୫.

ଓଡ଼ିଆ ସାହିତ୍ୟର ଆଦିପର୍ବ - ସୁରେନ୍ଦ୍ର ମହାନ୍ତି, ପୃ - ୧୪୩

୬.

ଓଡ଼ିଆ ସାହିତ୍ୟର ମଧ୍ୟପର୍ବ ଓ ଉତ୍ତର ମଧ୍ୟପର୍ବ - ସୁରେନ୍ଦ୍ର ମହାନ୍ତି, ପୃ - ୨୭୯

୭.

ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ - ଡଃ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ, ପୃ-୧୧୯

୮.

ଆଲୋଚନାମାଳା (ସହଜିଆ ତତ୍ତ୍ଵ ଓ ପଞ୍ଚସଖା) - ଡଃ କାହ୍ନୁ ଚରଣ ମିଶ୍ର, ପୃ - ୪୧

୯.

ବୈଷ୍ଣବ ସାହିତ୍ୟର ତାତ୍ତ୍ଵିକ ଭୂମିକା - ଡଃ ଗଙ୍ଗାଧର ବଳ, ପୃ - ୫୯

 

 

ଅଧ୍ୟାପକ, ଓଡ଼ିଆ ବିଭାଗ, ସରକାରୀ ମହିଳା ମହାବିଦ୍ୟାଳୟ, ସୁନ୍ଦରଗଡ଼

 

***

 

ଦେବୀ ମାହାତ୍ମ୍ୟ : ବୈଦିକ ଭିତ୍ତିଭୂମି

ଡକ୍ଟର ବିଦ୍ୟୁତ୍‌ଲତା ରାୟ

 

ଭାରତୀୟ ଧର୍ମ ଅଧ୍ୟୟନରେ ସବୁଠାରୁ ଜଟିଳ ପ୍ରଶ୍ନ ହେଉଛି ଦେବୀଙ୍କର ଐତିହାସିକ ପୃଷ୍ଠଭୂମି ନିରୂପଣ କରିବା । ଅବଶ୍ୟ ଆମ୍ଭେମାନେ କୌଣସି ଧର୍ମର ସର୍ବଶେଷ ଉତ୍ସ ଉନ୍ମୋଚନ କରିପାରିବା ନାହିଁ ଏହାସତ୍ୟ । କାରଣ ଧର୍ମର ଏହି ଉତ୍ସ ହେଉଛି ମାନବ ସୃଷ୍ଟିର ପ୍ରାରମ୍ଭ ପରି ଅତୀବ ପୁରାତନ । ଆହୁରି ମଧ୍ୟ ପ୍ରଥମ ମାନବ କୌଣସି ପୁସ୍ତକ ରଚନା କରିନଥିଲା । କିମ୍ବା କୌଣସି ଅଭିଲେଖୀୟ ବିବରଣୀ ଛାଡ଼ିଯାଇ ନଥିଲା । କିନ୍ତୁ ବିଷ୍ଣୁ ଉପାସନା ଓ ‘ଶିବ ଉପାସନା’ର ସୃଷ୍ଟି ଉନ୍ମୋଚନ କରିବାକୁ ଯାଇ ବହୁ ଐତିହାସିକ ଗ୍ରନ୍ଥ ଏହା ପ୍ରତିପାଦନ କରିଛନ୍ତି ଯେ ଭାରତୀୟ ଧର୍ମଶାସ୍ତ୍ର ଜଗତର ସର୍ବପ୍ରାଚୀନ ଧର୍ମଗ୍ରନ୍ଥ ‘ଋଗ୍‌ବେଦ’ ହେଉଛି, ‘ବିଷ୍ଣୁପୂଜା’ ବା ଶିବପୂଜାର ଭିତ୍ତିଭୂମି । ଅପର ପକ୍ଷରେ ବିଷ୍ଣୁଧର୍ମ ତଥା ଶିବଧର୍ମ ତୁଲ୍ୟ ପୁରାତନ ଦେବୀଧର୍ମ ହୋଇଥିଲେ ମଧ୍ୟ ତାହାକୁ ଗ୍ରନ୍ଥ ବିଚାର ମାଧ୍ୟମରେ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର ବୋଲି କୁହାଯାଉଛି । ଏହି ଅମେଳ ସମ୍ବନ୍ଧରେ ଉଭୟ ଭାରତୀୟ ତଥା ପାଶ୍ଚାତ୍ୟ ବିଦ୍ୱାନମାନେ ସମ ମନ୍ତବ୍ୟ ପ୍ରଦାନ କରିଛନ୍ତି । ସେମାନଙ୍କ ମତରେ ଦେବୀ ପୂଜା ହେଉଛି ଆର୍ଯ୍ୟପୂର୍ବ ଭାରତର ଏକ ସାଂସ୍କୃତିକ ଅବଦାନ । ଏହି ଦେବୀପୂଜା ଦେବୀଙ୍କର ବିଭିନ୍ନ ରୂପ କଳ୍ପନା ମାଧ୍ୟମରେ ପରିବ୍ୟାପ୍ତ ଥିଲା । ଦେବୀଙ୍କୁ ଯେଉଁ ରୂପରେ ଆରାଧନା କରାଯାଇଆସୁଛି ସେଗୁଡିକ ହେଲା :- ୧- ଚଣ୍ଡୀକା, ୨- ମ୍ବିକା, ୩- ନାରାୟଣୀ, ୪- କାଳୀ, ୫- ଭଗବତୀ, ୬- ଦୁର୍ଗା, ୭- ବୈଷ୍ଣବୀ, ୮- ମହାମାୟା, ୯- ଭଗବତୀ, ୧୦- ନିତ୍ୟା, ୧୧- ଐନ୍ଦ୍ରୀ, ୧୨- ପରମା, ୧୩- ଚାମୁଣ୍ଡା, ୧୪- ଶିବଦୂତୀ, ୧୫- ଈଶ୍ୱରୀ, ୧୬- ଶିବା, ୧୭- ସ୍ଥିତା, ୧୮- କୌମାରୀ, ୧୯- ମାହେଶ୍ୱରୀ, ୨୦- ବ୍ରହ୍ମାଣୀ, ୨୧- ସ୍ଥିତା, ୨୨- ଗୌରୀ, ୨୩- ଲକ୍ଷ୍ମୀ, ୨୪- ବରଦା, ୨୫- ବୁଦ୍ଧି, ୨୬- ଲଜ୍ଜା, ୨୭- ପରମେଶ୍ୱରୀ, ୨୮- ସ୍ୱଧା - ସ୍ୱାହା, ୨୯- ଶ୍ରୀ, ୩୦- ଶ୍ରଦ୍ଧା, ୩୧- କଲ୍ୟାଣୀ, ୩୨- ଈଶା, ୩୩- ପାର୍ବତୀ, ୩୪- ପ୍ରକୃତି, ୩୫- କାତ୍ୟାୟନୀ, ୪୨- ମହାଦେବୀ, ୪୩- ବିଶ୍ଵେଶ୍ଵରୀ, ୪୪ -ମୁକ୍ତିହେତୁ, ୪୫- ଭଦ୍ରା, ୪୬- ଅପରାଜିତା, ୪୭- ଅଲକ୍ଷ୍ମୀ, ୪୮- ମହାରାତ୍ରି, ୪୯- ଅମ୍ବା, ୫୦- ମେଧା, ୫୧- ପୁଷ୍ଟି, ୫୨- ଶାନ୍ତି, ୫୩- କ୍ଷାନ୍ତି, ୫୪- ତୃଷ୍ଟି, ୫୫- କୃଷ୍ଣା, ୫୬- ତାମସୀ, ୫୭- ଧାତ୍ରୀ ବା ଜଗଦ୍ଧାତ୍ରୀ, ୫୮- ନାରସିଂହୀ, ୫୯- ମହାମାରୀ ଇତ୍ୟାଦି ।

 

ଆମର ପୁରାତନ ଗ୍ରନ୍ଥଗୁଡ଼ିକ ଭାରତକୁ ପ୍ରଥମେ ପ୍ରବେଶ କରିଥବା ଆର୍ଯ୍ୟମାନଙ୍କ ଦ୍ୱାରାହିଁ ରଚନା କରାଯାଇଥିଲା ସେଥିରୁ ଦେବୀ ପରମ୍ପରାର ପୃଷ୍ଠଭୂମି ବିଷୟରେ ଅନେକ କିଛି ଜାଣି ହୁଏ । ଏହା ସତ୍ତ୍ୱେ ଦେବୀ ଧର୍ମ ହେଉଛି ଆର୍ଯ୍ୟ-ପୂର୍ବ ସଂସ୍କୃତିର ଅବଦାନ । ଏହି ଧର୍ମର ବୈଦିକ ଭିତ୍ତିଭୂମି ନିରୂପଣ କରିବାକୁ ହେଲେ ଆମକୁ ସାଧାରଣତଃ ଋଗବେଦର ଦୁଇଟି ସୂକ୍ତ ଓ ଋଗବେଦ ଖିଳର ଦୁଇଟି ସୂକ୍ତ ଉପରେ ଆଲୋକପାତ କରିବାକୁ ପଡ଼ିବ । ଏହିପରି ୪ଟି ସୂକ୍ତ ହେଲା -

 

୧- ଋଗ୍‌ବେଦର ଭାଗ୍‌ ଅମ୍ଭୃଣୀ ସୂକ୍ତ ଓ ରାତ୍ରି ସୂକ୍ତ, ୨- ଋଗ୍‌ବେଦ ଖିଳର ଶ୍ରୀସୂକ୍ତ ଓ ରାତ୍ରି ଖିଳ । ଋଗ୍‌ବେଦୀୟ ଭାଗ୍‌ ଅମ୍ଭୃଣୀ ସୂକ୍ତ (୧୦. ୧୨୫) :

 

ଋଗ୍‌ବେଦବର୍ଣ୍ଣିତ ବାକ୍‌ ସୂକ୍ତରେ ବାକ୍‌ଦେବୀଙ୍କର ପ୍ରଶସ୍ତିଗାନ କରାଯାଇଛି । ରେନଉଙ୍କ ମତରେ ବାକ୍‍ଦେବୀ ହେଉଛନ୍ତି ପରବର୍ତ୍ତୀ ଆତ୍ମନ୍‌ - ବ୍ରହ୍ମନ୍‌ ଧାରଣାର ଆଦିଦେବୀ । (୧) ଏମ୍‌ ସି. ଦାସ କହନ୍ତି ଯେ ବାକ୍‌ ଦେବୀ ହେଉଛନ୍ତି ପରବର୍ତ୍ତୀକାଳୀନ ବୈଦିକ ଉମା ବା ପୋରାଣିକ ଦୁର୍ଗାଙ୍କର ପ୍ରଥମ ସୋପାନ । (୨) ଶାକ୍ତ ଧର୍ମର ଉନ୍ମେଷ - ଅନ୍ୱେଷଣ ମାଧ୍ୟମରେ ସାଧାରଣତଃ ବାକ୍‌ଦେବୀଙ୍କ ଧାରଣାର ଅବତାରଣା କରାଯାଇଥାଏ । (୩) କେ.ସି. ଚାଟାର୍ଜିଙ୍କ ମନ୍ତବ୍ୟ ଅନୁଯାୟୀ ଋଗ୍‌ବେଦୀୟ ବାକସୂକ୍ତରେ ଯେଉଁ ବାକ୍‌ ଦେବୀଙ୍କର ଅବତାରଣା କରାଯାଉଛି ସେ ହେଉଛନ୍ତି ସପ୍ତସତୀ ଧାରଣାର ମୂଳମନ୍ତ୍ର ଏବଂ ଦୁର୍ଗାପୂଜା ତଥା ଚଣ୍ଡୀ କିମ୍ବା ସପ୍ତସତୀଙ୍କ ଉପାସନା ସମୟରେ ବାକ୍‌ସୂକ୍ତ ପାଠ କରାଯାଇଥାଏ । (୪) ବାକ୍‌ଦେବୀ ଆମ୍ଭୃତାଙ୍କର କନ୍ୟା ହୋଇଥିବାରୁ ଋଗ୍‌ବେଦର ୧୦. ୧୨୫ ସୂକ୍ତକୁ ବାକ୍‌- ଆମ୍ଭୃଣୀ ସୂକ୍ତ କୁହାଯାଏ । ଏହି ସୂକ୍ତଟି ଏକ ଅସାଧାରଣ ଆଧ୍ୟାତ୍ମିକ ମନ୍ତ୍ର । ଏହି ମନ୍ତ୍ରଟିର ଅର୍ଥ ନିମ୍ନମତେ କରାଯାଇପାରେ । ବାକ୍‌ଦେବୀ କହୁଛନ୍ତି - “ମୁଁ ରୁଦ୍ର, ବସୁ, ଆଦିତ୍ୟ ତଥା ଅନ୍ୟ ସମସ୍ତ ଦେବତାମାନଙ୍କ ସହ ବିଚରଣ କରେ । ମୁଁ ମିତ୍ର ତଥା ବରୁଣଙ୍କୁ ସାହାଯ୍ୟ କରେ । ମୁଁ ଉଭୟ ଇନ୍ଦ୍ର ଓ ଅଗ୍ନି । ମୁଁ ମଧ୍ୟ ଅଶ୍ଵିନଦ୍ୱୟ । ମୁଁ ସୋମଙ୍କ ସହାୟକ। ମୁଁ ନିଜେ ତ୍ୱଷ୍ଟୃ । ପୂଷାନ୍‌ ଏବଂ ଭଗ । ମୁଁ ସେହି ବିଜ୍ଞ ହୋମକର୍ତ୍ତାଙ୍କୁ ଧନସମ୍ପତ୍ତି ପ୍ରଦାନ କରେ ଯେକି ମୋ ଉଦ୍ଦେଶ୍ୟରେ ଆହୁତି ଉତ୍ସର୍ଗ କରନ୍ତି । ମୁଁ ରାଜ୍ଞୀ ଅଟେ ଯେ କି ଏକତ୍ର ରତ୍ନ ତଥା ଜ୍ଞାନ ପ୍ରଦାନ କରିଥାଏ । ସର୍ବ ଆରାଧନାର ଆଦି ମୁଁ । ଦେବତାମାନେ ମୋତେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପରିକଳ୍ପନା କରିବା ସହ ମୋର ବହୁବିଧ ଅବସ୍ଥାକୁ ମାନ୍ୟତା ଦେଇଛନ୍ତି । ମୋ ମାଧ୍ୟମରେ ମାନବ ଖାଦ୍ୟ ଭକ୍ଷଣ କରୁଛି, ସବୁ କିଛି ଦେଖି ପାରୁଛି, ନିଶ୍ଵାସ ପ୍ରଶ୍ଵାସ ନେଇ ପାରୁଛି, ଶୁଣି ପାରୁଛି । ଅଜଣାଭାବେ ସେମାନେ ମୋ ଉପରେ ନିର୍ଭର କରନ୍ତି । ହେ ମାନବ ଶୁଣ, ତୁମେ ମୋର ବିଶ୍ଵାସଯୋଗ୍ୟ ହୋଇଥିବାରୁ ମୁଁ ତୁମକୁ କହୁଛି । ମୁଁ ନିଜେ ଏହା ପ୍ରକାଶ କରୁଛି ଯାହାକି ଉଭୟ ଦେବ ଓ ମାନବଙ୍କ ଦ୍ୱାରା ସ୍ଵୀକୃତିପ୍ରାପ୍ତ । ମୁଁ ଯାହାକୁ ଚାହିଁବି ତାଙ୍କୁ ବଳବାନ୍‌, ବ୍ରହ୍ମନ୍‌, ବିଜ୍ଞ ତଥା ସନ୍ନ୍ୟାସୀରେ ପରିଣତ କରିପାରିବି । ମୁଁ ରୁଦ୍ରଙ୍କ ଧନୁରେ ଶର ସଂଯୋଗ ତଥା ନିକ୍ଷେପର ଶକ୍ତି । ମୁଁ ଦାବ୍ୟା ତଥା ପୃଥିବୀର ବିସ୍ତାର କର୍ତ୍ତ୍ରୀ । ଏହି ଧରାପୃଷ୍ଠରେ ମୁଁ ପିତାଙ୍କୁ ଜନ୍ମ ଦେଇଛି । ମୋର ସୃଷ୍ଟି ଜଳରେ, ସାଗରରେ, ତତ୍‌ପରେ ମୁଁ ନିଜେ ସମସ୍ତ ଧରାରେ ବିସ୍ତାର ଲାଭ କରିଛି । ବହୁଦୂରରେ ଥିବା ଗଗନକୁ ମୁଁ ମୋ ଶିଖରରେ ସ୍ପର୍ଶ କରିଛି । ମୁଁ ପବନ ପରି ସମସ୍ତ ପୃଥିବୀରେ ପ୍ରବାହିତ ହୁଏ । ସ୍ଵର୍ଗ ତଥା ମର୍ତ୍ତ୍ୟର ପରିସର ବାହାରେ ମଧ୍ୟ ମୋର ମହାନତା ପରିବ୍ୟାପ୍ତ ।’’ ଋଗ୍‌ବେଦୀୟ ରାତ୍ରି ସୂକ୍ତ. (୧୦.୧୨୭)

 

ରାତ୍ରୀ ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଣୋଦିତ ଏହି ସୂକ୍ତଟି ଶାକ୍ତ ଧର୍ମର ଐତିହାସିକ ତଥା ସାଂସ୍କୃତିକ ଭିତ୍ତିଭୂମି କହିଲେ ଅତ୍ୟୁକ୍ତି ହେବନାହିଁ । ଦେବୀ ମାହାତ୍ମ୍ୟରେ ରାତ୍ରୀଦେବୀଙ୍କୁ କାଳରାତ୍ରି ଓ ମହାରାତ୍ରି ଭାବରେ ଚିତ୍ରଣ କରାଯାଇଛି । ବି.ପି. ସିହ୍ନାଙ୍କ ମତରେ ରାତ୍ରୀ ସୂକ୍ତଟି ପରିବର୍ତ୍ତୀ କାଳରେ ଶାକ୍ତ ସେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । (୫) ଏହି ରାତ୍ରି ସୂକ୍ତ ଅନୁକରଣରେ ମନ୍ତ୍ରର ବିସ୍ତୃତି ସକାଶେ ଋଗ୍‌ବେଦୀୟ ରାତ୍ରି ଖିଳ ପ୍ରଣୀତ । ଦେବୀ ମାହାତ୍ମ୍ୟର ଧାରଣା ସହିତ ରାତ୍ରୀ ଖିଳର ଖୁବ୍‌ ନିବିଡ଼ ସାମଞ୍ଜସ୍ୟ ରହିଛି । ନିଜେ ରାତ୍ରି ସୂକ୍ତ କହେ - ରାତ୍ରିଦେବୀ ତାଙ୍କର ନୟନ ବିସ୍ତାରି ସମସ୍ତ ଧରାଧାମକୁ ଆଲୋକିତ କରି ଅବତରଣ କରନ୍ତି । ସେ ସମସ୍ତ ଗୌରବର ଅଧିକାରିଣୀ । ଅବିନଶ୍ୱର ଦେବୀ ଉଚ୍ଚନୀଚ ସର୍ବତ୍ର ପରିବ୍ୟାପ୍ତ । ନିଜର ଉଜ୍ଵଳତାରେ ସେ ଅନ୍ଧକାର ପରିହାର କରନ୍ତି । ସ୍ଵଭଗିନୀ ଉଷାଙ୍କ ସ୍ଥାନରେ ରାତ୍ରୀଦେବୀ ଆବିର୍ଭୂତ ହୁଅନ୍ତି ଓ ଅଜ୍ଞତାର ଅନ୍ଧକାର ଦୂରୀଭୂତ କରନ୍ତି । ରାତ୍ରୀଦେବୀଙ୍କ ଆଗମନରେ ଆମ୍ଭେମାନେ ବିଶ୍ରାମ ନେବାକୁ ଯାଉ ଯେପରି ପକ୍ଷୀମାନେ ଗଛଡାଳରେ ଥିବା ତାଙ୍କର ନୀଡ଼କୁ ଫେରନ୍ତି । ହେ ଦେବୀ ତୁମ୍ଭର ଆଗମନରେ ଜାଗ୍ରତ ହେଉଥିବା ଗଧିଆ, କୋକିଶିଆଳି ତଥା ଚୋରମାନଙ୍କୁ ତୁମ୍ଭେ ନିଜେ ଜଗ ଓ ନିଜ ଅକ୍ତିଆରରେ ରଖ ଯେପରିକି ଆମ୍ଭେମାନେ ସହଜରେ ବିପଦକୁ ଅତିକ୍ରମ କରିପାରିବୁ । ହେ ସ୍ଵର୍ଗର କନ୍ୟା ମୁଁ ଯାହା ତୁମକୁ ଦେଉଛି ସାଦରେ ଗ୍ରହଣ କର । ତୁମ୍ଭେ ସର୍ବଶକ୍ତିମୟୀ । ବିଜୟର ନେତ ତୁମର ସର୍ବତ୍ର, ସର୍ବକାଳେ ବିସ୍ତାରିତ ତଥା ବିଦିତ ।’’ ଋଗ୍‌ବେଦୀୟ ଖିଳ ଅନ୍ତର୍ଗତ ଶ୍ରୀସୂକ୍ତ (୨.୬):

 

ଶ୍ରୀ ଓ ଲକ୍ଷ୍ମୀଦେବୀ ଦ୍ୱୟଙ୍କ ଉଦ୍ଦେଶ୍ୟରେ ଶ୍ରୀସୂକ୍ତ ପ୍ରଣୋଦିତ । ପ୍ରଥମ ପାଦରେ ଲକ୍ଷ୍ମୀ, ଅଗ୍ନି, ଶ୍ରୀ ତଥା ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଛି । ଲକ୍ଷ୍ମୀ ଯେକି ସୁବର୍ଣ୍ଣା, ପୀତବର୍ଣ୍ଣା, ସ୍ୱର୍ଣ୍ଣ ଓ ରୌପ୍ୟମାଳା ବିଭୂଷିତା । ହେ ଅଗ୍ନି ତୁମେ ମୋତେ ସହାୟକ ହୁଅ । ଯେହେତୁ ଦେବୀ ମାହାତ୍ମ୍ୟ ସହିତ ଅଗ୍ନିଙ୍କର ସମ୍ବନ୍ଧ ରହିଛି, ଏଠାରେ ଅଗ୍ନି ଦେବୀଙ୍କର ସୂଚନା ସୁସ୍ପଷ୍ଟ । ଦୁର୍ଗା, କାଳୀ ତଥା ସପ୍ତମାତୃକାଙ୍କ ସହିତ ଅଗ୍ନିଙ୍କର ସମ୍ବନ୍ଧ ରହିଛି । ରଥାରୂଢ଼ା ଦେବୀ ଲକ୍ଷ୍ମୀ । ମୁଁ ପ୍ରାର୍ଥନା କରୁଛି ଶ୍ରୀ ଓ ଲକ୍ଷ୍ମୀ ଦେବୀ ମୋ ଉପରେ ସଦୟ ହୁଅନ୍ତୁ । ପଦ୍ମାସନା, ପଦ୍ମବର୍ଣ୍ଣା, ଶ୍ରୀଦେବୀ ସର୍ବ ସୌନ୍ଦର୍ଯ୍ୟ ବିଭାସିତା, ହେ ଦେବୀ ମୁଁ ତୁମର ଆଶ୍ରିତା । ମୋତେ ମୋର ଦୁର୍ଦ୍ଦିନରୁ ତଥା ଦୁର୍ଭାଗ୍ୟରୁ ରକ୍ଷା କରନ୍ତୁ । ମୋର କ୍ଷୁଧା, ତୃଷା ତଥା ଅପବିତ୍ରତାକୁ ପରିହାର କରନ୍ତୁ । ମୋ ଘରୁ ଦାରିଦ୍ର୍ୟ ଓ ଅକୃତକାର୍ଯ୍ୟ ଦୂରୀଭୂତ ହେଉ । ସମସ୍ତ ଜୀବଜଗତ ସୃଷ୍ଟିକାରିଣୀ ଶ୍ରୀଦେବୀ । ତାଙ୍କର ଆବିର୍ଭାବରେ ଚତୁର୍ଦ୍ଦିଗ ଉଦ୍‌ଭାସିତ, ପୁଲକିତ ଓ ସୁବାସିତ ହୋଇଥାଏ । ଆମ୍ଭେମାନେ ମାନସିକ ସ୍ତରରେ ଯାହା ଚିନ୍ତା କରୁଛୁ ତାହା ସଫଳ ହେଉ । ଶ୍ରୀଦେବୀ ମୋତେ ଯଶସ୍ଵୀ କରନ୍ତୁ । ମୋ ଘରେ ବାସ କରନ୍ତୁ । ଜଳ ତା’ର ଅତି ଆପଣାର ସ୍ରୋତକୁ ପ୍ରବାହିତ କରୁ । ହେ ଅଗ୍ନି ତୁମେ ରବିକନ୍ୟା ଲକ୍ଷ୍ମୀ ଦେବୀଙ୍କୁ ମୋ ଗୃହରେ ପ୍ରବେଶ କରାଅ । ହେ ଲକ୍ଷ୍ମୀ, ତୁମେ ମୋତେ ଆଶୀର୍ବାଦ ଦିଅ । ତୁମ ଇଙ୍ଗିତରେ ସମସ୍ତ ଜୀବଜଗତ ଆତଯାତ ହେଉ । ହେ ଅଗ୍ନି ମୋତେ ପବିତ୍ର କରାଅ । ସମସ୍ତ ପ୍ରକାର ପାପରୁ ମୁକ୍ତ କରାଅ । ହେ ଅଗ୍ନି ମୋତେ ସଦୟ ହୁଅ । ମୋର ସମସ୍ତ ଧନସମ୍ପତ୍ତି ତଥା ଜ୍ଞାନଗୌରବ ସୁରକ୍ଷିତ ହେଉ । ମୁଁ ଶତ୍ରୁ ବିଜୟୀ ହୁଏ । ପାପ ମୁକ୍ତ ହୁଏ । ତୁମର ରକ୍ଷା - ନାବ ଦ୍ୱାରା ଆମ୍ଭେମାନେ ଧରାବାସୀ ବିପଦ ସାଗର ଅତିକ୍ରମ କରୁ ।

 

ଖିଳର ଦ୍ୱିତୀୟ ପାଦରେ ଧନସମ୍ପଦ ପାଇଁ ଅଗ୍ନି, ବାୟୁ, ସୂର୍ଯ୍ୟ, ବସୁ, ଇନ୍ଦ୍ର, ବୃହସ୍ପତି ଓ ବରୁଣଙ୍କୁ ପ୍ରାର୍ଥନା କରାଯାଇଛି । ଯେ ଶ୍ରୀ ସୂକ୍ତ ଉଚ୍ଚାରଣ କରନ୍ତି ସେ ବିଜ୍ଞ ଭକ୍ତ । ତାଙ୍କର ରାଗ, ହିଂସା, ଦ୍ୱେଷ, ମୋହ, ମାୟା ଓ ମନ୍ଦ ଚିନ୍ତାଧାରା ନଥାଏ । ଏହି ସୂକ୍ତରେ ଶ୍ରୀଦେବୀଙ୍କୁ ହରିଙ୍କ ପ୍ରିୟାଭାବେ ବର୍ଣ୍ଣନା କରାଯାଇଛି । ଏହି ଖିଳରେ ଲକ୍ଷ୍ମୀଙ୍କୁ ମଧ୍ୟ ପ୍ରାର୍ଥନା କରାଯାଇଛି । ତାଙ୍କୁ ବିଷ୍ଣୁ ବା ମାଧବଙ୍କ ଜାୟା ରୂପେ ଚିତ୍ରଣ କରାଯାଇଛି ।

 

ତୃତୀୟ ପାଦରେ ଲକ୍ଷ୍ମୀଙ୍କୁ ଚନ୍ଦ୍ର, ସୂର୍ଯ୍ୟଙ୍କର ଆଭାଧାରିଣୀ ଭାବେ ବର୍ଣ୍ଣନା କରାଯାଇଛି । ଚନ୍ଦ୍ର, ସୂର୍ଯ୍ୟ ଓ ଅଗ୍ନିଙ୍କର ବର୍ଣ୍ଣ ସହିତ ଲକ୍ଷ୍ମୀଙ୍କ ବର୍ଣ୍ଣର ତୁଳନା କରାଯାଇଛି । ଏହି ପାଦରେ ସରସ୍ୱତୀ, ଗୌରୀ ତଥା ନାରାୟଣୀଙ୍କୁ ମଧ୍ୟ ଆରାଧନା କରାଯାଇଛି । - ଋଗ୍‌ବେଦୀୟ ରାତ୍ରୀ ଖିଳ (୪.୨) :

 

ଋଗ୍‌ବେଦୀୟ ରାତ୍ରୀ ଖିଳରେ ରାତ୍ରି ଓ ଅଗ୍ନି ଦେବୀଙ୍କ ସହ ଦୁର୍ଗାଙ୍କୁ ମଧ୍ୟ ପ୍ରାର୍ଥନା କରାଯାଇଛି । ଋଗ୍‌ବେଦରେ ଦୁର୍ଗାଙ୍କ ଆବିର୍ଭାବ ବିଷୟରେ ଉଲ୍ଲେଖ କରାଯାଇଛି । ଯେଉଁମାନେ ସେମାନଙ୍କର ଆଶ୍ରିତ ତାଙ୍କୁ ବିପଦମୁକ୍ତ କରିବା ସହ ସର୍ବମଙ୍ଗଳ ସକାଶେ ଦେବୀଙ୍କୁ ଆରାଧନା କରାଯାଇଛି । ଦୈବୀ ଶକ୍ତିର ଗୁଣକୀର୍ତ୍ତନ କରାଯାଇଛି । ଅଗ୍ନି ଦେବୀଙ୍କର ଗୌରବମୟ ଶକ୍ତିର ପ୍ରଶଂସାଗାନ କରାଯିବା ସହିତ ଅଗ୍ରଗାମୀ ଦେବୀଦୁର୍ଗାଙ୍କ ଶରଣାପନ୍ନ ସକାଶେ ପ୍ରାର୍ଥନା କରାଯାଇଛି । ବିପଦ ସମୟରେ ଦେବୀ ଦୁର୍ଗା ଆମକୁ ସହାୟ ହୁଅନ୍ତୁ । ଆମର ସମସ୍ତ ମଙ୍ଗଳ କରନ୍ତୁ । ରାତ୍ରିପରେ ରାତ୍ରି ଯେଉଁ ଭକ୍ତ ଉକ୍ତ ମନ୍ତ୍ରଟି ଜପେ, ଦୁର୍ଗାଦେବୀ ତାକୁ ଜରା, ବ୍ୟାଧି, ଦାରିଦ୍ର୍ୟ ପ୍ରଭୃତି ସମସ୍ତ ବିପଦରୁ ମୁକ୍ତ କରନ୍ତି ।

 

ସହାୟକ ଗ୍ରନ୍ଥ ସୂଚୀ :

1.

Renou, Etudes, Vol. I, (1955) Pp. 1-127

2.

Coburn, Thomas B., Devi Mahatmya, MLBD, Delhi, 1984, P.255.

3.

Banerjee, J.N. "Some Aspects of Sakti worship in Ancient India", Prabuddha Bharata, 59 (Mar. 1954), Pp. 227-232.

4.

Chatterjee, K.C., Devi - Sukta, Calcutta University, Calcutta, 1945, Pp. iii, 2.

5.

Sinha, B.P., "Evolution of ‘Sakti Worship in India," in D.C. Sircar (Ed.)

The ‘Sakti Cult and Tara. Pp. 45-55.

 

 

 

ପ୍ରାଧ୍ୟାପିକା, ସଂସ୍କୃତ ବିଭାଗ, ନୟାଗଡ଼ ମହାବିଦ୍ୟାଳୟ, ନୟାଗଡ଼, ୭୫୨୦୬୯

 

***

 

ଏକାଡେମୀ ସମାଚାର

 

କର୍ମବୀର ଗୌରୀଶଙ୍କର ରାୟ ଜୟନ୍ତୀ

ତା ୧୩.୭.୯୭ ରିଖ ସଂଧ୍ୟା ୬.୩୦ ଘଣ୍ଟା ସମୟରେ କଟକସ୍ଥ ଶ୍ରୀରାମଚନ୍ଦ୍ର ଭବନଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳନ ଅବସରରେ ଏକ ସାହିତ୍ୟ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଓଡ଼ିଆ ସାହିତ୍ୟର ବିଶିଷ୍ଟ ପ୍ରାବନ୍ଧିକ ଓ ସମାଲୋଚକ ଶ୍ରୀଯୁକ୍ତ ପଠାଣି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭାଷଣ ପ୍ରସଙ୍ଗରେ କହିଥିଲେ ଯେ ଉତ୍କଳ ବରପୁତ୍ର କର୍ମଯୋଗୀ ଗୌରୀଶଙ୍କର ରାୟ ଜଣେ ନିଷ୍ଠାପର ସାରସ୍ଵତସାଧକ, ସମାଜସଂସ୍କାରକ, ଜନସେବକ ତଥା ନିର୍ଭୀକ ସାଂବାଦିକ ଭାବରେ ଓଡ଼ିଶାରେ ସୁପରିଚିତ ଥିଲେ । ସେ ଓଡ଼ିଆ ଭାଷାର ଘୋର ଦୁର୍ଦ୍ଦିନରେ ସାହସିକ ପଦକ୍ଷେପ ଗ୍ରହଣ କରି ଓଡ଼ିଆ ଭାଷାର ମହତ୍ତ୍ଵ ବଜାୟ ରଖିଥିଲେ । ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ଶ୍ରୀଯୁକ୍ତ ବିଭୂତି ପଟ୍ଟନାୟକ ଉକ୍ତ ସାରସ୍ଵତ ସଭାରେ ମୁଖ୍ୟ ବକ୍ତାଭାବରେ ଯୋଗଦାନ କରି କର୍ମବୀର ଗୌରୀଶଙ୍କରଙ୍କୁ ଜଣେ ବିଶିଷ୍ଟ ସଂଗଠକ ଓ ସାମ୍ବାଦିକ ବୋଲି ଅଭିହିତ କରି କହିଲେ ଯେ ଓଡ଼ିଶାରେ ଶିକ୍ଷାର ଉନ୍ନତି ଓ ଓଡ଼ିଆ ଭାଷାର ଶ୍ରୀବୃଦ୍ଧି ସାଧନ ପାଇଁ ସାହିତ୍ୟସାଧକମାନଙ୍କ ସହାୟତାରେ ସେ ମୌଳିକ ରଚନା ଓ ଅନୁବାଦ ଆକାରରେ ବହୁ ପାଠ୍ୟପୁସ୍ତକ ରଚନା କରି ଓଡ଼ିଆ ପାଠ୍ୟପୁସ୍ତକ ଭଣ୍ଡାରକୁ ସମୃଦ୍ଧ କରିଥିଲେ ।

 

ବରେଣ୍ୟ କବି ପଦ୍ମଶ୍ରୀ ଡକ୍ଟର ସଚ୍ଚି ରାଉତରାୟ ଏହି ସଭାରେ ପୌରୋହିତ୍ୟ କରି ତାଙ୍କ ଅଭିଭାଷଣରେ କହିଲେ ଯେ ଦୀର୍ଘ ପଚାଶ ବର୍ଷକାଳ ‘ଉତ୍କ‌ଳ ଦୀପିକା’ର ସୁଯୋଗ୍ୟ ସଂପାଦକ ଭାବରେ ଗୌରୀଶଙ୍କର ଯଶସ୍ଵୀ । ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ ବିରୁଦ୍ଧରେ ତାଙ୍କର ଭୂମିକା ଥିଲା ଅବିସ୍ମରଣୀୟ । ସେହି ସମୟରେ ‘ଦୀପିକା’ ପୃଷ୍ଠାରେ ତାଙ୍କର ସିଂହରଡ଼ି ସମଗ୍ର ବଙ୍ଗ ପ୍ରଦେଶକୁ ପ୍ରକମ୍ପିତ କରିଥିଲା । ତାଙ୍କର ନିର୍ଭୀକ ସାମ୍ବାଦିକତା ତତ୍‌କାଳୀନ ବହୁ ସଚେତନ ତଥା ଶିକ୍ଷିତ ଓଡ଼ିଆଙ୍କ ମନପ୍ରାଣକୁ ଆକୃଷ୍ଟ କରିଥିଲା । ଏକାଡେମୀର ପ୍ରକାଶନ ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ସଭାରେ ବହୁ ସାହିତ୍ୟିକ ତଥା ସାହିତ୍ୟାନୁରାଗୀ ବ୍ୟକ୍ତିବିଶେଷ ଯୋଗଦାନ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

ପଣ୍ଡିତ ନୀଳକଣ୍ଠ ଦାସ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଉପଲକ୍ଷେ ତା ୫-୮-୯୭ ରିଖ ସଂଧ୍ୟା ୬.୩୦ ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥ ପାନ୍ଥନିବାସ ସଭାକକ୍ଷରେ ଏକ ସାହିତ୍ୟ ସଭାର ଆୟୋଜନ କରାଯାଇଥିଲା । ପ୍ରଥମେ ନୀଳକଣ୍ଠଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

 

ବିଶିଷ୍ଟ ସାହିତ୍ୟିକ ଶ୍ରୀ ଚିତ୍ତରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାହିତ୍ୟିକ ତଥା ଗାଳ୍ପିକ ଶ୍ରୀ ଚନ୍ଦ୍ରଶେଖର ରଥ କହିଲେ ଯେ କଣ୍ଡିତ ନୀଳକଣ୍ଠ ଥିଲେ ପ୍ରକୃତରେ ବୁଦ୍ଧିଦୀପ୍ତ, ଯୁକ୍ତିନିଷ୍ଠ ଓ ସତ୍ୟବାଦୀ । କୌଣସି ପରିସ୍ଥିତିରେ ଦୋହଲିଯିବା ବ୍ୟକ୍ତି,ସେ ନଥିଲେ । ସତ୍ୟକୁ ଜୀବନର ଅଙ୍ଗୀଭୂତ କରି ସତ୍ୟର ଜୀବନ ବଞ୍ଚିଥିଲେ ସେ । ସମାଜରୁ କୁସଂସ୍କାର ଦୂରକରି ସଂସ୍କାର ଆଣିବା ପାଇଁ ତାଙ୍କର ଆଜୀବନ ପ୍ରଚେଷ୍ଟା ତାଙ୍କୁ ସଂସ୍କାରକ ଭାବେ ପରିଚିତ କରାଇଥିଲା । ସେ ଯାହାକହୁଥିଲେ ତାହା ଥିଲା ବଜ୍ର ନିର୍ଘୋଷ ପରି ସତ୍ୟ । ସେ ଥିଲେ ଅକୁତୋଭୟ । ଦେଶକୁ ଭଲ ପାଉଥିଲେ ସେ ଦେଶର ମଙ୍ଗଳ କାମନା କରି । ଊନବିଂଶ ଶତାବ୍ଦୀରେ ନୀଳକଣ୍ଠଙ୍କ ପରି ବ୍ୟକ୍ତି ଜନ୍ମ ହୋଇନଥିଲେ ଏ ଜାତିର ଇତିହାସ ଅନ୍ୟ ପ୍ରକାର ହୋଇଥାନ୍ତା ବୋଲି ମତବ୍ୟକ୍ତ କରି ଶ୍ରୀ ରଥ କହିଥିଲେ ଯେ ବୈଜ୍ଞାନିକ ଦୃଷ୍ଟି, ଦାର୍ଶନିକ ଦୃଷ୍ଟି ଓ କବି ଦୃଷ୍ଟିର ଅପୂର୍ବ ସମାହାର ଥିଲେ ସେ । ତିନିଭୂମିର ତିନିଦୃଷ୍ଟିକୁ ଏକତ୍ର କରି ତାଙ୍କର ଅସାମାନ୍ୟ ପ୍ରତିଭାର ପରିଚୟ ଦେଇଥିଲେ ।

 

ସଭାରେ ସମ୍ମାନିତ ବକ୍ତାଭାବେ ଯୋଗଦେଇ ଅଧ୍ୟାପକ ଶ୍ରୀ ବିଶ୍ଵରଞ୍ଜନ ସ୍ମୃତି ଚାରଣ ପୂର୍ବକ କହିଥିଲେ ଯେ ପଣ୍ଡିତ ନୀଳକଣ୍ଠ ପଣ୍ଡିତ ନଥିଲେ ସେଥିଲେ ପଥିକ । ତାଙ୍କ ପଥ ଥିଲା ବକୁଳବନରୁ କଲିକତା ଓ ସ୍ଵାଧୀନତା ଆନ୍ଦୋଳନରୁ ବ୍ୟବସ୍ଥାପକ ସଭାଯାଏଁ । ସେ ଥିଲେ ନିର୍ଭୀକତା ଓ ସାହସିକତାର ପରିଚୟ । ଯୁକ୍ତିନିଷ୍ଠ ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଯୋଗୁଁ ଅନ୍ଧଭାବେ ଗ୍ରହଣ କରାଯାଉଥିବା ବିଷୟ ବିରୁଦ୍ଧରେ ସର୍ବଦା ସେ ସ୍ଵର ଉତ୍ତୋଳନ କରିଥିଲେ । ଶ୍ରୀ ଚିତ୍ତରଞ୍ଜନ ଦାସ ତାଙ୍କର ଅଭିଭାଷଣରେ କହିଥିଲେ ଯେ ଜୟନ୍ତୀର ଅର୍ଥ ଜୟ ଜୟକାର କରିବା ନୁହେଁ । ପଣ୍ଡିତ ନୀଳକଣ୍ଠଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ କହିଥିଲେ ଯେ ତାଙ୍କ ନିର୍ବାଚନ ଅନୁସାରେ ସେ ବଞ୍ଚିଥିଲେ ବୋଲି ଆଜି ସେ ଅମର । ସେ ମହାନ୍‌ ବିସ୍ମୃତ ବ୍ୟକ୍ତିର ବିଶ୍ଳେଷଣ ବର୍ଣ୍ଣନା ଦ୍ୱାରା ବ୍ୟକ୍ତିତ୍ୱ ସଂକୁଚିତ ହୋଇଯାଏ ବୋଲି ମତଦେଇ ସେ କହିଥିଲେ ଯେ ଆମ ସଙ୍କେତ ଯୋଗୁଁ ନୀଳକଣ୍ଠଙ୍କୁ ଆମର ଓଡ଼ିଶାର ବୋଲି ଆମେ କହୁଛେ । ନୀଳକଣ୍ଠଙ୍କ ପରି ମହାପୁରୁଷଙ୍କ ସ୍ମୃତିଚାରଣ ଅପେକ୍ଷା ତାଙ୍କଠାରୁ ଆମ ଯୁଗ ପାଇଁ କିଛି ସ୍ଫୁଲିଙ୍ଗ ଯୋଗାଡ଼ କରିପାରିଲେ ତାହାହିଁ ହେବ ଆମର ଉଚିତ ଶ୍ରଦ୍ଧାଞ୍ଜଳି ।

 

ଅସୁସ୍ଥତା ବଶତଃ ସାହିତ୍ୟ ଏକାଡେମୀର ସଚିବ ଡଃ ହରପ୍ରସାଦ ପରିଛା ପଟ୍ଟନାୟକ ସଭାରେ ଯୋଗଦେଇ ପାରି ନଥିବାରୁ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏକାଡେମୀର ପ୍ରକାଶନ ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ସିଂହ ।

 

ସ୍ୱଭାବକବି ଗଙ୍ଗାଧର ମେହେର ଜୟନ୍ତୀ

ଗତ ତା ୧୮-୮-୯୭ ରିଖ ସଂଧ୍ୟା ୬.୩୦ ସମୟରେ ବାରିପଦାସ୍ଥିତ ଶହୀଦ ସ୍ମୃତିଭବନରେ ସ୍ୱଭାବକବି ଗଙ୍ଗାଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ପାଳନ ଅବସରରେ ଆୟୋଜିତ ସାହିତ୍ୟସଭାରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ନିକୁଞ୍ଜ କିଶୋର ସୁନ୍ଦରରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କବି ଗଙ୍ଗାଧରଙ୍କୁ ସତ୍ୟାନୁସଂଧାନୀ ବୋଲି ଅଭିହିତ କରିଥିଲେ । ମୟୂରଭଞ୍ଜ ମହାରାଜାଙ୍କ ସହ କବିଙ୍କର ଘନିଷ୍ଠ ସଂପର୍କ ବିଷୟରେ ସୂଚନା ଦେବା ସଙ୍ଗେ ସଙ୍ଗେ କବିଙ୍କର ସାହିତ୍ୟିକ ବିକାଶ ପାଇଁ ରାଜ ପରିବାରର କିପରି ମହାନ୍‌ ଅବଦାନ ରହନ୍ତି ସେ ବିଷୟରେ ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଡଃ. କେଶବଚନ୍ଦ୍ର ମେହେର ମେହେର ସାହିତ୍ୟକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଶ୍ଳେଷଣ କରି ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ବେଳେବେଳେ ଉପମାଳଙ୍କାରରେ କବି କିପରି କାଳିଦାସଙ୍କୁ ବଳିଯାଇଛନ୍ତି ସେ ବିଷୟରେ ପ୍ରାମାଣିକ ତଥ୍ୟ ଉଭୟ କବିଙ୍କ ସୃଷ୍ଟିରୁ ଦୃଷ୍ଟାନ୍ତ ଦେଇ ବୁଝାଇଥିଲେ ।

 

ସମ୍ମାନିତ ବକ୍ତା ଭାବରେ ଅଧ୍ୟାପକ ଶ୍ରୀ ପାର୍ଥସାରଥୀ ଅଜୟ ବାରିକ ଭାଷଣଦେଇ କବି ଗଙ୍ଗାଧରଙ୍କ କାବ୍ୟକୃତିରୁ ବହୁପଦ ଉଦ୍ଧାର କରି ତାଙ୍କର ସାହିତ୍ୟିକ ପ୍ରତିଭାର ଆକଳନ କରିଥିଲେ-। ବିଶିଷ୍ଟ ସାହିତ୍ୟସେବୀ ଓ ସାହିତ୍ୟ ସଂଗଠକ ଶ୍ରୀଯୁକ୍ତ ଗୌରମୋହନ ମହାପାତ୍ର ସଭାରେ ପୌରୋହିତ୍ୟ କରି ଗଙ୍ଗାଧରଙ୍କ କାବ୍ୟିକ ପ୍ରତିଭା ସଂପର୍କରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ଏକାଡେମୀର ପ୍ରକାଶନ ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ସିଂହ ସ୍ଵାଗତ ଭାଷଣ ପ୍ରଦାନ କରି ସ୍ୱଭାବକବି ଆଉ ଓଡ଼ିଶା ଭିତରେ ସୀମିତ ନାହାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି ସ୍ମୃତି ସଭାରେ ବହୁ କବି, ଲେଖକଙ୍କ ସହ ସ୍ଥାନୀୟ ସାରସ୍ଵତ ଓ ସାଂସ୍କୃତିକ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦାନ କରିଥିଲେ ।

 

ପଣ୍ଡିତ ଗୋପୀନାଥ ନନ୍ଦ ଜୟନ୍ତୀ

ତା ୨୧-୮-୯୭ ରିଖ ସଂଧ୍ୟା ୬.୩୦ ଘଣ୍ଟା ସମୟରେ ପାରଳାଖେମୁଣ୍ଡିସ୍ଥିତ ମହାରାଜା ବାଳକ ବିଦ୍ୟାଳୟରେ ବରେଣ୍ୟ ସାହିତ୍ୟସାଧକ ପଣ୍ଡିତ ଗୋପୀନାଥ ନନ୍ଦଙ୍କର ଜୟନ୍ତୀ ପାଳନ ଅବସରରେ ଓଡ଼ିଶୀ ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ସାହିତ୍ୟସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ବିଶିଷ୍ଟ ସମାଲୋଚକ ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଜୀବନ ଓ ସାରସ୍ୱତ କୃତି ସଂପର୍କରେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋକପାତ କରିଥିଲେ । ଭାଷାକୋଷ ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସେ ପୂର୍ବସୂରୀ ଥିଲେ । ଓଡ଼ିଶା ଭାଷାର ସ୍ଵତନ୍ତ୍ର ସ୍ଥିତି ଓ ମର୍ଯ୍ୟାଦା ବଜାୟ ରଖିବା ପାଇଁ ତାଙ୍କର ଐକାନ୍ତିକ ଉଦ୍ୟମ ଅତୀବ ପ୍ରଶଂସନୀୟ । ବ୍ୟକ୍ତିଗତ ସାଧନା ବଳରେ ସେ ସଂସ୍କୃତରେ ଅସାଧାରଣ ବ୍ୟୁତ୍ପତ୍ତି ଅର୍ଜନ କରିଥିଲେ । ତାଙ୍କର ସମଗ୍ର କୃତିକୁ ଗ୍ରନ୍ଥାବଳୀ ଆକାରରେ ପ୍ରକାଶ କରିବାକୁ ସେ ମତ ବ୍ୟକ୍ତ କରିଥିଲେ । ସମ୍ମାନିତ ବକ୍ତା ଭାବରେ ଅଧ୍ୟାପକ ଡଃ କାହ୍ନୁ ଚରଣ ପାଢ଼ୀ ଯୋଗଦାନ କରି ପଣ୍ଡିତ ନନ୍ଦଙ୍କ ସାରସ୍ୱତ ଅବଦାନ ସଂପର୍କରେ ଆଲୋଚନା କରି କହିଥିଲେ ଯେ ସମାଲୋଚନା, ଭାଷା ତତ୍ତ୍ୱ ଓ ବ୍ୟାକରଣରେ ପଣ୍ଡିତ ନନ୍ଦ ଏକ ପ୍ରବର୍ତ୍ତକ-ସ୍ରଷ୍ଟା । ସେକାଳର ଆଧୁନିକ ଭାରତୀୟ ଭାଷାରାଜ୍ୟରେ ସେ ଅତୁଳନୀୟ ଓ ଅଦ୍ୱିତୀୟ ।

 

ଏହି ସଭାରେ ପୌରୋହିତ୍ୟ କରିଥିଲେ ଖଲ୍ଲିକୋଟ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ବ୍ରହ୍ମାନନ୍ଦ ସିଂହ । ସେ ପଣ୍ଡିତ ନନ୍ଦଙ୍କୁ ପ୍ରୟୋଗାତ୍ମକ ସମାଲୋଚନା ପଦ୍ଧତିର ପ୍ରବର୍ତ୍ତକ ଭାବରେ ଅଭିହିତ କରିଥିଲେ । ଜଣେ ଉଚ୍ଚକୋଟୀର ଗଦ୍ୟକାର ଭାବରେ, ପ୍ରାଚ୍ୟ ରୀତିର ସମାଲୋଚନା ଶୈଳୀ ପ୍ରତିଷ୍ଠାରେ ପଣ୍ଡିତ ନନ୍ଦ ମହାନ୍‌ ଗୌରବର ଅଧିକାରୀ ବୋଲି ସେ ମତ ବ୍ୟକ୍ତ କରିଥିଲେ ।

 

ଏକାଡେମୀର ପ୍ରକାଶନ ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ସିଂହ ସ୍ଵାଗତ ଭାଷଣ ପ୍ରଦାନ କରି ପଣ୍ଡିତ ଗୋପୀନାଥ ସ୍ଵାଭିମାନ ଓ ସ୍ଵଜାତି ପ୍ରୀତିର ପ୍ରତୀକ ବୋଲି କହିଥିଲେ । ଏହି ସାରସ୍ଵତ ସ୍ମୃ‌ତି ଚାରଣ-ଆସରରେ ବହୁ ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଜନସାଧାରଣଙ୍କ ସହ ସ୍ଥାନୀୟ ସାରସ୍ଵତ ଓ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟମାନେ ଯୋଗଦାନ କରି ପଣ୍ଡିତ ନନ୍ଦଙ୍କ ପ୍ରତି ଶ୍ରଦ୍ଧା- ସୁମନ ଅର୍ପଣ କରିଥିଲେ ।

 

ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ

ଓଡ଼ିଶାର ପ୍ରାତଃସ୍ମରଣୀୟ କବି ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ତା. ୧୦.୯.୯୭ ରିଖରେ ବ୍ରହ୍ମଗିରିସ୍ଥିତ ଅଲାରନାଥ ମହାବିଦ୍ୟାଳୟ ସଭାଗୃହରେ ଏକ ସାରସ୍ଵତ ପରିବେଶ ମଧ୍ୟରେ ସମାପନ ହୋଇଛି । ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ ଚେତନାର ଅନ୍ୟତମ ପ୍ରବକ୍ତା ବିଶିଷ୍ଟ ସଂସ୍କୃତବିଦ୍‌ ସ୍ଵାମୀ ଅରୂପାନନ୍ଦ ଆନୁଷ୍ଠାନିକଭାବରେ ଗୋସ୍ଵାମୀ ଜଗନ୍ନାଥ ଦାସଙ୍କ ତୈଳଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରି ଜୟନ୍ତୀ ସଭାର ଶୁଭ ଉଦ୍‌ଘାଟନ କରିଥିଲେ । ଉପସ୍ଥିତ ବହୁ ମାନ୍ୟଗଣ୍ୟ ଭଗବଦ୍‌ପ୍ରେମୀ, ସାହିତ୍ୟିକ ଅତିବଡ଼ୀଙ୍କ ତୈଳଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

 

ଏକାଡେମୀର ସଚିବ ଡଃ ହରପ୍ରସାଦ ପରିଛା ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଲେ ଯେ ଏକାଡେମୀର ଅନ୍ୟତମ ପ୍ରଧାନ କାର୍ଯ୍ୟ ହୋଇଛି ମହାପୁରୁଷମାନଙ୍କର ଜୟନ୍ତୀ ପାଳନର ଏହାର ଉଦ୍ଦେଶ୍ୟ ହେଲା । ସେମାନଙ୍କ ସୃଷ୍ଟି ମାଧ୍ୟମରେ ଓଡ଼ିଆ ଭାଷାକୁ ପରିପୁଷ୍ଟ କରିବାରେ ସେମାନଙ୍କର ମହାନ୍‌ ଅବଦାନ ସଂପର୍କରେ ଆଗାମୀ ଭବିଷ୍ୟତ ବଂଶଧରମାନଙ୍କୁ ଉଦ୍‌ବୁଦ୍ଧ କରିବା । ଏଥିପୂର୍ବରୁ ମହାପୁରୁଷମାନଙ୍କର ଜନ୍ମସ୍ଥାନମାନଙ୍କରେ ଜୟନ୍ତୀ ପାଳନ କରାଯାଉ ନ ଥିବାରୁ ସଂପୃକ୍ତ ଅଞ୍ଚଳର ଜନମାନସରୁ କ୍ରମେ କ୍ରମେ ଦୂରେଇ ଯାଉଥିବା ମନୀଷୀମାନଙ୍କର ଜୀବନ, ସାହିତ୍ୟ ଓ ଦର୍ଶନ ସଂପର୍କରେ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷଠାରୁ ଏକାଡେମୀ କବିମାନଙ୍କର ଜନ୍ମସ୍ଥାନମାନଙ୍କରେ ଜୟନ୍ତୀ ଉତ୍ସବ ପାଳନ କରିବାକୁ ସ୍ଥିର କରିଛି । ପ୍ରତ୍ୟେକ ମହାପୁରୁଷଙ୍କ ଜୀବନୀ, ଦର୍ଶନ ଓ ସାହିତ୍ୟ ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ; ତାହାକୁ ସମସ୍ତେ ପଢ଼ିବା ଓ ଜାଣିବା ଆବଶ୍ୟକ । ଏ ଜାତି ଯେତେବେଳେ କଠୋର ପରୀକ୍ଷାର ଦ୍ୱାରଦେଶରେ ଦଣ୍ଡାୟମାନ, ଠିକ୍‌ ସେତିକିବେଳେ ଗୋସ୍ଵାମୀ ଜଗନ୍ନାଥ ଦାସଙ୍କ ଆବିର୍ଭାବ ଓ ତାଙ୍କର ମହାନ ସୃଷ୍ଟି - ଓଡ଼ିଆ ଭାଗବତ ଏହି ଜାତିକୁ ଏକ ନିଶ୍ଚିତ ପତନ ମୁଖରୁ ରକ୍ଷାକରିଥିଲା । ଅତିବଡ଼ୀଙ୍କ ଓଡ଼ିଆ ଭାଗବତ ପ୍ରତ୍ୟେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଏଜାତିର ସଂପର୍କକୁ ଘନିଷ୍ଠ କରିବା ସଙ୍ଗେ ସଙ୍ଗେ ଭାବପ୍ରବଣତା ଓ ସ୍ଵାଭିମାନ ଭରିଦେଇଥିଲା । ସେତେବେଳେ ଅପସଂସ୍କୃତିର ପ୍ରଚାର ଦୂରକରି ମାନବବାଦ ସପକ୍ଷରେ ଲେଖନୀ ଚାଳନାକରି ସେ ଏ ଜାତିର ପ୍ରାତଃ ସ୍ମରଣୀୟ, ଚିରନମସ୍ୟ ହୋଇଗଲେ ।

 

ମୁଖ୍ୟ ଅତିଥି ସ୍ଵାମୀ ଅରୂପାନନ୍ଦ ତାଙ୍କ ଭାଷଣ ପ୍ରସଂଗରେ କହିଲେଯେ ପବିତ୍ର ରାଧାଷ୍ଟମୀ ତିଥିରେ ମହାପୁରୁଷ ଜଗନ୍ନାଥ ଦାସଙ୍କ ଆବିର୍ଭାବ ଏହି ତିଥିକୁ ଓଡ଼ିଆମାନଙ୍କ ମଧ୍ୟରେ ଅଧିକ ମହିମାମୟ କରିଛି । ସଞ୍ଚସଖାଯୁଗର ଏହି ପ୍ରାତଃସ୍ମରଣୀୟ ମହାପୁରୁଷ ସିଦ୍ଧିଲାଭ କରିଥିଲେ ଭକ୍ତିତତ୍ତ୍ଵ ଭାବଧାରାରେ ଉଦ୍‌ବୁଦ୍ଧ ହୋଇ । ଯେତେବେଳେ ଭାରତବର୍ଷରେ ରସଶାସ୍ତ୍ର ଓ ଭକ୍ତିତତ୍ତ୍ଵ କେବଳ ସଂସ୍କୃତ ଭାଷାରେ ଥିଲା ଠିକ୍‌ ସେତିକିବେଳେ ଅତିବଡ଼ୀ ଓଡ଼ିଆରେ ଭକ୍ତି ସାହିତ୍ୟ ସୃଷ୍ଟି କରିଥିଲେ । ସେ ଉପଲବ୍ଧି କରିଥିଲେ ଆଧ୍ୟାତ୍ମ୍ୟ ବିକାଶ ବିନା ସାହିତ୍ୟ ପରିପୁଷ୍ଟ ହେବନାହିଁ । ତେଣୁ ତାଙ୍କର ସମସ୍ତ ରଚନା ଆଧ୍ୟାତ୍ମ୍ୟବାଦ ଉପରେ ପର୍ଯ୍ୟବସିତ ଯାହା ପରବର୍ତ୍ତୀ କାଳରେ ଓଡ଼ିଆ ସାହିତ୍ୟର ମୂଳଦୁଆ ବୋଲି ବିବେଚନା କରାଗଲା । ଆମ୍ଭମାନଙ୍କ ମଧ୍ୟରେ ସାହିତ୍ୟ ଓ ସାହିତ୍ୟିକର ପୂଜା ଓ ଆଦର ନଥିବାରୁ ଆମର ପୂର୍ବସୂରୀମାନଙ୍କୁ ଉତ୍ତର ଦାୟାଦମାନେ ଜାଣି ପାରୁନାହାନ୍ତି । ମହାପୁରୁଷମାନଙ୍କର ଜୟନ୍ତୀ ଉତ୍ସବ କରି ଯେଉଁ ପୂଜ୍ୟପୂଜା ଏକାଡେମୀ କରୁଛି ସେଥିପାଇଁ ସେ ଧନ୍ୟବାଦ କଣାଇଥିଲେ ।

 

ସମ୍ମାନିତ ଅତିଥି କୁମାରକବି ଅରକ୍ଷିତ ପ୍ରଧାନ ଗତ ପାଞ୍ଚଶହ ବର୍ଷଧରି ଓଡ଼ିଆ ଜାତିକୁ ଭଗବତ୍‌ ଚେତନାରେ ଉଦ୍‌ବୁଦ୍ଧ କରି ଆମର ସଂପର୍କକୁ ଅଧିକ ଘନିଷ୍ଠ କରିଥିବା ଅତିବଡ଼ୀଙ୍କ ଅଲୌକିକ ମହିମା ସଂପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ତେଜଦୀପ୍ତିମାନ ସନ୍ନ୍ୟାସୀ ପ୍ରାତଃସ୍ମରଣୀୟ ମହାପୁରୁଷ ଅତିବଡ଼ୀ ଗୋସ୍ଵାମୀ ଜଗନ୍ନାଥ ଦାସ ଏହି ବ୍ରହ୍ମଗିରି ସନ୍ନିକଟ କପିଳେଶ୍ଵରପୁର ଶାସନରେ ଜନ୍ମଲାଭ କରିଥିବାରୁ ଏ ମାଟି ଧନ୍ୟ ହୋଇଛି ।

 

ଅନ୍ୟତମ ସମ୍ମାନିତ ବକ୍ତା ଚାରଣ ରାମଦାସ ସାବଲୀଳ କଣ୍ଠରେ ଓଡ଼ିଆ ଭାଗବତର କିଛି ଅଂଶ ଆବୃତ୍ତି କରି ତାଙ୍କ ଭାଷଣରେ କହିଲେ, ଗୋସ୍ଵାମୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ମୂଳଧର୍ମ ନମ୍ରତା ଓ ବିଶ୍ୱାସ । ଏହି ମହାନ୍‌ କାବ୍ୟ ଓଡ଼ିଆ ଜଗତକୁ ଦୀର୍ଘଦିନ ଧରି ଦିଗ୍‌ଦର୍ଶନ ଦେଇଆସୁଛି ଏବଂ ଦେବ ମଧ୍ୟ ।

 

ଉତ୍ସବରେ ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ ଅଲାରନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜକିଶୋର ସାହୁ । ସେ ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ ଓଡ଼ିଶାର ମଧ୍ୟଯୁଗୀୟ ସାହିତ୍ୟ ରଚନା କ୍ଷେତ୍ରରେ ଓଡ଼ିଆ ଭାଗବତ ସର୍ବଶ୍ରେଷ୍ଠ ଗ୍ରନ୍ଥ । ସାହିତ୍ୟ ଏକାଡେମୀ ବ୍ରହ୍ମପୁରଠାରେ ଜଗନ୍ନାଥ ଦାସ ଜୟନ୍ତୀ ଉତ୍ସବ ପାଳନ କରୁଥିବାରୁ ସେ ଏକାଡେମୀକୁ ସାଧୁବାଦ ଜଣାଇଥିଲେ ।

 

ପରିଶେଷର ଅଲାରନାଥ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀ ବଳଭଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗଜ୍ୟୋତି ସାହିତ୍ୟ ସଂସଦ ପକ୍ଷରୁ ଶ୍ରୀ ସୁଶାନ୍ତ କୁମାର ଜେନା ଅତିଥିମାନଙ୍କୁ ସ୍ଵାଗତ ଜଣାଇଥିଲେ ।

 

କବିବର ରାଧାନାଥ ରାୟଙ୍କ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ, ରାଧାନାଥ ପାଠାଗାର ଓ କବିବର ରାଧାନାଥ ରାୟଙ୍କ ସ୍ମୃତି ସଂସଦର ମିଳିତ ଆନୁକୂଳ୍ୟରେ ସୋରସ୍ଥିତ କବିଙ୍କ ଜନପୀଠ କେଦାରପରଠାରେ ତା ୨୮.୯.୯୭ ରିଖରେ କବିବର ରାଧାନାଥ ରାୟଙ୍କ ଶହେପଚାଶତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ଜୟନ୍ତୀ ଉତ୍ସବର ପ୍ରଥମ ଅଧିବେଶନ ପ୍ରଭାତଫେରି କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା । ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପ୍ରଭାତଫେରି ପରେ ପରେ ସ୍ମୃତିପୀଠରେ କବି ଡକ୍ଟର ପ୍ରସନ କୁମାର ପାଟଶାଣୀ, ଦୁର୍ଗାପ୍ରସନ୍ନ ପଣ୍ଡା ତଥା ସ୍ଥାନୀୟ ବହୁ ବିଶିଷ୍ଟବ୍ୟକ୍ତି ବିଶେଷ ରାଧାନାଥଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ।

 

ଏହା ପରେ ସ୍ଵାଧୀନତାର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରାବନ୍ଧିକ ଅଧ୍ୟାପକ ଡ: ରମାକାନ୍ତ ବେହେରାଙ୍କ ସଭାପତିତ୍ୱରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଡ: ବେହେରା କବିତାର ବିଭିନ୍ନ ଦିଗ ସଂପର୍କରେ କିଞ୍ଚିତ ସୂଚନା ପ୍ରଦାନ କରି ରାଧାନାଥଙ୍କ ‘ଅମର୍ଷିବାଣୀ’ କବିତାର କିୟଦଂଶ ଗାନ କରି କବିତା ପାଠୋତ୍ସବର ଶୁଭାରମ୍ଭ କରିଥିଲେ । ଏକ ମନୋଜ୍ଞ ପରିବେଶ ମଧ୍ୟରେ ପ୍ରାୟ ତିରିଶଜଣ କବି ସେମାନଙ୍କର ସ୍ଵରଚିତ କବିତା ପାଠ କରିଥିଲେ । ଦର୍ଶକମାନଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି କବି ଗହଣରେ ନିଜକୁ ହଜାଇଦେଇ ଆତ୍ମବିଭୋର ହୋଇଉଠିଥିଲେ କବି ଡକ୍ଟର ପ୍ରସନ୍ନ ପାଟଶାଣୀ, ହରପ୍ରସାଦ ପରିଚ୍ଛା ପଟ୍ଟନାୟକ, ଯଦୁନାଥ ଦାସ ମହାପାତ୍ର ପ୍ରମୁଖ । ଏମାନଙ୍କର ମୁଖ ନିଃସୃତ କବିତା କରିଥିଲା ଶ୍ରୋତାମାନଙ୍କୁ ଆନନ୍ଦବିଭୋର ।

 

ତୃତୀୟ ଅଧିବେଶନ ସାହିତ୍ୟ ସଭା ଅପରାହ୍‌ଣ ପାଞ୍ଚ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା । ଭାରତୀ ବନ୍ଦନା ଗାନପରେ ରାଧାନାଥ ସ୍ମୃତି ସଂସଦର ସଭାପତି ଲକ୍ଷ୍ମୀନାରାୟଣ ନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ଏକାଡେମୀର ଆଭିମୁଖ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଡକ୍ଟର ଦୁର୍ଗାପ୍ରସନ୍ନ ପଣ୍ଡା କବିବରଙ୍କ ଜୀବନରେ ବହୁ ପାରିପାର୍ଶ୍ଵିକ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ କିପରି କବିତା ରଚନାରୁ ବିଚ୍ୟୁତ ହୋଇନଥିଲେ ତାହା ଉପରେ ଆଲୋକପାତ କରିଥିଲେ ।

 

ମୁଖ୍ୟ ଅତିଥି ପ୍ରସନ୍ନ କୁମାର ପାଟ୍ଟଶାଣୀ ରାଧାନାଥଙ୍କୁ ସରଳତାର ପ୍ରତୀକ ବୋଲି ଦର୍ଶାଇଥିଲେ । ମଧ୍ୟଯୁଗୀୟ ସାହିତ୍ୟର ସଂଗୀତ ନିଷ୍ଠତାଠାରୁ ଦୂରେଇଯାଇ କବି ପ୍ରଥମକରି କାବ୍ୟମାନ ସୁପାଠ୍ୟ କ୍ଷୁଦ୍ର କ୍ଷୁଦ୍ର ଛନ୍ଦରେ ରଚନାକଲେ । ଏହା ଦ୍ୱାରା କବିତାଗୁଡ଼ିକ ପଠନଯୋଗ୍ୟ ଓ ଆବୃତ୍ତିଯୋଗ୍ୟ ହେବା ସଙ୍ଗେ ଲୋକପ୍ରିୟତା ହାସଲ କଲା । ରାଧାନାଥ ପ୍ରାଚ୍ୟ ପାଶ୍ଚାତ୍ୟର ଯେଉଁ ସୁନ୍ଦର ସମନ୍ୱୟ ସଂପାଦନ କଲେ, ତା’ର ସୁଦୂରପ୍ରସାରୀ ପ୍ରଭାବ ଓଡ଼ିଆ ସାହିତ୍ୟରୁ ଏପର୍ଯ୍ୟନ୍ତ ଲୋପପାଇନାହିଁ ବୋଲି କବି ପାଟ୍ଟଶାଣୀ ମତବ୍ୟକ୍ତ କରିଥିଲେ । ସଭାରେ ପୌରାହିତ୍ୟ କରି ଯଦୁନାଥ ଦାସମହାପାତ୍ର ରାଧାନାଥ ରାୟଙ୍କ ସମଗ୍ର କୃତି ଉପରେ ଏକ ଗ୍ରନ୍ଥାବଳୀ ପ୍ରକାଶନ କରାଯିବା ଉଚିତ ବୋଲି ଦର୍ଶାଇ ଏଦିଗରେ ସେ ନିଜେ ଉଦ୍ୟମ କରିବେ ବୋଲି କହିଥିଲେ । ଶେଷରେ ରାଧାନାଥ ପାଠାଗାରର ସଂପାଦକ ଶ୍ରୀ ସୁନ୍ଦରମୋହନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

***